Unknown

 

 

 

 

 

 

 

 

 

 

ଓଡ଼ିଆ ଭାଷାର ଇତିହାସ

ଶ୍ରୀ ବିନାୟକ ମିଶ୍ର

 

ସୂଚୀପତ୍ର

 

୧.

ପ୍ରଥମ ଅଧ୍ୟାୟ

ଓଡ଼ିଶାର ଭୌଗୋଳିକ ବିବରଣ

୨.

ଦ୍ୱିତୀୟ ଅଧ୍ୟାୟ

ଓଡ଼ିଶାର ପୁରାତତ୍ତ୍ୱ

୩.

ତୃତୀୟ ଅଧ୍ୟାୟ

ଓଡ଼ିଆ ଶବ୍ଦର ବ୍ୟୁତ୍ପତ୍ତିକ୍ରମ

୪.

ଚତୁର୍ଥ ଅଧ୍ୟାୟ

ବର୍ଣ୍ଣମାଳା ଓ ଧ୍ୱନିତତ୍ତ୍ୱ

୫.

ପଞ୍ଚମ ଅଧ୍ୟାୟ

ସର୍ବନାମ, ଅବ୍ୟୟ ଓ କ୍ରିୟାବିଶେଷଣ

୬.

ଷଷ୍ଠ ଅଧ୍ୟାୟ

ଲିଙ୍ଗ

୭.

ସପ୍ତମ ଅଧ୍ୟାୟ

ବଚନ ଓ ବିଭକ୍ତି

୮.

ଅଷ୍ଟମ ଅଧ୍ୟାୟ

ଧାତୁରୂପ

୯.

ନବମ ଅଧ୍ୟାୟ

କୃଦନ୍ତ ଓ ତଦ୍ଧିତ

୧୦.

ଦଶମ ଅଧ୍ୟାୟ

ସମାସ ଦ୍ୱନ୍ଦଶବ୍ଦ

୧୧.

ଏକାଦଶ ଅଧ୍ୟାୟ

ପ୍ରାଚୀନ ଓଡ଼ିଆ ଭାଷାର ଦୃଷ୍ଟାନ୍ତ

୧୨.

ଦ୍ୱାଦଶ ଅଧ୍ୟାୟ

ସଂସ୍କାର

Image

 

ପ୍ରଥମ ଅଧ୍ୟାୟ

(ଓଡ଼ିଶାର ଭୌଗୋଳିକ ବିବରଣ)

 

ଓଡ଼ିଆ ଭାଷାର ଇତିହାସ ଆଲୋଚନା କରିବାକୁ ହେଲେ ପ୍ରଥମେ ଓଡ଼ିଶାକୁ ଭଲରୂପେ ଚିହ୍ନିବା ଉଚିତ । ଏଣୁ ଏଠାରେ ଓଡ଼ିଶାର ଭୌଗୋଳିକ ବିବରଣ ଉଲ୍ଲେଖ କରିବା ଏକାନ୍ତ ଆବଶ୍ୟକ-। ବର୍ତ୍ତମାନ ରାଜନୈତିକ ଓଡ଼ିଶା ପ୍ରଦେଶ ବିଷୁବରେଖାଠାରୁ, ୨୨, ୩୪ ଓ ୧୯,୨, ଉତ୍ତର ଅକ୍ଷାଂଶ ମଧ୍ୟରେ ଏବଂ ୮୨, ୩୨ ଓ ୮୭, ୧୧ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହାର କ୍ଷେତ୍ରଫଳ ୪୦୦୦୦ ବର୍ଗମାଇଲ । ଏହାର ପୂର୍ବରେ ବଙ୍ଗୋପସାଗର, ଉତ୍ତରରେ ବଙ୍ଗ ପ୍ରଦେଶର ମେଦିନୀପୁର ଜିଲା, ଛୋଟନାଗପୁର ବିଭାଗର ରାଞ୍ଚି ଓ ସିଂହଭୂମି ଜିଲା ଏବଂ ମଧ୍ୟପ୍ରଦେଶର ଦଶିପୁର ରାଜ୍ୟ, ପଶ୍ଚିମରେ ମଧ୍ୟପ୍ରଦେଶର ରାଇପୁର ଜିଲା ଓ ରାଇଗଡ଼ ଏବଂ ଦକ୍ଷିଣରେ ମାନ୍ଦ୍ରାଜ ପ୍ରଦେଶର ଗଞ୍ଜାମ ଜିଲା ଓ ଭିଜଗାପାଟନା ଅବସ୍ଥିତ-। ଏଥିରେ ଦକ୍ଷିଣବର୍ତ୍ତୀ ଗଞ୍ଜାମ ଜିଲା, ଉତ୍ତରବର୍ତ୍ତୀ ମେଦିନୀପୁର ଜିଲ୍ଲାର କଣ୍ଟାଇ ସବ୍‌ଡ଼ିଭିଜନ ଓ ସିଂ ହଭୂମିର କେତେକାଂଶ ଏବଂ ପଶ୍ଚିମବର୍ତ୍ତୀ ରାଇଗଡ଼ ଓ ସାରଙ୍ଗଗଡ଼ ପ୍ରଭୃତି ରାଜନୈତିକ ସୂତ୍ରରେ ଯଦି ମିଶେ, ତେବେ ଏହା ଗୋଟିଏ ସୁବିଶାଳ ପ୍ରଦେଶରେ ପରିଣତ ହେବ-। ଯେଉଁ ସବୁ ଅଞ୍ଚଳ ମିଶିବା ନିମନ୍ତେ କୁହାଗଲା, ସେହି ସବୁ ଅଞ୍ଚଳରେ ବିସ୍ତର ଓଡ଼ିଆଭାଷୀ ଲୋକ ବାସ କରୁଅଛନ୍ତି ଏବଂ ସେଗୁଡ଼ିକ ପ୍ରାଚୀନ କାଳରେ ଓଡ଼ିଶାର ଯେ ଅନ୍ତର୍ଭୁକ୍ତ ଥିଲା, ତାହା ପରବର୍ତ୍ତୀ ଅଧ୍ୟାୟରୁ ପ୍ରମାଣିତ ହେବ ।

 

ଓଡ଼ିଶାର ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ଯେପରି ସମତଳ ଓ ମୁକ୍ତ, ସେହିପରି ସମତଳପ୍ରଦେଶର ପଶ୍ଚିମବର୍ତ୍ତୀ ଭୂଭାଗ ଘୋର ବଣପାହାଡ଼ରେ ପୂର୍ଣ୍ଣ । ପଶ୍ଚିମରେ ଗୋଟିଏ ପର୍ବତଶ୍ରେଣୀ ଉତ୍ତାରୁ ଆଉ ଗୋଟିଏ ପର୍ବତଶ୍ରେଣୀ, ତହିଁ ଉତ୍ତାରୁ ମଧ୍ୟ ପର୍ବତଶ୍ରେଣୀ–ଏହିପରି ବହୁ ପର୍ବତଶ୍ରେଣୀ ଓଡ଼ିଶାର ପ୍ରାୟ ଦଶପଣ କ୍ଷେତ୍ରଫଳ ମାଡ଼ି ବସିଅଛନ୍ତି । ଏହି ପର୍ବତଶ୍ରେଣୀଗୁଡ଼ିକ ଭିତରେ ପ୍ରକୃତିର ବିହାର-ଅଗଣାରୂପେ ଅଗଣିତ ରମଣୀୟ ଉପତ୍ୟକା ଓ ଅଧିତ୍ୟକା ପୂରି ରହିଅଛି ।

 

ଓଡ଼ିଶାକୁ ପ୍ରକୃତି ସାଧାରଣତଃ ଚାରିଭାଗରେ ବିଭକ୍ତ କରିଅଛି । ପ୍ରଥମଭାଗ ସୁବର୍ଣ୍ଣରେଖା ଓ ବୈତରଣୀ ମଧ୍ୟରେ, ଦ୍ୱିତୀୟ ଭାଗ ବୈତରଣୀ ଓ ବ୍ରାହ୍ମଣୀ ମଧ୍ୟରେ, ତୃତୀୟ ଭାଗ ବ୍ରାହ୍ମଣୀ ଓ ମହାନଦୀ ମଧ୍ୟରେ ଏବଂ ଚତୁର୍ଥ ଭାଗ ମହାନଦୀର ଦକ୍ଷିଣରେ ଅବସ୍ଥିତ । ମହାନଦୀ ପଶ୍ଚିମବର୍ତ୍ତୀ ରାୟପୁର ଜିଲାରୁ ବାହାରି ସମ୍ବଲପୁର ଜିଲା ଭିତରେ ପ୍ରବାହିତ ହୋଇ ସୋନପୁର, ବୌଦ, ଆଠମଲ୍ଲିକ, ଦଶପଲା, ନରସିଂହପୁର, ବଡ଼ାମ୍ବା, ତିଗିରିଆ ଓ ଆଠଗଡ଼ ବାଟେ କଟକଠାରେ ପହଞ୍ଚି ସେଠାରୁ ବିଭିନ୍ନ ଶାଖାରେ ବିଭକ୍ତ ହୋଇ ଅବଶେଷରେ ପୂର୍ବକୁ ପ୍ରବାହିତ ହୋଇ ସମୁଦ୍ରରେ ପଡ଼ିଅଛି । ପଥ ମଧ୍ୟରେ ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରୁ ଆସି ତହିଁରେ ବହୁତ ଉପନଦୀ ମିଳିତ ହୋଇଅଛନ୍ତି । ବ୍ରାହ୍ମଣୀ ନଦୀ ଓଡ଼ିଶାର ଉତ୍ତର-ପଶ୍ଚିମବର୍ତ୍ତୀ । ଗାଙ୍ଗପୁର ରାଜ୍ୟରୁ ବାହାରି ବୋଣାଇ, ବାମଣ୍ଡା, ତାଳଚେର ଓ ଢେଙ୍କାନାଳ ବାଟେ ଆସି ବହୁତ ଉପନଦୀର ଜଳରେ ପୁଷ୍ଟିଲାଭ କରି କଟକ ଜିଲା ଭିତରେ ପ୍ରବାହିତ ହୋଇ ଅବଶେଷରେ ସମୁଦ୍ରରେ ପଡ଼ିଅଛି-। ବୈତରଣୀ କେନ୍ଦୁଝରରୁ ବାହାରି ଯାଜପୁର ବାଟେ ଯାଇ ସମୁଦ୍ରରେ ପଡ଼ିଅଛି । ସୁବର୍ଣ୍ଣରେଖା ଛୋଟନାଗପୁର ବିଭାଗରୁ ବାହାରି ମୟୂରଭଞ୍ଜର ଉତ୍ତର ସୀମା ସ୍ପର୍ଶ କରି ବାଲେଶ୍ୱରର ଉତ୍ତରାଞ୍ଚଳ ଭିତରେ ପ୍ରବାହିତ ହୋଇ ସମୁଦ୍ରରେ ପଡ଼ିଅଛି । ଓଡ଼ିଶାର ଏହି ନିତ୍ୟସଲୀଳା ନଦୀମାନଙ୍କର ଅବସ୍ଥିତିରୁ ପାଠକମାନେ ବୁଝି ପାରିବେ ଯେ the rivers unite the races, ଏହି ପ୍ରବଚନ ଅନୁସାରେ ଗଡ଼ଜାତର ଲୋକେ ପ୍ରାଚୀନ କାଳରୁ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ସହିତ ମିଳାମିଶା କରିବାର ସୁଯୋଗ ଲଭି ଆସୁଅଛନ୍ତି । ବାଣିଜ୍ୟ ସମ୍ପର୍କରେ ସମ୍ବଲପୁରର ଲୋକେ ମହାନଦୀ ସାହାଯ୍ୟରେ କଟକର ଲୋକଙ୍କ ସହିତ କିପରି ମିଶୁଅଛନ୍ତି, ତାହା ବର୍ତ୍ତମାନ ମଧ୍ୟ ପ୍ରତ୍ୟକ୍ଷ କରାଯାଇ ପାରେ ।

 

ଓଡ଼ିଶାର ପ୍ରାକୃତିକ ଦୃଶ୍ୟର ରମଣୀୟତା ଭାରତରେ ଅତୁଳନୀୟ । ପଶ୍ଚିମରେ ମୁକୁଟରୂପୀ ପର୍ବତଚୂଡ଼ାରେ ମତ୍ତଗଜକ୍ରୀଡ଼ା, ପୂର୍ବରେ ପଦାଭରଣରୂପୀ ରତ୍ନଗର୍ଭା ସାଗରର କୋଳାହଳ, ହୃଦୟରେ ସ୍ୱର୍ଣ୍ଣପ୍ରସବିନୀ ନଦୀର ଅସଂଖ୍ୟ ହାର–ଏ ଭିତରେ ମୁନିମନବିନୋଦିନୀ ପ୍ରକୃତିର ଯେଉଁ ସବୁ ଚାରୁନାଟ୍ୟଶାଳା ଅଛି, ତାହା ପ୍ରତ୍ୟକ୍ଷ ନ କଲେ ପାଠକେ କାହାରିଠାରୁ ବର୍ଣ୍ଣନା ଶୁଣି ଉପଲବ୍ଧି କରି ପାରିବେ ନାହିଁ ।

 

ସମଗ୍ର ଓଡ଼ିଶାର ଲୋକସଂଖ୍ୟା ୮୯୨୮୫୪୨ । ଏଥି ମଧ୍ୟରୁ ଓରାଓ, ସାନ୍ତାଳ, ଭୂୟାଁ, ଶବର, ଗଣ୍ଡ, କୋହ୍ଲ,ଜୁଆଙ୍ଗ ଓ କନ୍ଧ–ଏହି କେତୋଟି ଅନାର୍ଯ୍ୟଜାତିଙ୍କ ସଂଖ୍ୟା ୧୩୭୪୭୬୩ । ଅନାର୍ଯ୍ୟମାନଙ୍କ ଉତ୍ତାରୁ ବ୍ରାହ୍ମଣମାନଙ୍କ ସଂଖ୍ୟା ୫୪୯୩୦୬ ଛାଡ଼ିଦେଲେ ଓଡ଼ିଶାର ଅବଶିଷ୍ଟ ଲୋକ କରଣ, ଖଣ୍ଡାୟତ, ଚଷା, ମାଳୀ, ଗୁଡ଼ିଆ, ତେଲୀ, କମାର ଓ କୁମ୍ଭାର ପ୍ରକୃତି ଅଟନ୍ତି । ସମସ୍ତଙ୍କ ଅପେକ୍ଷା ଚଷା ଓ ଖଣ୍ଡାୟତଙ୍କ ସଂଖ୍ୟା ବେଶି । ଚଷାଙ୍କ ସଂଖ୍ୟା ୭୫୭୩୪୨ ଓ ଖଣ୍ଡାୟତଙ୍କ ସଂଖ୍ୟା ୮୨୨୦୧୬ ।

 

ଭାରତର ଅନ୍ୟାନ୍ୟ ପ୍ରଦେଶର ତୁଳନାରେ ଓଡ଼ିଶା ଅତ୍ୟଳ୍ପ ଦିନ ହେଲା ଇଂରେଜ ସରକାରଙ୍କ ଶାସନାଧୀନକୁ ଯାଇଅଛି । ଏଣୁ ଅନ୍ୟ ପ୍ରଦେଶ ତୁଳନାରେ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚାର ନିତାନ୍ତ ଊଣା କହିବାକୁ ହେବ । ବଙ୍ଗଦେଶର ଗୋଟିଏ ଗୋଟିଏ ଜିଲାରେ ହାଇସ୍କୁଲ ଓ କଲେଜର ସଂଖ୍ୟା ଯେତେ, ସମଗ୍ର ଓଡ଼ିଶା ପ୍ରଦେଶରେ ତେତେ ନାହିଁ । ଶିକ୍ଷା ଅଭାବରୁ ଓଡ଼ିଶା ଆଜି ଅନୁନ୍ନତ ଅବସ୍ଥାରେ ପଡ଼ି ରହିଅଛି ।

 

ଓଡ଼ିଶାରେ ପ୍ରତ୍ନତତ୍ତ୍ୱ ଓ ନୃତତ୍ତ୍ୱ ଅନୁଶୀଳନ ନିମନ୍ତେ ଉପାଦାନ ଯେପରି ପୂରି ରହିଅଛି, ଭାରତର ଅନ୍ୟ କୌଣସି ପ୍ରଦେଶରେ ସେପରି ନାହିଁ । ଭୁବନେଶ୍ୱରର ଅଶୋକ ଓ ଖାରବେଳଙ୍କ ଶିଳାଲିପି ଏବଂ ସମୁଦ୍ରତୀରବର୍ତ୍ତୀ ସମତଳ ପ୍ରଦେଶର ଅଗଣିତ ଦୁର୍ଗ ଓ ମନ୍ଦିରର ଭଗ୍ନାବଶେଷ ମର୍ମଭେଦୀ ନୀରବ ସ୍ୱରରେ ଯେପରି ଓଡ଼ିଶାର ଅତୀତ ଗୌରବଗୀତ ଗାଉଅଛନ୍ତି, ସେହିପରି ଗଡ଼ଜାତର ଅରଣ୍ୟ ଭିତରେ ବାସ କରୁଥିବା ପ୍ରକୃତିପାଳିତ ମନୁଷ୍ୟମାନେ ପୃଥିବୀର ସଭ୍ୟତାର କ୍ରମ ବିକାଶ-ତତ୍ତ୍ୱ ଜଗତକୁ ବୁଝାଇ ଦେଉଅଛନ୍ତି । କିନ୍ତୁ ଆମ୍ଭେମାନେ ଏଡ଼େ ଅଧମ ଯେ, ସେ ସମସ୍ତ ଗ୍ରହଣ କରିବାକୁ ଅସମର୍ଥ । ଆମ୍ଭମାନଙ୍କର ଏ ଦୁର୍ଦ୍ଦଶା କେବେ ଘୁଞ୍ଚିବ ଭଗବାନ୍ ଜାଣନ୍ତି ।

Image

 

Unknown

ଦ୍ୱିତୀୟ ଅଧ୍ୟାୟ

(ଓଡ଼ିଶାର ପୁରାତତ୍ତ୍ୱ)

 

ମୁଖବନ୍ଧରେ ଯେଉଁ ସବୁ କଥାର ଉଲ୍ଲେଖ କରାଯାଇଅଛି, ତହିଁରେ ଏହି ଆଭାସ ଦିଆଯାଇଅଛି, ଯେ, ଯେଉଁ ଭାଷାର ଇତିହାସ ଆଲୋଚନା କରିବାକୁ ହେବ, ସେହି ଭାଷା ଯେଉଁ ପ୍ରଦେଶରେ ପ୍ରଚଳିତ ସେହି ପ୍ରଦେଶର ଆଦିମ ଅଧିବାସୀ କିଏ, ସେମାନେ ପ୍ରାଚୀନ କାଳରେ କି ଭାଷା ବ୍ୟବହାର କରୁଥିଲେ–ଏହା ଆଲୋଚନା କରିବା ନିତାନ୍ତ ଆବଶ୍ୟକ । କୌଣସି ଦେଶର ଆଦିମ ଭାଷା ସହିତ ଅନ୍ୟ ଗୋଟିଏ ଭାଷା ମିଶିଲେ ତହିଁରୁ ଆଉ ଗୋଟିଏ ନୂତନ ଭାଷା ସୃଷ୍ଟ ହୁଏ । ପ୍ରତ୍ୟେକ ଭାଷାର ଗୋଟିଏ ଉଚ୍ଚାରଣ-ବିଶିଷ୍ଟତା ଅଛି । କୌଣସି ଭାଷାରୁ ସେ ବିଶିଷ୍ଟତା ସହଜରେ ଲୁପ୍ତ ହୁଏ ନାହିଁ । ଓଡ଼ିଆ ବା ବଙ୍ଗଳା ଭାଷାରେ ଅନ୍ୟ କୌଣସି ଭାଷାର ଶବ୍ଦ ମିଶିଲେ ସେମାନଙ୍କ ବିଶିଷ୍ଟତା ଲୋପ ପାଇବ ନାହିଁ, ବରଂ ମିଶିବା ଶବ୍ଦରୁ ମୂଳ ଭାଷାର ବିଶି ଷ୍ଟତା ଲୁପ୍ତ ହୋଇ ପଡ଼ିବ । ଉଦାହରଣସ୍ୱରୂପ ଏଠାରେ ଏ କଥା ଉଲ୍ଲେଖ କରା ଯାଉଅଛି ଯେ, ଇଂରେଜୀ ଅଡ଼ ଲି (Orderly) ଶବ୍ଦ ଓଡ଼ିଆ ଭାଷାରେ ମିଶି ଓଡ଼ିଆ ଭାଷାର ଉଚ୍ଚାରଣ-ବିଶି ଷ୍ଟତା ଘେନି ‘ଅର୍ଦ୍ଦଳି’ରେ ପରିଣତ ହୋଇଅଛି । ଏହିପରି ମଗଧରୁ ଯେଉଁ ପାଲି ଭାଷା ଓଡ଼ିଶାକୁ ଆସିଥିଲା, ସେହି ପାଲିଭାଷା ଓଡ଼ିଶାର ଆଦିମ ଅଧିବାସୀମାନଙ୍କ ଭାଷାର ବିଶି ଷ୍ଟତା ଘେନି ରୂପାନ୍ତରିତ ହୋଇ ପଡ଼ିଲା ଓ ପାଲି ଭାଷା ଯୋଗୁଁ ଆଦିମ ଭାଷାରେ ମଧ୍ୟ କେତେକ ପରିବର୍ତ୍ତନ ଘଟିଲା । ଏହିପରି ଦୁଇ ଭାଷାର ସଂମିଶ୍ରଣରେ ଓଡ଼୍ରପ୍ରାକୃତର ସୃଷ୍ଟି ଘଟିଥିଲା । ସୁତରାଂ ଓଡ଼ିଆ ଭାଷାର ଇତିହାସ ଆଲୋଚନା କରିବାକୁ ହେଲେ ଓଡ଼ିଶାର ପୁରାତତ୍ତ୍ୱ ଆଲୋଚନା କରି ଓଡ଼ିଶାର ଆଦିମ ଅଧିବାସୀମାନଙ୍କୁ ଚିହ୍ନିବାକୁ ହେବ ଓ ସେମାନେ ଆଦିମ ଅବସ୍ଥାରେ ଯେଉଁ ଭାଷା ବ୍ୟବହାର କରୁଥିଲେ, ସେହି ଭାଷା ସମ୍ବନ୍ଧରେ ଜ୍ଞାନ ଉପାର୍ଜ୍ଜନ କରିବାକୁ ହେବ । ଏଣୁ ବର୍ତ୍ତମାନ ଏହି ଅଧ୍ୟାୟରେ ଓଡ଼ିଶାର ପୁରାତତ୍ତ୍ୱ ଆଲୋଚନା କରା ଯାଉଅଛି ।

 

ମହାଭାରତର ଆଦିପର୍ବରେ (ଅ୧୦୪) ଏହି ବିବରଣ ଅଛି ଯେ, ଦୀର୍ଘତମା ଋଷିଙ୍କ ଔରସରେ ବଳୀର ସ୍ତ୍ରୀ ସୁଦେଷ୍ଣା-ଗର୍ଭରୁ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଓ ସୁହ୍ମ–ଏହି ପାଞ୍ଚ ପୁଅ ଜନ୍ମି ପାଞ୍ଚ ପ୍ରଦେଶରେ ରାଜା ହୋଇଥିଲେ ଓ ସେମାନଙ୍କ ନାମାନୁସାରେ ସେମାନଙ୍କ ରାଜ୍ୟର ନାମକରଣ ହୋଇଥିଲା । ଏହି ବିବରଣ ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ଏଥିରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଅନୁମାନ କରନ୍ତି ଯେ, ଉକ୍ତ ପାଞ୍ଚୋଟି ରାଜ୍ୟ ପରସ୍ପର ଲଗାଲଗି ହୋଇ ରହିଥିଲେ । ପୁରାଣମାନଙ୍କରେ ଅଙ୍ଗ, ବଙ୍ଗ, କଳିଙ୍ଗ–ଏହି ତିନୋଟି ରାଜ୍ୟ ସର୍ବତ୍ର ଏକ ସଙ୍ଗେ ବର୍ଣ୍ଣିତ ହୋଇଥିବାରୁ କଳିଙ୍ଗ ରାଜ୍ୟ ଉତ୍ତରଭାରତରୁ ବେଶି ଦୂରରେ ନ ଥିଲା ବୋଲି ଅନୁମିତ ହୁଏ-। ପୁଣି ପୁରାଣମାନଙ୍କରେ ବୈତରଣୀ ନଦୀ କଳିଙ୍ଗ ରାଜ୍ୟ ଭିତରେ ପ୍ରବାହିତ ହେଉଥିବାର ବର୍ଣ୍ଣିତ ଅଛି (ମତ୍ସ୍ୟପୁରାଣ ଅ୧୮୫, ମହାଭାରତ ଭୀଷ୍ମପର୍ବ ଅ୧୧୪) । ଏହି ସବୁ କାରଣରୁ ଅନୁମିତ ହୁଏ ଯେ, ଗଙ୍ଗାଠାରୁ ଦକ୍ଷି ଣକୁ କଳିଙ୍ଗ ରାଜ୍ୟ ବିସ୍ତୃତ ଥିଲା । ଖାରବେଳଙ୍କ ଶିଳାଲିପିରୁ ମଧ୍ୟ ଏହି ଅନୁମାନ ସତ୍ୟରୂପେ ପ୍ରତିଭାତ ହୁଏ । ତାହା ହେଲେ ପୁରାଣମାନଙ୍କରେ ବର୍ଣ୍ଣିତ ଥିବା ଓଡ଼୍ର ବା ଉତ୍କଳ ରାଜ୍ୟର ଅବସ୍ଥିତ ଘେନି ବଡ଼ ସନ୍ଦେହରେ ପଡ଼ିବାକୁ ହୁଏ । ଏହି ହେତୁରୁ ଅନେକେ ଅନୁମାନ କରନ୍ତି ଯେ, ଆଧୁନିକ ଓଡ଼ିଶାର ସମୁଦ୍ରକୂଳବର୍ତ୍ତୀ ସମତଳ ପ୍ରଦେଶ ଅର୍ଥାତ୍ ପୁରୀ, କଟକ ଓ ବାଲେଶ୍ୱର ଜିଲା ପ୍ରାଚୀନ କାଳରେ କଳିଙ୍ଗ ନାମରେ ଅଭିହିତ ହେଉଥିଲା ଏବଂ ଓଡ଼ିଶାର ଗଡ଼ଜାତଗୁଡ଼ିକୁ ଘେନି ଓଡ଼୍ର ଓ ଉତ୍କଳ ପ୍ରଦେଶ ଅବସ୍ଥିତ ଥିଲା । କିନ୍ତୁ କାଳିଦାସଙ୍କ ରଘୁବଂଶର ଚତୁର୍ଥ ସର୍ଗରେ ବର୍ଣ୍ଣିତ ଅଛି ଯେ, ରଘୁଙ୍କ ସୈନ୍ୟମାନେ କପିଶା ଅର୍ଥାତ୍ ମେଦିନୀପୁର ଜିଲାର ଆଧୁନିକ କଂସାଇନଦୀ ପାର ହେଲା ଉତ୍ତାରେ ଉତ୍କଳ ଜାତି ସେମାନଙ୍କୁ କଳିଙ୍ଗକୁ ବାଟ ଦେଖାଇ ଦେଇଥିଲେ ଓ ରଘୁଙ୍କ ସୈନ୍ୟମାନେ ଗଞ୍ଜାମ ଜିଲାର ମହେନ୍ଦ୍ର ପର୍ବତ ନିକଟରେ କଳିଙ୍ଗର ରାଜା ସହିତ ଯୁଦ୍ଧ କରିଥିଲେ । ଏଥିରୁ ଜଣାଯାଏ ଯେ, ତେତେବେଳେ ବାଲେଶ୍ୱର, କଟକ ଓ ପୁରୀଜିଲା ପ୍ରଭୃତି ଓଡ଼ିଶାର ସମୁଦ୍ରକୂଳବର୍ତ୍ତୀ ସମତଳ ପ୍ରଦେଶ ଉତ୍କଳନାମରେ ଅଭିହିତ ହେଉଥିଲା । କାଳିଦାସ ପଞ୍ଚମ ଶତାବ୍ଦୀର ଲୋକ । ପଞ୍ଚମ ଶତାବ୍ଦୀରେ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ଉତ୍କଳନାମରେ ଅଭିହିତ ହେଉଥିଲା । ପୂର୍ବରୁ ଯଦି ତହିଁରେ କଳିଙ୍ଗଜାତି ବାସ କରୁଥିଲେ ଓ ତାହା କଳିଙ୍ଗନାମରେ ଅଭିହିତ ହେଉଥିଲା, ତେବେ କାହାଦ୍ୱାରା କେବେ ତାହା ପୁଣି ଉତ୍କଳନାମରେ ଅଭିହିତ ହେଲା ? ଓଡ଼ିଶାର ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ କଳିଙ୍ଗଜାତି ଯଦି ପୂର୍ବେ ବାସ କରୁଥାନ୍ତେ, ତେବେ ସେମାନେ ପଞ୍ଚମ ଶତାବ୍ଦୀକି ଘରଦ୍ୱାର ଛାଡ଼ି ପଳାଇ ଯାଇ ନ ଥାନ୍ତେ । ପୁଣି କାଳିଦାସଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ, ସେତେବେଳେ କଳିଙ୍ଗରାଜ୍ୟ ପରାକ୍ରମଶାଳୀ ଥିଲା । ଏପରି ଅବସ୍ଥାରେ ଅନ୍ୟ କୌଣସି ରାଜା ବାଲେଶ୍ୱର, କଟକ ଓ ପୁରୀ ଜିଲାରୁ କଳିଙ୍ଗରାଜ୍ୟର ଉଚ୍ଛେଦ ସାଧନ କରିଅଛନ୍ତି ବୋଲି କୁହାଯାଇ ନ ପାରେ ।
 

ବ୍ରହ୍ମଦେଶର ଇତିହାସରୁ ଏ କଥା ଜଣା ଯାଇଅଛି ଯେ, ଖ୍ରୀଷ୍ଟଜନ୍ମ ପୂର୍ବରୁ କଳିଙ୍ଗଜାତି ଯେତେବେଳେ ସେ ଦେଶକୁ ଯାଇଥିଲେ, ତେତେବେଳେ ସେଠାରେ ତ୍ରି କଳିଙ୍ଗରାଜ୍ୟ ସ୍ଥାପନ କରିଥିଲେ । ଏହି ତ୍ରିକଳିଙ୍ଗରାଜ୍ୟ ତିନୋଟି ଜିଲା ଘେନି ଗଢ଼ା ହୋଇଥିଲା* । ଆମ ଦେଶରେ ମଧ୍ୟ ଏହିପରି ବହୁ ପ୍ରାଚୀନ କାଳରୁ ତ୍ରି କଳିଙ୍ଗ ରାଜ୍ୟ ଥିଲା । Pliny ଙ୍କ Modoglingam ମୁଡ଼ୁ କଳିଙ୍ଗ ଛଡ଼ା ଅନ୍ୟ କିଛି ନୁହେ । ତେଲୁଗୁ ଭାଷାରେ ‘ମୁଡ଼ୁ’ ଶବ୍ଦର ଅର୍ଥ ‘ତିନି’ । ଏହି କଳିଙ୍ଗରାଜ୍ୟ ଯେ ଉତ୍କଳ, କୋଙ୍ଗଦ ଓ କଳିଙ୍ଗ–ଏହି ତିନୋଟି ରାଜ୍ୟ ଘେନି ଗଢ଼ା ହୋଇ ଥିଲା, ଏହା ଯଯାତିଙ୍କ ଶାସନପତ୍ରରୁ ଜଣାଯାଏ । ମରଞ୍ଜଗୁରା ଦାନପତ୍ରରେ ଉତ୍କଳ, କୋଙ୍ଗଦ, କଳିଙ୍ଗ ଓ କୋଶଳ ଯଯାତିଙ୍କ ଅଧୀନରେ ଥିବାର ଉଲ୍ଲେଖ ଅଛି । ଯଯାତିଙ୍କ ପୂର୍ବପୁରୁଷ ‘ତ୍ରିକଳିଙ୍ଗାଧିପତି’ ଓ ‘କୋଶେଳେନ୍ଦ୍ର’ ଉପାଧି ଗ୍ରହଣ କରିଥିଲେ । ସୁତରାଂ ଉତ୍କଳ, କୋଙ୍ଗଦ ଓ କଳିଙ୍ଗ–ଏହି ତିନୋଟି ରାଜ୍ୟ ମିଶି ଯେ ତ୍ରି କଳିଙ୍ଗ ରାଜ୍ୟ ଗଢ଼ା ହୋଇଥିଲା, ଏଥିରେ ସନ୍ଦେହ ନାହିଁ * । ପୁଣି ଗଙ୍ଗବଂଶୀୟ ରାଜାମାନଙ୍କ ଶାସନପତ୍ରରୁ ଜଣାଯାଏ ଯେ, ବଜ୍ର ହସ୍ତଙ୍କ ପୂର୍ବବର୍ତ୍ତୀ ରାଜାମାନେ କଳିଙ୍ଗ ରାଜ୍ୟ ଜୟ କରିଥିଲେ ମଧ୍ୟ ଉତ୍କଳ ଅଧିକାର କରି ନ ଥିବାରୁ ସେମାନେ ‘ତ୍ରି କଳିଙ୍ଗାଧିପତି’ ଉପାଧି ଗ୍ରହଣ କରି ନ ଥିଲେ । ବଜ୍ରହସ୍ତ ଓଡ଼ିଶା ଅଧିକାର କଲା ଉତ୍ତାରୁ ବଜ୍ରହସ୍ତ ଓ ତାହାଙ୍କ ପରବର୍ତ୍ତୀ ରାଜାମାନେ ‘ତ୍ରି କଳିଙ୍ଗାଧିପତି’ ଉପାଧି ଗ୍ରହଣ କରିଥିଲେ । ଏହି ସବୁ ବିବରଣରୁ ସ୍ପଷ୍ଟରୂପେ ଜଣାଯାଏ ଯେ, ଉତ୍କଳ ଓ କୋଙ୍ଗଦ କଳିଙ୍ଗରାଜ୍ୟର ଅନ୍ତର୍ଗତ ଥାଇ କଳିଙ୍ଗରାଜ୍ୟର ଗୋଟିଏ ଗୋଟିଏ ବିଭାଗସ୍ୱରୂପ ନିଜ ନିଜ ନାମରେ ସ୍ୱାତନ୍ତ୍ର୍ୟ ରକ୍ଷା କରିଥିଲେ । ସୁତରାଂ ବୈତରଣୀ କଳିଙ୍ଗରାଜ୍ୟରେ ପ୍ରବାହିତ ହେଉଥିବାର ଓ ବଙ୍ଗଦେଶ ପର୍ଯ୍ୟନ୍ତ କଳିଙ୍ଗରାଜ୍ୟ ବିସ୍ତୃତ ଥିବାର ଯାହା ପୁରାଣମାନଙ୍କରେ ବର୍ଣ୍ଣିତ ଅଛି, ତାହା ଅସଙ୍ଗତ ନୁହେ ।

 

*

Researches on Ptolemy's Geography by Col Gerine.

*

Maranjmura charter, J.R.S.B. & O. 1916

 

ଉତ୍କଳ କଳିଙ୍ଗ ରାଜ୍ୟର ଅନ୍ତର୍ଗତ ଥିବାର ମହାଭାରତ-ଯୁଦ୍ଧରୁ ମଧ୍ୟ ପ୍ରମାଣିତ ହୁଏ । ଭୀଷ୍ମପର୍ବରେ କଳିଙ୍ଗ ରାଜାର ବେଶି ହାତୀ ଥିବାର ଓ କଳିଙ୍ଗ ରାଜାଙ୍କ ସଙ୍ଗେ ମିଶି ନିଷାଦମାନେ ଯୁଦ୍ଧ କରିଥିବାର ବର୍ଣ୍ଣିତ ଅଛି । ଓଡ଼ିଶାର ଗଡ଼ଜାତମାନଙ୍କରୁ କଳିଙ୍ଗ-ରାଜା ହାତୀ ଧରିଥିବେ । ଗଡ଼ଜାତର ଆଦିମ ଅଧିବାସୀମାନେ ନିଷାଦରୂପେ ବର୍ଣ୍ଣିତ । ଖାରବେଳଙ୍କ ଶିଳାଲିପିରୁ ଉତ୍କଳ କଳିଙ୍ଗର ଅନ୍ତର୍ଭୁକ୍ତ ଥିବାର ଜଣାଯାଏ । କିନ୍ତୁ ଏହା କେବେ କଳିଙ୍ଗରାଜ୍ୟରୁ ବିଚ୍ଛିନ୍ନ ହୋଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା, ତାହା ଜଣାଯାଏ ନାହିଁ । ଶୈଳୋଦ୍ଭବରାଜବଂଶ ପ୍ରତିଷ୍ଠିତ ହେଲାରୁ ଷଷ୍ଠ ଶତାବ୍ଦୀରେ କୋଙ୍ଗଦ ସ୍ୱାଧୀନ ହୋଇ ଥିବାର ଜଣାଯାଏ * । ସପ୍ତମ ଶତାବ୍ଦୀକି ଓଡ଼ିଶା ସ୍ୱାଧୀନ ହୋଇଥିବାର ହୁୟେନସାଙ୍କ ବିବରଣରୁ ଅନୁମାନ କରାଯାଇ ପାରେ । ହୁୟେନସାଙ୍କ ବିବରଣରୁ ମଧ୍ୟ ପ୍ରାଚୀନ ଉତ୍କଳର ଆୟତନ ଧରାଯାଇ ପାରେ । ହୁୟେନସା ଲେଖିଅଛନ୍ତି ଯେ, ସେତେବେଳେ ଉତ୍କଳର ପରିମାଣ ଥିଲା–୭୦୦୦ ଲି ଅର୍ଥାତ୍ ପ୍ରାୟ ୧୨୫୦ କୋଶ । ଏ କଥା ସତ୍ୟ ଯେ, ସେ ସମୟରେ ଭାରତରେ ଆଧୁନିକ ରୀତିରେ ଜରୀବ-ପଦ୍ଧତି ପ୍ରଚଳିତ ନ ଥିଲା । କିନ୍ତୁ ଆଜିକାଲି ଯେପରି ଲୋକେ କହନ୍ତି–ନୂଆଗଡ଼ ଚଉଦକୋଶ, କେନ୍ଦୁଝର ବିଶାଶହେ କୋଶ, ସେହିପରି ପୂର୍ବେ ମଧ୍ୟ କହୁଥିଲେ । ହୁୟେନସା ସେତେବେଳେ ଉତ୍କଳୀୟ ଲୋକଙ୍କଠାରୁ ଉତ୍କଳର ପରିମାଣ ଅବଶ୍ୟ ବୁଝି ଲେଖିଥିବେ, ଏଥିରେ ସନ୍ଦେହ ନାହିଁ ।

 

*

Buguda plates E. I Vol- III. P 41

 

ମୟୂରଭଞ୍ଜ ବିଶାଶହେ କୋଶ, ନୀଳଗିରି ଷୋଳ କୋଶ–ଏହିପରି ଓଡ଼ିଶାର ଆଧୁନିକ ଛବିଶଟି ଗଡ଼ଜାତର ପରିମାଣ କ୍ରମାନ୍ୱୟେ ଲେଖି ଯୋଗ କଲେ ସମଗ୍ର ଗଡ଼ଜାତର ପରିମାଣ ୯୦୦ କୋଶରୁ ଊଣା ହୁଏ । ପୁଣି ଆଧୁନିକ ଜରୀବ-ପ୍ରଣାଳୀରେ ନିର୍ଣ୍ଣୀତ ସମଗ୍ର ଗଡ଼ଜାତର ପରିମାଣ ୨୨୦୦୦ ବର୍ଗମାଇଲକୁ ବାମଣ୍ଡାର ପରି ମାଣଦ୍ୱାରା ଭାଗ କଲେ ଜଣାଯାଏ ଯେ, ଗଡ଼ଜାତଗୁଡ଼ିକର ଆୟତନ ମିଶି ବାମଣ୍ଡାର ଆୟତନର ଏଗାର ଗୁଣ ହୁଏ । ବାମଣ୍ଡାର ଆୟତନ ଅଶୀ କୋଶ ବୋଲି ଲୋକେ କହୁଥିବାରୁ ସବୁ ଗଡ଼ଜାତର ପରିମାଣକୁ ୮୮୦ କୋଶ ବୋଲି ଧରିବାକୁ ହେବ । ଏହିପରି କେନ୍ଦୁ ଝରର ଆଧୁନିକ ଜରୀବ-ନିର୍ଣ୍ଣୀତ ପରିମାଣ ଓ ଲୋକପ୍ରଚଳିତ ପରିମାଣ ଘେନି ଆଲୋଚନା କଲେ ଗଡ଼ଜାତଗୁଡ଼ିକର ପରିମାଣ ୮୮୦ କୋଶ ହୁଏ । କିନ୍ତୁ ମୟୂରଭଞ୍ଜର ଉଭୟ ପରିମାଣ ଘେନି ଆଲୋଚନା କଲେ ସବୁ ଗଡ଼ଜାତର ପରିମାଣ ୮୮୦ କୋଶରୁ ଊଣା ହୁଏ । କାରଣ, ମୟୂରଭଞ୍ଜକୁ ପୂର୍ବେ ଯେପରି ବିଶାଶହେ କୋଶ କହୁଥିଲେ, ତହିଁରେ ଅନ୍ୟ ରାଜ୍ୟର ଅଂଶ ମିଶିଲା ଉତ୍ତାରୁ ମଧ୍ୟ ତାହାକୁ ସେହିପରି ବିଶାଶହେ କୋଶ କହୁଅଛନ୍ତି । ଯାହାହେଉ ସାଧାରଣ ଲୋକମୁଖରେ ପ୍ରଚଳିତ ରାଜ୍ୟମାନଙ୍କ ପରିମାଣ ତେତେ ବେଠିକ୍ ନୁହେ । ସୁତରାଂ ସମଗ୍ର ଗଡ଼ଜାତର ପରିମାଣ ୮୦୦ କୋଶରୁ କିଛି ଊଣା ବା ଅଧିକ । ଏଥିରୁ କଳାହାଣ୍ଡି ଓ ପାଟନା–ଏହି ଦୁଇଟି ଗଡ଼ଜାତର ପରିମାଣ ୨୦୦ କୋଶ ବାଦ ଦେଲେ (କାରଣ, ଏହି ଦୁଇଟି ଗଡ଼ଜାତ ହୁୟେନସାଙ୍କ ସମୟରେ ଅନ୍ୟ କୌଣସି ରାଜ୍ୟର ଅନ୍ତର୍ଗତ ଥିଲା) ଅନ୍ୟାନ୍ୟ ଗଡ଼ଜାତଗୁଡ଼ିକର ପରିମାଣ ଏକତ୍ର ୬୦୦ କୋଶ ହେବ । ଆଧୁନିକ ଓଡ଼ିଶାର ସମ୍ବଲପୁର ଜିଲାର କେତେକାଂଶ ପ୍ରାଚୀନ କାଳରେ ଦକ୍ଷିଣ-କୋଶଳର ଅନ୍ତର୍ଗତ ଥିବାର ଜଣାଯାଏ । ତାହା ହେଲେ ଆଧୁନିକ ପୁରୀ, କଟକ, ବାଲେଶ୍ୱର ଓ ଅନୁଗୁଳ ଜିଲା ଘେନି ଉତ୍କଳର ଅବଶିଷ୍ଟ ୬୫୦ କୋଶ ରାଜ୍ୟ ପୂର୍ଣ୍ଣ ହୋଇ ନ ପାରେ । ଏଥିରୁ ଜଣାଯାଏ ଯେ, ଛୋଟନାଗପୁରର ସିଂହଭୂମି ଜିଲା ଓ ମେଦିନୀପୁର ଜିଲାର କଣ୍ଟାଇ ସବ୍‌ଡ଼ିଭିଜନ ଅବଶ୍ୟ ତେତେବେଳେ ଓଡ଼ିଶାର ଅନ୍ତର୍ଗତ ଥିଲା ।

 

ପୁଣି ହୁୟେନସା ଏ କଥା ମଧ୍ୟ ଲେଖିଅଛନ୍ତି ଯେ, ଉତ୍କଳ ପ୍ରଦେଶର ଦକ୍ଷିଣ-ପୂର୍ବ କୋଣରେ ଚେଳିତଳ [Che-li-talo] ନାମକ ଗୋଟିଏ ନଗର ଥିଲା ଏବଂ ସେଠାରୁ ବାଣିଜ୍ୟ ଉଦ୍ଦେଶ୍ୟରେ ଲୋକେ ସମୁଦ୍ରରେ ଦେଶବିଦେଶକୁ ଯାଉଥିଲେ । ଏହି ଚେଳିତଳ ପୁରୀ ଛଡ଼ା ଅନ୍ୟ ସ୍ଥାନ ହୋଇ ନ ପାରେ । ପୁରୀକି କ୍ଷେତ୍ର କହନ୍ତି । ଚୀନ ଭାଷାର ଉଚ୍ଚାରଣ ଅନୁସାରେ ‘କ୍ଷେନ୍ତ୍ର’ ଶବ୍ଦ ‘‘ଚେତଳ’’ରେ ପରିଣତ ହୋଇ ପାରେ । ତାହା ହେଲେ ପୁରୀ ଅଞ୍ଚଳ ବହୁକାଳ ହେଲା ଓଡ଼ିଶା ପ୍ରଦେଶ ଭିତରେ ଥିବାର ଜଣା ପଡ଼ୁଅଛି ।

 

ଶୂଳ୍କି ରାଜବଂଶର ତମ୍ବାପଟାମାନଙ୍କରୁ (vide J.B. & O 1916) ଜଣାଯାଏ ଯେ, ଗଣ୍ଡମଣ୍ଡଳରେ ଓଡ଼େସ ଜାତି (ଆଧୁନିକ ଓଡ଼ଚଷା) ପ୍ରାଚୀନକାଳରେ ବାସ କରୁଥିଲେ । ଏହି ଗଣ୍ଡମଣ୍ଡଳ ବାମଣ୍ଡା, ଗାଙ୍ଗପୁର ଓ ବୋଣାଇ ଅଞ୍ଚଳ ସହିତ ଚିହ୍ନି ତ ହୁଏ । ହରିବଂଶରୁ ମଧ୍ୟ ଗୟାଜିଲା ପର୍ଯ୍ୟନ୍ତ ଉତ୍କଳ ବିସ୍ତୃତ ଥିବାର ଜଣାଯାଏ । ତାହାହେଲେ ଉତ୍ତରରେ କଂସାଇନଦୀଠାରୁ ଦକ୍ଷିଣରେ ପୁରୀ ଓ ପଶ୍ଚିମରେ ଗୟାଜିଲା ପର୍ଯ୍ୟନ୍ତ ଉତ୍କଳ ବିସ୍ତୃତ ଥିବାର ପ୍ରମାଣିତ ହୁଏ ।

 

ହୁୟେନସାଙ୍କ ଅନ୍ୟ ବିବରଣରୁ ମଧ୍ୟ ପ୍ରାଚୀନ ଉତ୍କଳର ଆୟତନ ନିରୂପଣ କରାଯାଇ ପାରେ । ହୁୟେନସା ଲେଖିଅଛନ୍ତି ଯେ, ସେ କର୍ଣ୍ଣସୁବର୍ଣ୍ଣଠାରୁ ଦକ୍ଷିଣ-ପଶ୍ଚିମକୁ ୭୦୦ଲି ଅର୍ଥାତ୍ ପ୍ରାୟ ୨୪୦ ମାଇଲ ଅଗ୍ରସର ହୋଇ ଉତ୍କଳରେ ପହଞ୍ଚିଲେ, ୧୨୦୦ ଲି ପ୍ରାୟ ୪୧୦ ମାଇଲ ଯାଇ କୋଙ୍ଗଦରେ ପହଞ୍ଚିଥିଲେ ଓ ୧୪୦୦ ବା ୧୫୦୦ ଲି ପ୍ରାୟ ୪୮୦ ବା ୫୨୦ ମାଇଲ ଯାଇ କଳିଙ୍ଗରେ ପହଞ୍ଚି ଥିଲେ । କର୍ଣ୍ଣସୁବର୍ଣ୍ଣଠାରୁ ଦକ୍ଷିଣ-ପଶ୍ଚିମକୁ ଲମ୍ବା ରାସ୍ତାରେ ଯାଇଥିବାରୁ ହୁୟେନସା କର୍ଣ୍ଣସୁବର୍ଣ୍ଣଠାରୁ କୋଙ୍ଗଦ ଓ କଳିଙ୍ଗ ପ୍ରତ୍ୟେକର ଦୂରତା ଧରିଅଛନ୍ତି । କର୍ଣ୍ଣସୁବର୍ଣ୍ଣ ଏ ପର୍ଯ୍ୟନ୍ତ ନିଃସନ୍ଦେହରୂପେ ଚିହ୍ନିତ ହୋଇ ପାରି ନାହିଁ । ବିଜୟ ବାବୁ ହୁୟେନସାଙ୍କ ବିବରଣ ଅନୁସାରେ ବର୍ଦ୍ଧମାନ ବିଭାଗର ବାଙ୍କୁଡ଼ା ଜିଲା ଅଞ୍ଚଳରେ କର୍ଣ୍ଣସୁବର୍ଣ୍ଣ ଅବସ୍ଥି ତ ଥିଲା ବୋଲି ନିରୂପଣ କରିଅଛନ୍ତି । ବାଙ୍କୁଡ଼ାଠାରୁ ଯାଜପୁର ପ୍ରାୟ ୨୨୦ ମାଇଲ, ଗଞ୍ଜାମ ସହର ୩୬୦ ମାଇଲ ଓ କଳିଙ୍ଗ ନଗର ୪୫୦ ମାଇଲ । ତାହା ହେଲେ ଉତ୍କଳର ଦକ୍ଷିଣରେ ଗଞ୍ଜାମ ଜିଲା ଥିବାର ଜଣା ଯାଉଅଛି । ପ୍ରାଚୀନ କୋଙ୍ଗଦ ରାଜ୍ୟ ଆଧୁନିକ ଗଞ୍ଜାମ ଜିଲାରୂପେ ଚିହ୍ନିତ ହୋଇପାରେ । କାରଣ, କୋଙ୍ଗଦରାଜ୍ୟର ରାଜାମାନଙ୍କର ତାମ୍ରଶାସନମାନ ଗଞ୍ଜାମ ଜିଲାରୁ ଆବିଷ୍କୃତ ହୋଇଅଛି ଓ ତହିଁରେ ଲେଖାଥିବା ଗ୍ରାମଗୁଡ଼ିକ ଗଞ୍ଜାମ ଜିଲାରେ ନିଃସନ୍ଦେହରୂପେ ଚିହ୍ନିତ ହୁଏ । ପୁଣି ଶଶାଙ୍କ ମହାରାଜାଙ୍କ ସମୟର ମାଧବରାଜଙ୍କ ଶାସନପତ୍ରରେ ଲେଖାଥିବା କୃଷ୍ଣଗିରି ଖଲ୍ଲି କୋଟରେ ଅବସ୍ଥିତ । ତାହା ଛଡ଼ା ହୁୟେନସାଙ୍କ ବିବରଣ ଆଲୋଚନା କଲେ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଥିବା ଆଧୁନିକ ‘ଗଞ୍ଜାମ’ ସହର କୋଙ୍ଗଦର ରାଜଧାନୀ ଥିଲା ବୋଲି ପ୍ରମାଣିତ ହୁଏ । ହୁୟେନସା ଲେଖିଅଛନ୍ତି-ରାଜଧାନୀର ତିନି ପାଖରେ ସମୁଦ୍ର ଥିଲା, ସେଠାରେ ଅନେକ ଦେବମନ୍ଦିର ଥିଲା ଓ ସେଠାରୁ କଳିଙ୍ଗକୁ ଗଲାବେଳେ ବାଟକାନ୍ଥରେ କେତେଗୁଡ଼ିଏ ଛୋଟ ଛୋଟ ସହର ଦେଖା ଯାଉଥିଲା । ଯେଉଁମାନେ ‘ଗଞ୍ଜାମ’ ସହର ଦେଖି ଥିବେ, ସେମାନେ ଜାଣିଥିବେ ଯେ, ଏହି ସବୁ କଥା ଗଞ୍ଜାମ ସହର ସମ୍ବନ୍ଧରେ ଖଟେ; ଆହୁରି ମଧ୍ୟ ଭାଷା-ତତ୍ତ୍ୱ ଅନୁସାରେ ‘କୋଙ୍ଗଦ’ ନାମ ରୂପାନ୍ତରିତ ହୋଇ ‘ଗଞ୍ଜା’ ଶବ୍ଦ ଉତ୍ପନ୍ନ ହୋଇପାରେ । ଗଞ୍ଜାମ ସହରକୁ ସାଧାରଣ ଲୋକେ ‘ଗଞ୍ଜା’ କହନ୍ତି । ତେଲୁଗୁ ଭାଷାର ପ୍ରଭାବରେ ତହିଁରେ ଅତିରିକ୍ତ ‘ମ’’ ବର୍ଣ୍ଣଟି ଯୁକ୍ତ ହୋଇଅଛି । ଯାହାହେଉ ଏଥିରୁ ବର୍ତ୍ତମାନ ସ୍ପଷ୍ଟରୂପେ ଜଣାଯାଏ, ପୁରୀ ଜିଲାକୁ ଘେନି ପ୍ରାଚୀନ କାଳରେ କୋଙ୍ଗଦ ରାଜ୍ୟ ଅବସ୍ଥିତ ଥିଲା ବୋଲି ଯେଉଁମାନେ ଅନୁମାନ କରନ୍ତି, ସେମାନେ ଭ୍ରମରେ ପଡ଼ନ୍ତି ।

 

ପ୍ରାଚୀନ ଉତ୍କଳର ଆୟତନ ସମ୍ବନ୍ଧରେ ପାଠକମାନଙ୍କ ମନରେ କେତେକ ପରିମାଣରେ ଅବଶ୍ୟ ସ୍ଥୂଳ ଧାରଣା ଜନ୍ମି ଥିବ । ଆଜିକାଲି ଓଡ଼ିଶା ଯେପରି କେତେଗୁଡ଼ିଏ ଜିଲାରେ ବିଭକ୍ତ ହୋଇଅଛି, ସେହିପରି ପ୍ରାଚୀନ କାଳରେ କିରୂପ ବିଭକ୍ତ ହୋଇଥିଲା, ତାହା ବର୍ତ୍ତମାନ ଆଲୋଚନା କରିବାକୁ ହେବ ।

 

ନାଟ୍ୟଶାସ୍ତ୍ରରେ ତୋଶଳ ପ୍ରଦେଶର ଉଲ୍ଲେଖ ଅଛି * । ଅଶୋକ କଳିଙ୍ଗ ଜୟ କରି ତୋଶଳରେ ଯେଉଁ ରାଜଧାନୀ ସ୍ଥାପନ କରିଥିଲେ, ତାହା ଭୁବନେଶ୍ୱରରେ ଅବସ୍ଥିତ ଥିଲା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ ଅନୁମାନ କରନ୍ତି । ପଟିଆରୁ ଆବିଷ୍କୃତ ଖଣ୍ଡିଏ ତାମ୍ର-ଶାସନରେ ଦକ୍ଷିଣ-ତୋଶଳର ଉଲ୍ଲେଖ ଅଛି । ଅଷ୍ଟମ ଶତାବ୍‌ଦୀର ଶୁଭକର କେଶରୀଙ୍କ ସମୟର ତାମ୍ରଶାସନରେ ଉତ୍ତର ତୋଶଳର ଉଲ୍ଲେଖ ଅଛି । ଏଥିରୁ ଜଣାଯାଏ ଯେ, ପ୍ରାଚୀନ-କାଳରେ ଉତ୍କଳରେ ଉତ୍ତର-ତୋଶଳ ଓ ଦକ୍ଷିଣ ତୋଶଳ ନାମରେ ଦୁଇଟି ଅଞ୍ଚଳ ଥିଲା । ପୁଣି ଶିଳ୍ପ ବଂଶର ରାଜାମାନଙ୍କ ତାମ୍ରଶାସନରୁ ଜଣାଯାଏ ଯେ, ସେମାନେ ଗଣ୍ଡମଣ୍ଡଳର ରାଜା ଥିଲେ । ଏହି ଗଣ୍ଡମଣ୍ଡଳ ଗାଙ୍ଗପୁର, ବାମଣ୍ଡା, ବୋଣାଇ ଓ କେନ୍ଦୁଝରର କେତେକ ଅଂଶ ଘେନି ଅବସ୍ଥିତ ଥିଲା । କାରଣ, ଏହି ସବୁ ଅଞ୍ଚଳରେ ବର୍ତ୍ତମାନ ଗଣ୍ଡଜାତି ବାସ କରୁଅଛନ୍ତି ଓ ତାମ୍ରଶାସନରେ ଲେଖାଥିବା ଶଙ୍ଖଜୋଟୀ ବ୍ରାହ୍ମଣୀର ଉପନଦୀ ‘ଶଙ୍ଖଜୋର୍’ ରୂପେ ଚିହ୍ନିତ ହୋଇପାରେ । ଏହି ଗଣ୍ଡମଣ୍ଡଳ ଛାଡ଼ିଦେଲେ ଦଶପଲ୍ଲା, ବୌଦ, ଖଣ୍ଡପଡ଼ା ପ୍ରଭୃତି ଖିଞ୍ଜିଳି ମଣ୍ଡଳର ଅନ୍ତର୍ଗତ ଥିବାର ଘୁମୁସରର ଭଞ୍ଜରାଜାମାନଙ୍କ ତାମ୍ରଶାସନରୁ ଜଣାଯାଏ । ପାରଳାଖେମୁଣ୍ଡିର କେତେକ ଅଂଶ, ସାନଖେମୁଣ୍ଡି, ବଡ଼ ଖେମୁଣ୍ଡି ଓ ଘୁମୁସରକୁ ଘେନି ଖିଞ୍ଜିଳି ମଣ୍ଡଳ ଅବସ୍ଥିତ ଥିଲା ବୋଲି ଅନୁମାନ କରାଯାଏ । ଖିଞ୍ଜିଳି ରୂପାନ୍ତରିତ ହୋଇ ଖେମୁଣ୍ଡିରେ ପରିଣତ ହୋଇଥିବ । ସମ୍ବଲପୁରର କେତେକ ଅଂଶ ଦକ୍ଷିଣ କୋଶଳର ଅନ୍ତର୍ଗତ ଥିବାର ହୁୟେନସାଙ୍କ ବିବରଣରୁ ଓ ଯଯାତି, ଜନ୍ମେଜୟ ପ୍ରଭୃତି ଗୁପ୍ତବଂଶୀୟ ରାଜାମାନଙ୍କ ତାମ୍ରଶାସନରୁ ଜଣାଯାଏ । ତାହା ହେଲେ ଉତ୍କଳର ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ତୋଶଳ ନାମରେ ଅଭିହିତ ହେଉଥିଲା ବୋଲି ବର୍ତ୍ତମାନ ନିଃସନ୍ଦେହରେ କୁହା ଯାଇପାରେ-। ପୁଣି ଶୁଭକର ଦେବଙ୍କ ଶାସନପତ୍ରରେ ଉଲ୍ଲେଖ ଥିବା ତୋଶଳାନ୍ତର୍ଗତ ସଲୋଣପୁର ଗ୍ରାମ କେନ୍ଦୁଝର ଆନନ୍ଦପୁର ସବ୍‌ଡ଼ିଭିଜନସ୍ଥ ସୋଲଣପୁର ଗ୍ରାମ ସହିତ ନିଃସନ୍ଦେହରେ ଚିହ୍ନିତ ହେଉଥିବାରୁ ତୋଷଳର ଅବସ୍ଥିତି ଘେନି ଆଉ କୌଣସି ସନ୍ଦେହ ଉପସ୍ଥିତ ହୁଏ ନାହିଁ ।

 

*

କୋଶଳାସ୍ତୋଶଳାଶୈବ କଳିଙ୍ଗା ଏବ ମୋଶଳାଃ । ଅ ୧୩, ଶ୍ଳୋ୨୭

**

Patiakela plate of Sivaraj,Edited by R.D. Banerjee E. I. Vol IX p.p 285-288.

 

ଉପରୋକ୍ତ କେତେକ ପ୍ରାଚୀନ ଭୌଗୋଳିକ ବିବରଣ ଛଡ଼ା ଓଡ଼ିଶାର ଅନ୍ୟ ଭୌଗୋଳିକ ବିବରଣ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇ ନାହିଁ । ସୁତରାଂ ବର୍ତ୍ତମାନ ପ୍ରାଚୀନ ଭୌଗୋଳିକ ବିବରଣ ଛାଡ଼ି ଓଡ଼ିଶାର ଆଦିମ ଜାତିମାନଙ୍କ କଥା ଆଲୋଚନା କରିବାକୁ ହେବ ।

 

ପୁରାଣମାନଙ୍କରେ ଉତ୍କଳ ଏବଂ ଓଡ଼୍ର–ଏହି ଦୁଇଟି ଜାତିର ଉଲ୍ଲେଖ ଥିବାରୁ ଏମାନଙ୍କୁ କେହି କେହି ଦୁଇଟି ପୃଥକ୍ ଜାତିରୂପେ ନିର୍ଦ୍ଦେଶ କରି ବିଭିନ୍ନ ଅଞ୍ଚଳରେ ଏମାନଙ୍କର ଅବସ୍ଥିତି ନିର୍ଦ୍ଦେଶ କରିଅଛନ୍ତି । କିନ୍ତୁ ଦ୍ରାବିଡ଼ୀ ଭାଷା ଆଲୋଚନା କଲେ ଜଣାଯାଏ ଯେ, ତାମିଲୀ ଭାଷାରେ ଚଷାକୁ ‘ଓକ୍କଳ’ କହନ୍ତି ଏବଂ କାନେରୀ ଭାଷାରେ ତାହାକୁ ଓଡ଼ିସୁ କହନ୍ତି । ଓଡ଼ିଶାର ପ୍ରାଚୀନ ଭୌଗୋଳିକ ଅବସ୍ଥାନ ଆଲୋଚନା କଲାବେଳେ ଜଣା ପଡ଼ିଅଛି ଯେ,ଆଧୁନିକ ଓଡ଼ିଶା ଚିରକାଳ ଏକ ଅଖଣ୍ଡ ପ୍ରଦେଶରୂପେ ଥିଲା । ପୁଣି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆବିଷ୍କୃତ ତାମ୍ରଶାସନମାନଙ୍କରୁ ପ୍ରମାଣିତ ହୁଏ ଯେ, ପ୍ରାଚୀନ କାଳରେ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ ଓଡ଼ିସୁ ନାମକ ଗୋଟିଏ ଜାତି ବାସ କରୁଥିଲେ । କୋଙ୍ଗଦରେ ଦଣ୍ଡୀ ମହାଦେବୀ ବ୍ରାହ୍ମଣଙ୍କୁ ଯେଉଁ ଗ୍ରାମ ଦାନ କରିଥିଲେ, ସେହି ଗ୍ରାମରେ ଓଡ଼େସ ଜାତି ବାସ କରୁଥିଲେ (Vide Plate B of Dandi Mahadevi, Edited by Dr Keilhorn, E.I. vol.VI. P 140) । ଉକ୍ତ ତାମ୍ରଶାସନରେ ‘‘ସୋଡ଼େସସତନ୍ତୁବାୟ’’ ଲେଖାଥିବାରୁ ଜଣାଯାଏ ଯେ, ଓଡ଼େସ ଜାତି ଚଷା ଥିଲେ ବୋଲି ସେମାନଙ୍କ ନାମ ପ୍ରଥମେ ଲେଖା ଯାଇଅଛି । ଏହିପରି ଗଣ୍ଡମଣ୍ଡଳରେ ଅର୍ଥାତ୍ ଗାଙ୍ଗପୁର, ବୋଣାଇ ପ୍ରଭୃତି ଅଞ୍ଚଳରେ ପ୍ରାଚୀନ କାଳରେ ଓଡ଼େସ ଜାତି ଥିବାର ପ୍ରମାଣିତ ହେଉଅଛି । ଜୟସ୍ତମ୍ଭ ଦେବଙ୍କ ତାମ୍ରଶାସନର ତ୍ରୟୋଦଶ ଧାଡ଼ିରେ ଦତ୍ତଗ୍ରାମରେ ଓଡ଼େସ ଜାତି ବାସ କରୁଥିବାର ଉଲ୍ଲେଖ ଅଛି (J. B & O. R. S. p.p 405-409) । ହରିବଂଶର ଦଶମ ଅଧ୍ୟାୟରେ ଇଳାଅଂଶରୁ ଗୟ ଓ ଉତ୍କଳ ନାମକ ଦୁଇଟି ପୁତ୍ର ଜନ୍ମି ଦୁଇଟି ବିଭିନ୍ନ ପ୍ରଦେଶରେ ରାଜା ହୋଇଥିବାର ବର୍ଣ୍ଣିତ ଅଛି । ଏ ଗଳ୍ପ ପୂରା ବିଶ୍ୱାସ ଯୋଗ୍ୟ ନ ହେଲେ ମଧ୍ୟ ଐତିହାସିକମାନେ ଏଥିରୁ ଅନୁମାନ କରନ୍ତି ଯେ, ଗୟାପ୍ରଦେଶ ଓ ଉତ୍କଳ ପ୍ରଦେଶ ପରସ୍ପରରେ ଲଗାଲଗି ହୋଇ ଥିଲେ । ଏବେ ମଧ୍ୟ ଓଡ଼ିଶାର ଗାଙ୍ଗପୁର ଅଞ୍ଚଳ ଗୟାଜିଲାକୁ ପ୍ରାୟ ଲାଗି ରହିଅଛି । ଗାଙ୍ଗପୁର ରାଜ୍ୟ ସତ୍ତାରୁ କେବଳ ସୁରଗୁଳା ରାଜ୍ୟଟି ପାର ହେଲେ ତେଣିକି ଗୟାଜିଲା ପଡ଼ିବ । ସୁତରାଂ ଯେଉଁ ଗାଙ୍ଗପୁର ଅଞ୍ଚଳରେ ଅଷ୍ଟମ ଶତାବ୍ଦୀରେ ଓଡ଼େସ ଜାତି ଥିବାର ପ୍ରମାଣିତ ହେଉଅଛି, ସେ ଅଞ୍ଚଳରେ ପ୍ରାଚୀନ କାଳରେ, ଉତ୍କଳ ଜାତି ବାସ କରୁଥିବାର ପୁରାଣରୁ ପ୍ରମାଣ ମିଳୁଥିବାରୁ ଜଣାଯାଏ ଯେ ଉତ୍କଳ ଓ ଓଡ଼୍ର, ଦୁଇଟି ପୃଥକ୍ ଜାତି ନୁହନ୍ତି । ପୁଣି କାଳିଦାସଙ୍କର ରଘୁବଂଶରୁ ଉତ୍କଳ ପ୍ରଦେଶ ମେଦିନୀପୁ ର ଜିଲାର କଂସାଇନଦୀ ପର୍ଯ୍ୟନ୍ତ ବ୍ୟାପି ଥିବାର ପ୍ରମାଣ ମିଳୁଥିବା ସ୍ଥଳେ ଯଯାତିଙ୍କ ଶାସନପତ୍ରରୁ ଜଣାଯାଏ ଯେ, ମୟୂରଭଞ୍ଜ ରାଜ୍ୟ ଓଡ଼୍ରଦେଶର ଅନ୍ତର୍ଗତ ଥିଲା (ଓଡ଼୍ରଦେଶଶିଳାଭଞ୍ଜପତି ବାସ୍ତବ୍ୟୟ) । ତାହା ହେଲେ ‘ଓଡ଼୍ର’ ଓ ‘ଉତ୍କଳ’ ଦୁଇଟି ଭିନ୍ନ ପ୍ରଦେଶ ନୁହେ, ଏ କଥା ନିଃସନ୍ଦେହରେ ପ୍ରମାଣିତ ହୁଏ । ଦ୍ରାବିଡ଼ୀ ଭାଷାରେ ଏକ ଚଷାଜାତି ‘ଓକ୍କଳ’ ଓ ‘ଓଡ଼ିସୁ’ କହୁଥିବାରୁ ପୁରାଣମାନଙ୍କରେ ଉତ୍କଳ ଓ ଓଡ଼୍ର ନାମକ ଦୁଇଟି ଜାତିର ଉଲ୍ଲେଖ ଅଛି । ଦ୍ରାବିଡ଼ୀ ଭାଷାର ‘ଓକ୍କଳ’ ବା ପାଲିଭାଷାର ‘ଉକ୍କଳ’ ସଂସ୍କୃତଭାଷାରେ ‘ଉତ୍କଳ’ରେ ପରିଣତ ହୋଇଅଛି । ଓଡ଼େସ ଜାତିର ନାମାନୁସାରେ ଏହି ଉତ୍କଳପ୍ରଦେଶ ବହୁ ପ୍ରାଚୀନ କାଳରୁ ଓଡ଼ିଶାନାମରେ ଅଭିହିତ ହେଉଥିବାର ତିବ୍ବତର ଇତିହାସରୁ ପ୍ରମାଣ ମିଳୁଅଛି । ତିବ୍ବତର ଇତିହାସରେ ଏହା ‘ଓଟିଶା’ ନାମରେ ଅଭିହିତ ।

 

ତାମିଲି ଭାଷାରେ ‘ଉଡ଼ୁ’ ଧାତୁର ଅର୍ଥଚାଷ କରିବା । ଏବେ ମଧ୍ୟ ଓଡ଼ିଶାର ଅନେକ ଅଞ୍ଚଳର ଲୋକେ କହନ୍ତି–‘‘ଜମି ତିନିଓଡ଼ ହେଲାଣି’’ (ତିନି ଥର ଚାଷ ହେଲାଣି) । ପୁଣି ଓଡ଼ିଶା ଭାଷାରେ ଦ୍ରାବିଡ଼ୀ ଭାଷାର ପ୍ରଭାବ ଯେ ବିସ୍ତର ପରିମାଣରେ ଅଛି, ତାହା ଏହି ଗ୍ରନ୍ଥର ପରବର୍ତ୍ତୀ ଅଂଶରୁ ପ୍ରମାଣିତ ହେବ । ସୁତରାଂ ପ୍ରାଚୀନ ଓଡ଼େସ ଜାତି ଦ୍ରାବିଡ଼ୀ ଭାଷା ବ୍ୟବହାର କରୁଥିଲେ ବୋଲି ଅନୁମାନ କରିବା ଅସଙ୍ଗତ ନୁହେ । ଆଧୁନିକ ଓଡ଼ଚଷା ଜାତି ପ୍ରାଚୀନ ଓଡ଼େସ ଜାତିରୂପେ ନିଃସନ୍ଦେହରେ ଚିହ୍ନି ତ ହୋଇ ପାରନ୍ତି । ଓଡ଼ଚଷା ପୁରୀ, କଟକ, ନୂଆଗଡ଼, ରଣପୁର ପ୍ରଭୃତି ଅଞ୍ଚଳରେ ବିସ୍ତର ପରିମାଣରେ ଅଛନ୍ତି । ସମ୍ବଲପୁର ଜିଲାର ଓଡ଼ ସ୍ୱାଁଷିଆ ଜାତି ମଧ୍ୟ ପ୍ରାଚୀନ ଓଡ଼େସ ଜାତିରୂପେ ଚିହ୍ନିତ ହୋଇ ପାରନ୍ତି । ଆହୁରି ମଧ୍ୟ ମାଳୀ, ତେଲୀ ପ୍ରଭୃତି କେତେକ ଜାତିରେ ଓଡ଼ିଆ ମାଳୀ, ଓଡ଼ିଆ ତେଲୀ ନାମକ ପୃଥକ୍ ଶ୍ରେଣୀ ଥିବାର ଦେଖାଯାଏ । ସୁତରାଂ ଆଧୁନିକ ଶୂଦ୍ରମାନେ ଯେ ଓଡ଼ିଶାର ଆଦିମ ଜାତି, ଏଥିରେ ସନ୍ଦେହ ନାହିଁ । ଏକ ବ୍ରାହ୍ମଣ ଜାତି ଯେପରି ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇ ପଡ଼ିଅଛନ୍ତି, ସେହିପରି ଆଦିମ ଚଷା ଜାତି ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇଥିବା ଅସମ୍ଭବ ନୁହେ । ଆହୁରି ମଧ୍ୟ ଗୋତ୍ର ଓ ସାମାଜିକ ରୀତିନୀତି ଆଲୋଚନା କଲେ ଜଣାଯାଏ ଯେ, ଓଡ଼ିଶାର ଶୂଦ୍ରମାନେ ଦ୍ରାବିଡ଼ ଜାତିର ଅନ୍ତର୍ଗତ । ଅନେକ ଆର୍ଯ୍ୟ ଓଡ଼ିଶାର ଶୂଦ୍ରମାନଙ୍କ ମଧ୍ୟରେ ମିଶି ଯାଇଥିବାର ପ୍ରମାଣ ଥିଲେ ମଧ୍ୟ ଏ କଥା ନିଃସନ୍ଦେହରେ କୁହା ଯାଇ ପାରେ ଯେ, ଓଡ଼ିଶାର ଆଦିମ ଶୂଦ୍ରମାନେ ଦ୍ରାବିଡ଼ ଥିଲେ ଓ ପ୍ରାଚୀନ କାଳରେ ଓଡ଼ିଶାରେ ଦ୍ରାବିଡ଼ୀ ଭାଷା ବ୍ୟବହୃତ ହେଉଥିଲା । କିନ୍ତୁ ଓଡ଼ିଶାର ଆଦିମ ଅଧିବାସୀମାନେ ଦ୍ରାବିଡ଼ୀ ଭାଷା ବ୍ୟବହାର କରୁଥିଲେ ମଧ୍ୟ ଓଡ଼ିଶାରେ ଆର୍ଯ୍ୟମାନଙ୍କ ବହୁଳ ବସତିଯୋଗେ ଆଦିମ ଅଧିବାସୀମାନଙ୍କ ଉଚ୍ଚାରଣରୀତି ଅନେକ ପରିବର୍ତ୍ତିତ ହୋଇ ଯାଇଅଛି ଓ ଦ୍ରାବିଡ଼ୀ ଶବ୍ଦର ବଦଳରେ ବହୁଳ ପାଲି ଓ ସଂସ୍କୃତ ଶବ୍ଦ ଓଡ଼ିଆ ଭାଷାରେ ମିଶିଅଛି । ତାହା ନ ହୋଇଥିଲେ ଓଡ଼ିଆ ଭାଷା ଭାରତୀୟ ଉତ୍ତରାଞ୍ଚଳର ଭାଷାର ଶ୍ରେଣୀଭୁକ୍ତ ନ ହୋଇ ଦ୍ରାବିଡ଼ୀ ଭାଷାର ଶ୍ରେଣୀଭୁକ୍ତ ହୋଇଥାନ୍ତା । ଏଠାରେ ଅପ୍ରାସଙ୍ଗିକ ହେଲେ ମଧ୍ୟ ଏ କଥା ଉଲ୍ଲେଖ କରିବା ଉଚିତ ଯେ, ‘ମଝିମନିକାୟ’ରେ ‘ଉକ୍କଳବସ୍‌ସଭଅଆ’ (ଉତ୍କଳବର୍ଷ ଭୂୟାଁ) ଲେଖାଥିବାରୁ କେହି କେହି ଉତ୍କଳଜାତିଙ୍କି ଭୂୟାଁଜାତିରୂପେ ଚିହ୍ନିତ କରନ୍ତି । କିନ୍ତୁ କେବଳ ‘ଉତ୍କଳ’ ନ କହି ‘ଉତ୍କଳଦେଶର ଭୂୟାଁ’ କହିଲେ ସ୍ପଷ୍ଟ ଜଣାଯାଏ ଯେ, ଉତ୍କଳ ଓ ଭୂୟାଁ ଦୁଇଟି ପୃଥକ୍ ଜାତି । ଭୂୟାଁ, କୋହ୍ଲ ଓ ଶବର–ଏହି ତିନୋଟି ଜାତି ବହୁ ପ୍ରାଚୀନ କାଳରୁ ଓଡ଼ିଶାରେ ବାସ କରୁଥିଲେ ମଧ୍ୟ ଏମାନେ ଓଡ଼ିଶାର ଆଦିମ ଅଧିବାସୀ ନୁହନ୍ତି । ଶବରମାନେ ବିନ୍ଧ୍ୟାଚଳ ଅଞ୍ଚଳରୁ ଓଡ଼ିଶାକୁ ଆସିଅଛନ୍ତି । ଆହୁରି ମଧ୍ୟ ଭାରତର ଉତ୍ତରାଞ୍ଚଳରୁ ଗଣ୍ଡମାନେ ଓଡ଼ିଶାକୁ ଆସିଥିବାର ସେମାନଙ୍କ ମଧ୍ୟରେ ପୁରୁଷାନୁକ୍ରମେ ପ୍ରବାଦ ଅଛି । ରଣପୁର, ନୂଆଗଡ଼, ଦଶପଲ୍ଲା ଓ ବୌଦ ପ୍ରଭୃତି ଅଞ୍ଚଳରେ ଥିବା କନ୍ଧମାନେ କେଉଁଠାରୁ ଆସିଅଛନ୍ତି, କହି ହେବ ନାହିଁ । ଯାହା ହେଉ ଏମାନଙ୍କ ଭାଷାର ପ୍ରଭାବ ଯେ ଓଡ଼ିଆ ଭାଷାରେ ଲକ୍ଷିତ ହୁଏ, ଏଥିରେ ସନ୍ଦେହ ନାହିଁ । ଶବର, କୋହ୍ଲ ଓ ଭୂୟାଁମାନଙ୍କ ଭାଷା ମୁଣ୍ଡାରି ଭାଷାରୁ ଉତ୍ପନ୍ନ ଏବଂ ମୁଣ୍ଡାରି ଓ କନ୍ଧ ଭାଷା ଦ୍ରାବିଡ଼ୀ ଭାଷାର ଅନ୍ତର୍ଗତ ବୋଲି ଭାଷାତତ୍ତ୍ୱବିତ୍‍ମାନେ କହନ୍ତି । ସୁତରାଂ ଓଡ଼ିଶାର ଆଦିମ ଅଧିବାସୀମାନେ ଦ୍ରାବିଡ଼ୀ ଭାଷା ବ୍ୟବହାର କରୁଥିବା ସମ୍ପୂର୍ଣ୍ଣ ବିଶ୍ୱାସଯୋଗ୍ୟ । ଯାହା ହେଉ ଓଡ଼ିଶାର ଆଦିମ ଅଧିବାସୀମାନଙ୍କ ଭିତରେ କେବେ ଆର୍ଯ୍ୟ-ସଭ୍ୟତା ବିସ୍ତୃତ ହୋଇ ଓଡ଼ିଆ ଭାଷାର ଉତ୍ପତ୍ତି ଘଟିଲା, ତାହା ବର୍ତ୍ତମାନ ଆଲୋଚନା କରିବାକୁ ହେବ ।

 

ପ୍ରାଚୀନ କାଳରେ ଓଡ଼ିଶା କଳିଙ୍ଗ ରାଜ୍ୟର ଅନ୍ତର୍ଗତ ଥିଲା ବୋଲି ଓଡ଼ିଶାର ସଭ୍ୟତା କଳିଙ୍ଗର ସଭ୍ୟତା ସଙ୍ଗେ ଜଡ଼ିତ । କଳିଙ୍ଗରେ ପ୍ରାଚୀନ କାଳରେ ଭଲ ଲୁଗା ବୁଣା ହୋଇ ତାମିଲୀ ଦେଶକୁ ଯାଉଥିଲା ବୋଲି ତାମିଲୀ ଭାଷାରେ ଲୁଗାକୁ କଳିଙ୍ଗ କହୁଥିଲେ । ସୁତରାଂ ବ୍ରହ୍ମଦେଶର କଳିଙ୍ଗ ଜାତି ଯେପରି ଆଧୁନିକ କାଳ ଜାତିରୂପେ ଚିହ୍ନିତ ହେଉଅଛନ୍ତି, * ସେହିପରି ନୂଆଗଡ଼ ଓ ଗଞ୍ଜାମ ଅଞ୍ଚଳର କୋଳି ନାମକ ଆଧୁନିକ ତନ୍ତୀ ଜାତି ପ୍ରାଚୀନ କଳିଙ୍ଗ ଜାତିରୂପେ ଚିହ୍ନିତ ହୋଇ ପାରନ୍ତି । ତାମିଲୀ ଭାଷାରେ ‘କିର’ (ତଳେ) ଶବ୍ଦରେ ‘ଙ୍ଗୂ’ ପ୍ରତ୍ୟୟ ଯୋଗ କରି ଯେପରି କିରଙ୍ଗୁ (ଚେର) ଶବ୍ଦ ଉତ୍ପନ୍ନ, ସେହିପରି ବୋଧ ହୁଏ ‘କୋଳି’ ଶବ୍ଦରେ ‘ଙ୍ଗୁ’ ପ୍ରତ୍ୟୟ ଯୁକ୍ତ ହୋଇ ‘କଳିଙ୍ଗ’ ଶବ୍ଦ ଉତ୍ପନ୍ନ ହୋଇଅଛି । କୋଳି ଜାତି ମଧ୍ୟ ବେଦୋକ୍ତ କଳିଜାତିରୂପେ ଚିହ୍ନିତ ହୋଇ ପାରନ୍ତି । ଆହୁରି ମଧ୍ୟ ‘କଳିଙ୍ଗନ’ ଶବ୍ଦରୁ ‘ରଙ୍ଗଣୀ’ ଶବ୍ଦ ଉତ୍ପନ୍ନ ହୋଇଥିବାର ଅନୁମାନ କରାଯାଇ ପାରେ । ରଙ୍ଗଣୀ ତନ୍ତୀ କଟକ ଓ ବାଲେଶ୍ୱର ଜିଲା ପ୍ରଭୃତିରେ ବହୁତ ଅଛନ୍ତି । ଯାହା ହେଉ ମାଣିଆବନ୍ଦୀ ଓ ରଣପୁରୀ ଲୁଗା ଚିରକାଳରୁ ପ୍ରସିଦ୍ଧିଲାଭ କରିଥିବାରୁ ଓଡ଼ିଶାରେ ପ୍ରାଚୀନ କାଳରେ ଭଲ ଲୁଗା ବୁଣା ହେଉଥିଲା ବୋଲି କୁହାଯାଇ ପାରେ । ପୁଣି ଖ୍ରୀଷ୍ଟଜନ୍ମ ପୂର୍ବରୁ କଳିଙ୍ଗମାନେ ଯେପରି ନୌକାରେ ଚଢ଼ି ବିଦେଶକୁ ଯାଉଥିଲେ, ଉତ୍କଳର ଲୋକେ ତେତେବେଳେ ସେହିପରି ଯାଉଥିବାର ପ୍ରମାଣ ମିଳେ । ଖ୍ରୀଷ୍ଟଜନ୍ମର ବହୁପୂର୍ବରୁ ଉତ୍କଳ ଓ ଶବର ଜାତି ବ୍ରହ୍ମଦେଶକୁ ଯାଇ ସେଠାରେ ରାଜ୍ୟସ୍ଥାପନ କରିଥିଲେ । (vide Researches on Ptolemy’s Geography by Col Gerine) । ବର୍ତ୍ତମାନ ଏଠାରେ ଅପ୍ରାସଙ୍ଗିକ ଭାବରେ ଏ କଥା ଉଲେଖ କରିବାକୁ ପଡ଼ୁଅଛି ଯେ, କେହି କେହି ଅନୁମାନ କରୁଅଛନ୍ତି–‘‘କଳିଙ୍ଗମାନେ ବ୍ରହ୍ମଦେଶରେ ରାଜ୍ୟ ସ୍ଥାପନ କଲାବେଳେ ସେମାନଙ୍କ ପଶ୍ଚି ମରେ ଥିବା ସେଠାରେ ଆଦିମ ଅଧିବାସୀମାନଙ୍କ ନିଷ୍ଠୁର ପ୍ରଭୃତି ଚିହ୍ନିତ କରିବା ପାଇଁ ସେମାନଙ୍କୁ ‘ଉତ୍କଳ’ ଆଖ୍ୟା ଦେଇଥିଲେ ।’’ ବ୍ରହ୍ମଦେଶର ଉତ୍କଳଜାତି ବର୍ତ୍ତମାନ ଆକ୍ ନାମରେ ପରିଚିତ । ଏଣୁ କୌଣସି ଜାତି ଆପଣାର ଆଦିମ ଜାତି-ଆଖ୍ୟା ଛାଡ଼ି ବିଦେଶୀ ପ୍ରଦତ୍ତ ଘୃଣ୍ୟ ଆଖ୍ୟାରେ ଆପଣାକୁ ପରିଚିତ କରାଇବା ଅସମ୍ଭବ । ପୁଣି କଳିଙ୍ଗ ଲୋକେ ସେମାନଙ୍କୁ ଯଦି ‘ଉତ୍କଳ’ ଆଖ୍ୟା ଦେଇଥିଲେ, ତେବେ ଶବର ଜାତି ସେଠାକୁ ଆସିଲେ କାହୁଁ ? ଓଡ଼୍ର ଓ ଶବର, ଏହି ଦୁଇ ଜାତି ପ୍ରାଚୀନ କାଳରୁ ଏକସଙ୍ଗେ ବାସ କରୁଥିବାର ନାଟ୍ୟଶାସ୍ତ୍ରରୁ ପ୍ରମାଣ ମିଳୁଥିବାରୁ ଓ ଶବର ଜାତି ବ୍ରହ୍ମଦେଶକୁ ଯାଇଥିବାରୁ ନିଃସନ୍ଦେହରେ ପ୍ରମାଣିତ ହୁଏ ଯେ, କଳିଙ୍ଗ, ଉତ୍କଳ, ଶବର ଓ ତେଲେଙ୍ଗା ପ୍ରଭୃତି ଜାତିମାନେ ଏକସମୟରେ ବ୍ରହ୍ମଦେଶକୁ ଯାଇଥିଲେ-

 

*

Researches on Ptolemy’s Geography by Col Gerine.

 

ଓଡ଼ିଶାରେ ଆର୍ଯ୍ୟ-ସଭ୍ୟତା କେବେ ବିସ୍ତୃତ ହେଲା, ତାହା ଠିକ୍‌ରୂପେ ଜଣା ପଡ଼େ ନାହିଁ-। ବେଦରେ ଉତ୍କଳ ବା ଓଡ଼୍ର ର ଉଲ୍ଲେଖ ନାହିଁ । ଚରକସଂହିତାର କଳ୍ପସ୍ଥାନରୁ ପ୍ରମାଣ ମିଳେ ଯେ, କଳିଙ୍ଗରେ ଆୟୁର୍ବେଦର ଚର୍ଚ୍ଚା ଭଲରୂପେ ହେଉଥିଲା ଓ ସେହିହେତୁରୁ ସେଠାରେ ଔଷଧ ତୂଳିବାର ପରିମାଣ ଉତ୍ତରଭାରତରୁ ସ୍ୱତନ୍ତ୍ର ଥିଲା * । ଓଡ଼ିଶା ଏହି କଳିଙ୍ଗ ଭିତରେ ତେତେବେଳେ ଭୁକ୍ତ ଥିଲା ବୋଲି ଅନୁମିତ ହୁଏ । ଐତବେୟ ବ୍ରାହ୍ମଣରେ ଶବର ଜାତିର ଉଲ୍ଲେଖ ଅଛି । ଏଥିରୁ ଜଣାଯାଏ ଯେ, ଶବରମାନେ ଅତି ପ୍ରାଚୀନ କାଳରୁ ଆର୍ଯ୍ୟମାନଙ୍କ ସଂସ୍ରବରେ ରହି ସେମାନଙ୍କ ଭାଷା ଶିଖିବାର ସୁଯୋଗ ଲଭିଥିଲେ । ପୁଣି ବୌଦ୍ଧଗ୍ରନ୍ଥ ‘ମହାବଗ୍ଗ’ରେ ଏ କଥା ଲେଖା ଅଛି ଯେ,ବୁଦ୍ଧଦେବଙ୍କ ନିର୍ବାଣ-ପ୍ରାପ୍ତି ସମୟରେ ଉତ୍କଳ ପ୍ରଦେଶରୁ ବାଣିଜ୍ୟ ଉଦ୍ଦେଶ୍ୟରେ ବୁଦ୍ଧଗୟାକୁ ଯାଇଥିବା ତପସ୍‌ସୁ ଓ ଭଲ୍ଲିକନାମା ଦୁଇ ଜଣ ଲୋକ ପ୍ରଥମେ ବୁଦ୍ଧଦେବଙ୍କ ଶିଷ୍ୟ ହୋଇଥିଲେ । ଏଥିରୁ ଏହି ସୂଚନା ମିଳେ ଯେ, ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ପୂର୍ବରୁ ଓଡ଼ିଶାର ଲୋକେ ସଭ୍ୟ ଥିଲେ ଓ ମଗଧକୁ ଯିବା ଆସିବା କରି ପାଲି ଭାଷା ଶିଖିବାର ସୁଯୋଗ ଲଭିଥିଲେ । କିନ୍ତୁ ଆର୍ଯ୍ୟମାନେ ତେତେବେଳେ ଓଡ଼ିଶାରେ ଉପନିବେଶ ସ୍ଥାପନ କଲେଣି କି ନାହିଁ, ଜଣା ପଡ଼େ ନାହିଁ । ଧର୍ମ୍ମସୂତ୍ରରେ ଏ କଥା ଉଲ୍ଲେଖ ଅଛି ଯେ, ବ୍ରାହ୍ମଣମାନଙ୍କ ମଧ୍ୟରୁ ଯଦି କେହି ବଙ୍ଗଦେଶକୁ ବା କଳିଙ୍ଗକୁ ଯାଏ, ତେବେ ସେ ନିଜ ଦେଶକୁ ଫେରିଲେ ପ୍ରାୟଶ୍ଚିତ କରି ଶୁଦ୍ଧ ହେବ । ଏଥିରୁ ଜଣାଯାଏ ଯେ, କେହି କେହି ଅର୍ଥୋପାର୍ଜନ ଉଦ୍ଦେଶ୍ୟରେ ତେତେବେଳେ କଳିଙ୍ଗକୁ ଆସୁଥିଲେ, କିନ୍ତୁ ସ୍ଥାୟିଭାବରେ ରହୁ ନ ଥିଲେ । ପୁଣି ମନୁସଂହିତାରେ ଲେଖା ହୋଇଅଛି ଯେ, ଓଡ଼୍ରଦେଶର କ୍ଷତ୍ରିୟମାନେ ବ୍ରାହ୍ମଣମାନଙ୍କୁ ଦେଖୁ ନ ଥିବାରୁ ପତିତ ହୋଇଅଛନ୍ତି । ଏଥିରୁ ଅନୁମିତ ହୁଏ ଯେ, ବ୍ରାହ୍ମଣମାନେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ଉପନିବେଶ ସ୍ଥାପନ କରି ନାହାନ୍ତି । ମହାଭାରତର ବନପର୍ବତରେ (ଅ ୮୫) ବିରଜା-କ୍ଷେତ୍ର ତୀର୍ଥରୂପେ ବର୍ଣ୍ଣିତ ହୋଇଥିବାରୁ ତେତେବେଳେ ବ୍ରାହ୍ମଣମାନେ ଓଡ଼ିଶାରେ ଉପନିବେଶ ସ୍ଥାପନ କରିଥିଲେ ବୋଲି ଅନୁମାନ କରାଯାଇ ପାରେ । କିନ୍ତୁ ମହାଭାରତର ଏହି ଶ୍ଳୋକଗୁଡ଼ିକୁ ପ୍ରକ୍ଷିପ୍ତ ବୋଲି କେହି କେହି କହନ୍ତି । ଯାହା ହେଉ ଓଡ଼ିଶାରେ ପୂର୍ବରୁ ଆର୍ଯ୍ୟ-ସଭ୍ୟତା ବିସ୍ତୃତ ନ ହୋଇଥିଲେ ମଧ୍ୟ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀକି ଓଡ଼ିଶା ଉନ୍ନତ ଥିଲା । ସେହି ହେତୁରୁ ଅଶୋକଙ୍କର ଓଡ଼ିଶା ପ୍ରତି ଲୋଭ ବଳିଥିଲା । ଅଶୋକ କଳିଙ୍ଗ ଜୟ କରି ଯେତେବେଳେ ଭୁବନେଶ୍ୱରରେ ରାଜଧାନୀ ସ୍ଥାପନପୂର୍ବକ ଓଡ଼ିଶାରେ ବୌଦ୍ଧଧର୍ମ ପ୍ରଚାର କରିଥିଲେ, ତେତେବେଳେ ଓଡ଼ିଶାରେ ପ୍ରବଳ ଭାବରେ ଯେ ପାଲି ଭାଷାର ପ୍ରଚାର ଘଟିଥିବ, ଏଥିରେ ସନ୍ଦେହ ନାହିଁ । ଏହି ସମୟରୁ ବହୁକାଳ ପର୍ଯ୍ୟନ୍ତ ଯେ ଓଡ଼ିଶାରେ ପାଲି ଭାଷା ଓ ବ୍ରାହ୍ମୀ ଅକ୍ଷର ପ୍ରଚଳିତ ଥିଲା, ତାହା ଭୁବନେଶ୍ୱରରୁ ପ୍ରମାଣିତ ହୁଏ । ଅଶୋକଙ୍କ ଉତ୍ତାରୁ ଓଡ଼ିଶାରୁ ବୌଦ୍ଧଧର୍ମ ଲୋପ ପାଇ ଜୈନ ଧର୍ମ ପ୍ରଚଳ ହୋଇଥିବାର ଖାରବେଳଙ୍କ ଶିଳାଲିପିରୁ ଜଣା ପଡ଼େ । ଖାରବେଳଙ୍କ ପରବର୍ତ୍ତୀ ଦୁଇ ଜଣ ରାଜାଙ୍କ ନିଦର୍ଶନ ମଧ୍ୟ ଖଣ୍ଡଗିରିର ଗୁମ୍ଫାମାନଙ୍କରୁ ମିଳେ । ତାହା ହେଲେ ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ପାଲି ଭାଷା ପ୍ରଚାରିତ ହୋଇଅଛି । ତହିଁ ଉତ୍ତାରୁ ଓଡ଼ିଶାରୁ ଆର୍ଯ୍ୟ ଭାଷାର ପ୍ରଚାର ମଧ୍ୟ ବନ୍ଦ ହୋଇ ନାହିଁ । ତିବ୍ବତରେ ଏହି ବିବରଣ ଅଛି ଯେ, ଦ୍ୱିତୀୟ ଶତାବ୍ଦୀରେ ଆନ୍ଧ୍ରରାଜା ନାଗାର୍ଜୁନ ଓଟିସାର ରାଜାଙ୍କୁ ବୌଦ୍ଧ ଧର୍ମ୍ମରେ ଦୀକ୍ଷିତ କରିଥିଲେ ଓ ପଞ୍ଚମ ଶତାବ୍ଦୀରେ ଓଡ଼ିଶାରେ ‘ପ୍ରମାଣସମୁଚ୍ଚୟ’ ନାମକ ଖଣ୍ଡିଏ ନ୍ୟାୟଶାସ୍ତ୍ର ରଚିତ ହୋଇଥିଲା । ପୁଣି ପୂର୍ବୋକ୍ତ ପଟିୟାର ତାମ୍ରଶାସନରୁ ଜଣାଯାଏ ଯେ, ସପ୍ତମ ଶତାବ୍ଦୀ ପୂର୍ବରୁ ଓଡ଼ିଶାରେ ମାଗଧୀ ଲିପି ପ୍ରଚଳିତ ଥିଲା । ଏହି ତାମ୍ରଶାସନ ଯେ ସପ୍ତମ ଶତାବ୍ଦୀର ପୂର୍ବବର୍ତ୍ତୀ, ଏଥିରେ ସନ୍ଦେହ ନାହିଁ । ଗଞ୍ଜାମରୁ ଆବିଷ୍କୃତ ତାମ୍ରଶାସନ ଓଡ଼ିଶାର ସପ୍ତମ ଶତାବ୍ଦୀର ଆର୍ଯ୍ୟ ସଭ୍ୟତାର ନିଦର୍ଶନ । ପୁଣି ଜାପାନରୁ ପ୍ରକାଶିତ ଚୀନ ଦେଶର ତ୍ରିପିଟକରୁ ଏ କଥା ଜଣାଯାଏ ଯେ, ଅଷ୍ଟମ ଶତାବ୍ଦୀରେ ଓଡ଼ିଶାର ରାଜା ଶୁଭକର କେଶରୀ ଚୀନର ରାଜାଙ୍କୁ ବୁଦ୍ଧାବତଂସକ ସୂତ୍ର ଉପହାର ଦେଇଥିଲେ । ଓଡ଼ିଶାରେ ଶୁଭକର ନାମରେ ଜଣେ ରାଜା ଥିବାର କଟକ ଜିଲାରୁ ଆବିଷ୍କୃତ ତାମ୍ରଶାସନରୁ ଜଣା ପଡ଼ିଅଛି । ରାମପାଲ ଚରିତରେ ଯେଉଁ କର୍ଣ୍ଣ କେଶରୀଙ୍କ କଥା ବର୍ଣ୍ଣିତ ଅଛି, ସେ ବୋଧ ହୁଏ ଏହି କେଶରୀବଂଶର ରାଜା । ଏହି କେଶରୀବଂଶ ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ଥିବାର ମାଦଳାପାଞ୍ଜିରୁ ଜଣାଯାଏ ।

 

*

ମନଞ୍ଚ ଦ୍ୱି ବିଧଂ ପ୍ରାହୁଃ କାଳିଙ୍ଗ ମାଗଧଂ ତଥା ।

 

କାଳିଙ୍ଗାନ୍ମାଗଧଂ ଶ୍ରେଷ୍ଠମେବ ମାନବିଦୋ ବିଦ୍ୟୁଃ ।

 

ଭାରତର ସ୍ୱର୍ଗଭୁବନରୂପୀ ପୁରୀର ଜଗନ୍ନାଥ–ମନ୍ଦିରର ଇତିହାସ ଆଲୋଚନା କଲେ ମଧ୍ୟ ଉତ୍କଳର ପ୍ରାଚୀନ ସଭ୍ୟତାର ନିଦର୍ଶନ ମିଳେ । ଜଗନ୍ନାଥଙ୍କ ମନ୍ଦିର ଅବଶ୍ୟ ଖ୍ରୀଷ୍ଟସାଲ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ । ଏହା ବୋଲି ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ପ୍ରତିଷ୍ଠିତ ହୋଇ ନାହାନ୍ତି-। ପୂର୍ବରୁ ସେଠାରେ କିଛି ମାହାତ୍ମ୍ୟ ନ ଥିଲେ ବିଦେଶୀ ଗଙ୍ଗବଂଶୀୟ ରାଜା ମନ୍ଦିର ତିଆରି କରାଇଥାନ୍ତେ କାହିଁକି ? ବିଶେଷତଃ ଗଙ୍ଗେଶ୍ୱରଦେବଙ୍କ ଜନ୍ମଭୂମିରେ ଜଗନ୍ନାଥପୂଜା ପ୍ରଚଳିତ ନ ଥିବା ସ୍ଥଳେ ସେ ପୁରୀରେ ନୂତନ ପୂଜା ସୃଷ୍ଟି କରିବା ଓ ଜାତିନିର୍ବିଶେଷରେ ସମଗ୍ର ଭାରତର ଲୋକେ ତାହାକୁ ମୁଣ୍ଡ ପୋତି ମାନି ନେବା ଅସମ୍ଭବ । ବୌଦ୍ଧ ଧର୍ମର ପ୍ରଭାବରୁ ପୁରୀ ତୀର୍ଥରେ ପରିଣତ ହୋଇଅଛି ବୋଲି କେହି କେହି ଅନୁମାନ କରନ୍ତି, ଏହା ମଧ୍ୟ ଅସମ୍ଭବ । କାରଣ ବୁଦ୍ଧଗୟା ବୌଦ୍ଧଧର୍ମର ପ୍ରଧାନ ତୀର୍ଥସ୍ଥାନ ହୋଇଥିଲେ ମଧ୍ୟ ସେ ସ୍ଥାନ ଯେତେବେଳେ ହିନ୍ଦୁମାନଙ୍କ ତୀର୍ଥରୂପେ ପରିଣତ ହୋଇ ନାହିଁ, ତେତେବେଳେ ବୌଦ୍ଧଧର୍ମର ପ୍ରଭାବରେ ପୁରୀ ହିନ୍ଦୁମାନଙ୍କର ତୀର୍ଥରୂପେ ପରିଣତ ହେବାର କୌଣସି କାରଣ ନାହିଁ । ବିଶେଷତଃ ହୁୟେନସାଂ ଯେତେବେଳେ ଓଡ଼ିଶାକୁ ଆସିଥିଲେ, ତେତେବେଳେ ପୁରୀ କ୍ଷେତ୍ରରେ ପରିଣତ ହୋଇଥିଲା, କିନ୍ତୁ ବୌଦ୍ଧଧର୍ମର କୌଣସି ପ୍ରଭାବ ସେଠାରେ ଥିବାର ହୁୟେନସାଂ ଲେଖି ନାହାନ୍ତି । ଯାଜପୁରରୁ ଇନ୍ଦ୍ରଦ୍ୟୁମ୍ନ ରାଜା ବିଦ୍ୟାପତିଙ୍କି ପଠାଇଥିବା ଓ ବିଦ୍ୟାପତି ବ୍ରାହ୍ମଣ ଶବରର ବିଷ୍ଣୁପୂଜା ଦେଖିଥିବା ବିଷୟରେ ଯେଉଁ ପୁରୁଷାନୁକ୍ରମିକ ପ୍ରବାଦ ଅଛି, ତହିଁରୁ ଏ କଥା ଜଣାଯାଏ ଯେ, ପୁରୀ ସେତେବେଳେ ଅରଣ୍ୟରେ ପୂର୍ଣ୍ଣ ଥିଲା । ପୁଣି ପଦ୍ମପୁରାଣର ପାତାଳଖଣ୍ଡ ଅନୁସାରେ ଅରଣ୍ୟ ଭିତରେ ଲୁପ୍ତ ଥିବା ମନ୍ଦିରଟିଏ ଜଣେ ଶବର-ବାଳକ ପ୍ରଥମେ ଦେଖି ଅନ୍ୟାନ୍ୟ ଲୋକମାନଙ୍କୁ ଜଣାଇଥିଲା । ଏହିସବୁ ଘଟନା ହୁୟେନସାଂ ଆସିବା ପୂର୍ବରୁ ଅବଶ୍ୟ ଜନଶୂନ୍ୟ ପୁରୀରେ ଘଟିଥିଲା-। ତାହା ହେଲେ ଖାରବେଳଙ୍କ ଶିଳାଲିପିର ଏକାଦଶ ଧାଡ଼ି ଏହିରୂପେ ପଢ଼ାଯାଇ ପାରେ-

 

‘‘ପୁବ (ପୂର୍ବ) ରାଜନିବେସିତ ପିଥଉଦଗଦଭନଗଲୀନ (ପୃଥୁଉଦକଦର୍ଭନଗଲୀନ) କାଢ଼ୟତି ଜୀନପଦଭବନଂଚ ।’’ ଜୟସ୍ୱାଲ ମହାଶୟ ଯେପରି ପାଠୋଦ୍ଧାର କରିଥିଲେ, ଅବିକଳ ସେହିପରି ପାଠୋଦ୍ଧାର କରାଗଲା । କେବଳ ସେ ପଢ଼ିଥିବା ‘ନଗଳେ ନେକାସୟତି’ ଏହି କଥାଟି ଅଳ୍ପ ପରିବର୍ତ୍ତିତ ହେଲା । ଯାହା ହେଉ ବର୍ତ୍ତମାନ ସ୍ପଷ୍ଟରୂପେ ଅର୍ଥ ଧରା ପଡ଼ୁଅଛି ଯେ, ଜଳମୟ ଓ କୁଶମୟ ପାହାଡ଼ରେ ଲୁପ୍ତ ଥିବା ଜୀନପଦନ୍ଦିମରକୁ ଖାରବେଲ ଉଦ୍ଧାର କରିଥିଲେ । ଜଗନ୍ନାଥଙ୍କ ମନ୍ଦିର ନୀଳ ପର୍ବତ ଉପରେ ଅବସ୍ଥିତ ବୋଲି ପ୍ରବାଦ ଥିବାର ସମସ୍ତେ ଜାଣନ୍ତି । ପୁରୀକି ଯେ କୁଶସ୍ଥଳୀ କହନ୍ତି, ତାହା ଶାରଳା ଦାସଙ୍କ ମହାଭାରତର ପ୍ରାରମ୍ଭରୁ ଜଣାପଡ଼େ । ଏଥିରୁ ମନେ ହୁଏ, ଖାରବେଲ ଏହି ମନ୍ଦିର ଉଦ୍ଧାର କରିବା ଉତ୍ତାରୁ ଶବରମାନେ ସେଠାରେ ପୂଜା କରୁଥିଲେ । ତହିଁ ଉତ୍ତାରୁ ବ୍ରାହ୍ମଣମାନେ ସେଠାକୁ ଯାଇ ତନ୍ତ୍ରମତ ଚଳାଇଲେ । ଯାହାହେଉ ପୁରୀର ଧର୍ମ୍ମମତ ସମ୍ବନ୍ଧରେ ଏଠାରେ ବେଶି ଉଲ୍ଲେଖ କରିବାର ପ୍ରୟୋଜନ ନାହିଁ । କେବଳ ଓଡ଼ିଶାର ପ୍ରାଚୀନ ସଭ୍ୟତାର ନିଦର୍ଶନ ଦେଖାଇବା ନିମନ୍ତେ ଯେତିକି ଲୋଡ଼ା ପଡ଼ିଲା, ତେତିକି ଏଠାରେ ଉଲ୍ଲେଖ କରାଗଲା । ଅତି ପ୍ରାଚୀନ କାଳରୁ ଓଡ଼ିଶାରେ ଯେ ଆର୍ଯ୍ୟ-ସଭ୍ୟତା ବିସ୍ତୃତ ହୋଇଅଛି, ଏଥିରେ ସନ୍ଦେହ ନାହିଁ । କିନ୍ତୁ ହୁୟେନସାଂ ଲେଖିଅଛନ୍ତି ଯେ, ଓଡ଼ିଶାର ଲୋକେ କୃଷ୍ଣକାୟ ଓ ଅସଭ୍ୟ ଅଟନ୍ତି । ନାଟ୍ୟଶାସ୍ତ୍ରରେ ଓଡ଼୍ର, ବଙ୍ଗ ଓ କଳିଙ୍ଗର ଲୋକମାନେ ଶ୍ୟାମଳବର୍ଣ୍ଣ ଥିବାର * ବର୍ଣ୍ଣିତ ହୋଇଥିବାରୁ ଅନୁମିତ ହୁଏ ଯେ, ହୁୟେନସାଂ ମୟୂରଭଞ୍ଜ, ନୀଳଗିରି ଓ କେନ୍ଦୁଝର ଭିତରେ ଜଙ୍ଗଲ ବାଟେ କର୍ଣ୍ଣସୁବର୍ଣ୍ଣରୁ ଓଡ଼ିଶାକୁ ଆସିଥିବାରୁ ବାଟରେ କୋହ୍ଲ, ଭୂୟାଁ ପ୍ରଭୃତି ଅନାର୍ଯ୍ୟଜାତିଙ୍କି ଦେଖି ଏପରି ଲେଖିଅଛନ୍ତି । ହୁୟେନସାଂ ଜଙ୍ଗଲବାଟେ ଆସି ଓଡ଼ିଶାର ରାଜଧାନୀରେ ପହଞ୍ଚିବାର ସେ ନିଜେ ଲେଖିଅଛନ୍ତି । ସୁତରାଂ ଓଡ଼ିଶାରେ ଅତି ପ୍ରାଚୀନ କାଳରୁ ଆର୍ଯ୍ୟ-ସଭ୍ୟତା ବିସ୍ତୃତ ହୋଇଥିବାର ଅନେକ ନିଦର୍ଶନ ଥିବା ସ୍ଥଳେ କେବଳ ହୁଏନସାଂଙ୍କ ବିବରଣରୁ ସପ୍ତମ ଶତାବ୍ଦୀକି ଓଡ଼ିଶା ଅସଭ୍ୟ ଥିଲା ବୋଲି କୁହାଯାଇ ନ ପାରେ ।

 

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଓଡ଼ିଶାରେ ବୌଦ୍ଧଧର୍ମ ଓ ଜୈନ ଧର୍ମ ପ୍ରବଳ ହେବାକୁ ଲାଗିଲା । ହୁଏନସାଂ ଆସିଲାବେଳକୁ ଓଡ଼ିଶାରୁ ବୌଦ୍ଧଧର୍ମର ସ୍ରୋତ ଶୁଖି ନ ଥିଲା । ସବୁ ଦେଶରେ ସବୁ କାଳରେ ଧର୍ମପ୍ରଚାରଦ୍ୱାରା ଭାଷାର ଉନ୍ନତି ଘଟିଥାଏ । ସୁତରାଂ ବୌଦ୍ଧ ଓ ଜୈନଧର୍ମ ପ୍ରଚାରକମାନଙ୍କଦ୍ୱାରା ଓଡ଼ିଶାରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ପାଲି ଭାଷାର ପ୍ରଚାର ଘଟିବାରୁ ଏ ଦେଶର ଦ୍ରାବିଡ଼ୀ ଭାଷା ଓ ମଗଧର ପାଲି ଭାଷା ମିଶି ଓଡ଼୍ରଭାଷାର ସୃଷ୍ଟି ଘଟିଲା । ବୌଦ୍ଧଧର୍ମପ୍ରଚାରକ ଓ ଜୈନଧର୍ମ ପ୍ରଚାରକମାନଙ୍କ ଛଡ଼ା ଖାରବେଳଙ୍କ ସମୟରୁ ମଗଧରୁ ବ୍ରାହ୍ମଣମାନେ ଆସି ଓଡ଼ିଶାରେ ବାସ କରୁଥିବାର ତାହାଙ୍କ ଶିଳାଲିପିରୁ ଜଣାପଡ଼େ । ଏହିପରି ବହୁଳ ଆର୍ଯ୍ୟମାନଙ୍କ ସଂସ୍ରବରେ ବହୁକାଳ ରହି ଓଡ଼ିଶାର ଆଦିମ ଅଧିବାସୀମାନେ କ୍ରମଶଃ ଦ୍ରାବିଡ଼ୀ ଭାଷା ପାସୋରି ପାଲି ଭାଷାକୁ ନିଜ ଭାଷାର ଉଚ୍ଚାରଣ-ଛାଞ୍ଚରେ ଢାଳି ନୂତନ ରୂପ କରି ନିଜସ୍ୱ କରିବାକୁ ଲାଗିଲେ । ସେହି ହେତୁରୁ ଓଡ଼୍ର ନାମକ ଗୋଟିଏ ଭାଷା ନାଟ୍ୟଶାସ୍ତ୍ର-ରଚନାକାଳକୁ ସୃଷ୍ଟ ହୋଇ ସାରିଥିଲା । ନାଟ୍ୟଶାସ୍ତ୍ର ଖ୍ରୀଷ୍ଟସାଲ ଦ୍ୱିତୀୟ ଶତାବ୍ଦୀରେ ରଚିତ ବୋଲି ଅନେକେ ଅନୁମାନ କରନ୍ତି । ଏହି ଦ୍ୱିତୀୟ ଶତାବ୍ଦୀକି ଓଡ଼୍ରଭାଷା ବିଭାଷା ଆଖ୍ୟା ଲଭିଥିଲା । ବିଭାଷାର ରୀତି ଏହି ଯେ, ତହିଁ ରେ ଆର୍ଯ୍ୟଭାଷା ମିଶିଥିଲେ ମଧ୍ୟ ଆଦିମ ଜାତିଙ୍କର ମାତୃଭାଷା ଅଧିକ ପରିମାଣରେ ଥାଏ । ଯାହା ହେଉ, ଏହି ବିଭାଷା ଶୀଘ୍ର ପରିବର୍ତ୍ତିତ ହୋଇ ପ୍ରାକୃତରେ ପରିଣତି ହୋଇଥିଲା । ହୁୟେନସାଂ ଏହି କଥା ଲେଖିଅଛନ୍ତି–‘‘The words and language (pronunciation) differ from the speech of central India.’’ ଏଥିରୁ ଏହି କଥା ବୁଝାଯାଏ ଯେ, ସପ୍ତମ ଶତାବ୍ଦୀକି ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବରେ ମାଗଧୀ ବ୍ୟବହୃତ ହେଉଥିଲେ ମଧ୍ୟ ଓଡ଼ିଆ ଜାତିର ଉଚ୍ଚାରଣ ଅନୁସାରେ ତାହା ମାଗଧୀ ଭାଷାଠାରୁ ସ୍ୱତନ୍ତ୍ର ଥିଲା । ଓଡ଼ିଶାର ଲୋକଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ଅଛି ବୋଲି ହୁୟେନସାଂ ଲେଖିଥିବାରୁ ଜଣାଯାଏ ଯେ, ଓଡ଼ିଶାର ଲୋକେ ତେତେବେଳକୁ ମାଗଧୀ ଭାଷା ଶିଖି ସାରିଥିଲେ-। ଏବେ ମଧ୍ୟ ଓଡ଼ିଆ ଚଷାମାନଙ୍କର ଲେଖାପଢ଼ା ପ୍ରତି ବିଶେଷ ଆଗ୍ରହ ଥିବାର ଦେଖାଯାଏ । ସୁତରାଂ ଓଡ଼ିଆ ଲୋକଙ୍କର ଏହି ପ୍ରଶଂସନୀୟ ଗୁଣଯୋଗୁଁ ଓଡ଼ିଶାରେ ଅତ୍ୟଳ୍ପ ସମୟ ଭିତରେ ମାଗଧୀ ଭାଷା ଯେ ପ୍ରଚଳିତ ହୋଇଥିବ, ଏଥିରେ ସନ୍ଦେହ ନାହିଁ ।

 

ସପ୍ତମ ଶତାବ୍ଦୀକି ଯେଉଁ ଓଡ଼୍ର ପ୍ରାକୃତ ସୃଷ୍ଟ ହୋଇଥିଲା, ତାହା କିପରି ଥିଲା, ଜାଣିବାର ଉପାୟ ନାହିଁ । ବୌଦ୍ଧଗାନ ଓ ଦୋହାଁରେ ବ୍ୟବହୃତ ଭାଷା ଯେ ସପ୍ତମ ଶତାବ୍ଦୀର ବହୁ ପରବର୍ତ୍ତୀ, ଏଥିରେ ସନ୍ଦେହ ନାହିଁ । କାରଣ, ଉକ୍ତ ଗ୍ରନ୍ଥରେ ଓଡ଼ିଆ ଭାଷାର ଆଧୁନିକ ବିଭକ୍ତିର ଚିହ୍ନ ବ୍ୟବହୃତ ହୋଇଥିବାର ଦେଖାଯାଏ । କିନ୍ତୁ ସପ୍ତମ ଶତାବ୍ଦୀର କୌଣସି ପ୍ରାକୃତ ଭାଷାରେ ଉକ୍ତ ଚିହ୍ନ ବ୍ୟବହୃତ ହୋଇଥିବାର ଦେଖାଯାଏ ନାହିଁ । ତାହା ହେଲେ ଦଶମ ଶତାବ୍ଦୀକି ଆଧୁନିକ ଓଡ଼ିଆ ଭାଷା ସୃଷ୍ଟ ହେବାକୁ ସୂତ୍ରପାତ ହେଲା ବୋଲି କହିବାକୁ ହେବ । ସୋନପୁରର ଦ୍ୱାଦଶ ଶତାବ୍ଦୀର ମନ୍ଦିରରେ ‘ଯେ ହରଇ ତାହାର ମୁଣ୍ଡରେ ବ୍ରହ୍ମତାଳ ରୁଦ୍ରତାଳ ପଡ଼ଇ’- ଏହି କଥା ଲେଖାଥିବାରୁ ଜଣାଯାଏ ଯେ, ଦ୍ୱାଦଶ ଶତାବ୍ଦୀକି ଆଧୁନିକ ଓଡ଼ିଆ ଭାଷା ସୃଷ୍ଟ ହୋଇ ସାରିଲାଣି । ଭୁବନେଶ୍ୱରରୁ ଆବିଷ୍କୃତ ତ୍ରୟୋଦଶ ଶତାବ୍ଦୀର ଶିଳାଲିପିରୁ ମଧ୍ୟ ପ୍ରମାଣିତ ହୁଏ ଯେ, ତ୍ରୟୋଦଶ ଶତାବ୍ଦୀ ପୂର୍ବରୁ ଆଧୁନିକ ଓଡ଼ିଆ ଭାଷା ସୃଷ୍ଟ ହୋଇଥିଲା । ଗଦ୍ୟ ଓଡ଼ିଆରେ ଉକ୍ତ ଶିଳାଲିପି ଖୋଦିତ ହୋଇଥିବାରୁ ଅନୁମାନ କରାଯାଏ ଯେ, ତେତେବେଳେ ଓଡ଼ିଆ ଭାଷାର ସାହିତ୍ୟ ସୃଷ୍ଟ ହୋଇଥିବ । ଯାହା ହେଉ, ତ୍ରୟୋଦଶ ଶତାବ୍ଦୀ ଉତ୍ତାରୁ ଓଡ଼ିଆରେ ଆରବୀ, ପାର୍ସୀ ଓ ଉର୍ଦ୍ଦୁ ଶବ୍ଦ ବହୁତ ମିଶିଲା । ବର୍ତ୍ତମାନ ତହିଁରେ ଇଂରେଜୀ ଶବ୍ଦ ମଧ୍ୟ ବହୁତ ମିଶୁଅଛି । ଏହିପରି ଓଡ଼ିଆ ଭାଷା କ୍ରମଶଃ ବିକଶିତ ହେଉଅଛି ।

Image

 

ତୃତୀୟ ଅଧ୍ୟାୟ

(ଓଡ଼ିଆ ଶବ୍ଦର ବ୍ୟୁତ୍ପତ୍ତିକ୍ରମ)

 

ପୂର୍ବେ ଯେତେ କଥା ଉଲ୍ଲେଖ କରାଯାଇ ଅଛି, ତହିଁରୁ ପାଠକେ ବୁଝି ପାରୁଥିବେ ଯେ, ପାଲି, ଦ୍ରାବିଡ଼ୀ, ଆରବୀ, ପାର୍ସୀ ଓ ଇଂରେଜୀ–ଏହି ଭାଷାମାନଙ୍କର ଅନେକ ଶବ୍ଦ ମିଶି ଆଧୁନିକ ଓଡ଼ିଆ ଭାଷା ଉତ୍ପନ୍ନ । ଓଡ଼ିଆ ଭାଷାରେ ଅନେକ ସଂସ୍କୃତ ଶବ୍ଦ ଅକ୍ଷୁଣ୍ଣ ଭାବରେ ପ୍ରଚଳିତ ଥିବାର କୁହାଯାଇ ନ ଥିଲେ ମଧ୍ୟ ପାଠକେ ତାହା ଜାଣନ୍ତି । ପାଲି ଭାଷାରେ ଅନେକ ସଂସ୍କୃତ ଶବ୍ଦ ମଧ୍ୟ ଅକ୍ଷୁଣ୍ଣଭାବରେ ବ୍ୟବହୃତ ହେଉଥିଲା । ସେହି ଶବ୍ଦଗୁଡ଼ିକୁ ପ୍ରାକୃତ ଭାଷାର ବ୍ୟାକରଣକାରମାନେ ତତ୍ସମ ନାମରେ ଓ ରୂପାନ୍ତରିତ ଶବ୍ଦଗୁଡ଼ିକୁ ତଦ୍ଭବ ନାମରେ ଅଭିହିତ କରିଅଛନ୍ତି । ଏହି ଗ୍ରନ୍ଥରେ ମଧ୍ୟ ସେହି ଦୁଇ ଆଖ୍ୟା ବ୍ୟବହାର କରିବାକୁ ହେବ ।

 

ପୂର୍ବବର୍ତ୍ତୀ ଅଧ୍ୟାୟରେ ଉଲ୍ଲେଖ କରାଯାଇ ଅଛି ଯେ, ଅନ୍ୟ ଭାଷାରୁ ଆସି ଓଡ଼ିଆ ଭାଷାରେ ମିଶିଥିବା ଶବ୍ଦଗୁଡ଼ିକ ଓଡ଼ିଆ ଭାଷାର ଉଚ୍ଚାରଣର ବିଶିଷ୍ଟତା ଘେନି ରୂପାନ୍ତରିତ । ମିଶିବା ଶବ୍ଦର ରୂପାନ୍ତର ଘଟିବା ଛଡ଼ା ଅର୍ଥର ମଧ୍ୟ ପରିବର୍ତ୍ତନ ଘଟିଅଛି । ଅନେକ ତତ୍ସମ ଶବ୍ଦର ମୂଳ ଅର୍ଥ ପରିବର୍ତ୍ତିତ ହୋଇ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଅଛି । ସୁତରାଂ ତଦ୍ଭବ ଶବ୍ଦର ଅର୍ଥ ପରିବର୍ତ୍ତିତ ହେବା ବିଚିତ୍ର ନୁହେ । ପୁଣି ସଂସ୍କୃତ ଭାଷାରେ ଯେଉଁ ଶବ୍ଦଗୁଡିକ ବିଶେଷ୍ୟ ପଦରେ ବ୍ୟବହୃତ ହେଉଥିଲେ, ସେଗୁଡ଼ିକ ଓଡ଼ିଆ ଭାଷାରେ ବିଶେଷଣ ପଦରୂପେ ଓ ଯେଉଁ ଶବ୍ଦଗୁଡ଼ିକ ବିଶେଷଣ ପଦରୂପେ ବ୍ୟବହୃତ ହେଉଥିଲେ, ସେଗୁଡ଼ିକ ବିଶେଷ୍ୟ ପଦରୂପେ ବ୍ୟବହୃତ ହେଉଅଛନ୍ତି । ଏହା ଛଡ଼ା ଶବ୍ଦମାନଙ୍କରେ କିଭଳି ବର୍ଣ୍ଣମାନଙ୍କର ରୂପାନ୍ତର ଘଟେ, ତାହା ଏହି ଗ୍ରନ୍ଥର ପରବର୍ତ୍ତୀ ଅଧ୍ୟାୟରୁ ସୂଚନା ମିଳିବ । କେତେକ ଶବ୍ଦର ଶେଷାଂଶ ବା ଆଦ୍ୟାଂଶ କିପରି ଲୁପ୍ତ ହୋଇ ପଡ଼ିଅଛି ଓ ଶବ୍ଦମାନଙ୍କରେ କିପରି ସ୍ଥିତି, ପରିବୃତ୍ତି ବା ବର୍ଣ୍ଣବିପର୍ଯ୍ୟୟ ଘଟେ–ଏହିସବୁ କଥା ଓ ପ୍ରଥମୋକ୍ତ କଥାର ସତ୍ୟତା ପାଠକମାନଙ୍କ ହୃଦୟଙ୍ଗମ ନିମନ୍ତେ ଏଠାରେ ଗୋଟିଏ ଶବ୍ଦତାଲିକା ସନ୍ନିବେଶ କରାଯାଉଅଛି ।

 

ତତ୍ସମ–

 

(୧)

ଅଭ୍ୟନ୍ତର–ଏହି ଶବ୍ଦଟି ସଂସ୍କୃତ ଭାଷାରେ ଯେଉଁ ଅର୍ଥରେ ବ୍ୟବହୃତ ହେଉଥିଲା, ଓଡ଼ିଆରେ ସେ ଅର୍ଥରେ ବ୍ୟବହୃତ ହୁଏ ନାହିଁ । ଓଡ଼ିଆ ଭାଷାରେ ଏହାର ଅର୍ଥ ‘କପଟ’-। ଯଥା-ତା ପ୍ରତି ମୋର ଟିକିଏ ଅଭ୍ୟନ୍ତର ନାହିଁ ।

(୨)

ଅବାନ୍ତର–ସଂସ୍କୃତ ଭାଷାରେ ଏହାର ଅର୍ଥ ‘ସମ୍ପୃକ୍ତ’, କିନ୍ତୁ ଓଡ଼ିଆରେ ‘ଅସମ୍ପୃକ୍ତ’ ଅର୍ଥରେ ବ୍ୟବହୃତ । ଯଥା-ସେ ବଡ଼ ଅବାନ୍ତର କଥା କହିଲେ ।

(୩)

ଉପାୟ–ଏହା ଓଡ଼ିଆରେ ‘ମନ୍ତ୍ର’ ଓ ‘ଔଷଧ’ ଏହି ଦୁଇ ଅର୍ଥରେ ବ୍ୟବହୃତ ହୁଏ । ଯଥା (କ) ସେ ସ୍ତ୍ରୀଲୋକ ପୁରୁଷକୁ ଉପାୟରେ ବଶ କରେ; (ଖ) ଏ ରୋଗକୁ କନ୍ଧମାନେ ଭଲ ଉପାୟ ଜାଣନ୍ତି । ସଂସ୍କୃତ ଭାଷାରେ ଏହି ଶବ୍ଦଟି ଏଭଳି ଅର୍ଥରେ ବ୍ୟବହୃତ ହେଉ ନ ଥିଲା ।

(୪)

ଗନ୍ଧ–ଏହି ଶବ୍ଦଟିର ପୂର୍ବରେ ‘ସୁ’ ଅଥବା ‘ଦୁଃ’ ଯୋଗ କରି ସଂସ୍କୃତ ଭାଷାରେ ଭଲ ଗନ୍ଧ ବା ମନ୍ଦ ଗନ୍ଧ ପ୍ରତି ବ୍ୟବହାର କରା ଯାଉଥିଲା । କିନ୍ତୁ ଓଡ଼ିଆରେ ଏହା କେବଳ ମନ୍ଦ ଗନ୍ଧ ନିର୍ଦ୍ଦେଶ କରେ ।

(୫)

ଗୁଣ–ଏହି ଶବ୍ଦଟି ସଂସ୍କୃତ ଭାଷାରେ କେବଳ ଭଲପଣିଆକୁ ବୁଝାଉଥିଲା । ବର୍ତ୍ତମାନ ଓଡ଼ିଆରେ ଏହା ‘ଭଲପଣିଆ’ ଓ ‘ମନ୍ଦପଣିଆ’-ଉଭୟ ଅର୍ଥ ନିର୍ଦ୍ଦେଶ କରେ । ଯଥା–(କ) ସେ ବଡ଼ ଗୁଣର ପିଲା; (ଖ) ତା ଗୁଣ ଦେଖି ବଡ଼ ବିରକ୍ତ ହେଲି ।

(୬)

ପରାମର୍ଶ–ଓଡ଼ିଆରେ ଏହା ଗାଳି ଦେବା ଅର୍ଥରେ ବ୍ୟବହୃତ ହୁଏ । ଯଥା–ସେ ମୋତେ ବହୁତ ପରାମର୍ଶ କଲେ । ସଂସ୍କୃତରେ ଏହା ଏପରି ଅର୍ଥରେ ବ୍ୟବହୃତ ହେଉ ନ ଥିଲା ।

(୭)

ପରାଭବ–ଏ ଶବ୍ଦଟି ମଧ୍ୟ ଓଡ଼ିଆରେ ଗାଳି ଦେବା ଅର୍ଥରେ ବ୍ୟବହୃତ; ସଂସ୍କୃତରେ ଏହାର ଏପରି ଅର୍ଥ ନ ଥିଲା ।

(୮)

ଯାଚ୍–ଏହି ଧାତୁଟି ସଂସ୍କୃତରେ ପ୍ରାର୍ଥନା କରିବା ଅର୍ଥରେ ବ୍ୟବହୃତ, କିନ୍ତୁ ଓଡ଼ିଆରେ କାହାକୁ କୌଣସି ଜିନିସ ଆଗ୍ରହ ସହିତ ଦେବା ଅର୍ଥରେ ବ୍ୟବହୃତ । ଯଥା–ଯାଚିଲା ପଦାର୍ଥ ଛାଡ଼ିବ ନାହିଁ ।

(୯)

ପ୍ରତିଜ୍ଞା–ଏହା ସଂସ୍କୃତ ଭାଷାରେ ଯେଉଁ ଅର୍ଥରେ ବ୍ୟବହୃତ ହେଉଥିଲା, ସେ ଅର୍ଥ ଛଡ଼ା ଓଡ଼ିଆରେ ଏହା ‘ମାହାତ୍ମ୍ୟ’ ଅର୍ଥ ନିର୍ଦ୍ଦେଶ କରେ । ଯଥା–ଏ ଠାକୁରଙ୍କ ପ୍ରତିଜ୍ଞା ଭାରି ।

(୧୦)

କଳ୍ପନା–ଓଡ଼ିଆରେ ଏହା ‘କପଟ’ ଅର୍ଥ ନିର୍ଦ୍ଦେଶ କରେ । ଯଥା–ମୋ ପ୍ରତି ତାଙ୍କର କଳ୍ପନା ଅଛି । ଏହି ଶବ୍ଦ ସଂସ୍କୃତ ଭାଷାରେ ଏପରି ଅର୍ଥରେ ବ୍ୟବହୃତ ହୋଇ ନାହିଁ ।

(୧୧)

ବିଚିତ୍ର–ସଂସ୍କୃତ ଭାଷାର ଅର୍ଥ ଛଡ଼ା ଓଡ଼ିଆରେ ଏହା ‘ଆଶ୍ଚର୍ଯ୍ୟ’ ଅର୍ଥ ନିର୍ଦ୍ଦେଶ କରେ । ଯଥା-ତା କଥା ମୋତେ ବିଚିତ୍ର ଲାଗିଲା ।

(୧୨)

ଆଶ୍ଚର୍ଯ୍ୟ–ସଂସ୍କୃତରେ ଏହା କେବଳ ବିଶେଷ୍ୟ ପଦରୂପେ ବ୍ୟବହୃତ ହେଉଥିଲା, କିନ୍ତୁ ଓଡ଼ିଆରେ ଏହା ବିଶେଷଣ ପଦରୂପେ ମଧ୍ୟ ବ୍ୟବହୃତ ହୁଏ । ଯଥା-ତା କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି ।

(୧୩)

ପ୍ରୟୋଜନ–ଏ ଶବ୍ଦ ଓଡ଼ିଆରେ ବିଶେଷଣ ପଦରୂପେ ବ୍ୟବହୃତ ହୁଏ, କିନ୍ତୁ ସଂସ୍କୃତ ଭାଷାରେ କେବଳ ବିଶେଷ୍ୟ ପଦରୂପେ ବ୍ୟବହୃତ ହେଉଥିଲା ।

(୧୪)

କପଟ–ସଂସ୍କୃତରେ ଏହା ବିଶେଷଣ ପଦରୂପେ ବ୍ୟବହୃତ ହେଉଥିଲା, କିନ୍ତୁ ଓଡ଼ିଆରେ ଏହା ବିଶେଷ୍ୟ ପଦରୂପେ ବ୍ୟବହୃତ । ଯଥା-ତାଙ୍କ ହୃଦୟରେ ମୋ ପ୍ରତି କପଟ ନ ଥାଏ ।

ତଦ୍ଭବ–

(୧) ଆଗି=ପାଲି-ଅଗ୍ନି, ସଂସ୍କୃତ-ଅଗ୍ନି । ଓଡ଼ିଆ ଶବ୍ଦଟି କେବଳ ଅଗ୍ନ୍ୟୁତ୍ସବଦିନର ଅଗ୍ନି ପ୍ରତି ପ୍ରଯୁକ୍ତ । ଯଥା, ଅଗିପୋଡ଼ା । ତୁଂ ହିଂ ଆଗ୍ । (୨) ଅଡ଼ୁଆ= ସଂ ଆଲୁଳ । (୩) ଅଗା=ସଂ ଅଜ୍ଞ । ଯଥା, ଅଗାବଗା ଲୋକ । (୪) ଅନିଷା=ପା ଅନେସନା, ସଂ ଅନ୍ୱେଷଣ । ଓଡ଼ିଆ ଶବ୍ଦଟି ଖୋଜିବା ଓ ଅପେକ୍ଷା କରିବା, ଉଭୟ ଅର୍ଥରେ ବ୍ୟବହୃତ । ଯଥା, (କ) ବଜାରରେ ବାଇଗଣ ଅନିଷା କରି ପାଇଲି ନାହିଁ, (ଖ) ମୁଁ ତାକୁ ଅନିଷା କରି ଚାଲିଗଲି । (୫) ଅଳିଖା=ପା ଅଲ୍ଲିକ, ସଂ ଅଲୀବ । ସଂସ୍କୃତ ଅଲୀକ ଶବ୍ଦର ଅର୍ଥ ମିଥ୍ୟା, କିନ୍ତୁ ଓଡ଼ିଆ ଅଳିଖା ଶବ୍ଦର ଅର୍ଥ ଅକିଞ୍ଚନ । ଯଥା, ତୁ ମୋତେ ଅଳିଖା ପାଇଲୁ । ଓଡ଼ିଆ ‘ଅଳିଆ’ ଶବ୍ଦ ମଧ୍ୟ ଏଥିରୁ ଉତ୍ପନ୍ନ ବୋଲି ଅନୁମାନ କରାଯାଇ ପାରେ । (୬) ଅଳି ଓ ଆଳ=ସଂ ଅର୍ଦ୍ଦ । (କ) ସେ ଟଙ୍କାପାଇଁ ମୋ ପାଖରେ ବହୁତ ଅଳି କଲା, (ଖ) ପିଲା ଭାତ ଖାଇବା ପାଇଁ ବହୁତ ଆଳ କଲା । ସଂସ୍କୃତ ‘ମର୍ଦ୍ଦ’ ପ୍ରାକୃତରେ ‘ମଳ’ରେ ପରିଣତ ହୋଇ ଓଡ଼ିଆରେ ତାହା ବ୍ୟବହୃତ ହେଉଥିବାରୁ (ଯଥା, ଧାନ ମଳିବା) ସଂସ୍କୃତ ‘ଅର୍ଦ୍ଦ’ରୁ ଓଡ଼ିଆ ଅଳି ଓ ଆଳ ଶବ୍ଦଦ୍ୱୟର ଉତ୍ପତ୍ତି ଘଟିଅଛି ବୋଲି ଅନୁମାନ କରାଯାଉଅଛି-। ପୁଣି ଓଡ଼ିଆରେ ‘ଅର୍ଦ୍ଦଳି’ (ଅର୍ଦ୍ଦ+ଅଳି) ବା ‘ଆରଦୋଳି’ ଶବ୍ଦ ବ୍ୟବହୃତ ହେଉଥିବାରୁ (ଯଥା ପିଲାଙ୍କ ଅର୍ଦ୍ଦଳି ସହିବା କଠିନ କଥା) ଏହା ବିଶ୍ୱାସଯୋଗ୍ୟ ହୁଏ । ସଂସ୍କୃତ ‘ଅର୍ଦ୍ଦ’ର ଅର୍ଥ ପ୍ରାର୍ଥନା । (୭) ଅଥାର=ପା ଅଥରଣ, ସଂ ଆସ୍ତରଣ । ଯଥା, ଏଣ୍ଡୁରି=ଅଥାର । (୮) ଅଚକାର=ପା ସଚ୍ଚକାର, ସଂ ସତ୍ୟକାର । ଯଥା, ପରିବା ଆଣିବା ପାଇଁ ମୁଁ ତାକୁ ଅଚ୍ଚକାର ଦେଇଅଛି । ଏହି ଶବ୍ଦ ନୂଆଗଡ଼ ଓ ବାଣପୁର ପ୍ରଭୃତି ଅଞ୍ଚଳରେ ବ୍ୟବହୃତ । (୯) ଅଢ଼ାଇ=ପା ଅଦ୍ଧତୀୟ, ସଂ ଅର୍ଦ୍ଦ-ତୃତୀୟ । (୧୦) ଅଣିକିଳ ବା ଅନିକିଳ=ସଂ ଅଣି+ ସଂ କିଳ । ‘ଅଣି’ ଶବ୍ଦ ଦ୍ରାବିଡ଼ୀ ଭାଷାରୁ ସଂସ୍କୃତ ଭାଷାକୁ ଆସିଅଛି ବୋଲି ଅନେକେ ଅନୁମାନ କରନ୍ତି । ଦ୍ରାବିଡ଼ୀ ଭାଷାରେ ‘ଅଣି’ ଶବ୍ଦ ଯେପରି ଶଗଡ଼ର ଅଖରେ ଥିବା କିଳା ପ୍ରତି ବ୍ୟବହୃତ ହୁଏ, ସଂସ୍କୃତ ଭାଷାରେ ମଧ୍ୟ ସେପରି ସେହି କିଳା ପ୍ରତି ବ୍ୟବହୃତ । (୧୧) ଅଭ୍ୟଡ଼ା=ସଂ ଅବୋଢ଼ । (୧୨) ଅତ୍ରିଛ=ପା ଅତ୍ରିଚ୍ଛ, ସଂ ଅତିତ୍ରସ୍ତ । (୧୩) ଆଉଟିବା=ପା ଆବ୍ଦଟନ, ସଂ ଆବର୍ତ୍ତନ । ଯଥା, ରୂପା ଆଉଟିବା, ଦୁଧ ଆଉଟିବା । (୧୪) ଆଗୁଳ ବା ଓଗାଳ=ପ୍ରା ଅଗ୍‌ଗଳ, ସଂ ଅର୍ଗଳ । (୧୫) ଉବାର=ପା ଓବାର, ସଂ ଅବବାର । ଯଥା, ତାକୁ କୌଣସି କଥା ଉବାର ନାହିଁ । (୧୬) ଉଛୁର=ପା ଉଚ୍ଛାରା, ସଂଉଚ୍ଛ୍ରାୟ (ଉଚ୍ଚ) । ଯଥା, ବେଳ ଉଛୁର ହେଲା, ଅର୍ଥାତ୍ ସୂର୍ଯ୍ୟ ଉପରକୁ ଉଠିଲେ- ଏହିପରି ଅର୍ଥର ସାମଞ୍ଜସ୍ୟ ଥିବାରୁ ଓଡ଼ିଆରେ ଉଛୁର ଶବ୍ଦ ବିଳମ୍ବ ଅର୍ଥରେ ବ୍ୟବହୃତ । ଏହି ଶବ୍ଦ ପ୍ରାଚୀନ ବଙ୍ଗଳାରେ ମଧ୍ୟ ବ୍ୟବହୃତ ହେଉଥିଲା; ତୁଳଂ, (ବୌଦ୍ଧମାନେ ଓ ଦୋହାର ଭାଷାରେ ଥିବା) ବାହତୁ ଡୋମ୍ବୀ ବାହଲୋ ଡୋମ୍ବୀ ବାଟତ ଭଇଲ ଉଚ୍ଛାରା । (୧୭) ଉଲାର=ପା ଉଲ୍ଲାର=ସଂ ଉଦାର । ଯଥା, ଚାଳ ଉଲାରିବା; ସଂସ୍କୃତ ‘ଉଦାର’ ବା ପାଲି ‘ଉଲ୍ଲାର’ ଶବ୍ଦ ଭିନ୍ନ ଅର୍ଥରେ ବ୍ୟବହୃତ; କିନ୍ତୁ ସଂସ୍କୃତ ‘ଦୃ’ ଧାତୁ ଏଭଳି ଅର୍ଥରେ ବ୍ୟବହୃତ ହେବା ଅସମ୍ଭବ ନୁହେ । (୧୮) ଉଆସ (ରାଜଭବନ)=ସଂ ରାଜବାସ; ଏଠାରେ ଶବ୍ଦର ପ୍ରଥମାଂଶ ‘ରାଜ’ ଲୁପ୍ତ ହୋଇ ପଡ଼ିଅଛି । (୧୯) ଉରାଳି ବା ଉରାଡ଼ି=(ବୈଦିକ ସଂସ୍କୃତ ଭାଷାର) ଉଲୂଳ (ଶବ୍ଦ କରିବା); ଉରାଡ଼ି ଶବ୍ଦରୁ ‘ଉ’ ଲୁପ୍ତ ହୋଇ ଓଡ଼ିଆ ‘ରଡ଼ି’ ଶବ୍ଦ ଉତ୍ପନ୍ନ ହୋଇଅଛି । (୨୦) ଉମ୍‌ହେଇ ବା ଉମ୍ଭେଇ=ପା ଉନ୍‌ହ, ସଂ ଉଷ୍ଣ; ପାଲି ‘ଉନ୍‌ହ’ ଶବ୍ଦରେ ତଦ୍ଧିତ ପ୍ରତ୍ୟୟ ଯୋଗ କରି ଓଡ଼ିଆ ‘ଉମ୍ଭେଇ’ ଶବ୍ଦ ଉତ୍ପନ୍ନ । (୨୧) ଉଭା (ଛିଡ଼ା ହେବା)=ପ୍ରା ଉବ୍ବଅ, ସଂ ଉଦ୍ଭବ । (୨୨) ଉଠିବା=ପ୍ରା ଉଟ୍‌ଠେହି, ସଂ ଉତ୍ତିଷ୍ଠ । (୨୩) ଉଯାଣି=ସଂ ଉଦ୍‌ଯାନ । (୨୪) ଉଗାଡ଼ିବା=ପା ଉଗ୍ଗାର, ସଂ ଉଦ୍ଗାର-(ଉ-ବୋଝରୁ ଧାନ ଉଗାଡ଼ିବା । (୨୫) ଉବୁଡ଼େଇବା=ପା ଉବ୍ବଟନ, ସଂ ଉବ୍ଦର୍ତ୍ତନ (ଉ-ହାଣ୍ଡିଟା ଉବୁଡ଼େଇ ଦିଅ) । (୨୬) ଏକାଟିଆ=ପ୍ରା ଏକାଟଅ, ସଂ ଏକତଃ । (୨୭) ଏରୁଣ୍ଡି (ଯଥା, ଏରୁଣ୍ଡିବନ୍ଧ)=ସଂ ଇନ୍ଦ୍ରକିଳ-ଏଠାରେ ଶବ୍ଦର ଶେଷାଂଶ ଲୁପ୍ତ ହୋଇଅଛି । (୨୮) ଓଲ୍‌ହାଇବା=ପା ଉଲ୍ଲହ, ସଂ ଅବରୋହ । (୨୯) ଓଟାରିବା (ଟାଣିବା)=ପା ଓତାର, ସଂ ଅବତାର-। (୩୦) ଓଲମ (କାରିଗରର ସୂତା)=ପା ଓଲମ, ସଂ ଅବଲମ୍ବ । (୩୧) ଓହଳ (ଉଦାରଣ-ବରଓହଳ)=ପା ଓହଳ, ସଂ ଉଲୂଖଳ । (୩୨) ଓଥରା=ପା ଅବତ୍ଥର, ସଂ ଅବସ୍ତ୍ର (ନଙ୍ଗଳା)-ବିବାହ ନ କରିବା ପର୍ଯ୍ୟନ୍ତ ପିଲାଏ ସାଧାରଣତଃ ନଙ୍ଗଳା ହୁଅନ୍ତି ବୋଲି ଅଭ୍ୟଡ଼ା ବ୍ୟକ୍ତି ପ୍ରତି ଓଥରା ଶବ୍ଦ ପ୍ରଯୁକ୍ତ ହୋଇଥାଏ-। ଅକୃତଦାର ଶବ୍ଦରୁ ‘ଓଥରା’ ଉତ୍ପନ୍ନ ନୁହେ । (୩୩) କାଛୁ (ଉ-କାଛୁ କୁଣ୍ଡିଆ)=ପା କାଛୁ । ଏହି ଶବ୍ଦଟି ପାଲି ଭାଷାକୁ କାହିଁରୁ ଆସିଅଛି କହି ହେବ ନାହିଁ । (୩୪) କଣା (ଉ-କଣା ମାଠିଆ)=ପା କିଣ୍ଣୋ, ସଂ କୀର୍ଣ୍ଣ । (୩୫) କରିଡ଼ ବା କରିର, (ଯଥା, ବାଉଁଶ କରିଡ଼)=ପା କଲିର (ବାଉଁଶର ଅଗ ଗଜା) । ଏହି କଲିର ଶବ୍ଦ ପାଲି ଭାଷାକୁ କାହିଁରୁ ଆସିଅଛି କହି ହେବ ନାହିଁ । (୩୬) କାଢ଼ (ଉ-ଗାତରୁ ମାଟି କାଢ଼)=ପା କଡ଼ଢ଼,ସଂକର୍ଷ । (୩୭) କଢ଼ାଣ (ଉ-ଜମି କଢ଼ାଣ ହେଲାଣି)=ପା କଡ଼୍‌ଢ଼ଣ, ସଂ କର୍ଷଣ । (୩୮) କିରିଆ (ଶପଥ କରିବା; ‘କିରିଆ’ ଶବ୍ଦ କେବଳ ସମ୍ବଲପୁର ଅଞ୍ଚଳରେ ବ୍ୟବହୃତ)=ପା ସଚ୍ଚକିରିଆ, ସଂ ସତ୍ୟକ୍ରିୟା । (୩୯) କବଟା (ଶାଢ଼ୀ)=ପା କପ୍ପଟ, ସଂ କର୍ପାସପଟ, ତୁଂ ହିଂ କପ୍‌ଡ଼ା, ବଂ କାପଡ଼ । (୪୦) କଟୁରି=ପା କଟ୍ଟରି, ସଂ କର୍ତ୍ତରୀ । (୪୧) କୁଲା=ପା କୁଲ୍ଲୋ, ସଂ କୁଲ୍ୟ । (୪୨) ଖେଣ୍ଟା ଓ ଖଣ୍ଟ=ପା କିଟି ମୋ, ସଂ କୃତ୍ରିମ । (୪୩) ଖୋବୁଚି=ପା ଖୋବେତି, ସଂ କ୍ଷୋଭୟତି । (୪୪) ଖଗ (ଉ-କୁମ୍ଭୀର ଖଗ)=ପା ଖଗ୍ଗ, ସଂ ଖଡ଼୍‍ଗ । (୪୫) ଖଇ=ସଂ ଖଦିକା । (୪୬) ଖିଡ଼ିକି=ସଂ କୀଳକ । (୪୭) ଚେଞ୍ଜ=ପା ଗିଜ୍‌ଝ, ସଂ ଗୃଧ୍‌ । (୪୮) ଖସ୍=ସଂ ସ୍ଖଳ୍ । (୪୯) ଖଜା=ପା ଖଜ୍ଜ,ସଂ ଖାଦ୍ୟା । (୫୦) ଗାଳି=ସଂ ଗ୍ଳାନି-। (୫୧) ଚିଲିକା-ଅଥର୍ବ ବେଦରେ ‘ଗିଳତି’ ପଦର ପ୍ରୟୋଗ ଅଛି । ଭାଷାତତ୍ତ୍ୱବିତ୍ ମାଗ୍‌ଡ଼ୋନେଲ ସାହେବଙ୍କ ମତରେ ଏହା ସଂସ୍କୃତ ଗୃ ଧାତୁରୁ ଉତ୍ପନ୍ନ । (୫୨) ଘେନ=ପା ଗଣ୍‌ହ, ସଂ ଗ୍ରହଣ । (୫୩) ଘେତ୍ ବା ଘିତ୍ (ଉ-ଲୁଗାଟା ଘିତ ଆସ)=ପା ଗହିତ, ସଂ ଗୃହୀତ । (୫୪) ଘୋଚ୍, ‘‘ଘୋଳ, ଘୋଟ୍ (ଉ-ଘୋଟି କିତବ ମଳ ; କି.ଚ.ଚ.)=ସଂ ଘୂର୍ଣ୍ଣ । ସଂସ୍କୃତ ଘୂର୍ଣ୍ଣାୟମାନ ଶବ୍ଦ ପ୍ରାକୃତରେ ଘୋଳମାଣରେ ପରିଣତ ହୋଇଥିବାର ‘ଗଉଡ଼ବହୋ’ କାବ୍ୟରେ ଦେଖାଯାଏ । (୫୫) ଗାଡ଼ ବା ଗାଡ଼ିଆ=ପ୍ରା ଗଡ୍ଡ, ସଂ ଗର୍ତ୍ତ । (୫୬) ଚଙ୍କିବା (ଉ-ତାକୁ ଯେତେ ମାଇଲେ ସେ ଟିକିଏ ଚଙ୍କୁ ନାହିଁ)=ପା ଚଙ୍କମ, ସଂ ସଂକ୍ରମ । (୫୭) ଚୋଖା (ଉ- ଚୋଖା ପିଲା)=ପ୍ରା ଚୋଖା, ସଂ ତୀକ୍ଷ୍ଣ; ‘ଚୋଖା’ ଶବ୍ଦ ବଙ୍ଗଳା ଭାଷାରେ କେବଳ ‘ତୀକ୍ଷ୍ଣତା’ ନିର୍ଦ୍ଦେଶ କରେ, କିନ୍ତୁ ‘ଚୋଖା ପିଲା’ କହିଲେ ଓଡ଼ିଆରେ ତୀକ୍ଷ୍ଣବୁଦ୍ଧି ସମ୍ପନ୍ନ ପିଲାକୁ ନ ବୁଝାଇ ସୁନ୍ଦର ପିଲାକୁ ବୁଝାଏ । (୫୮) ଚାହଁ, = ସଂ ଚାୟ୍, ତୁଂ ବଂ ଚାଓୟା । (୫୯) ଚକ୍ (ଉ-ଦର୍ପଣ ଚକ୍‌ଚକ୍ କରୁଅଛି)=ସଂ କଚ୍ । (୬୦) ଛାର=(ଉ- ଛାରକଥା)=ପା ଛାର, ସଂ କ୍ଷାର, ତୁଂ ବଂ ଛାଇ । (୬୧) ଛୁଆ=ପା ଛାପ୍ପୋ, ସଂ ଶାବକ । (୬୨) ଛୁଇଁବା=ପ୍ରା ଛୁପ୍ପ, ସଂ ସ୍ପୃଶ । (୬୩) ଛାଡ଼ିବା=ପା ଛଡ୍ଡେତି, ସଂ ଚ୍ଚୃଦ୍ । (୬୪) ଟାଣ୍ (ଟାଣିବା)=ସଂ ତନ୍ । (୬୫) ଟୋକା=ସଂ ତୋକ । (୬୬) ଜୁଆନ=ପ୍ରା ଜୋବ୍‌ବାନ, ସଂ ଯୌବନ । (୬୭) ଜହ୍ନ=ପା ଜୁନ୍‌ହା, ସଂ ଜ୍ୟୋତ୍ସ୍ନା । (୬୮) ଜହ୍ନି=ସଂ ଜ୍ୟୋତ୍ସୀ । (୬୯) ଜଞ୍ଜାଳ=ସଂ ଜମ୍ବାଳ । (୭୦) ଜୁଆ=ପ୍ରା ଜୁତ, ସଂ ଦ୍ୟୁତ । (୭୧) ଠିଆ=ପ୍ରା ଠିଅ, ସଂ ସ୍ଥିତ । (୭୨) ଢମ (ଉ-କରଣଙ୍କ ଢମ)=ସଂ ଦମ୍ଭ । (୭୩) ତେରଚ୍ଛା=ପା ତେରଚ୍ଛା, ସଂ ତୀରଶ୍ଚୀନ । (୭୪) ତରଛ=ପା ତରଚ୍ଛ, ସଂ କ୍ରସ୍ତ । (୭୫) ଡୋଳା=ସଂ ଦୋଳା । (୭୬) ଦୋହି (ଶପଥ କରିବା)=ପ୍ରା ଦୋହ, ସଂ ଦ୍ରୋହ-। (୭୭) ଦହଡ଼ (ଉ-ଦହଡ଼ ତରକାରୀ=ପା ଦହଡ଼, ସଂ ଦଗ୍ଧ । ଏହି ‘ଦହଡ଼’ ଶବ୍ଦରୁ ‘ଡହଡ଼ହ’ ଶବ୍ଦର ଉତ୍ପତ୍ତି-ଯଥା, ବ୍ରାହ୍ମଣ ରଜ୍ଜା, ଖଣ୍ଟ ପରଜା; ଡହଡ଼ହ ଆମ୍ବିଳ ଶୀତଳ ଭଜା । (୭୮) ଦାଢ଼=ପ୍ରା ଦାଟ୍‌ଠା, ସଂ ଦଂଷ୍ଟ୍ରା-। (୭୯) ଦଢ଼ (ଉ-ଦଢ଼ ହାଣ୍ଡି)=ପ୍ରା ଦଢ଼, ସଂ ଦୃଢ଼ । (୮୦) ନିକିଳିବା ଓ ନିକାଲିବା (ଉ-ରକ୍ତ ନିକିଲିବା)=ପ୍ରା ନିକ୍କଳିତ, ସଂ ନିଗତ । (୮୧) ନିକ (ଉ-ନିଜ ଲୁଗା)=ପ୍ରା ନିକ୍କଳଙ୍କ, ସଂ ନିଷ୍କଳଙ୍କ-। (୮୦) ନିଠେଇବା=ପା ନିଟ୍‌ଠା, ସଂ ନିଷ୍ଠା (ଉ- ଅମର ଯୁମର ନିଠେଇ ଘୋଷ, ଆଉ ସବୁ ପାଠ ଚାଳରେ ଖୋଷ) । (୮୩) ନାଡ଼=ପା ମୁଣାଳ (ପରବର୍ତ୍ତୀ ପ୍ରାକୃତରେ ମଧ୍ୟ ‘ନାଡ଼’ ଶବ୍ଦର ପ୍ରୟୋଗ ଦେଖାଯାଏ)=ସଂ ସୃଣାଳ । (୮୪) ନେଉଟିବା=ପା ନିବ୍ବଟନ, ସଂ ନିବର୍ତ୍ତନ । (୮୫) ପୋଢ଼ୁ ଆଁ (ଉ-ପୋଢ଼ୁଆଁ ପୁଅ ବା ପୋଢ଼ୁଆଁ ଅଷ୍ଟମୀ)=ପ୍ରା ପଢ଼ମ, ସଂ ପ୍ରଥମ । (୮୬) ପଳିତା ବା ବଳିତା=ପ୍ରା ପଳିତ୍ତଂ, ସଂ ପ୍ରଦୀପ୍ତ । (୮୭) ପଠାଇବା=ପା ପଠାପେତି, ସଂ ପ୍ରସ୍ଥାପୟତି । (୮୮) ପହଣ୍ଡ=ପା ପକ୍‌ଖଣ୍ଡନ, ସଂ ପ୍ରସ୍ଖନ୍ଦନ । (୮୯) ପଣ (ଗର୍ବ)=ପା ପନ୍ନା, ସଂ ପ୍ରଜ୍ଞା-‘ପଣ’ ଶବ୍ଦ ସଂସ୍କୃତ ଭାଷାରେ ବ୍ୟବହୃତ ହୋଇଅଛି, କିନ୍ତୁ ତାହା ‘ଗର୍ବ’ ଅର୍ଥରେ ନୁହେ । (୯୦) ପଇଠ(ଉ-ଟଙ୍କା ସେ ପଇଠ ପକାଇ ନାହିଁ)=ପ୍ରା ପଇଠ, ସଂ ପ୍ରବିଷ୍ଟ; ମୁଖସ୍ଥ କରିବା ଅର୍ଥରେ ଓଡ଼ିଆରେ ବ୍ୟବହୃତ ଥିବା ‘ପଇଟାଇବା’ ଶବ୍ଦ ଏହି ପ୍ରବିଷ୍ଟ ଶବ୍ଦରୁ ଉତ୍ପନ୍ନ ବୋଲି ମନେ ହୁଏ । କାରଣ, ଏବେ ମଧ୍ୟ ‘‘ଏ ଶ୍ଳୋକ ମୋର କଣ୍ଠପଇଠ ହୋଇ ନାହିଁ; ଏପରି କେହି କେହି କହନ୍ତି । (୯୧) ପଣନ୍ତ=ପା ପନ୍‌ତ, ସଂ ପ୍ରାନ୍ତ । (୯୨) ପୀଢ଼ା=ପ୍ରା ପୀଢ଼, ସଂ ପୀଠ । (୯୩) ପଖାଳ ଓ ହକାଳ=ପା ପକ୍‌ଖାଳ, ସଂ ପ୍ରକ୍ଷାଳ । (୯୪) ପାଲଟ=ପା ପଲ୍ଲଟ, ସଂ ପର୍ଯ୍ୟସ୍ତ । (୯୫) ପାଉଳି=ପା ପକୁଳ, ସଂ ବ୍ୟାକୁଳ; ଯଥା, ଆଉଳି ପାଉଳି (ସଂ ଆକୁଳବ୍ୟାକୁଳ) । ଏହି ଦ୍ୱନ୍ଦ୍ୱ ଶବ୍ଦ ଛଡ଼ା ଅନ୍ୟତ୍ର ‘ପାଉଳି’ ଶବ୍ଦ ବ୍ୟବହୃତ ହୁଏ ନାହିଁ । (୯୬) ପାଛୁଡ଼ା= ପା ପଚ୍ଛଡ଼ା, ସଂ ପ୍ରଚ୍ଛଦପଟ । (୯୭) ପକାଇବା (ଉ-ତରକାରିରେ ଲୁଣ ପକାଅ)=ପା ପକ୍‌ଖଅ, ସଂ ପ୍ରକ୍ଷେପ । (୯୮) ପଶିବା=ପ୍ରା ପଇସ, ସଂ ପ୍ରବେଶ । (୯୯) ପସରା (ଦୋକାନ)=ପା ପସାର, ସଂ ପ୍ରସାର-। (୧୦୦) ପୋଡ଼ିବା, ସଂ ପୁଟପାଦ । (୧୦୧) ଫିଙ୍ଗିବା=ପା ପିକ୍‍ଖ, ସଂ କ୍ଷିପ୍, ତୁଂ ବଂ ଫିକ୍ । ସମ୍ବଲପୁର ଅଞ୍ଚଳରେ ମଧ୍ୟ ‘ଫିକିବା’ କହନ୍ତି । (୧୦୨) ବେହେଡ଼ା (ଉ-ବେହେଡ଼ା ଦାନ୍ତ)=ପ୍ରା ବହେର, ସଂ ବଧିର । (୧୦୩) ବଡ଼ୁ= ସଂ ବଟୁ (ଧାର୍ମିକ ସନ୍ନ୍ୟାସୀ) । ଯଥା, ପୁଅ ବଡ଼ୁ ହେବ (ପୁରୀ ଅଞ୍ଚଳରେ ବ୍ୟବହୃତ) । ଉପନୟନ ଉତ୍ତାରୁ ବ୍ରହ୍ମଚାରୀ ହେବାର ପ୍ରଥା ପ୍ରଚଳିତ ଥିବାରୁ ‘ବଡ଼ୁ’ ଶବ୍ଦ ଉପନୟନ ଅର୍ଥରେ ବ୍ୟବହୃତ । (୧୦୩) ବହଳ=ପା ବହଳ, ସଂ ବହୁଳ । ଏହି ‘ବହଳ’ ଶବ୍ଦରୁ ‘ଗହଳ’ ଶବ୍ଦର ଉତ୍ପତ୍ତି ବୋଲି ମନେ ହୁଏ । (୧୦୪) ବେଢ଼ାଣ=ସଂ ବେଷ୍ଟନୀ । (୧୦୫) ବାଟ=ପା ବଟ୍ଟ, ସଂ ବର୍ତ୍ସ । (୧୦୬) ବେଣ୍ଟ=ପ୍ରା ବଣ୍ଟ, ସଂ ବୃନ୍ତ । (୧୦୭) ବିଟାଳିବା=ପ୍ରା ବିଟଳିଅ, ସଂ ବିଚଳିତ । (୧୦୮) ବାହୁଡ଼ିବା=ପ୍ରା ବାବଟ୍‌ଟନ, ସଂ ବ୍ୟାବର୍ତ୍ତନ । (୧୦୯) ବଇଠି (ଉ ଦୀପବଇଠି)=ପ୍ରା ବଇଠ, ସଂ ଉପବିଷ୍ଟ ତୁଂ ହିଂ ବଈଠୋ । ‘ବଇଠରେ’ ‘ଇ’ ପ୍ରତ୍ୟୟ ଯୋଗ କରି ‘ବଇଠି’ ଶବ୍ଦ ଉତ୍ପନ୍ନ । (୧୧୦) ବେଆଡ଼ା (ଉ-ବେଆଡ଼ା ଲୋକ)=ପ୍ରା ବିଅଡ଼, ସଂ ବିକଟ (ଏହି ଶବ୍ଦ ବିକୃତ ଶବ୍ଦରୁ ରୂପାନ୍ତରିତ ବୋଲି କେହି କେହି ମନେ କରନ୍ତି) । (୧୧୧) ବିହନ=ପ୍ରା ବିଅମ, ସଂ ବୀଜଂ । (୧୧୨) ବହୁତ=ପା ପହୁତ, ସଂ ପ୍ରଭୂତ । (୧୧୩) ଭୁସୁଡ଼ିବା (ଉ- ଭୁସୁଡ଼ିବଟି ପତିବ୍ରତା; କି. ଚ. ଚ.)=ପା ଭସ୍‌ସିତୋ, ସଂ ଭ୍ରଷ୍ଟ । (୧୧୪) ଭଲ=ପା ଭଦ୍‌ଦ, ସଂ ଭଦ୍ର । (୧୧୫) ଭଡ଼ଙ୍ଗ ବା ଭଡ଼କ=ପା ଭଡ଼ମ୍ବ, ସଂ ଭୟୋଦ୍‌ଭ୍ରମ; ଏଥିରୁ ଓଡ଼ିଆ ଭେଳିକି ଶବ୍ଦ ଉତ୍ପନ୍ନ ବୋଲି ମନେ ହୁଏ; ଯଥା ବାଘ ଦେଖି ମୁଁ ଭେଳିକି ହେଲି । (୧୧୬) ମାଡ଼ିବା ଓ ମଳିବା=ପା ମଡ଼ ଓ ମଳ (ପରବର୍ତ୍ତୀ ପ୍ରାକୃତ), ସଂ ମର୍ଦ୍ଦ । ଯଥା, [କ] ମୁଁ କଣ୍ଟା ମାଡ଼ିଲି; [ଖ] ଧାନ ମଳା ସରିଲାଣି । (୧୧୭) ମୁଁ ଆ=ପ୍ରା ମୋଅଆ, ସଂ ମୋଦକ । (୧୧୮) ମାଠିବା (ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ)=ପା ମଟଠ୍, ସଂ ମୃଷ୍ଟ । (୧୧୯) ମାଗିବା=ପା ମାଗ୍‌ଗ, ସଂ ମାର୍ଗ । (୧୨୦) ଲାଠି=ପ୍ରା ଇଟ୍‌ଠି । =ସଂ ଯଷ୍ଟି-। (୧୨୧) ନଙ୍ଗଳା ବା ଲଙ୍ଗଳା=ପା ଣଗ୍ଖଳ, ସଂ ନଗ୍ନ । (୧୨୨) ଲାଛ୍ (ଉ-ବାଣ ଲାଛିବା)=ସଂ ଲକ୍ଷ୍ୟ; ପରବର୍ତ୍ତୀ ସଂସ୍କୃତରେ ମଧ୍ୟ ଇଂଛ ବ୍ୟବହୃତ ଅଛି । (୧୨୩) ସୁଣ୍ଠା (ଏହି ଶବ୍ଦ ବାମଣ୍ଡା ଅଞ୍ଚଳରେ ବ୍ୟବହୃତ; ସଞ୍ଚିତ ଶୁଖିଲା ମାଂସକୁ ସୁଣ୍ଠା ଶିକାର କହନ୍ତି)=ପ୍ରା ସଣ୍ଠାବିଅ, ସଂ ସଂସ୍ଥାପିତ । (୧୨୪) ସିଂଘାର (ଉ-ଜଗନ୍ନାଥଙ୍କ ବଡ଼ ସିଂଘାର ବେଶ)=ପା ସିଂଗାରୋ, ସଂ ଶୃଙ୍ଗାର । (୧୨୫) ହୁଳା (ଉ-ନିଆଁ ହୁଳା)=ସଂ ଉଲ୍କା । (୧୨୬) ହେଠ (ହେଠ ବଦନ, ପବନାନନ; ବି. ରା)=ପା ହେଠ, ସଂ ଅଧଃ । (୧୨୮) ହିଆ=ପ୍ରା ହିଅଅ, ସଂ ହୃଦୟ । (୧୨୮) ଲହକା ବା ହାଲୁକା (ଉ-ଗଛ ଲହକା, ପତ୍ର ବଙ୍କା; ତା ଫଳଟି ଷାଠିଏ ଟଙ୍କା)=ପା ଲହୁକ, ସଂ ଲଘୁକ ।

ଦ୍ରାବିଡ଼ୀ–

ଦ୍ରାବିଡ଼ୀ ଭାଷାରୁ ଉତ୍ପନ୍ନ ଓଡ଼ିଆ ଶବ୍ଦଗୁଡ଼ିକର ତାଲିକା ସନ୍ନିବେଶ କରିବା ପୂର୍ବରୁ ଏଠାରେ ଏ କଥା ଉଲ୍ଲେଖ କରିବା ଉଚିତ ଯେ, ଯେଉଁ ଦ୍ରାବିଡ଼ୀ ଭାଷାର ଶବ୍ଦ ଓଡ଼ିଆ ଭାଷାରେ ମିଶିଥିଲା,ସେହି ପ୍ରାଚୀନ ଦ୍ରାବିଡ଼ୀ ଭାଷାରେ ଅନେକ ପରିବର୍ତ୍ତନ ଘଟି ତହିଁରୁ ଆଧୁନିକ ତାମିଲୀ, କାନେରୀ, ମାଲୟୀ, ତୁଳୁ ଓ କନ୍ଧ ଭାଷା ଉତ୍ପନ୍ନ; କିନ୍ତୁ ମୂଳ ଦ୍ରାବିଡ଼ୀ ଭାଷା ସହିତ ଆଧୁନିକ ତାମିଲୀ ଭାଷାର ଯେତେ ସାମ୍ୟ ଅଛି, ଅନ୍ୟ କୌଣସି ଭାଷାର ତେତେ ସାମ୍ୟ ନାହିଁ । ସୁତରାଂ ଓଡ଼ିଆରେ ମିଶ୍ରିତ ପ୍ରାଚୀନ ଦ୍ରାବିଡ଼ୀ ଭାଷାର ଶବ୍ଦ ସହିତ ତାମିଲୀ ବା ତେଲୁଗୁ ଭାଷାର ଶବ୍ଦମାନଙ୍କର ବିଶେଷ ସାମ୍ୟ ନ ଥିବା ବିଚିତ୍ର ନୁହେ । ଓଡ଼ିଆରେ ମିଶ୍ରିତ ଦ୍ରାବିଡ଼ୀ ଶବ୍ଦ ମଧ୍ୟ ଅନେକ ପରିବର୍ତ୍ତିତ ହୋଇପଡ଼ିଅଛି ।

(୧) ଆଣ ବା ରାଣ (ଶପଥ)=ତା ଆଣଇ । (୨) ତାଳୁ=ତେ ତାଳ, ତା ତାଳୈ; ଏହି ଶବ୍ଦଟି ସଂସ୍କୃତ ଭାଷାରେ ମଧ୍ୟ ପ୍ରଚଳିତ ଥିଲା । (୩) ବଳିବା (ଉ-ସେ ମୋତେ ବଳିଗଲା)=ତା ବେଲ (Bel, ଜୟ କରିବା) । (୪) କାଢ଼ିଆ (ଉ-ଧାନପାଇଁ ମୁଁ ଟଙ୍କା କାଢ଼ିଆ କରିଅଛି-ଏହି ଶବ୍ଦ ନୂଆଗଡ଼, ରଣପୁର, ବାଣପୁର, ତାଳଚେର, ଅନୁଗୋଳ ଓ କଟକ ପ୍ରଭୃତି ଅଞ୍ଚଳରେ ବ୍ୟବହୃତ)=ତା କଡ଼ନ ବା କଡ଼ମ (କରଜ)-। (୫) ଭେଣ୍ଡା ଓ ବଡ଼=ତା ଭେଣ୍ଡୁ (vendu), ତୁଳୁ ବଡ଼ । (୬) କୁନି (ଉ-କୁନିପୁଅ)=ତା କୁନି (ଯେ ଚାଲି ନ ପାରେ-ଏହି ଶବ୍ଦ ପାଲିଭାଷାରେ ମଧ୍ୟ ପ୍ରଚଳିତ ଥିଲା) । (୭) କାତ (ଉ-ଅକାତ କାତ ପାଣି)=ତା କାତ (ଗଭୀରତା) । (୮) ତୋଟା (ଉ-ଆମ୍ବତୋଟା)= ତେ ତୋଟା । (୯) ଗିନା=ତେ ଗିନା । (୧୦) ଖୁଣ୍ଟିବା (ଉ-ଧାନ ଖୁଣ୍ଟିବା)=ତେ ଖୁଟ୍ଟା=ତା କୋଟ୍ଟା; ଏହି ଖୁଣ୍ଟିବା ଶବ୍ଦରୁ ଓଡ଼ିଆ ଟୁଙ୍କିବା ଶବ୍ଦ ଉତ୍ପନ୍ନ ବୋଲି ମନେ ହୁଏ; ଯଥା, ହରି ଗୋଟିଏ ଗୋଟିଏ ଚୁଡ଼ା ଟୁଙ୍କୁଚି-। (୧୧) ଛପା (ବାଉଁଶପାତିଆରେ ତିଆରି ପଟି)=ତା ଚାପା । (୧୨) ପଟ (ଉ-କଦଳିପଟ)=ତା ପଟ୍ଟଇ (ଛେଲି) । ସଂସ୍କୃତ ଭାଷାର ‘ପଟ୍ଟ’ ଶବ୍ଦ ତାମିଲୀ ଭାଷାରୁ ଗୃହୀତ ବୋଲି ଭାଷାତତ୍ତ୍ୱବିଦ୍‌ମାନେ ଅନୁମାନ କରନ୍ତି । (୧୩) ପଢ଼ୌ (ପୁରୀ ଅଞ୍ଚଳରେ ବ୍ୟବହୃତ)=ତା ପଡ଼ଗୁ (ନୌକା)-। (୧୪) ଅଟେଇ (ପିଲା ଗଛର ରକ୍ଷା ନିମନ୍ତେ ବାଉଁଶରେ ଯେଉଁ ବାଡ଼ ଦିଆଯାଏ ଓ ଧାନ ରଖିବା ନିମନ୍ତେ ବାଉଁଶରେ ଯାହା ତିଆରି ହୋଇଥାଏ, ତାହାକୁ ‘ଅଟେଇ’ କହନ୍ତି)=ତା ଅଢ଼େଇ (ବେଢ଼ାଇବା) । (୧୫) ଡେଗିବା (ବାମଣ୍ଡା ଅଞ୍ଚଳରେ ବ୍ୟବହୃତ) ଓ ଡେଇଁବା (ପୁରୀ ଅଞ୍ଚଳରେ ବ୍ୟବହୃତ)=ତା ଡିଗୁ (ଓଲ୍ ହାଇବା); ବଙ୍ଗଳା ଭାଷାରେ ମଧ୍ୟ ‘ଡିଙ୍ଗିୟେ ଯାଓୟା’ ବ୍ୟବହୃତ । ‘ଡେଇଁବା’ ଶବ୍ଦ ଓଡ଼ିଆରେ ବିଭିନ୍ନ ଅର୍ଥରେ ବ୍ୟବହୃତ; ଯଥା, (କ) ଗଛ ଉପରୁ ଡେଇଁ ପଡ଼; (ଖ) ମୁଁ ତିନି ହାତ ଡେଇ ଯାଇ ପାରେ । (୧୬) ଆଡ଼ଖୁର (ଯହିଁରେ ଜିନିସ ପତ୍ର ରଖାଯାଏ); ଏହି ଶବ୍ଦ ପୁରୀ ଅଞ୍ଚଳରୁ ପ୍ରାୟ ଲୁପ୍ତ ହୋଇ ପଡ଼ୁ ଅଛି)= ତା ଆଡ଼କୁ (ଗଦ କରିବା) । (୧୭) ଅଣେଇବା=ତା ଅଣ୍‌ଣୁ (ଆଉଜିବା) । (୧୮) କାଟିବା (ଗାଳି ଦେବା; ଯଥା, ସେ ମୋତେ ବହୁତ କାଟିଲା; ଏହି ଶବ୍ଦ ପୁରୀ ଅଞ୍ଚଳର ସ୍ତ୍ରୀଲୋକମାନଙ୍କ ମଧ୍ୟରେ ବିଶେଷ ପରିମାଣରେ ବ୍ୟବହୃତ)=ତା କଟ୍ଟୁ (ଗାଳି ଦେବା) । (୧୯) କୋଡ଼ିବା (ମାରିବା-ଯଥା, ରାମ ହରିକି ବହୁତ କୋଡ଼ିଲା)=ତା କୋଲ୍ (ହତ୍ୟା କରିବା) । (୨୦) ତୁଲେଇବା (ଶେଷ କରିବା-ଯଥା, ସେ ଏ କାମ ତୁଲେଇ ଥିଲା)=ତା ତୁଲେଇବା (ଶେଷ କରିବା)-। (୨୧) ଅଡ଼ଙ୍ଗା (ଉ-ଅଡ଼ଙ୍ଗା ଆମ୍ବ-ଯେଉଁ ପାଚିଲା ଆମ୍ବକୁ ପାଣିରେ ପକାଇ ସାଇତି ରଖିଥାନ୍ତି)=ତା ଅଡ଼ଙ୍ଗୁ (ଭିତରେ ରଖିବା) । (୨୨) ପେଣ୍ଡ୍ରା (ବାମଣ୍ଡା ଅଞ୍ଚଳରେ କଲରାପତ୍ରିଆ ବାଘକୁ ଓ ପୁରୀ ଅଞ୍ଚଳରେ କୁକୁର ଜାତୀୟ ବନ୍ୟ ପଶୁକୁ ପେଣ୍ଡ୍ରା କହନ୍ତି)=ତା ପଣ୍ଡ୍ରା (ଘୁଷୁରି) । (୨୩) କୋଟ୍ଟ (ଉ-ଖଲିକୋଟ, ଧରାକୋଟ)=ତା କୋଟ୍ଟ (ଗଡ଼)-। (୨୪) ଅଡ଼ାଇବା (ଉ-ଶଗଡ଼ ଅଡ଼େଇବା)= ତା ଅଡ଼ି (ଚଳାଇବା) । (୨୫) ପାଗ (ଉ-ମେଘୁଆ ପାଗ)=ତା ପଗଲ (ଦିନ, ପାଗ ଧାତୁରୁ ଉତ୍ପନ୍ନ) । ଏଠାରେ ଏ କଥା ଉଲ୍ଲେଖ କରିବା ଉଚିତ ଯେ, ‘ତରକାରି ପାଗ’ କଥାରେ ବ୍ୟବହୃତ ‘ପାଗ’ ଶବ୍ଦ ସଂସ୍କୃତ ‘ପାକ’ ଶବ୍ଦରୁ ଉତ୍ପନ୍ନ; କିନ୍ତୁ ପୂର୍ବୋକ୍ତ ‘ପାଗ’ ଶବ୍ଦ ସହିତ ଏହାର କୌଣସି ସମ୍ପର୍କ ନାହିଁ । (୨୬) ପୁସି=ତା ପୁସ୍‌ସେଇ (ବିରାଡ଼ି) । (୨୭) ବିଲାଇ=(କନ୍ଧଭାଷାରେ ଅଛି) ତା ପିଲି; ସଂସ୍କୃତ ‘ବିଡ଼ାଳ’ ଶବ୍ଦ ଏହି ‘ବିଲାଇ’ ଶବ୍ଦରୁ ଉତ୍ପନ୍ନ ବୋଲି ଭାଷାତତ୍ତ୍ୱବିଦ୍‌ମାନେ ଅନୁମାନ କରନ୍ତି-। (୨୮) ମୁରୁଜ (ଧୋବ ପଥର ଗୁଣ୍ଡ; ଖାଇବା ବେଳେ ସ୍ତ୍ରୀଲୋକମାନେ ଯହିଁରେ ଠା କରନ୍ତି)=ତା ମୁରୁଜ (ଭାଙ୍ଗିବା) । (୨୯) କୟାଁ=ତା ପୁଲିକାଇ (ତେନ୍ତୁଳି); ଏଠାରେ ଆଦ୍ୟାଂଶ ‘ପୁଲି’ ଲୁପ୍ତ ହୋଇଅଛି-ତୁଳଂ ବଂ କାଇବୀଚି-। (୩୦) ଲାଞ୍ଚ (ଉତ୍କୋଚ) =ତା ଲଞ୍ଚ; ଏହି ଶବ୍ଦଟି ପାଲି ଭାଷାରେ ମଧ୍ୟ ବ୍ୟବହୃତ ହେଉଥିଲା । (୩୨) ନଡ଼ିବା (ଉ-ଗଛର ପତ୍ର ନଡ଼ୁ ନାହିଁ)=ତା ନଡ଼ (ଚଳିବା) । (୩୨) କୁଦିବା (ଉ-କଣ୍ଟା କୁଦିବା ସମୟେ ସମୟେ ଡେଇଁବା ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ) =ତା କୁଦ୍‌ (ଡେଇଁବା) । (୩୩) ଚିନା (ଉ-ଚିନାଏତ ଖେଦ ନାହିଁ ମୋର; ଦୁଇଚିନା ସୁନା)-=ତେ ଚିନ୍ନ, ତା ସିନ୍ନା । (୩୪) ପାଲ (ଉ-ମୁଁ ତା ପାଲରେ ପଡ଼ିଲି) = ତା ପଲ (ପରିଖା) । (୩୫) ପଲ (ଉ- ପଲେ ଛେଳି) = ତା ପଲ । (୩୬) ପଣିବା (ଉ- ଧାନ ପଣିବା) = ତା ପଣ (ବ୍ୟବହାରର ଉପଯୋଗୀ କରିବା) । (୩୭) ଗଡ଼=ତା ଅଗର (ଦୁର୍ଗ) । (୩୮) ପିଲା=ତା ପିଲୈ । (୩୯) ଟାଙ୍ଗିବା (ଉ- ଶିକା ଟାଙ୍ଗି ଦିଅ) = ତା ଟୁଙ୍କୁ (ଝୁଲେଇବା) । (୪୦) ବିଗିଡ଼ିବା (ଉ- ସେ ମୋ ଉପରେ ବିଗିଡ଼ିଛି) = ତା ବିଗୁଡ଼ି; ତାମିଲି ଭାଷାର ‘ବିଗୁଡ଼ି’ ଶବ୍ଦ ସଂସ୍କୃତ ‘ବିକୃତି’ ଶବ୍ଦରୁ ରୂପାନ୍ତରିତ ବୋଲି କେହି କେହି ଅନୁମାନ କରନ୍ତି । (୪୧) ପାରିବା (ଉ- ମୋ ପୁଅ ପାରିଲାଣି) = ତା ପେରୁ (ବଢ଼ିବା) । (୪୨) ପେଲ (ଉ-ତାକୁ ତେଣିକି ପେଲିଦିଅ) = ତା ପେଲ (ସଂସ୍କୃତ ‘ବଳରୁ’ ତାମିଲି ‘ପେଲ’ ଉତ୍ପନ୍ନ ବୋଲି Cald well ଅନୁମାନ କରିଅଛନ୍ତି) । ଓଡ଼ିଆ ପେଲ ସଂସ୍କୃତ ‘ପ୍ରେରଣରୁ’ ରୂପାନ୍ତରିତ ପ୍ରାକୃତ ‘ପେଳଣରୁ’ ଉତ୍ପନ୍ନ ବୋଲି ମଧ୍ୟ ଅନୁମାନ କରା ଯାଇପାରେ । (୪୩) ବିଲ= ତା ବୟଲ (ଧାନକିଆରୀ) । (୪୪) ଉଣ୍ଡିବା (ଉ- ମୁଁ ଟଙ୍କା ରଖିଲାବେଳେ ହରି ଉଣ୍ଡିଥିଲା) = ତା ଉଣ୍ଡୁ (ଲୁଚିବା) । (୪୫) ପାଟି= ତେ ବାଟି (ମୁହଁ), ତା ବାୟ (ମୁହଁ) । (୪୬) କୁଢ଼େଇବା (ଉ- ପବନରେ ତୋଟାରେ ଆମ୍ବ କୁଢ଼େଇ ହୋଇ ପଡ଼ିଲା । = ତା କୁଡ଼ୁ (ଜମେଇବା) । (୪୭) ମାଳ (ଜଙ୍ଗଲ ପ୍ରଦେଶ)= ତା ମାଳ (ପର୍ବତ) । ସଂସ୍କୃତ ମାଳଭୂମିରେ ଥିବା ‘ମାଳ’ ଶବ୍ଦ ଦ୍ରାବିଡ଼ୀ ଭାଷାରୁ ଆସିଅଛି ବୋଲି Cald well ପ୍ରମାଣ କରିଅଛନ୍ତି । (୪୮) ଭେଲ (ଉ- ଭେଲ ସୁନା=ରୁପାମିଶା ସୁନା) = ତା ବେଲି (Veli=ରୂପା) । (୪୯) ଚିଖଲ (ଉ-ହଳଦୀ ଚିଖଲ (ଚିକଣ) କରି ବାଟ= ତା ଚିଖଲ (କାଦୁଅ) । (୫୦) ବାନା (ପତାକା) = ତା ବାନା-। (୫୧) କାକୁଡ଼ି=ସଂ କର୍କଟିକା, ତା କକିରଇ । (୫୨) ପହଡ଼ (ରାଜାଙ୍କ ପହଡ଼) = ତା ପଡ଼ (ଶୋଇବା) (୫୩) ଥଟା (ପରିହାସ) = ତା ତିଟ୍ଟୁ (ଗାଳି ଦେବା) । (୫୪) କାଲା = ତା କେଲ (ଶୁଣିବା) । (୫୫) କୋଦାଳ= ତା କୋଦାଳ; ଏହା ସଂସ୍କୃତ ‘କୁଠାର’ରୁ ଉତ୍ପନ୍ନ ବୋଲି Caldwell ପ୍ରମାଣ କରିଅଛନ୍ତି । (୫୬) କଣା-କାଣ (ଦେଖିବା) । ଚିକ୍କଣ = ତେ ଚକ୍କଣି । (୫୮) ଖଟୁଳି (ଦେବାସନ) = ତା କଟ୍ଟିଲ (ଛୋଟ ଖଟ) । (୫୯) ଅରୁଆ (ଉ- ଅରୁଆ ଚାଉଳ)= ତା ଅରିସା (ଚାଉଳ) ।

ଆରବୀ–

(୧) ଅକଲ=ଆକ୍କଲ । (୨) ଦିମାକ (ଗର୍ବ)=ଦେମାଘ (ମନ, ମସ୍ତିଷ୍କ) । (୩) ଫିକର=ଫିକର । (୪) କିତାପ=କେତାବ । (୫) କୋଲପ=କୃଲ୍‌ଫା ! (୬) ଖୈରାତ=ଖୈରାତ (ଦାନ) । (୭) ଖରାପ=ଖାରାବ । (୮) ଖାଲି=ଖାଲି । (୯) କସୋର=କସୂର । (୧୦) କିଲା=କିଲ୍ଲା । (୧୧) କିସ୍ତି=କିସ୍‌ତି । (୧୨) କାଇଦା=କାୟେଦା । (୧୩) କଦର (ସୂତ୍ର)=କଦର-। (୧୪) କରାମତ=କେରାମତ । (୧୫) ତକଲିଫ=ତକ୍‌ଲିଫ୍ । (୧୬) ତରଫ=ତରଫ । (୧୭) ତକରାଳି (କଳହ)=ତକରାର (ଯୁକ୍ତି) । (୧୮) ତାରିଫ୍ (ଉତ୍କୃଷ୍ଟ)=ତାରିଫ୍‌ (ପ୍ରଶଂସା) । (୧୯) ଗରିବ=ଘରିବ । (୨୦) ଗରଜ=ଘରଜ । (୨୧) ଗଲିଜା (ମଇଲା)=ଘଲିଜ । (୨୨) ଘୋସା (ରାଗ)=ଗୋସ୍‌ସା । (୨୩) ଜାହାଜ=ଜାହାଜ । (୨୪) ଜିଦ=ଜିଦ । (୨୫) ଜିଲା=ଜିଲ୍ଲା । (୨୬) ଜବ୍ଦ ବା ଜବ୍‌ତ=ଜୋବତ ବା ଜବ୍‍ତ । (୨୭) ଜିମ=ଜମିନ । (୨୮) ଜବର= ଜବର । (୨୯) ଜାରି = ଜାରି । (୩୦) ଜବାବ=ଜବାବ । (୩୧) ଅମଳ=ଆମଲ୍‌ । (୩୨) ଅସଲ=ଅସ୍‍ଲ । (୩୩) ହରକତ=ହର୍କତ । (୩୪) ହେମନ୍ତ (ସାହସ)=ହିମ୍ମତି । (୩୫) ସାବୁତ (ଉ-ତାଠାରେ ମାଲ ସାବୁତ ହେଲା)=ସାବୁତ ।

ପାର୍ସୀ–

(୧) ନାକେରା=ନାକାରା । (୨) ନାଚାର=ନାଚାର । (୩) ନହରପହର=ନହର୍‍ପହର୍‍-। (୪) ନିହାଲ (କୃତାର୍ଥ)=ନେହାଲ (ପ୍ରୟୋଜନାତିରିକ୍ତ) । (୫) କୁର୍ତ୍ତା=କୁର୍ତ୍ତା । (୬) ଖର୍ଦ୍ଦି=ଖରିଦ-। (୭) ଖାତିର=ଖାତେର । (୮) ଖପା=ଖାପା । (୯) କିନରା (ତୀର, ନିଷ୍ପତ୍ତି)=କେନାରା (ସମୁଦ୍ରତୀର) । (୧୦) ତିଆରି=ତୈୟାର । (୧୧) ଗୁମର=ଗୁମର । (୧୨) ଗୁମାନ=ଗୁମାନ । (୧୩) ଗୁମାସ୍ତା=ଗୋମାସ୍ତା । (୧୪) ଚାବୁକ=ଚାବୁକ । (୧୫) ଚଲାକ=ଚାଲାକ । (୧୬) ସିନ୍ଦୂକ=ସନ୍ଦୂ କ । (୧୭) ନଫା=ନଫା । (୧୮) ଫକତ=ଫକ୍‌ତ । (୧୯) ଶିକାର=ଶେକାର । (୨୦) ଦୋକାନ=ନୁକ୍କାନ । (୨୧) ନରମ=ନରମ । (୨୨) ମାଲିକ=ମାଲିକ । (୨୩) ଚିଜ=ଚିଜ । (୨୪) ଚିରାଖ (ଉ- ତାର ଚିରାଖ ନାହିଁ)=ଚେରାଘ । (୨୫) ଜିଗର (ଜିଦ) = ଚିଗର (ହୃଦୟ) । (୨୬) ଜୋର=ଜୋର-। (୨୭) ଜହର (ବିଷ-ଯଥା, ଜହର ତୁଲେ ତାହା ପିଇଲୁ, କି. ଚ. ଚ.), ଜହର ମହୁରା ଶବ୍ଦ ପାର୍ସୀ ଭାଷାରେ ବିଷକୁ ବୁଝାଉଥିଲା-। ଓଡ଼ିଆରେ କେବଳ ‘ଜହର’ ବା କେବଳ ମହୁରା କହିଲେ ବିଷକୁ ବୁଝାଏ, ପୁଣି ‘ଜହରମହୁରା’ ଓଡ଼ିଆରେ ‘ଜାରମହୁରା’ରେ ରୂପାନ୍ତରିତ ହୋଇ ସାପର ବିଷନାଶକ ବସ୍ତୁକୁ ବୁଝାଉଅଛି । (୨୮) ଜେଗା=ଜଗ୍‍ହ । (୨୯) ଅନ୍ଦାଜ=ଆନ୍ଦାଜ । (୩୦) ଅମଦାନି=ଆମଦାନି । (୩୧) ଭରସା=ଭରୋସା । (୩୨) ବରାବର-ବରାବର । (୩୩) ବେଉରା (ଉତ୍ତର)=ବେୟର (ଫେରିବା) । (୩୪) ହୁସିଆର=ହୁସିଆର । (୩୫) ସୁମାର=-ସୁମାର । (୩୬) ତଲାସ=ତଲାସି-। (୩୭) ତଜବିଜ=ତଜବିଜ । (୩୮) ହେରିକା (ପ୍ରଭୃତି ଯଥା, ରାମ ହେରିକା ଆସି ନାହାନ୍ତି) । (୩୯) ଖିଆଲ=ଖେୟାଲ । (୪୦) ପସନ୍ଦ=ପସନ୍ଦ । (୪୧) ଫତେ (ଶେଷ)=ଫତେ (ଜୟ) । (୪୨) ମୁଲକ=ମୁଲ୍‌କ ।

ଇଂରେଜୀ–

(୧) ହାସପାତାଳ=Hospital, (୨) ଅର୍ଦ୍ଦଳି=Orderly, (୩) ହେଟ=Head (୪) ରସିଦ=Receipt, (୫) ରୋଟ=Road, (୬) ଟିକଟ=Ticket, (୭) ଟିକସ= Tax, (୮) ଜଜ=Judge, (୯) ବେଞ୍ଚ=Bench, (୧୦) କୋଟ= Coat.

ଓଡ଼ିଆ ଭାଷାରେ ବିସ୍ତର ଇଂରେଜୀ ଶବ୍ଦ ମିଶିଅଛି ଓ କ୍ରମଶଃ ମିଶୁଅଛି–ଏ କଥା ପାଠକମାନେ ଜାଣନ୍ତି । ସୁତରାଂ ଏଠାରେ ବେଶି ଦୃଷ୍ଟାନ୍ତ ଦେବାର ପ୍ରୟୋଜନ ନାହିଁ ।

ଦେଶୀ–

ଆଉ କେତେଗୁଡ଼ିଏ ଶବ୍ଦ ଓଡ଼ିଆ ଭାଷାରେ ପ୍ରଚଳିତ ଅଛି ସେଗୁଡ଼ିକର ବ୍ୟୁତ୍ପତ୍ତି ଧରା ପଡ଼େ ନାହିଁ । ସେହି ଶବ୍ଦମାନଙ୍କ ମଧ୍ୟରୁ କେତେକ ପ୍ରାକୃତ ଭାଷାରେ ପ୍ରଚଳିତ ଥିଲା ଏବଂ ଏବେ ମଧ୍ୟ ବିଭିନ୍ନ ପ୍ରାଦେଶିକ ଭାଷାରେ ପ୍ରଚଳିତ ଅଛି । ସେହି ଶବ୍ଦଗୁଡ଼ିକ ଏଠାରେ ଦେଶୀ ଶବ୍ଦ ନାମରେ ଅଭିହିତ ।

(୧) ଅହିହ (ସଧବା)- ତୁଳଂ ପ୍ରାଚୀନ ବଂ ଆୟ୍ୟ । (୨) ଡଙ୍ଗା (ନୌକା) ତୁଳଂ ବଂ ଡିଙ୍ଗି (ଡଙ୍ଗା ଶବ୍ଦଟି ହେମଚନ୍ଦ୍ରଙ୍କ ଦେଶୀ ନାମମାଳାରେ ଅଛି) । (୩) ଧୋକଡ଼ୀ (ଅକର୍ମଣ୍ୟ-ଯଥା, ଧୋକଡ଼ୀ ବୁଢ଼ୀ)-ତୁଳଂ ପ୍ରାଚୀନ ବଂ ଧୋକଡ଼ୀ (ଛିଣ୍ଡା ଲୁଗା) । (୪) ଡୁଙ୍ଗର (ପର୍ବତ)-ତୁଳଂ ହେମଚନ୍ଦ୍ରଙ୍କ ଦେଶୀ ନାମମାଳାରେ ଥିବା ଡଙ୍ଗୁର’ । (୫) ଢେଲା-ତୁଳଂ ହିଂ ଢଲ, ବଂ ଢିଲ । (୬) ଡୋର (ଦଉଡ଼ି) -ଏହି ଶବ୍ଦଟି ହିନ୍ଦୀ, ବଙ୍ଗଳା ଓ ଗୁଜୁରାଟି ଭାଷାରେ ଏବଂ ହେମଚନ୍ଦ୍ରଙ୍କ ଦେଶୀ ନାମମାଳାରେ ମିଳେ । (୭) ଡେବିରି (ବାମ-ଯଥା, ଡେବିରି ହାତ)-ତୁଳଂ ଗୁଂ ଡାବ୍ବୋ (ହେମଚନ୍ଦ୍ରଙ୍କ ଦେଶୀ ନାମନାଳାରେ ଥିବା ‘ଡବ୍ବ’) । (୮) ଢାଙ୍କିବା - ତୁଳଂ ହେମଚନ୍ଦ୍ରଙ୍କ ଦେଶୀ ନାମମାଳାରେ ଥିବା ‘ଢଙ୍କନ’ । (୯) କୁସୁମା (ପୁରୀ ଅଞ୍ଚଳରେ ବ୍ୟବହୃତ ଏକପ୍ରକାର ଗଞ୍ଜେଇ ପଣା)- ତୁଳଂ ବାମଣ୍ଡା ଅଞ୍ଚଳରେ ଅନାର୍ଯ୍ୟମାନଙ୍କ ଭିତରେ ବ୍ୟବହୃତ ‘କୁସୁମା’ (ଏକପ୍ରକାର ମଦ)-। (୧୦) ଜୋର (ନଦୀ, ଗଡ଼ଜାତରେ ପ୍ରଚଳିତ) =ତୁଳଂ କନ୍ଧଭାଷାର ‘ଜୋର’ । ଏହି ‘ଜୋର’ ଶବ୍ଦଟିରୁ ବୋଧହୁଏ ‘କାଠଯୋଡ଼ି’ ଶବ୍ଦରେ ଥିବା ‘ଜୋଡ଼ି’ ଶବ୍ଦ ଉତ୍ପନ୍ନ । (୧୧) କୁର୍ଗୁ ଭାଷାରେ ସକାଳ ବା ସକାଳର ଆଲୁଅକୁ ‘ପତ୍ତର’ କହନ୍ତି । ସମ୍ବଲପୁର ଅଞ୍ଚଳରେ ରାତି ପାହିବାକୁ ‘ପତ୍ତରଫୁଟା’ କହନ୍ତି ଓ ପୁରୀ ଅଞ୍ଚଳରେ ‘ଫସର ଫାଟିବା’ କହନ୍ତି ।

Image

 

Unknown

ଚତୁର୍ଥ ଅଧ୍ୟାୟ

(ବର୍ଣ୍ଣମାଳା ଓ ଧ୍ୱନିତତ୍ତ୍ୱ)

 

ପ୍ରତ୍ନତତ୍ତ୍ୱବିଦ୍‌ମାନେ ସ୍ଥିର କରିଅଛନ୍ତି ସେ, ପ୍ରାଚୀନ କାଳରେ ଭାରତରେ ବ୍ୟବହୃତ ବ୍ରାହ୍ମୀ ଲିପିର କ୍ରମବିକାଶଫଳରେ ମାଗଧୀ ଲିପି ସୃଷ୍ଟ ହୋଇ ତହିଁରୁ ପରବର୍ତ୍ତୀ ଯୁଗରେ ଓଡ଼ିଆ, ବଙ୍ଗଳା ପ୍ରଭୃତି ବିଭିନ୍ନ ଲିପିର ସୃଷ୍ଟି ଘଟିଅଛି । ମାଗଧୀ ଲିପିରୁ ଓଡ଼ିଆ ଲିପିର ବିକାଶକ୍ରମ ଦେଖାଇବାକୁ ହେଲେ ବହୁ ପ୍ରାଚୀନ କାଳର ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ହାତଲେଖା ତାଳପତ୍ର ପୋଥିମାନ ଏବଂ ବିଭିନ୍ନ ସମୟର ତାମ୍ରଶାସନମାନ ସଂଗ୍ରହ କରି ତହିଁରୁ ବିଭିନ୍ନ ଲିପିର ଆକୃତି ତୁଳନା କରିବାକୁ ହେବ । ଏଠାରେ ସେପରି କରିବା ଅସମ୍ଭବ । ଏଣୁ ସଂକ୍ଷେପରେ ଓଡ଼ିଆ ଲିପିର ଉତ୍ପତ୍ତି ସମ୍ବନ୍ଧରେ ଉଲ୍ଲେଖ କରିବାକୁ ହେବ ।

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଭୁବନେଶ୍ୱରସ୍ଥ ଧଉଳିଗିରିର ଓ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଖଣ୍ଡଗିରିର ଖାରବେଳଙ୍କ ଶିଳାଲିପିରୁ ଜଣାଯାଏ ଯେ, ପ୍ରାଚୀନ କାଳରେ ଓଡ଼ିଶାରେ ବ୍ରାହ୍ମୀ ଲିପି ବ୍ୟବହୃତ ହେଉଥିଲା । ଖାରବେଳଙ୍କ ଉତ୍ତାରୁ ଓଡ଼ିଶାରେ ବ୍ରାହ୍ମୀ ଲିପି ବ୍ୟବହୃତ ହେଉଥିବାର ମଧ୍ୟ ଖଣ୍ଡଗିରିରୁ ପ୍ରମାଣ ମିଳେ । ଓଡ଼ିଶାରେ ବ୍ରାହ୍ମୀ ଲିପି ଯେ ବହୁକାଳ ବ୍ୟବହୃତ ହୋଇଥିଲା, ଏଥିରେ ସନ୍ଦେହ ନାହିଁ । କିନ୍ତୁ ପ୍ରଥମ ଶତାବ୍ଦୀରୁ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ବ୍ୟବହୃତ ଲିପିର ଆକୃତି ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ନିଦର୍ଶନ ମିଳି ନାହିଁ । ପରବର୍ତ୍ତୀ ଯୁଗରେ ବ୍ରାହ୍ମୀଲିପିରୁ ବିକଶିତ ହୋଇ ଯେଉଁ ଲିପି ଉତ୍ତର-ଭାରତରେ ବ୍ୟବହୃତ ହେଉଥିଲା, ସେହି ଲିପି ଷଷ୍ଠ ଶତାବ୍ଦୀରେ ଓ ତାହାର ପରବର୍ତ୍ତୀ ଯୁଗରେ ଓଡ଼ିଶାରେ ମଧ୍ୟ ବ୍ୟବହୃତ ହେଉଥିବାର ପଟିଆକେଳା ତାମ୍ରଶାସନରୁ (E. I. Vol. IX, p. 285) ଗଞ୍ଜାମରୁ ଆବିଷ୍କୃତ ମାଧବରାଜଙ୍କ ତାମ୍ରଶାସନରୁ (E. I. Vol IV) ଓ ହୁୟେନସାଂଙ୍କ ବିଚରଣରୁ ଜଣାଯାଏ । ଏଥିରୁ ଜଣାଯାଏ ଯେ, ବ୍ରାହ୍ମୀ ଲିପି ଓଡ଼ିଶାରେ ସ୍ୱତନ୍ତ୍ର ଭାବରେ ବିକଶିତ ନ ହୋଇ ତାହାର ଉତ୍ତରଭାରତୀୟ ବିକାଶକ୍ରମ ଓଡ଼ିଶାରେ ବ୍ୟବହୃତ ହେଉଥିଲା । କେବଳ ଓଡ଼ିଶାରେ ନୁହେ-ମଗଧରେ ବ୍ରାହ୍ମୀ ଲିପି ବିକଶିତ ହୋଇ ଶୌରସେନ, ମହାରାଷ୍ଟ୍ର ପ୍ରଭୃତି ପ୍ରତ୍ୟେକ ପ୍ରଦେଶକୁ ବିସ୍ତୃତ ହୋଇଥିଲା । କାରଣ, ମଗଧ ସେତେବେଳେ ଜ୍ଞାନଚର୍ଚ୍ଚାର କେନ୍ଦ୍ରସ୍ଥଳୀ ଥିବାରୁ ବିଭିନ୍ନ ପ୍ରଦେଶରୁ ପଣ୍ଡିତମାନେ ସେଠାକୁ ଯାଇ ଲିପିର ବିକାଶକ୍ରମ ନିଜ ଦେଶକୁ ଘେନି ଆସୁଥିଲେ । ଏହି ହେତୁରୁ ବ୍ରାହ୍ମୀ ଲିପିରୁ କ୍ରମଶଃ ବିକଶିତ କୁଟିଳାକ୍ଷର ଦଶମ ଶତାବ୍ଦୀକି ଓଡ଼ିଶାରେ ବିସ୍ତୃତ ହୋଇଥିଲା ।

ଆଧୁନିକ ଓଡ଼ିଆ ଲିପିମାଳା ଯେ ପ୍ରାଚୀନ କୁଟିଳାକ୍ଷରରୁ ଉତ୍ପନ୍ନ, ଏ କଥା Epigraphia Indica ରେ ପ୍ରକାଶିତ କୁଟିଳାକ୍ଷରର ଶାସନପତ୍ରମାନ ଆଲୋଚନା କଲେ ଜଣାଯାଏ । ଆଧୁନିକ ଓଡ଼ିଆ ଲିପିମାଳା ମଧ୍ୟରୁ କ, ନ, ସ, ମ, ଟ, ଗ, ଳ, ଡ, ଢ, ଭ, ୟ, ଷ, ପ, ଘ, ଥ, ଧ, ବ, ଜ–ଏହି କେତୋଟି ଲିପିକି ଆଧୁନିକ ହିନ୍ଦୀ ଲିପିମାଳାର ସେହି ଲିପିମାନଙ୍କ ସହିତ ତୁଳନା କଲେ ଘନିଷ୍ଠ ସୌସାଦୃଶ୍ୟ ଦେଖାଯାଏ । ଓଡ଼ିଆର ଖ, ଟ, ଶ, ଦ, ହ, ଚ, ଓ, ଇ ପ୍ରଭୃତି ଲିପିମାନଙ୍କ ସହିତ ପ୍ରାଚୀନ କୁଟିଳ ଲିପିମାନଙ୍କର ଯେ ଘନିଷ୍ଠ ସୌସାଦୃଶ୍ୟ ଅଛି ତାହା ପ୍ରତିକୃତି ବିନା ପାଠକମାନଙ୍କୁ ବୁଝାଇବା ଅସମ୍ଭବ । ଏଣୁ ବିଶେଷ କଥା ଉଲ୍ଲେଖ ନ କରି କେବଳ ଏତିକି ଉଲ୍ଲେଖ କଲେ ଚଳେ ଯେ, ଆଧୁନିକ ଓଡ଼ିଆ ଲିପି ଗୁଡ଼ିକର ଉପରିଭାଗ ବର୍ତ୍ତୁଳାକାର ନ କରି କେବଳ ହିନ୍ଦୀ ଓ ବଙ୍ଗଳା ଅକ୍ଷର ଲେଖିବା ରୀତିରେ ରେଖା ଟାଣିଦେଲେ ଅନେକ ଓଡ଼ିଆ ଅକ୍ଷର କୁଟିଳାକ୍ଷରରେ ପରିଣତ ହୋଇଯିବ । କୁଟିଳାକ୍ଷରରୁ ଯେ ଓଡ଼ିଆ ଅକ୍ଷରର ଉତ୍ପତ୍ତି, ଏଥିରେ ସନ୍ଦେହ ନାହିଁ । କିନ୍ତୁ ବହୁ ପ୍ରାଚୀନ କାଳର ହାତଲେଖା ଓଡ଼ିଆ ତାଳପତ୍ର ପୋଥି ସଂଗୃହୀତ ହୋଇ ନ ଥିବାରୁ ଆଧୁନିକ ଓଡ଼ିଆ ଲିପିର ଉତ୍ପତ୍ତିକାଳ ନିରୂପଣ କରିବା କଠିନ । କେବଳ କପିଳେନ୍ଦ୍ର ଦେବଙ୍କ ଶିଳାଲିପି ଉପରେ ନିର୍ଭର କରି ଏତିକି କୁହାଯାଇ ପାରେ ଯେ, ପଞ୍ଚଦଶ ଶତାବ୍ଦୀକି ଓଡ଼ିଆ ଲିପି ସୃଷ୍ଟ ହୋଇସାରିଅଛି ।

ଓଡ଼ିଶାରୁ ଆବିଷ୍କୃତ କେତେଗୁଡ଼ିଏ ଶାସନପତ୍ର ପ୍ରକାଶ କରିବା ସମୟରେ ସେଗୁଡ଼ିକ ବଙ୍ଗଳା ଅକ୍ଷରରେ ଖୋଦିତ ବୋଲି କେହି କେହି ପ୍ରକାଶକ କହିଥିବାରୁ ପାଠକମାନଙ୍କ ମଧ୍ୟରୁ କାହାରି କାହାରି ମନରେ ସନ୍ଦେହ ଉପସ୍ଥିତ ହୋଇଅଛି । ସେମାନେ ମନେ କରନ୍ତି ଯେ, ଓଡ଼ିଶାରେ ପ୍ରାଚୀନ କାଳରେ ବଙ୍ଗଳା ଅକ୍ଷରରେ ଶାସନପତ୍ର ଖୋଦିତ ହୋଇଥିଲା ବୋଲି ଯେଉଁମାନେ କହନ୍ତି, ସେମାନେ ବଙ୍ଗଳା ଲିପିରୁ ଓଡ଼ିଆ ଲିପି ଉତ୍ପନ୍ନ ବୋଲି ପ୍ରମାଣ କରିବାକୁ ପ୍ରୟାସୀ । କିନ୍ତୁ ସେପରି ମନେ କରିବା ଠିକ୍‌ ନୁହେ । କୁଟିଳାକ୍ଷରରୁ ବିକଶିତ ଲିପିରେ ଉକ୍ତ ଶାସନପତ୍ରଗୁଡ଼ିକ ଖୋଦିତ । ସେହି ଶାସନପତ୍ରଗୁଡ଼ିକ ଯେଉଁ ଲିପିରେ ଖୋଦିତ, ତାହା ପାଠକମାନଙ୍କୁ ସହଜରେ ବୁଝାଇବା ନିମନ୍ତେ ଉକ୍ତ ଶାସନପତ୍ରମାନଙ୍କର ଲିପିଗୁଡ଼ିକୁ ପ୍ରାଚୀନ ବଙ୍ଗଳା ଅକ୍ଷର ବୋଲି କୁହାଯାଇଥାଏ । କାରଣ, ପ୍ରାଚୀନ ଓଡ଼ିଆ ଲିପି କହିଲେ ଲିପିମାନଙ୍କର ଆକୃତି ସମ୍ବନ୍ଧରେ ପାଠକମାନଙ୍କ ମନରେ କୌଣସି ଧାରଣା ଉପୁଜିବ ନାହିଁ । ଯାହା ହେଉ, କୁଟିଳାକ୍ଷରରୁ ବିକଶିତ ସେହି ଲିପିର ଉପରିଭାଗ ବର୍ତ୍ତୁଳାକାର ହେବାରୁ ଓଡ଼ିଆ ଲିପି ଉତ୍ପନ୍ନ ହୋଇଅଛି । ଓଡ଼ିଆ ଅକ୍ଷରର ବର୍ତ୍ତୁଳାକାରର କାରଣ ସମ୍ବନ୍ଧରେ Beams ସାହେବ ଯାହା ଅନୁମାନ କରନ୍ତି, ତାହା ଠିକ୍‌ ବୋଲି ମନେ ହୁଏ । ପୂର୍ବେ ଭାରତରେ ତାଳପତ୍ର ଓ ଲୁହାର ଲେଖନୀରେ ପୋଥି ଲେଖା ହେଉଥିଲା । ଏଣୁ ଅକ୍ଷରର ଉପରିଭାଗରେ ରେଖା ଟାଣିଲେ ତାଳପତ୍ର କଣା ହେବାର ଆଶଙ୍କା ଥିବାରୁ ଅକ୍ଷରର ଉପରିଭାଗର ରେଖାଟି ଟିକିଏ ବର୍ତ୍ତୁଳାକାର କରି ଦେବାକୁ ହେଉଥିଲା । ମୁସଲମାନମାନଙ୍କ ରାଜତ୍ୱ ପ୍ରତିଷ୍ଠିତ ହେବା ସଙ୍ଗେ ସଙ୍ଗେ ଉତ୍ତର ଭାରତରେ କାଳି କଲମ ବ୍ୟବହୃତ ହେଲା । ଏଣୁ ଅକ୍ଷରର ଉପରିଭାଗ ବର୍ତ୍ତୁଳାକାର କରିବାର ପ୍ରୟୋଜନ ହେଲା ନାହିଁ । କିନ୍ତୁ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଲୁହାର ଲେଖନୀ ଓ ତାଳପତ୍ର ବ୍ୟବହୃତ ହେଉଥିବାରୁ ଓଡ଼ିଆ ଲିପି ମାନଙ୍କର ଈଷତ୍ ବର୍ତ୍ତୁଳାକାର କ୍ରମଶଃ ପୂର୍ଣ୍ଣ ବର୍ତ୍ତୁଳାକାରରେ ପରିଣତ ହୋଇଅଛି । ଆହୁରି ମଧ୍ୟ ପାଶ୍ୱବର୍ତ୍ତୀ ତେଲୁଗୁ ଲିପିର ଅନୁକରଣରେ ଓଡ଼ିଆ ଲିପି ପୂର୍ଣ୍ଣ ବର୍ତ୍ତୁଳାକାର ହୋଇଥିବ ବୋଲି ଅନୁମାନ କରାଯାଇ ପାରେ । ଯାହା ହେଉ, ଲିପିମାନଙ୍କ ଉତ୍ପତ୍ତି ସମ୍ବନ୍ଧରେ ଆଲୋଚନା ନ କରି ବର୍ତ୍ତମାନ ସେମାନଙ୍କ ଧ୍ୱନି ସମ୍ବନ୍ଧରେ ଆଲୋଚନା କରିବାକୁ ହେବ ।

ସ୍ୱରବର୍ଣ୍ଣ

ଅ–ଇ, ଈ ବା ଉ, ଊ ମଧ୍ୟରେ ଯେତିକି ଉଚ୍ଚାରଣ-ପ୍ରଭେଦ ଅଛି, ପ୍ରାଚୀନ କାଳରେ ବୈଦିକ ସଂସ୍କୃତ ଭାଷାରେ ଅ, ଆ ମଧ୍ୟରେ ତେତିକି ପ୍ରଭେଦ ଥିବାର ଅର୍ଥାତ୍‌ ‘ଅ’ ହ୍ରସ୍ୱ ‘ଆ’ ରୂପେ ଉଚ୍ଚାରିତ ହେଉଥିବାର ଭାଷାତତ୍ତ୍ୱବିତ୍‌ମାନେ ଅନୁମାନ କରନ୍ତି । ଏବେ ମଧ୍ୟ ତେଲୁଗୁ, ତାମିଲୀ, କାନେରୀ ଓ ମରହଟ୍ଟୀ ଭାଷାରେ ‘ଅ’ ହ୍ରସ୍ୱ ‘ଆ’ ରୂପେ ଉଚ୍ଚାରିତ ହୁଏ । ସୁତରାଂ ପ୍ରାଚୀନ କାଳରେ ବୈଦିକ ସଂସ୍କୃତ ଭାଷାରେ ‘ଅ’ ର ସେପରି ଉଚ୍ଚାରଣ ଥିବା ଅସମ୍ଭବ ନୁହେ । କିନ୍ତୁ ସେ ଉଚ୍ଚାରଣ କେବେ ଲୁପ୍ତ ହୋଇଅଛି, କୁହାଯାଇ ନ ପାରେ । ଅଧ୍ୟାପକ ମାଗ୍‌ଡ଼େନେଲ (Mac Donel) ସାହେବ କହନ୍ତି ଯେ, ଯେଉଁ ସବୁ ଗ୍ରୀକ୍‌ ଶବ୍ଦ ପ୍ରାଚୀନ କାଳରେ ସଂସ୍କୃତ ଭାଷାରେ ମିଶିଥିଲା, ସେହି ସବୁ ଗ୍ରୀକ୍‌ ଶବ୍ଦର ଅକାର ସ୍ଥାନରେ ଆକାର ଯୋଗ କରି ବ୍ୟବହାର କରା ଯାଇଥିବାରୁ ଜଣାଯାଏ ଯେ, ଭାରତୀୟ ଆର୍ଯ୍ୟମାନଙ୍କ ମଧ୍ୟରେ ହ ସ୍ୱ ‘ଅ’ ର ଧ୍ୱନି ଲୁପ୍ତ ହୋଇ ପଡ଼ିଥିବାରୁ ସେମାନଙ୍କ କାନରେ ଗ୍ରୀକ୍‌ ଭାଷାର ‘ଅ’ ‘ଆ’ ରୂପେ ଧ୍ୱନିତ ହେଉଥିଲା । ପ୍ରାଚୀନ କାଳରେ ସଂସ୍କୃତଭାଷାରୁ ହ୍ରସ୍ୱ ‘ଆ’ର ଧ୍ୱନି ଯେତେବେଳେ ଲୁପ୍ତ ହୋଇଥିଲା, ତେତେବେଳେ ବର୍ତ୍ତମାନ ଓଡ଼ିଆ, ବଙ୍ଗଳା ପ୍ରଭୃତି ଭାଷାରେ ‘ଅ’ ଯେପରି ଉଚ୍ଚାରିତ ହୁଏ, ତହିଁରେ ‘ଆ’ର ହ୍ରସ୍ୱ ଧ୍ୱନି ଥିବା ବିଚିତ୍ର କଥା ନୁହେ-। କିନ୍ତୁ ଏହି ଭାଷାମାନଙ୍କରେ କେତେକ ପାଲି ଶବ୍ଦ ତହିଁରେ ଥିବା ଅକାର ସ୍ଥାନରେ ଆକାର ଯୋଗ କରି ବ୍ୟବହାର କରା ଯାଉଥିବାରୁ (ଯଥା, ପା ମଚ୍ଛ=ଓ ବଂ ମାଛ, ପା ହତ୍‌ଥ=ଓ ବଂ ହାତ) ମନେ ହୁଏ, ଓଡ଼ିଶାର ଓ ବଙ୍ଗଳାର ଆଦିମ ଅଧିବାସୀମାନେ ‘ଅ’କୁ ହ୍ରସ୍ୱ ‘ଆ’ରୂପେ ଉଚ୍ଚାରଣ କରୁଥିଲେ । ବଙ୍ଗଳା ଭାଷାର ଏହା ପ୍ରାୟ ଗୋଟିଏ ସାଧାରଣ ପ୍ରକୃତି ଯେ, ପ୍ରାୟ ଅଧିକାଂଶ ପାଲି ଶବ୍ଦର ଆଦ୍ୟ ଅକାର ସ୍ଥାନରେ ଆକାର ଯୁକ୍ତ ହୋଇ ଉଚ୍ଚାରିତ ହୁଏ (ଯଥା, ପା ଗଚ୍ଛ=ବଂ ଗାଛ, ପା ଭଦ୍ଦ=ବଂ ଭାଲ, ପା ପତଥର=ବଂ ପାଥର); କିନ୍ତୁ ଓଡ଼ିଆରେ ସେପରି ହୁଏ ନାହିଁ । କେତେଗୁଡ଼ିଏ ପାଲିରୁ ରୂପାନ୍ତରିତ ନିର୍ଦ୍ଦିଷ୍ଟ ଶବ୍ଦର ଆଦ୍ୟ ଅକାର ସ୍ଥାନରେ ଆକାର ଉଚ୍ଚାରିତ ହୁଏ । ପାଲି ଭାଷାରେ ଅକାରାନ୍ତ ଯୁକ୍ତବର୍ଣ୍ଣ କିମ୍ବା ଖ, ଘ, ଛ, ଠ, ଥ, ଧ, ଭ, ହ ପ୍ରଭୃତି ମହାପ୍ରାଣବର୍ଣ୍ଣ ମଧ୍ୟରୁ ଗୋଟିଏ ବର୍ଣ୍ଣ ଯେଉଁ ଶବ୍ଦର ଦ୍ୱିତୀୟ ବର୍ଣ୍ଣରୂପେ ଥିଲା, ଓଡ଼ିଆ ଭାଷାରେ ସେହି ସବୁ ଶବ୍ଦର ଆଦ୍ୟବର୍ଣ୍ଣ ଅକାର ସ୍ଥାନରେ ଓଡ଼ିଆ ଭାଷାରେ ଆକାର ଉଚ୍ଚାରିତ ହେଉଅଛି (ଯଥା, ସଂ ବକ୍ର=ପା ବାଙ୍କ, ସଂ ମର୍କଟ=ପା ମକ୍‌କଟ=ଓ ମାଙ୍କଡ଼, ସଂ ଅଦ୍ୟ=ପା ଅଜ୍ଜ= ଓ ଆଜି, ସଂ ଭୁଜ୍‌=ପା ଭଜ୍ଜ=ଓ ଭାଜ, ସଂ ମୃଜ୍‌=ପା ଭଜ୍ଜ=ଓ ଭାଜ, ସଂ ବର୍ତ୍ତ୍ମ=ପା ବଟ୍ଟ=ଓ ବାଟ, ସଂ ସଖା=ପା ସାହା=ଓ ସାହା, ସଂ ଅଭ୍ର=ପା ଅବ୍‍ଭ=ଓ ଆଭ) । କ୍ୱଚିତ୍‌ ଏହି ସୂତ୍ରର ବ୍ୟତିକ୍ରମ ଘଟିଥାଏ (ଯଥା, ସଂ ପ୍ରସ୍ତର=ପା ପତ୍‌ଥର= ଓ ପଥର, ସଂ ମତ୍ସ୍ୟ=ପା ମଚ୍ଛ= ଓ ମାଛ, ପା ଗଚ୍ଛ=ଓ ଗଛ) ଯାହା ହେଉ ଦ୍ରାବିଡ଼ୀ ଭାଷାରେ ‘ଅ’ ହ୍ରସ୍ୱ ‘ଅ’ରୂପେ ଉଚ୍ଚାରିତ ହେଉଥିବାରୁ ଓ ଓଡ଼ିଶାରେ ଦ୍ରାବିଡ଼ ଜାତି ଆଦିମ ଅଧିବାସୀ ଥିଲେ ବୋଲି ପ୍ରମାଣିତ ହୋଇଥିବାରୁ ଓଡ଼ିଆ ଭାଷାରେ ପ୍ରାଚୀନ କାଳରେ ‘ଅ’ ସ୍ଥାନେ ସ୍ଥାନେ ହ୍ରସ୍ୱ ‘ଅ’ ରୂପେ ଉଚ୍ଚାରିତ ହେଉଥିଲା ବୋଲି କୁହାଯାଇ ପାରେ । ସେହି ହେତୁର ଅନେକ ଅକାରାନ୍ତ ସଂସ୍କୃତ ଶବ୍ଦ ଓଡ଼ିଆରେ ରୂପାନ୍ତରିତ ହୋଇ ଆକାରାନ୍ତ ହୋଇ ପଡ଼ିଅଛନ୍ତି (ଯଥା, ସଂ ସ୍ଫୋଟକ=ଓ ଫୋଟକା, ସଂ ଅଙ୍ଗନ=ଓ ଅଗଣା)-। ପୁଣି ନାମବାଚକ ଅକାରାନ୍ତ ଶବ୍ଦ ପ୍ରାୟ ସର୍ବଦା ଓଡ଼ିଆରେ ଆକାରାନ୍ତ ହୁଏ (ଯଥା, ମୋହନ=ମହନା, ଜଗ=ଜଗା, ବ୍ରଜ = ବରଜା) । ସୁତରାଂ ‘ମହା’, ‘ଅଭିଜାତି’ ପ୍ରଭୃତି ଶବ୍ଦ ଓଡ଼ିଆରେ ‘ମାହା’, ‘ଆଭିଜାତି’ ପ୍ରଭୃତିରୂପେ ଉଚ୍ଚାରିତ ହେବା ବିଚିତ୍ର ନୁହେ । ଏଣୁ ଅନୁମିତ ହୁଏ, ଓଡ଼ିଆରେ ‘ଅ’କୁ ହ୍ରସ୍ୱ ‘ଆ’ରୂପେ ଉଚ୍ଚାରଣ କରିବାର ପ୍ରବୃତ୍ତି ଏବେ ମଧ୍ୟ ଅଛି । କିନ୍ତୁ ‘ଅ’ର ଉଚ୍ଚାରଣ ଓଡ଼ିଆ ଭାଷାରେ ସାଧାରଣତଃ ଇଂରେଜୀ ଭାଷାର ‘ଠ’ (ଯଥା, pot, not) ରୂପେ ଉଚ୍ଚାରିତ ହେଉଥିବାରୁ ‘ଅ’ର ହ୍ରସ୍ୱ ‘ଆ’ ଭଳି ଯେଉଁ ଧ୍ୱନି ବର୍ତ୍ତମାନ ଓଡ଼ିଆ ଭାଷାରେ ପ୍ରଚଳିତ ଅଛି, ତାହା ‘ଆ’ରୂପେ ଲିଖିତ ଭାଷାରେ ଚଳେ । ଏଣୁ ସେ ସମ୍ବନ୍ଧରେ ବିଶେଷ ଉଲ୍ଲେଖ କରିବାର ପ୍ରୟୋଜନ ନାହିଁ । କେବଳ ଏତିକି ଉଲ୍ଲେଖ କରିବା ଉଚିତ ଯେ, ଓଡ଼ିଶାର ଶୂଦ୍ରମାନେ ବର୍ତ୍ତମାନ ‘ଆଇଲା’ କହୁଥିବା ସ୍ଥଳେ ବ୍ରାହ୍ମଣମାନେ ‘ଅଇଲା’ କହୁଥିବାରୁ ମନେ ହୁଏ, ବ୍ରାହ୍ମଣମାନଙ୍କ ସଂସ୍ରବରେ ଓଡ଼ିଆ ‘ଅ’ରୁ ହ୍ରସ୍ୱ ‘ଆ’ର ଧ୍ୱନି ଲୁପ୍ତ ହୋଇଅଛି । ଏଣୁ ଓଡ଼ିଆ ଛାତ୍ରମାନେ Cut, But ପ୍ରଭୃତି ଇଂରେଜୀ ଶବ୍ଦର ହ୍ରସ୍ୱ ଆକାର ଉଚ୍ଚାରଣ କରି ନ ପାରି ସେଗୁଡ଼ିକୁ ସାଧାରଣତଃ Cot, Bot ପ୍ରଭୃତି ରୂପେ ଉଚ୍ଚାରଣ କରନ୍ତି ।

ଅନେକ ସମୟରେ ‘ଅ’ର ସ୍ୱର ଓଡ଼ିଆ ଭାଷାରେ ଏତେ ଲମ୍ବା ହୁଏ ଯେ, ତାହା ସାଧାରଣତଃ ଇଂରେଜୀ ‘ball’ ଶବ୍ଦ ନିହିତ ଅକାରର ଧ୍ୱନିଦ୍ୱାରା ଚିହ୍ନିତ ହୋଇ ପାରେ । ସେହି ସ୍ୱରକୁ ଓଡ଼ିଆ ଲିପିଦ୍ୱାରା ଚିହ୍ନିତ କରିବାକୁ ହେଲେ ଲେଖିବାକୁ ହେବ-କଣ=କଅଣ, ପକ୍ଷୀ=ପଅକ୍ଷୀ, ରବି=ରଅବି । ପିଲାମାନେ ଯେତେବେଳେ ବର୍ଣ୍ଣବୋଧ ପଢ଼ୁଥାନ୍ତି, ତେତେବେଳେ ଏହି ଉଚ୍ଚାରଣ ସ୍ପଷ୍ଟରୂପେ ଲକ୍ଷ୍ୟ କରାଯାଇ ପାରେ । ନିମ୍ନଲିଖିତ ପଦ୍ୟାଂଶରୁ ମଧ୍ୟ ଏହି ଉଚ୍ଚାରଣ ଧରା ପଡ଼େ; ଯଥା–ଶଙ୍ଖଚିଲ, ମାହାବିଲ,ଧୋବଧାଉଳିଆ ପକ୍ଷୀ (ପ-ଅ-କ୍ଷୀ) । କେବଳ ‘ଅ’ ଓଡ଼ିଆରେ ଏହି ରୀତିରେ ଉଚ୍ଚାରିତ ହୁଏ ନାହିଁ । ଅନ୍ୟାନ୍ୟ ସ୍ୱରବର୍ଣ୍ଣମାନେ ମଧ୍ୟ ଏହି ଭଳି ଉଚ୍ଚାରିତ ହୋଇଥାନ୍ତି । ପିଲାମାନେ ବର୍ଣ୍ଣମାଳା ଶିଖିବା ବେଳେ ସାଧାରଣତଃ ଅ-ଅ, ଆ-ଆ, ଇ-ଇ, ଏହି ରୀତି ଅନୁସରଣ କରିଥାନ୍ତି । ଏହିଭଳି ସ୍ୱରଗୁଡ଼ିକ ଏତେ ଦୀର୍ଘସମୟବ୍ୟାପୀ ଉଚ୍ଚାରିତ ହେଉଥିବାରୁ ଅନେକ ଶବ୍ଦର ମଧ୍ୟରେ ‘ହ’ର ଧ୍ୱନି ଆଗମ ହୁଏ (ଯଥା, ମଳ=ମହଳ, ଉ-ମହଳ ଲୁଗା; ଗଣ=ଗହଣ, ଉ-ରଜାଙ୍କ ଗହଣ; ରାସ=ରାହାସ, ଦୋଳ= ଦୋହଳ) ।

ଇଂରେଜୀ ‘0’ ଭଳିଆ ଓଡ଼ିଆ ‘ଅସାଧାରଣତଃ ଉଚ୍ଚାରିତ ହେଉଥିବାରୁ ଏହାର ଧ୍ୱନି ସର୍ବଦା ପରିବର୍ତ୍ତିତ ହୁଏ । ଶବ୍ଦର ମଧ୍ୟରେ ବା ଅନ୍ତ୍ୟରେ ଯେଉଁ ଅକାର ଥାଏ, ତାହା ପ୍ରାୟ ତାହାର ପୂର୍ବବର୍ତ୍ତୀ ବା ପରବର୍ତ୍ତୀ ସ୍ୱରକୁ ଅନୁସରଣ କରି ଉଚ୍ଚାରିତ ହୁଏ । ଦୃଷ୍ଟାନ୍ତସ୍ୱରୂପ ଏଠାରେ ଉଲ୍ଲେଖ କରାଯାଉଅଛି ଯେ, ସଂସ୍କୃତ ‘ଉପକାର’ ଶବ୍ଦ ଓଡ଼ିଆରେ ଯେପରି ଭାବରେ ଉଚ୍ଚାରିତ ହୋଇଥାଏ, ତାହା ଯେ କୌଣସି ବିଦେଶୀ ଲୋକର କାନକୁ ‘ଉପୁକାର’ ରୂପେ ଶୁଣାଯିବ । ସଂସ୍କୃତ ବା ପାଲି ଭାଷାର ଶବ୍ଦମାନ ପ୍ରାୟ ଏହି ନିୟମାନୁସାରେ ଓଡ଼ିଆ ଭାଷାରେ ରୂପାନ୍ତରିତ ଆହୁରି ମଧ୍ୟ ଏଠାରେ ଏ କଥା ଉଲ୍ଲେଖ କଲେ ପାଠକେ ଅକ୍ଳେଶରେ ବୁଝି ପାରିବେ ଯେ, କେହି କେହି ‘ପୁଷ’ (ପୁଷମାସ) କହନ୍ତି, କେହି କେହି ‘ପୁଷୁ’ (ପୁଷୁମାସ) କହନ୍ତି । ସେହିପରି ସାଧାରଣ ଲୋକେ‘ଛୁତକିଆ’ [ଛୁତିକ (ସୂତକ)+ଇଆ] ଉଚ୍ଚାରଣ କରି ନ ପାରି ‘ଛୁତିକିଆ’ ରୂପେ ଉଚ୍ଚାରଣ କରନ୍ତି । ବଙ୍ଗଳା ଭାଷାରେ ମଧ୍ୟ ଏହିପରି ସଂସ୍କୃତ ‘ସୂତ୍ର’ ଶବ୍ଦ ‘ସୂତୁର୍‌’ ରୂପେ ଉଚ୍ଚାରିତ ହୁଏ ।

ବାଗ୍‌ଯନ୍ତ୍ରର ବୈଜ୍ଞାନିକ ପରୀକ୍ଷାରୁ ଏହା ପ୍ରମାଣିତ ହୋଇଅଛି ଯେ–ଅ, ଇ, ଉ, ଯଥାକ୍ରମେ ସଙ୍ଗୀତର ମଧ୍ୟମ, ଉଚ୍ଚ ଓ ନିମ୍ନସ୍ୱର ଅଟନ୍ତି । ସୁତରାଂ ‘ଅ’ ର ସ୍ୱର ଲଘୁ ହେଲେ ତାହା ‘ଉ’ ର ସ୍ୱରରେ ପରିଣତ ହେବା ବିଚିତ୍ର ନୁହେ । ‘କହ’ କ୍ରିୟାପଦ ବାଲେଶ୍ୱର ଅଞ୍ଚଳରେ କାହିଁକି ‘କୁହ’ ରେ ପରିଣତ ହୁଏ, ତାହାର କାରଣ ପାଠକେ ବୁଝି ପାରୁଥିବେ । ପୁରୀ ଓ କଟକ ଅଞ୍ଚଳରେ ‘କହ୍‌’, ‘ସହ୍‌’ ପ୍ରଭୃତି ଧାତୁରୁ ‘କୁହାଗଲା’, ‘ସୁହାଗଲା’ ପ୍ରଭୃତି ପଦମାନ ନିଷ୍ପନ୍ନ ହୋଇଥାଏ । ବର୍ତ୍ତମାନ କେବଳ ଏତିକି କହିବା ଉଚିତ ଯେ, ବାଗ୍‌ଯନ୍ତ୍ରର ଗଢ଼ଣ ଫଳରୁ ପୃଥିବୀର ଯେ କୌଣସି ଭାଷାରେ ଏପରି ଘଟିଥାଏ । ଶବ୍ଦର ମଧ୍ୟବର୍ତ୍ତୀ ‘ଅ’ କେଉଁଠାରେ ଲୁପ୍ତ ହୋଇ ପଡ଼େ ଓ ଅକାର କେଉଁ ଠାରେ ଏକାରରେ ପରିଣତ ହୋଇଯାଏ (ଯଥା, କରୁଅଛି=କରୁଛି, ସଂ ନକୁଳ=ଓ ନେଉଳ, ସଂ ଶକୁଳ=ଓ ଶେଉଳ) ।

ଆ–ଏହି ବର୍ଣ୍ଣଟି ସଂସ୍କୃତ ଭାଷାରେ ଯେପରି ଭାବରେ ଉଚ୍ଚାରିତ ହେଉଥିଲା, ତାହା ଇଂରେଜୀ ‘Palm’ ଶବ୍ଦନିହିତ ଆକାରର ଧ୍ୱନିରୁ ବୁଝାଯାଇ ପାରେ । କିନ୍ତୁ ଓଡ଼ିଆ ଭାଷାରେ ବର୍ତ୍ତମାନ ‘ଅ’ ର ସେ ଧ୍ୱନି ନାହିଁ । ଓଡ଼ିଆରେ ଆଦୌ ଦୀର୍ଘସ୍ୱର ନାହିଁ କହିଲେ ଚଳେ । ସୁତରାଂ ପ୍ରାଚୀନ କାଳରେ ‘ଅ’ ଯେପରି ଭାବରେ ଉଚ୍ଚାରିତ ହେଉଥିବାର ପୂର୍ବେ କୁହାଯାଇ ଅଛି, ଆଜିକାଲି ଆମ୍ଭେମାନେ ‘ଆ’ କୁ ସେହିଭଳି ଉଚ୍ଚାରଣ କରୁଁ ; ଅର୍ଥାତ୍‌ ଓଡ଼ିଆ ଭାଷାରେ ‘ଆ’ ହ୍ରସ୍ୱଭାବରେ ଉଚ୍ଚାରିତ ହୋଇଥାଏ । ଆମ୍ଭେମାନେ ‘ଆ’ କୁ ଦୀର୍ଘ ଭାବରେ ଉଚ୍ଚାରଣ କରିବାରେ ଅଭ୍ୟସ୍ତ ନୋହୁ ବୋଲି ପାଲି, ସଂସ୍କୃତ, ଆରବୀ, ପାର୍ସୀ ପ୍ରଭୃତି ଭାଷାର ଯେଉଁ ଶବ୍ଦମାନଙ୍କରେ ପରସ୍ପରର ନିକଟବର୍ତ୍ତୀ ହୋଇ ଦୁଇଟି ଆକାର ଥିଲା, ସେହିସବୁ ଶବ୍ଦ ଓଡ଼ିଆ ଭାଷାରେ ବ୍ୟବହୃତ ହେବା ଫଳରେ ତହିଁରୁ ପ୍ରଥମ ଆକାର ଲୁପ୍ତ ହୋଇ ପଡ଼ିଅଛି; ଯଥା-ପା ଖାପା=ଓ ଖପା, ଅ ଖାରାବ=ଓ ଖରାପ, ସଂ ଆଷାଢ଼=ଓ ଅଷାଢ଼, ସଂ ରାଜା=ଓ ରଜା, ସଂ କାର୍ପାସ=ଓ କପା । ଚାଷ, ବାଙ୍କ, ଫାଟ, ବାଟ (ବାଟିବା) ପ୍ରଭୃତିରେ ‘ଅ’ ପ୍ରତ୍ୟୟ ଯୋଗ କଲେ ସେଗୁଡ଼ିକ ଯଥାକ୍ରମେ ଚାଷା, ବାଙ୍କା, ଫାଟା, ବାଟା ପ୍ରଭୃତିରେ ପରିଣତ ନ ହୋଇ ଚଷା, ବଙ୍କା, ଫଟା, ବଟା ପ୍ରଭୃତିରେ କାହିଁକି ପରିଣତ ହୁଅନ୍ତି, ତାହାର କାରଣ ବର୍ତ୍ତମାନ ପାଠକେ ବୁଝି ପାରୁଥିବେ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଆମ୍ଭେମାନେ ‘ଆ’ କୁ ସାଧାରଣତଃ ହ୍ରସ୍ୱଭାବରେ ଉଚ୍ଚାରଣ କରିବାକୁ ପ୍ରୟାସୀ । କିନ୍ତୁ ଏ କଥା ମନେ ରଖିବାକୁ ହେବ ଯେ, ଭାବର ଦୃଢ଼ତାବ୍ୟଞ୍ଜକ ଶକ୍ତିନ୍ୟାସ (emphasis) ଯେତେବେଳେ କୌଣସି ଶବ୍ଦର ଆକାର ଉପରେ ପଡ଼େ, ତେତେବେଳେ ‘ଆ’ ହ୍ରସ୍ୱଭାବରେ ଉଚ୍ଚାରିତ ନ ହୋଇ ଦୀର୍ଘଭାବରେ ଉଚ୍ଚାରିତ ହେବ । ପ୍ରତ୍ୟେକ ଭାଷାରେ ଶକ୍ତିନ୍ୟାସଯୋଗୁଁ ହ୍ରସ୍ୱସ୍ୱର ମଧ୍ୟ ଦୀର୍ଘଭାବରେ ଉଚ୍ଚାରିତ ହୋଇଥାଏ । ସୁତରାଂ ଯେତେବେଳେ ଦୃଢ଼ତାବ୍ୟଞ୍ଜକ ସ୍ୱରରେ କହିବାକୁ ହେବ- ‘ଆସ’, ତେତେବେଳେ ‘ଆ’ କଦାପି ହ୍ରସ୍ୱଭାବରେ ଉଚ୍ଚାରିତ ହେବ ନାହିଁ । ସେହିପରି ବାକ୍ୟସ୍ଥ ଏକାକ୍ଷର ପଦର ଆକାର ମଧ୍ୟ ହ୍ରସ୍ୱଭାବରେ ଉଚ୍ଚାରିତ ନ ହୋଇ ଦୀର୍ଘଭାବରେ ଉଚ୍ଚାରିତ ହୁଏ; ଯଥା–ମା (ମାତା), ଖା (ଖାଇବା ନିମନ୍ତେ ଆଦେଶ ଦେବା । ଅପ୍ରାସଙ୍ଗିକ ହେଲେ ମଧ୍ୟ ଏଠାରେ ଏ କଥା ଉଲ୍ଲେଖ କରିବା ଉଚିତ ଯେ, ଉକ୍ତ ଶବ୍ଦଗୁଡ଼ିକୁ କେହି କେହି ‘ମାଆ’, ‘ଖାଆ’ ପ୍ରଭୃତି ରୂପେ ଲେଖନ୍ତି–ଏହା ଯେ ନିତାନ୍ତ ଅସମୀଚୀନ, ତାହା ପ୍ରାୟ ପାଠକେ ବୁଝୁଥିବେ । ପୁଣି ଏ କଥା ବକ୍ତବ୍ୟ ଯେ, କୌଣସି ଶବ୍ଦର ଆକାର ପରେ ଯଦି ଯୁକ୍ତବର୍ଣ୍ଣ ବା ମହାପ୍ରାଣବର୍ଣ୍ଣ ଥାଏ, ତାହା ହେଲେ ସେଠାରେ ମଧ୍ୟ ‘ଆ’ ସାମାନ୍ୟ ଦୀର୍ଘ ଭାବରେ ଉଚ୍ଚାରିତ ହୋଇଥାଏ ।

ବର୍ଣ୍ଣମାଳା ଶିଖିବା ବେଳେ ଆମ ଦେଶର ପିଲାମାନେ କିପରି ସ୍ୱରବର୍ଣ୍ଣଗୁଡ଼ିକୁ ଉଚ୍ଚାରଣ କରିଥାନ୍ତି, ତାହା ପୂର୍ବେ କୁହାଯାଇ ଅଛି । ସୁତରାଂ ‘ଅ’ ଭଳିଆ ‘ଆ’ ର ଦ୍ୱିତ୍ୱ ଉଚ୍ଚାରଣ ଅନେକ ସମୟରେ ଦେଖାଯାଇ ଯାଏ; ଯଥା- ଯାନ୍ତି=ଯାଆନ୍ତି, ଖାନ୍ତି=ଖାଆନ୍ତି । ନିମ୍ନୋଦ୍ଧୃତ ପଦ୍ୟାଶଂରୁ ମଧ୍ୟ ‘ଆ’ ର ଏହି ଦ୍ୱିତ୍ୱ ଉଚ୍ଚାରଣ ଧରାଯାଏ; ଯଥା–ଯେବେ ନୋହିବ ତହିଁରେ ଧାନ (ଧା-ଆ-ନ), ତେବେ କାଟିବ ଡାକର କାନ (କା-ଆ-ନ) । କହିବା ବାହୁଲ୍ୟ ଯେ, ଏଠାରେ ମଧ୍ୟ ‘ଆ’ ର ଦୀର୍ଘ ଧ୍ୱନି ନ ଆସି ଦୁଇଟି ହ୍ରସ୍ୱ ‘ଆ’ ର ଧ୍ୱନି ଆସେ ।

ହ୍ରସ୍ୱ ‘ଆ’ ଓ ଦୀର୍ଘ ‘ଆ’ ର ଧ୍ୱନି ମଧ୍ୟରେ ପରସ୍ପରର କି ପ୍ରଭେଦ ଅଛି, ତାହା ପାଠକମାନଙ୍କ ମଧ୍ୟରୁ ବୋଧ ହୁଏ ଅନେକେ ବୁଝି ପାରିବେ ନାହିଁ । ସୁତରାଂ ଏହା ବୁଝାଇଦେବା ନିତାନ୍ତ ପ୍ରୟୋଜନ । ଇଂରେଜୀ ଭାଷାରେ ‘palm’ ଶବ୍ଦ-ନିହିତ ‘a’ କୁ ଉଚ୍ଚାରିବା ପାଇଁ ପାଟି ଯେତେ ମେଲା କରିବାକୁ ହୁଏ, ଓଡ଼ିଆ ଭାଷାର ‘ଖାନ୍ତି’, ‘କାନ’ ପ୍ରଭୃତିରେ ଥିବା ଆକାର ଉଚ୍ଚାରିବା ପାଇଁ ପାଟି ତେତେ ମଲା କରିବାକୁ ହୁଏ ନାହିଁ ।

ଅଧିକାଂଶ ସ୍ଥଳରେ ‘ଆ’ କୁ ଆମ୍ଭେମାନେ ହ୍ରସ୍ୱଭାବରେ ଉଚ୍ଚାରଣ କରୁଁ ବୋଲି ଯେଉଁ ଶବ୍ଦରେ ଆକାର ପରେ ‘ଉ’ ର ଧ୍ୱନି ଥାଏ, ସେହି ଶବ୍ଦର ଆକାର ଅନେକ ସମୟରେ ଅକାରରେ ପରିଣତ ହୋଇଯାଏ । ସେହି ହେତୁରୁ କେହି କେହି ‘ଫାଗୁଣ’ (ସଂ ଫାଲ୍ଗୁନ) ଉଚ୍ଚାରି ନ ପାରି ‘ଫଗୁଣ’ କହନ୍ତି ! ସେହିପରି ସଂସ୍କୃତ ‘ମାର୍ଗଶୀର୍ଷ’ ‘ମାର୍ଗଶିର’ରେ ପରିଣତ ହୋଇ ଯେତେବେଳେ ‘ଗ’ ରେ ଥିବା ଅକାର ଉକାରରେ ପରିଣତ ହୋଇଯାଏ, ତେତେବେଳେ ତାହା ମାଗୁଶିର ରୂପେ ଉଚ୍ଚାରିତ ନ ହୋଇ ‘ମଗୁଶିର’ ରୂପେ ଉଚ୍ଚାରିତ ହୁଏ । ସେହିପରି କରାଉଛି, ଧରାଉଛି ପ୍ରଭୃତି କ୍ରିୟାପଦ ଯଥାକ୍ରମେ କରଉଛି, ଧରଉଛି ରୂପେ ଉଚ୍ଚାରିତ ।

କୌଣସି ଶବ୍ଦର ଶେଷରେ ଆକାର ଥିଲେ ସେହି ଆକାର ଏକାରରେ ପରିଣତ ହୁଏ ଓ ଶେଷରେ ଗୋଟିଏ ଇକାରର ଆଗମ ହୁଏ; ତହିଁ ଉତ୍ତାରୁ ସେ ଶବ୍ଦଟି ତାମିଲୀ ଭାଷାରେ ଉଚ୍ଚାରିତ ହୁଏ (ଯଥା ସଂ ଆଶା=ତା ଆସେଇ) । ଅନେକ ସମୟରେ ଓଡ଼ିଆ ଭାଷାରେ ମଧ୍ୟ ଅନ୍ତ୍ୟ ଆକାର ଠିକ୍‌ ଏହି ରୀତିରେ ଉଚ୍ଚାରିତ ହୋଇଥାଏ, ଯଥା- (ନାମବାଚକ) ଜଗ=ଜଗା=ଜଗେଇ, ଗଦା=ଗଦେଇ, ସନାତନ=ସନେଇ । ପୁରୀ ଜିଲ୍ଲାର ବ୍ରାହ୍ମଣମାନେ ଏହି ରୀତିରେ କକା ଓ ଦଦା ଶବ୍ଦ କକେଇ ଓ ଦଦେଇରୂପେ ଉଚ୍ଚାରଣ କରନ୍ତି । ସୁତରାଂ ‘କରା+ଇବା’ ‘କରେଇବା’ ରେ ବା ‘ପିଲା+ଏ’ ‘ପିଲେ’ ରେ ପରିଣତ ହେବା ବିଚିତ୍ର ନୁହେ ।

ଇ, ଈ–ଏହି ଦୁଇଟି ବର୍ଣ୍ଣର ଉଚ୍ଚାରଣ ସମ୍ବନ୍ଧରେ ବିଶେଷ ଉଲ୍ଲେଖଯୋଗ୍ୟ ବିଷୟ ନାହିଁ-। ପୂର୍ବେ କୁହାଯାଇଅଛି ଯେ, ଓଡ଼ିଶାରେ ପ୍ରାୟ ଦୀର୍ଘସ୍ୱର ନାହିଁ । ସେହି ହେତୁରୁ ସଂସ୍କୃତ ଭାଷାର ‘ଈ’ ର ଧ୍ୱନି ଓଡ଼ିଆରେ ପ୍ରଚଳିତ ନାହିଁ । କେବଳ ‘ଆ’ ଭଳିଆ କୌଣସି ଶବ୍ଦରେ ଈକାରପରେ ଯୁକ୍ତବର୍ଣ୍ଣ ବା ମହାପ୍ରାଣବର୍ଣ୍ଣ ଥିଲେ ସେଠାରେ ‘ଈ’ ଟିକିଏ ଦୀର୍ଘ ଭାବରେ ଉଚ୍ଚାରିତ ହୁଏ । କିନ୍ତୁ ତାହା ଇଂରେଜୀ ‘deem’ ଶବ୍ଦନିହିତ ଈକାର ଭଳିଆ ଉଚ୍ଚାରିତ ହୁଏ ନାହିଁ । କେବଳ ଶକ୍ତିନ୍ୟାସ ହେତୁରୁ ‘ଇ’ ଅନେକ ସମୟରେ ‘ଈ’ ରୂପେ ଉଚ୍ଚାରିତ ହୁଏ;ଯଥା - ‘ତୁମ୍ଭେ ଚୋରି କରିଅଛ’, ଉତ୍ତର- ‘କି’ (କୀ) ।

ଉ, ଊ–‘ଊ’ ର ଧ୍ୱନି ଓଡ଼ିଆରେ ନାହିଁ, ଏଠାରେ ଏ କଥା ପୁନରୁକ୍ତି ଭଳିଆ । କିନ୍ତୁ ‘ଉ’ ର ଉଚ୍ଚାରଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର । ପୂର୍ବେ କୁହାଯାଇଅଛି–‘ଅ’ ମଧ୍ୟମ ସ୍ୱର, ‘ଉ’ ଲଘୁସ୍ୱର । ସୁତରାଂ ‘ଉ’ ର ସ୍ୱରକୁ ଟିକିଏ ଗୁରୁଭାବରେ ଉଚ୍ଚାରଣ କଲେ ତାହା ଅନାୟାସରେ ‘ଅ’ ର ସ୍ୱରରେ ପରିଣତ ହୋଇଯିବ । ସେହି ହେତୁରୁ ସମ୍ବଲପୁର ଅଞ୍ଚଳରେ ‘କରୁଛି’ ପରିବର୍ତ୍ତରେ କର୍‍ଛି ଉଚ୍ଚାରଣ କରନ୍ତି । କିନ୍ତୁ ପୁରୀ ଅଞ୍ଚଳରେ ‘ଉ’ ଯେପରି ଭାବରେ ଉଚ୍ଚାରିତ ହୁଏ, ତହିଁରେ ‘ଓ’ ର ଆଂଶିକ ଧ୍ୱନି ପ୍ରାୟ ଲାଗି ରହିଥାଏ । ଏଣୁ ସଂସ୍କୃତ ଉପବାସ, ଉଷ୍ଟ୍ର ପ୍ରଭୃତି ଶବ୍ଦ ସେ ଅଞ୍ଚଳରେ ଓପାସ, ଓଟ ପ୍ରଭୃତିରେ ପରିଣତ । ସଂସ୍କୃତ ‘ଉଦର’ ଶବ୍ଦ ପୁରୀ ଅଞ୍ଚଳରେ କେହି କେହି ‘ଓଦର’ ରୂପେ ମଧ୍ୟ ଉଚ୍ଚାରଣ କରିଥାନ୍ତି । ତାମିଲୀ ଭାଷାରେ ‘ଉ’ ର ପରେ ଯେ କୌଣସି ବର୍ଣ୍ଣ ଥିଲେ ମଧ୍ୟ ତହିଁରେ ଯଦି ଇକାର, ଉକାର ବା ଏକାର ଯୁକ୍ତ ହୋଇ ନ ଥାଏ, ତେବେ ସେଠାରେ ‘ଉ’ ପ୍ରାୟ ‘ଓ’ ଭଳି ଉଚ୍ଚାରିତ ହୁଏ; ତେଲୁଗୁ ଭାଷାରେ ସେପରି ସ୍ଥଳରେ ଉକାର ସ୍ଥାନରେ ଓକାର ମଧ୍ୟ ଲେଖାଯାଏ (Bishop Caldwell's Dravidian Gramnar, P. 136) ସୁତରାଂ ପୁରୀ ଅଞ୍ଚଳରେ‘ଉ’ ‘ଓ’ ରୂପେ ଉଚ୍ଚାରିତ ହେବା ବିଚିତ୍ର ନୁହେ । ପୁଣି ଗୋଟିଏ ‘ଅ’ ଯେପରି ଅନେକ ସମୟରେ ଦୁଇଟି ‘ଅ’ ର ଧ୍ୱନିକି ଅନୁସରଣ କରି ଉଚ୍ଚାରିତ ହୁଏ, ସେହିପରି ‘ଉ’ ମଧ୍ୟ ଉଚ୍ଚାରିତ ହୋଇଥାଏ । ନିମ୍ନୋଦ୍ଧୃତ ପଦ୍ୟାଂଶରୁ ତାହା ପାଠକେ ବୁଝି ପାରିବେ; ଯଥା–‘‘ରାଇରଙ୍ଗ ଫିରିକି ଫୁଲୁ (ଫୁ-ଉ-ଲୁ), ରଜା ବୋଇଲେ ଏଇଟି ତୁଲୁ (ତୁ-ଉ-ଲୁ) ।’’

ୠ, ଋ–‘ରି’ ଏହି ବର୍ଣ୍ଣଟି ଉଚ୍ଚାରଣ କଲେ ଯେଉଁ ଧ୍ୱନି ସୂଚିତ ହେବ, ସଂସ୍କୃତ ଭାଷାରେ ‘ୠ’ର ଧ୍ୱନି ପ୍ରାୟ ତାହାର ନିକଟବର୍ତ୍ତୀ ଥିଲା । ସେହି ହେତୁରୁ ସଂସ୍କୃତ ଭାଷାର ସଦୃଶ, କୀଦୃଶ ପ୍ରଭୃତି ଶବ୍ଦ ପ୍ରାକୃତ ଭାଷାରେ ସରିସା, କେରିସ ପ୍ରଭୃତିରେ ପରିଣତ ହୋଇଥିଲା । ବର୍ତ୍ତମାନ ସଂସ୍କୃତ ୠତୁ, ୠଣ, ମୃଗ ପ୍ରଭୃତି କେତେକ ଶବ୍ଦ ଓଡ଼ିଆରେ ୠତୁ, ରିଣ, ମିରିଗ ପ୍ରଭୃତି ରୂପେ ଉଚ୍ଚାରିତ । ବଙ୍ଗଳା ଭାଷାରେ ‘ୠ’ ସର୍ବତ୍ର ‘ରି’ ରୂପେ ଉଚ୍ଚାରିତ । କିନ୍ତୁ ସ୍ଥୂଳତଃ କହିବାକୁ ହେଲେ ଓଡ଼ିଆରେ ‘ୠ’ ର ପ୍ରାଚୀନ ଧ୍ୱନି ବର୍ତ୍ତମାନ ପ୍ରାୟ ନାହିଁ । ‘ୠ’ ଓଡ଼ିଆରେ ବର୍ତ୍ତମାନ ସାଧାରଣତଃ ‘ରୁ’ ରୂପେ ଉଚ୍ଚାରିତ । କେବଳ ୠଦ୍ଧି, ୠତୁ ପ୍ରଭୃତି କେତେକ ସଂସ୍କୃତ ଶବ୍ଦର ବନାନ ଲେଖିବାପାଇଁ ଓଡ଼ିଆ ବର୍ଣ୍ଣମାଳାରେ ଏହି ବର୍ଣ୍ଣଟି ରକ୍ଷିତ । କିନ୍ତୁ ଓଡ଼ିଆ ବର୍ଣ୍ଣମାଳାରେ ‘ୠ’ ରଖିବାର କୌଣସି ପ୍ରୟୋଜନ ନାହିଁ । ସେହିପରି ‘&’୭୯ କୁ ମଧ୍ୟ ଓଡ଼ିଆ ବର୍ଣ୍ଣମାଳାରେ ନ ରଖିଲେ ଚଳେ । ଦ୍ରାବିଡ଼ୀ ଭାଷା ପ୍ରଭାବରେ ଓଡ଼ିଆ ଭାଷାରୁ ‘ୠ’‘&’–ଏହି ଦୁଇଟି ବର୍ଣ୍ଣର ଧ୍ୱନି ଲୁପ୍ତ ହୋଇଅଛି ବୋଲି ମନେ ହୁଏ । କାରଣ ତାମିଲୀ ଭାଷାରେ ‘ୠ’‘&’ ପ୍ରଭୃତି ସ୍ୱରବର୍ଣ୍ଣ ନାହିଁ ।

ଏ–ଏହି ବର୍ଣ୍ଣଟି ଯୁକ୍ତ ସ୍ୱର ନାମରେ ଅଭିହିତ । କାରଣ, ଏହାର ଧ୍ୱନି ‘ଅ’ ର ଧ୍ୱନିରେ ‘ଇ’ ର ଧ୍ୱନି ମିଶି ଉତ୍ପନ୍ନ ହୁଏ ।’ ସେହି ହେତୁରୁ ସଂସ୍କୃତ ଭାଷାରେ ଏହା କଣ୍ଠ୍ୟତାଲବ୍ୟ ନାମରେ ଅଭିହିତ (କାରଣ, ଅ କଣ୍ଠରୁ ଉଚ୍ଚାରିତ ଏବଂ ଇ ତାଳୁରୁ ଉଚ୍ଚାରିତ) । ସେହିପରି ‘ଓ’ ଧ୍ୱନିଟି ‘ଅ’ ର ଧ୍ୱନି ଏବଂ ‘ଉ’ ର ଧ୍ୱନି ମିଶି ଉତ୍ପନ୍ନ ହୋଇଥିବାରୁ ଏହା କଣ୍ଠୌଷ୍ଠ୍ୟ ନାମରେ ଅଭିହିତ (‘ଉ’ ଓଷ୍ଠରୁ ଉଚ୍ଚାରିତ) ।

ସଂସ୍କୃତ ବ୍ୟାକରଣମାନଙ୍କରେ ଉଲ୍ଲେଖ ଅଛି ଯେ, ‘ଏ’ ଏବଂ ‘ଓ’ ର ହ୍ରସ୍ୱଧ୍ୱନି ନାହିଁ । କିନ୍ତୁ ପୃଥିବୀର ଅନେକ ଭାଷାରେ ଉକ୍ତ ବର୍ଣ୍ଣଦ୍ୱୟର ହ୍ରସ୍ୱଧ୍ୱନି ଥିବାର ଦେଖାଯାଏ । ସୁତରାଂ ସଂସ୍କୃତ ଭାଷାରେ ନ ଥିଲା ବୋଲି କୁହା ଯାଇ ନ ପାରେ । ଯାହା ହେଉ, ଏଠାରେ ସେ କଥା ଆଲୋଚନା କରିବାର ପ୍ରୟୋଜନ ନାହିଁ । କେବଳ ଏତିକି କହିବା ଉଚିତ ଯେ, ତାମିଲୀ ଭାଷା ଭଳିଆ ‘ଏ’ ଏବଂ ‘ଓ’ ର ହ୍ରସ୍ୱଧ୍ୱନି ଓଡ଼ିଆରେ ଅଛି । ଏଠାରେ, ଏପରି, ଏଲାକା ପ୍ରଭୃତି ଶବ୍ଦର ‘ଏ’ ହ୍ରସ୍ୱଭାବରେ ଉଚ୍ଚାରିତ ହୁଏ ବୋଲି ତାହା ପ୍ରାୟ ‘ଇ’ ରେ ପରିଣତ ହୋଇଯାଏ । ସେହି ହେତୁରୁ ଉକ୍ତ ଶବ୍ଦଗୁଡ଼ିକୁ କେହି କେହି ଇଠାରେ, ଇପରି, ଇଲାକା ପ୍ରଭୃତିରୂପେ ଲେଖିଥାନ୍ତି । ଏହି ହ୍ରସ୍ୱ ଉଚ୍ଚାରଣ ଫଳରେ ନେବ ଦେବ ପ୍ରଭୃତି କ୍ରିୟାପଦମାନ ନବ, ଦବ ପ୍ରଭୃତିରେ ପରିଣତ ହୁଅନ୍ତି । ପୁଣି ବାଲେଶ୍ୱର ଅଞ୍ଚଳରେ ‘ଓ’ ଏପରି ହ୍ରସ୍ୱଭାବରେ ଉଚ୍ଚାରିତ ହୁଏ ଯେ, ତାହା ଆମ୍ଭମାନଙ୍କୁ ‘ଉ’ ରୂପେ ଶୁଣାଯାଏ । ଆସାମୀ ଭାଷାରେ ‘ଓ’ ର ଏହିଭଳି ଉଚ୍ଚାରଣ ମଧ୍ୟ ସମ୍ପୂର୍ଣ୍ଣରୂପେ ଲକ୍ଷିତ ହୁଏ । ଏହା ଛଡ଼ା, ପରେ ଯଦି ଅନୁନାସିକ ବର୍ଣ୍ଣ ଥାଏ, ତେବେ ଶବ୍ଦର ଆଦ୍ୟ ଓକାର ଉକାରରୂପେ ଉଚ୍ଚାରିତ ହୁଏ ଏବଂ ପରେ ‘ମ’ ଥିଲେ ଆଦ୍ୟ ଓକାର ଅକାରରେ ମଧ୍ୟ ପରିଣତ ହୋଇଯାଏ; ଯଥା–ପ୍ରା ଲୋଣ=ଓ ଲୁଣ, ସଂ ସୋମଫୁଲ=ଓ ସୁଆଁ ଫୁଲ, ସଂ କୋଣ=ଓ କୁଣ, ସଂ ରୋମ=ଓ ରୁମ, ପ୍ରା ସୋଣ୍ଣ=ଓ ସୁନା, ସଂ ଯୋଯନ=ଓ ଯୂଣ, ସଂକୋମଳ=ଓ କଁଳ, ସୋମନାଥ=ସମନାଥ, ସୋମବାର=ସଁବାର, ଫା କୋମର=ଓ କମର । ସୁତରାଂ ବନାନ-ସଂସ୍କାରକମାନଙ୍କର ମନେ ରଖିବା ଉଚିତ ଯେ, ଜାତିବାଚକ ‘ଡୋମ’ ଶବ୍ଦ ଓଡ଼ିଆରେ ‘ଡମ’ ରୂପେ ଲେଖିବା ଉଚିତ ।

ଐ, ଔ–ଏ,ଓ, ଏହି ଦୁଇଟି ବର୍ଣ୍ଣ ଅତି ଦୀର୍ଘଭାବରେ ଉଚ୍ଚାରିତ ହେଲେ ଯଥାକ୍ରମେ ଐ ଏବଂ ଔ ର ଧ୍ୱନି ଉତ୍ପନ୍ନ ହୋଇଥାଏ । କିନ୍ତୁ ସଂସ୍କୃତ ଭାଷାରେ ଏହି ଦୁଇଟି ବର୍ଣ୍ଣ ଯେପରି ଭାବରେ ଉଚ୍ଚାରିତ ହେଉଥିଲେ, ଓଡ଼ିଆ ଭାଷାରେ ସେପରି ଉଚ୍ଚାରିତ ହୁଅନ୍ତି ନାହିଁ । ଓଡ଼ିଆରେ ଏହି ବର୍ଣ୍ଣଦ୍ୱୟର ଉଚ୍ଚାରଣ ଏତେ ଶିଥିଳ ଯେ, ତାହା ସାଧାରଣତଃ ‘ଅଇ’ ଏବଂ ‘ଅଉ’ ରୂପେ ଶୁଣାଯାଏ-। ସେହି ହେତୁରୁ ଅନେକ ଲୋକ କୈଳାସ, ବୌଦ୍ଧ ପ୍ରଭୃତି ଶବ୍ଦ କଇଳାସ, ବଉଦ୍ଧ ପ୍ରଭୃତି ରୂପେ ଲେଖିଥାନ୍ତି । ପୁଣି ତାମିଲୀ ଭାଷାରେ ‘ଐ’ ଯେପରି ‘ଏଇ’ ରୂପେ ଉଚ୍ଚାରିତ ହୁଏ, ଓଡ଼ିଆରେ ଶବ୍ଦର ଅନ୍ତ୍ୟ ଐକାର ଠିକ୍‌ ସେହିପରି ଉଚ୍ଚାରିତ ହୁଏ । ‘ମେଘୈର୍ମେଦୁରମମ୍ବବୈଃ’–ଏହି ଶ୍ଳୋକଟି ଯେତେବେଳେ କେହି ପଢ଼ୁଥିବେ, ତେତେବେଳେ ପାଠକେ ‘ଐ’ର ଉକ୍ତ ଧ୍ୱନି ଲକ୍ଷ୍ୟ କରି ପାରିବେ ।

ବ୍ୟଞ୍ଜନବର୍ଣ୍ଣ

ବ୍ୟଞ୍ଜନବର୍ଣ୍ଣମାନଙ୍କ ଉଚ୍ଚାରଣ ସମ୍ବନ୍ଧରେ ଉଲ୍ଲେଖ କରିବା ପୂର୍ବରୁ ଓଡ଼ିଆ ଭାଷାର ସାଧାରଣ ଉଚ୍ଚାରଣ-ପ୍ରକୃତି ସମ୍ବନ୍ଧରେ କିଛି କହିବା ଉଚିତ । ଆମ୍ଭେମାନେ ପ୍ରତ୍ୟେକ ଶବ୍ଦର ଆଦ୍ୟ ଓ ଅନ୍ତବର୍ଣ୍ଣ ସମାନ ଭାବରେ ଉଚ୍ଚାରଣ କରୁଁ ; କେବଳ ମଧ୍ୟବର୍ଣ୍ଣକୁ ଆଦ୍ୟ ଓ ଅନ୍ତ୍ୟବର୍ଣ୍ଣ ତୁଳନାରେ ଅପେକ୍ଷାକୃତ ଲଘୁଭାବରେ ଉଚ୍ଚାରଣ କରୁ’’ । ସେହି ହେତୁରୁ ଅନେକ ସଂସ୍କୃତ ଓ ପାଲି ଶବ୍ଦର ମଧ୍ୟ ବର୍ଣ୍ଣ ଲୁପ୍ତ ହୋଇ ସେହି ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଅଛନ୍ତି; ଯଥା–ସଂ ଆମଳକୀ=ଓ ଅଁ ଳା, ସଂ ଚାମର=ଓ ଚଁର, ସଂ କୋକିଳ=ଓ କୋଇଲି ସଂ ଖଦିର=ଓ ଖଇର, ପା ନିବ୍‌ବଟନ=ଓ ନେଉଟ । ଏହିପରି ସଂସ୍କୃତ ଓ ପାଲି ଭାଷାରୁ ଗୃହୀତ ଶବ୍ଦମାନଙ୍କ ମଧ୍ୟରୁ ଯେତେ ଶବ୍ଦର ମଧ୍ୟ ବର୍ଣ୍ଣ ଲୁପ୍ତ ହୋଇ ପଡ଼ିଅଛି, ଆଦ୍ୟ ବା ଅନ୍ତ୍ୟବର୍ଣ୍ଣ ତେତେ ଶବ୍ଦରୁ ଲୁପ୍ତ ହୋଇ ନାହିଁ । ଓଡ଼ିଆ ଭାଷାର ଏହି ଉଚ୍ଚାରଣ-ପ୍ରକୃତି ଯୋଗୁଁ ସାଧାରଣ ଲୋକେ ମାରିଲା, ସାରିଲା ପ୍ରଭୃତି କ୍ରିୟାପଦମାନଙ୍କୁ ମାଇଲା, ସାଇଲା ପ୍ରଭୃତିରୂପେ ଉଚ୍ଚାରଣ କରନ୍ତି ।

ଶବ୍ଦର ଅନ୍ତ୍ୟବର୍ଣ୍ଣ ବଙ୍ଗାଳିମାନେ ଲଘୁଭାବରେ ଉଚ୍ଚାରଣ କରନ୍ତି ବୋଲି ମୋହିତ, ମାଛ, ଜଳ ପ୍ରଭୃତି ଶବ୍ଦ ସେମାନେ ଉଚ୍ଚାରଣ କଲାବେଳେ ସେଗୁଡ଼ିକ ଆମ୍ଭମାନଙ୍କ କାନକୁ ମୋହିତ୍, ମାଛ୍‌, ଜେଲ୍‌ ପ୍ରଭୃତି ରୂପେ ଶୁଭେ । କିନ୍ତୁ ତାମିଲୀ ଭାଷାରେ ଯେପରି କୌଣସି ଶବ୍ଦର ଅନ୍ତ୍ୟବର୍ଣ୍ଣ ସ୍ୱରବର୍ଣ୍ଣର ବିନା ସାହାଯ୍ୟରେ ଉଚ୍ଚାରିତ ହୋଇ ପାରେ ନାହିଁ । ସେହିପରି ଓଡ଼ିଆ ଭାଷାରେ କୌଣସି ଶବ୍ଦର ଅନ୍ତ୍ୟବର୍ଣ୍ଣ ହସନ୍ତରୂପେ ଉଚ୍ଚାରିତ ହୁଏ ନାହିଁ । ସୁତରାଂ ଆମ୍ଭେମାନେ ଶବ୍ଦର ମଧ୍ୟବର୍ଣ୍ଣ ଲଘୁଭାବରେ ଉଚ୍ଚାରଣ କରିବା ବିଚିତ୍ର ନୁହେ । କାରଣ, ଆଦ୍ୟବର୍ଣ୍ଣର ଉଚ୍ଚାରଣ ଉତ୍ତାରୁ ଶେଷ ବର୍ଣ୍ଣର ଉଚ୍ଚାରଣ ପର୍ଯ୍ୟନ୍ତ ପ୍ରଶ୍ୱାସର ଗତି ବନ୍ଦ ରହି ନ ପାରେ ।

ବର୍ଣ୍ଣମାନଙ୍କ ଧ୍ୱନି ସମ୍ବନ୍ଧରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଏ କଥା ମଧ୍ୟ ରଖିଥିବା ଉଚିତ ଯେ, ଜ୍ଞାନହୀନ ବ୍ୟକ୍ତି ଯେପରି ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ଜଳକଣାର ସମଷ୍ଟିରେ ସମୁଦ୍ରର ଅବସ୍ଥିତି ବୋଲି ବୁଝି ପାରେ ନାହିଁ, ସେହିପରି ଯେ ଇଂରେଜୀ ଭାଷା ଜାଣେ ନାହିଁ, କେହି ଇଂରେଜୀ ଭାଷାରେ କଥା କହୁଥିବାର ସେ ଶୁଣିଲେ ଇଂରେଜୀ ଭାଷାର ବିଭିନ୍ନ ବର୍ଣ୍ଣମାନଙ୍କ ଧ୍ୱନି କଦାପି ବାରି ପାରିବ ନାହିଁ । ଏହାର କାରଣ କଣ ? ଏକ ବାଗ୍‌ଯନ୍ତ୍ରରୁ ବାହାରୁଥିବା ବିଭିନ୍ନ ବର୍ଣ୍ଣମାନଙ୍କର ଧ୍ୱନି ମଧ୍ୟରେ ପରସ୍ପରରେ ଯେ ପ୍ରଭେଦ ଅଛି, ତାହା ଏତେ ଅଳ୍ପ ଯେ, ପ୍ରତ୍ୟେକ ଧ୍ୱନିକି ଚିହ୍ନି ନ ରଖିଲେ ସେମାନଙ୍କର ପରସ୍ପର ପ୍ରଭେଦ ବାରି ହେବ ନାହିଁ । ବର୍ଣ୍ଣମାନଙ୍କ ଧ୍ୱନି ଭିତରେ ଯେ ବେଶି ପ୍ରଭେଦ ନାହିଁ, ତାହା ଏହି ଅଧ୍ୟାୟରେ ପରବର୍ତ୍ତୀ ଅଂଶରୁ ମଧ୍ୟ ପାଠକମାନଙ୍କର ହୃଦ୍ଗତ ହେବ ।

କ,ଖ,ଗ,ଘ–ଏହି ବର୍ଣ୍ଣଗୁଡ଼ିକ କଣ୍ଠରୁ ଉଚ୍ଚାରିତ ବୋଲି ବ୍ୟାକରଣମାନଙ୍କରେ ଲେଖା ଅଛି । ଆଧୁନିକ ଯୁଗର ବାଗ୍‌ଯନ୍ତ୍ରର ବୈଜ୍ଞାନିକ ପରୀକ୍ଷାଦ୍ୱାରା ମଧ୍ୟ ଏ କଥା ସତ୍ୟ ବୋଲି ଜଣା ପଡ଼ିଅଛି । ସୁତରାଂ ପାଞ୍ଚୋଟି ବର୍ଣ୍ଣ ଯେତେବେଳେ ବାଗ୍‌ଯନ୍ତ୍ରର ଏକ ସ୍ଥାନରୁ ବାହାରନ୍ତି, ତେତେବେଳେ ସେମାନଙ୍କ ଧ୍ୱନି ଭିତରେ ବିଶେଷ ବୈଷମ୍ୟ ନ ଥିବା ବିଚିତ୍ର ନୁହେ । ପ୍ରଶ୍ୱାସର ଗତି ଟିକିଏ ପ୍ରଖର ହେଲେ ‘କ’ର ଧ୍ୱନି ଅନାୟାସରେ ‘ଖ’ର ଧ୍ୱନିରେ ପରିଣତ ହୋଇଯାଏ; ସେହିପରି ‘ଖ’ର ଧ୍ୱନି ବାହାରିବା ବେଳେ ପ୍ରଶ୍ୱାସର ଗତି ଟିକିଏ ମନ୍ଦ ହେଲେ ତାହା ‘କ’ର ଧ୍ୱନିରେ ପରିଣତ ହୋଇଯାଏ । ଗରାଖ, ଭିକ, ଭୋକ ପ୍ରଭୃତି ଓଡ଼ିଆ ଶବ୍ଦମାନଙ୍କର ବ୍ୟୁପତ୍ତିକ୍ରମ ଆଲୋଚନା କଲେ ଏ କଥା ଆହୁରି ସ୍ପଷ୍ଟରୂପେ ହୃଦୟଙ୍ଗମ କରି ହେବ । ସଂସ୍କୃତ ‘ଗ୍ରାହକ’ ଶବ୍ଦର ‘ହ’ ଉଚ୍ଚାରଣ କରିବାପାଇଁ ବାଗ୍‌ଯନ୍ତ୍ରରୁ ଯେ ପ୍ରଶ୍ୱାସ ବାହାରିଥିଲା, ତାହା ‘କ’ର ଧ୍ୱନିକି ‘ଖ’ର ଧ୍ୱନିରେ ପରିଣତ କରିଅଛି । ‘ବୁଭୁକ୍ଷା’ ଶବ୍ଦରୁ ‘ବୁ’ ଲୁପ୍ତ ହୋଇ ‘ଭୁ’ ‘ଭୋ’ରେ ପରିଣତ ହେବାରୁ ‘ଭୋ’ ଉଚ୍ଚାରଣ କରିବାପାଇଁ ବେଶି ପ୍ରଶ୍ୱାସର ପ୍ରୟୋଜନ ହୋଇଥିଲା (ମହାପ୍ରାଣବର୍ଣ୍ଣହେତୁରୁ)-। ତହିଁ ଉତ୍ତାରୁ ‘ଖ’ ଉଚ୍ଚାରଣ କରିବାପାଇଁ ବେଶି ପ୍ରଶ୍ୱାସ ନ ବାହାରିବାରୁ ତାହା ‘କ’ ରୂପେ ଉଚ୍ଚାରିତ ହେଲା । ସେହିପରି ‘ଭିକ୍ଷା’ ଶବ୍ଦ ‘ଭିକ’ରୂପେ ରୂପାନ୍ତରିତ । ଏହି ହେତୁରୁ ପ୍ରତ୍ୟେକ ବର୍ଗର ବର୍ଣ୍ଣ ଦୁଇ ଭାଗରେ ବିଭକ୍ତ–ଅଳ୍ପପ୍ରାଣ (unaspirate) ଓ ମହାପ୍ରାଣ (aspirate) । ଖ, ଘ, ଛ, ଝ, ଠ, ଢ, ଥ, ଧ, ଫ, ଭ–ଏଗୁଡ଼ିକ ମହାପ୍ରାଣ ନାମରେ ଅଭିହିତ । କ, ଗ, ଚ, ଜ, ଟ, ଡ, ତ, ଦ, ପ, ବ-ଏଗୁଡ଼ିକ ଅଳ୍ପପ୍ରାଣ ବର୍ଣ୍ଣ ନାମରେ ଅଭିହିତ । ଅଳ୍ପପ୍ରାଣ ବର୍ଣ୍ଣ ଓ ମହାପ୍ରାଣ ବର୍ଣ୍ଣ ମଧ୍ୟରେ କି ପ୍ରଭେଦ ଅଛି, ତାହା ପାଠକେ ବର୍ତ୍ତମାନ ବୁଝିପାରୁ ଥିବେ । ‘ଅ’ ଉଚ୍ଚାରଣ କଲାବେଳେ ପ୍ରଶ୍ୱାସର ଗତି ପ୍ରଖର ହେଲେ ‘ହ’–ର ଧ୍ୱନି ଉତ୍ପନ୍ନ ହୋଇଥାଏ । ‘ହ’ ମହାପ୍ରାଣ ବର୍ଣ୍ଣମାନଙ୍କ ଶ୍ରେଣୀଭୁକ୍ତ ହୋଇ ପାରେ । ଅନେକ ଶବ୍ଦର ମଧ୍ୟରେ କାହିଁକି ‘ହ’ ର ଧ୍ୱନି ଆଗମ ହୋଇଅଛି, ତାହାର କାରଣ ବର୍ତ୍ତମାନ ବୁଝାଯାଉଥିବ । ‘ହ’ ର ଧ୍ୱନି ନିମନ୍ତେ ପ୍ରଖର ପ୍ରଶ୍ୱାସର ପ୍ରୟୋଜନ ହେଉଥିବାରୁ ବିବାହ, ବହୁତ ପ୍ରଭୃତି ଶବ୍ଦ ସାଧାରଣ ଲୋକେ ବିଭା, ଭୋଉତ ପ୍ରଭୃତି ରୂପେ ଉଚ୍ଚାରଣ କରନ୍ତି । ସୁତରାଂ ବର୍ତ୍ତମାନ ଏ କଥା ଉଲ୍ଲେଖ କରିବାକୁ ହେଉଅଛି ଯେ, ପ୍ରତ୍ୟେକ ବର୍ଣ୍ଣର ଧ୍ୱନି ବାଗ୍‌ଯନ୍ତ୍ରର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରୁ ବାହାରେ ନାହିଁ । ଶବ୍ଦର ପ୍ରତ୍ୟେକ ବର୍ଣ୍ଣର ଧ୍ୱନି ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଧ୍ୱନିକି ଆଶ୍ରୟ କରି ବାହାରେ । ଏହି କାରଣରୁ ବର୍ଣ୍ଣମାନଙ୍କର ଧ୍ୱନି ପରିବର୍ତ୍ତିତ ହୁଏ ବୋଲି ବ୍ୟାକରଣମାନଙ୍କରେ ସନ୍ଧି-ସୂତ୍ରର ସୃଷ୍ଟି । ଏହିପରି ସୂକ୍ଷ୍ମ ଅନୁସନ୍ଧାନ କଲେ ଜଣାଯାଏ ଯେ, ବର୍ଣ୍ଣମାନଙ୍କ ଧ୍ୱନି ଭିତରେ ବେଶି ପ୍ରଭେଦ ନାହିଁ ଏବଂ କୌଣସି ବର୍ଣ୍ଣ ସର୍ବଦା ସମାନ ଭାବରେ ଉଚ୍ଚାରିତ ହୁଏ ନାହିଁ ।

ଅନୁନାସିକ ଧ୍ୱନିକି ଛାଡ଼ିଦେଲେ ବର୍ଗର ବାକି ଚାରୋଟି ଧ୍ୱନି ତାମିଲୀ ଭାଷାରେ ଗୋଟିଏ ଲିପିଦ୍ୱାରା ଚିହ୍ନିତ । ‘କ’ ଅକ୍ଷରଦ୍ୱାରା କ, ଖ, ଗ, ଘ ଏହି ବର୍ଣ୍ଣଗୁଡ଼ିକର ପ୍ରତ୍ୟେକ ଧ୍ୱନି ଉକ୍ତ ଭାଷାରେ ଚିହ୍ନିତ ହୋଇଥାଏ । ଏହିପରି ପ୍ରତ୍ୟେକ ବର୍ଣ୍ଣର ବିଭିନ୍ନ ଧ୍ୱନି ଗୋଟିଏ ଲିପିଦ୍ୱାରା ଚିହ୍ନିତ ହୁଏ । ତାମିଲୀ ଭାଷାର ଏହା ସାଧାରଣ ପ୍ରଭୃତି ଯେ, ବର୍ଗର ପ୍ରଥମ ବର୍ଣ୍ଣ କୌଣସି ଶବ୍ଦର ମଧ୍ୟରେ ବା ଅନ୍ତ୍ୟରେ ଥିଲେ ତାହା ଉଚ୍ଚାରିତ ହୋଇ ପାରେ (ଯଥା, ଚକ୍କନି) । ପୁଣି ବର୍ଗର ପ୍ରଥମ ବର୍ଣ୍ଣ ଛଡ଼ା ଅନ୍ୟ କୌଣସି ବର୍ଣ୍ଣ ଶବ୍ଦର ଆଦ୍ୟରେ ତାମିଲୀ ଭାଷାରେ ଉଚ୍ଚାରିତ ହୁଏ ନାହିଁ । ବର୍ଗର ପ୍ରଥମ ବର୍ଣ୍ଣ ଶବ୍ଦର ମଧ୍ୟରେ ଥିଲେ ତାହା ବର୍ଗର ତୃତୀୟ ବର୍ଣ୍ଣରୂପେ ଏବଂ ଯେ କୌଣସି ବର୍ଣ୍ଣ ଶବ୍‌ଦର ଆଦ୍ୟରେ ଥିଲେ ତାହା ପ୍ରଥମ ବର୍ଣ୍ଣରୂପେ ଉଚ୍ଚାରିତ ହୁଏ । ଉଦାହରଣସ୍ୱରୂପ ଉଲ୍ଲେଖ କରାଯାଇ ପାରେ ଯେ, ସଂସ୍କୃତ ‘ଶକଟ’ ଶବ୍ଦ ତାମିଲୀ ଭାଷାରେ ‘ଶଗଡ଼’ ରୂପେ ଉଚ୍ଚାରିତ । ଏହିପରି ସଂସ୍କୃତ ‘ଭାଗ’ ଶବ୍ଦ ‘ପାଗ’ ରୂପେ ଉଚ୍ଚାରିତ; ସୁତରାଂ ସଂସ୍କୃତ ଶାକ, ପାକ, ବକ, ଭାଗ୍ୟ ପ୍ରଭୃତି ଶବ୍ଦ ଯେ ଓଡ଼ିଆ ଭାଷାରେ ତାମିଲୀ ଭାଷାର ଉଚ୍ଚାରଣରୀତି ଅନୁସାରେ ଶାଗ, ପାଗ (ଉ-ତରକାରି ପାଗ, ପାଗ ହାଣ୍ଡି), ବଗ, ପାଗ (ଯଥା, ତା ପାଗ ପଡ଼ିଛି) ପ୍ରଭୃତି ରୂପେ ଉଚ୍ଚାରିତ, ଏଥିରେ ସନ୍ଦେହ ନାହିଁ । ଏହିପରି ସଂସ୍କୃତ ‘ଦଣ୍ଡ’ ଶବ୍ଦ ଓଡ଼ିଆରେ କେହି କେହି ‘ତଣ୍ଡ’ ରୂପେ ଉଚ୍ଚାରଣ କରିଥାନ୍ତି; ଯଥା- ସେ ଚୋରି କରିଥିବାରୁ ତାଙ୍କୁ ଦଶ ଟଙ୍କା ତଣ୍ଡ ପଡ଼ିଲା । ଏହିପରି ଉଚ୍ଚାରଣ ସମ୍ବନ୍ଧରେ ଆଲୋଚନା କଲେ ମନରେ ଯେ କୌତୁହଳ ଜାଗେ, ଏଥିରେ ସନ୍ଦେହ ନାହିଁ ।

ଉଚ୍ଚାରଣ ସମ୍ବନ୍ଧରେ କରୁଥିବା ଆଲୋଚନା ପଢ଼ି କେହି ମନେ କରିବେ ନାହିଁ ଯେ, ଏଠାରେ ଲିଖିତ ଭାଷାର ବର୍ଣ୍ଣମାନଙ୍କ ସମ୍ବନ୍ଧରେ ଆଲୋଚନା କରା ଯାଉଅଛି । ଲିଖିତ ଭାଷାର ବର୍ଣ୍ଣଗୁଡ଼ିକ ଆମ୍ଭେମାନେ ପ୍ରାୟ ସଂସ୍କୃତ ଭାଷାର ରୀତି ଅନୁଯାୟୀ ଉଚ୍ଚାରଣ କରିଥାଉଁ । କେବଳ ଡ, ଢ, ଯ, (ଅନ୍ତଃସ୍ଥ) ବ, ଶ, ଷ, କ୍ଷ,–ଏହି କେତୋଟି ଲିଖିତ ଭାଷାର ବର୍ଣ୍ଣ ଓଡ଼ିଶାର ଶିକ୍ଷିତ ଲୋକେ ମଧ୍ୟ ସଂସ୍କୃତ ଭାଷାର ରୀତି ଅନୁଯାୟୀ ଉଚ୍ଚାରଣ କରି ପାରନ୍ତି ନାହିଁ । ସୁତରାଂ ଅନ୍ୟ ବର୍ଣ୍ଣମାନଙ୍କ ଉଚ୍ଚାରଣ-ପ୍ରକୃତି ଆଲୋଚନା କରିବା ପୂର୍ବରୁ ଆଗେ ଏହି କେତୋଟି ବର୍ଣ୍ଣର ଉଚ୍ଚାରଣ ସମ୍ବନ୍ଧରେ ଆଲୋଚନା କରାଯିବ ।

ତାମ୍ରଶାସନ ବା ଶିଳାଲିପି ଆଲୋଚନା କଲେ କୌଣସିଠାରେ ଡ, ଢ–ଏହି ଦୁଇ ବର୍ଣ୍ଣତଳେ ବିନ୍ଦୁ ବା ଶୂନ୍ୟ ଦିଆଯାଇଥିବାର ଦେଖାଯାଏ ନାହିଁ । ଏବେ ହିନ୍ଦୀ ବର୍ଣ୍ଣମାଳାରେ ସେହି ଦୁଇଟି ବର୍ଣ୍ଣତଳେ ବିନ୍ଦୁ ଦିଆଯାଏ ନାହିଁ । ଏଥିରୁ ଜଣାଯାଏ ଯେ, ସଂସ୍କୃତ ଭାଷାରେ ଡ, ଢ- ଏହି ଦୁଇ ବର୍ଣ୍ଣର ଅନ୍ୟ ପ୍ରକାର ଧ୍ୱନି ନ ଥିଲା । କିନ୍ତୁ ଓଡ଼ିଆ ଓ ବଙ୍ଗଳା ଭାଷାରେ ଡ, ଢ ଶବ୍ଦର ପ୍ରଥମାକ୍ଷର ନ ହେଲେ କିମ୍ବା ଅନ୍ୟ ବର୍ଣ୍ଣ ସହିତ ଯୁକ୍ତ ନ ହେଲେ ଯଥାକ୍ରମେ ସେହି ଦୁଇଟି ବର୍ଣ୍ଣ ଡ, ଢ ରୂପେ ଉଚ୍ଚାରିତ ହୁଅନ୍ତି; ଅର୍ଥାତ୍ ତହିଁରେ ‘ର’ ର ଆଂଶିକ ଧ୍ୱନି ଯୁକ୍ତ ହୁଏ । ସେହି ହେତୁରୁ ଓଡ଼ିଆରେ କେତେବେଳେ ‘ଡ’ ସ୍ଥାନରେ ‘ର’, ପୁଣି କେତେବେଳେ ‘ର’ ସ୍ଥାନରେ ‘ଡ’ ଉଚ୍ଚାରିତ ହୋଇଥାଏ । [ଯଥା, ବଡ଼ି (ସଂ ବଟିକା)=ବରି, କର=କଡ଼ (ଉ- କଡ଼ ମାଡ଼ି ଶୋଇବା), ମରା=ମଡ଼ା (ଶବ)] । ଏଠାରେ ଏ କଥା ମଧ୍ୟ ଉଲ୍ଲେଖ କରିବା ଉଚିତ ଯେ, ଦ୍ରାବିଡ଼ୀ ଭାଷାରୁ ଏହି ‘ଡ’ ର ଧ୍ୱନି ଓଡ଼ିଆ ଭାଷାକୁ ଆସିଅଛି । ତାମିଲି ଭାଷାରେ ଏହିପରି ‘ଡ’ ର ଧ୍ୱନି ଅଛି ।

‘ଋ’-ରୁ ‘ର’-ର ଧ୍ୱନି ଉତ୍ପନ୍ନ ବୋଲି ସଂସ୍କୃତ ଭାଷାରେ ଏହା ଅର୍ଦ୍ଧସୁର ନାମରେ ଅଭିହିତ । ସେହି ହେତୁରୁ ଓଡ଼ିଆରେ ‘ଅ’ ବା ‘ଆ’ ସ୍ଥାନରେ; ‘ର’ ର ଧ୍ୱନି ଆଗମ ହୋଇଥାଏ (ଯଥା, ସଂ ଆଲୁଂଚ = ଓ ଆଞ୍ଚୁଡ଼ିବା ବା ରାଞ୍ଚୁଡ଼ିବା, ଆଣ=ରାଣ-ଶପଥ) । ଏହି ‘ର’ ର ଧ୍ୱନି ଓଡ଼ିଆ ଭାଷାରେ ‘ଡ’ ଓ ‘ଳ’ ରେ ନିହିତ ଥାଏ ବୋଲି କୁହା- ଯାଇଅଛି । ଉପେନ୍ଦ୍ର ଭଞ୍ଜ ମଧ୍ୟ ଡ, ର, ଳ–ଏହି ତିନି ବର୍ଣ୍ଣକୁ ଏକ ବର୍ଣ୍ଣ ମନେ କରି କେତେବେଳେ ‘ଡ’ ସ୍ଥାନରେ ‘ର’ ବା ‘ର’ ସ୍ଥାନରେ ‘ଳ’ ମିତ୍ରାକ୍ଷର ସୁବିଧା ନିମନ୍ତେ ରଚନାରେ ବ୍ୟବହାର କରି ପାରିବେ ବୋଲି ଲାବଣ୍ୟବତୀର ପ୍ରଥମ ଛାନ୍ଦରେ ଉଲ୍ଲେଖ କରିଅଛନ୍ତି (ଡ, ର, ଳ, ସାବର୍ଣ୍ଣ୍ୟ ବ୍ୟାକରଣରେ ଲିହି) । ଅଭିମନ୍ୟୁ ସାମନ୍ତସିଂହାର ମଧ୍ୟ ‘ର’ ସ୍ଥାନରେ ମିତ୍ରାକ୍ଷରର ସୁବିଧା ନିମନ୍ତେ ‘ଳ’ ବ୍ୟବହାର କରିଅଛନ୍ତି; ଯଥା,–ଶ୍ରୀରାଧା ବାତୁଳୀ, ପ୍ରେମରସାତୁଳୀ (ପ୍ରେମରସାତୁରୀ) । ଏଠାରେ ‘ପ୍ରେମରସାତୁଳୀ’ ଶବ୍ଦରୁ କୌଣସି ଅର୍ଥ ନିର୍ଦେଶିତ ନ ହେଉଥିବାରୁ କେହି କେହି ଭ୍ରମରେ ପଡ଼ି ତାହାକୁ ‘ପ୍ରେମରତ୍ନତଳୀ’ ରୂପେ ସିଦ୍ଧ କରନ୍ତି । କିନ୍ତୁ ଏହା କେତେଦୂର ସମୀଚୀନ, ତାହା ପାଠକେ ବିଚାର କରିବେ ।

ସଂସ୍କୃତ ଭାଷାରେ ‘କ୍ଷ’ ସାଧାରଣତଃ ପ୍ରଥମେ ‘କ୍ସ’ ରୂପେ ଉଚ୍ଚାରିତ ହେଉଥିଲା । ପରବର୍ତ୍ତୀ ଯୁଗରେ ଏହା ‘ଖ’ ରୂପେ ଉଚ୍ଚାରିତ ହେବାରୁ ସଂସ୍କୃତ ‘କ୍ଷୁଦ୍ରତାତ’ ଶବ୍ଦ ‘ଖୁଲ୍ଲତାତ’ ରେ ପରିଣତ ହୋଇଥିଲା । ‘କ୍ଷ’ ବର୍ତ୍ତମାନ ବଙ୍ଗଳା ଭାଷାରେ ‘ଖ’ ରୂପେ ଉଚ୍ଚାରିତ । କିନ୍ତୁ ଓଡ଼ିଆରେ ଏହା ‘ଖ୍ୟ’ ରୂପେ ଉଚ୍ଚାରିତ । ଯଦି ‘କ୍ଷ’ କୌଣସି ଶବ୍ଦରେ ଯୁକ୍ତାକ୍ଷରରୂପେ ବ୍ୟବହୃତ ହୋଇଥାଏ, ତେବେ ସେଠାରେ କେବଳ ତାହାକୁ ଆମ୍ଭେମାନେ ‘ଖ’ ରୂପେ ଉଚ୍ଚାରଣ କରୁଁ; ଯଥା,–ପକ୍ଷୀ=ପଖୀ, ଲକ୍ଷ୍ୟ=ଲଖ୍ୟ, ପକ୍ଷ=ପଖ ।

‘କ୍ଷ’ ପ୍ରାକୃତ ଭାଷାରେ ବେଳେ ବେଳେ ‘ଛ’ ରୂପେ ଉଚ୍ଚାରିତ ହୋଇ ଥିବାରୁ ସଂସ୍କୃତ ମକ୍ଷିକା ଓ କ୍ଷୁର ଶବ୍ଦଦ୍ୱୟରୁ ମାଛି ଛୁରି ଶବ୍ଦଦ୍ୱୟ ଉତ୍ପନ୍ନ ହୋଇଥିଲା । ବର୍ତ୍ତମାନ ଓଡ଼ିଶାରେ କେହି କେହି ଏହି ବର୍ଣ୍ଣଟିକି ‘ଛ’ ରୂପେ ଉଚ୍ଚାରଣ କରିଥାନ୍ତି । ସେହି ହେତୁରୁ ‘କ୍ଷୌର’, ‘ଏହିକ୍ଷଣି’ ପ୍ରଭୃତି ଶବ୍ଦ ଅନେକ ସମୟରେ ‘ଛର’ ‘ଇଛିଣି’ ପ୍ରଭୃତିରେ ପରିଣତ ହୁଅନ୍ତି । ପ୍ରାଚୀନ କାଳରେ ‘କ୍ଷ’ ଓଡ଼ିଆରେ ବୋଧ ହୁଏ ସର୍ବଦା ‘ଛ’ ରୂପେ ଉଚ୍ଚାରିତ ହେଉଥିଲା । ସେହି ହେତୁରୁ ‘କ୍ଷ’ ‘ଛ’–ଏହି ଦୁଇବର୍ଣ୍ଣ ମଧ୍ୟରେ ଧ୍ୱନିର ପ୍ରଭେଦ ନ ଥିବାର ଦେଖି ସେ କାଳର କବିମାନେ କୌଣସି କୌଣସି ଶବ୍ଦସ୍ଥ ‘କ୍ଷ’ ପରିବର୍ତ୍ତରେ ‘ଛ’ ଯୋଗ କରି ସେହି ଶବ୍ଦ ସେମାନଙ୍କ କବିତାରେ ବ୍ୟବହାର କରିଅଛନ୍ତି-। ଉଦାହରଣସ୍ୱରୂପ ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ମାର୍କଣ୍ଡ ଦାସ କେଶବ-କୋଇଲି’ରେ ‘ଛନ୍ଦଣି’ ପବିବର୍ତ୍ତରେ ‘କ୍ଷନ୍ଦଣି’ ବ୍ୟବହାର କରିଅଛନ୍ତି (ଯଥା, କୋଇଲି କ୍ଷନ୍ଦଣୀ ବନ୍ଧଣୀ ଭୁବଦଣ୍ଡ) । ସେହିପରି ବଳରାମ ଦାସ ମଧ୍ୟ ‘କାନ୍ତକୋଇଲି’ରେ ‘ଛଛନ୍ଦରେ’ (ସ୍ୱଚ୍ଛନ୍ଦରେ) ପରିବର୍ତ୍ତେ ‘କ୍ଷକ୍ଷଦ୍ରେ’ ବ୍ୟବହାର କରିଅଛନ୍ତି (ଯଥା, କ୍ଷକ୍ଷନ୍ଦ୍ରେ ଭଣିଲେ ଗୀତେ ବଳରାମ ଦାସ ଲୋ କୋଇଲି) ।

ଓଡ଼ିଆରେ ‘ଶ’, ‘ଷ’, ଏହି ଦୁଇଟି ବର୍ଣ୍ଣର ପ୍ରକୃତ ଧ୍ୱନି ପ୍ରାୟ ଲକ୍ଷିତ ହୁଏ ନାହିଁ; କେବଳ ‘ସ’ ର ଧ୍ୱନି ଲକ୍ଷିତ ହୁଏ । ସେହି ହେତୁରୁ ଇଂରେଜୀ Short ଓ Sort ଶବ୍ଦଦ୍ୱୟର ଉଚ୍ଚାରଣ ମଧ୍ୟରେ ପରସ୍ପରରେ ଯେ ପ୍ରଭେଦ ଅଛି, ତାହା ଓଡ଼ିଆ ଛାତ୍ରମାନେ ପ୍ରଥମେ ପ୍ରଥମେ ବାରି ପାରନ୍ତି ନାହିଁ । ପୁଣି ତାମିଲୀ ଭାଷାରେ ଶ, ଷ, ସ–ଏହି ତିନି ଧ୍ୱନି ନ ଥିବାରୁ ତାମିଲୀରେ ଏମାନଙ୍କ ଧ୍ୱନିସୂଚକ କୌଣସି ଲିପି ପ୍ରଚଳିତ ନାହିଁ । ଉକ୍ତ ଭାଷାରେ କୌଣସି ସଂସ୍କୃତ ଶବ୍ଦସ୍ଥିତ ଉକ୍ତ ଧ୍ୱନିଗୁଡ଼ିକ ‘ଚ’ ଲିପିଦ୍ୱାରା ଚିହ୍ନିତ ହୋଇଥାନ୍ତି । କାରଣ ତାମିଲୀ ଭାଷାରେ ଶ, ଷ, ସ,–ଏ ଗୁଡ଼ିକ ପ୍ରାୟ ‘ଚ’ ରୂପେ ଉଚ୍ଚାରିତ । ଓଡ଼ିଆରେ ମଧ୍ୟ ଅନେକ ସମୟରେ ଉକ୍ତ ବର୍ଣ୍ଣଗୁଡ଼ିକ ‘ଛ’ ରୂପେ ଉଚ୍ଚାରିତ ହୁଅନ୍ତି । ଏଣୁ ସଂସ୍କୃତ ସ୍ୱଚ୍ଛନ୍ଦ, ସଞ୍ଚିବା, ସତ୍ର, ଶ୍ୱେତ, ସୂତକ, ସ୍ୱୟଂ, ଶାଳା ଓ ପ୍ରାକୃତ ସଚ୍ଚା (ସଂ ସତ୍ୟ) ପ୍ରଭୃତି ଓଡ଼ିଆରେ କେହି କେହି ଛଛନ୍ଦ, ଛଞ୍ଚିବା, ଛତ୍ର (ଛତ୍ରଖିଆ), ଛେତା, ଛୁତକ, ଛାୟେଁ ଚାଳ ଓ ଛତା ପ୍ରଭୃତିରୂପେ ଉଚ୍ଚାରଣ କରନ୍ତି । ‘ଷ’ ର ଧ୍ୱନି ‘କ୍ଷ’ ରେ ଥିବାରୁ ‘ଛ’ ରେ ପରିଣତ ହୁଏ ଓ ‘ଷ’ ମଧ୍ୟ ‘ଖ’ ରେ ବେଳେ ବେଳେ ପରିଣତ ହୁଏ (ଯଥା, ଭାଷା-ଭାଖା) । ଯାହା ହେଉ, ଯାଉଛି, କରୁଛି ପ୍ରଭୃତି କ୍ରିୟାପଦଗୁଡ଼ିକ ସମ୍ବଲପୁର ଅଞ୍ଚଳରେ କାହିଁକି ଯାଉସି, କର୍‌ସି ପ୍ରଭୃତିରେ ପରିଣତ ହୁଅନ୍ତି, ତାହାର କାରଣ ବର୍ତ୍ତମାନ ପାଠକେ ବୁଝି ପାରୁଥିବେ ।

ଆହୁରି ଗୋଟିଏ କଥା ଉଲ୍ଲେଖ କରିବା ଉଚିତ ଯେ, ପୂର୍ବମାଗଧୀ ପ୍ରକୃତରେ ‘ଶ’ ର ପ୍ରଚଳନ ବେଶି ଥିଲା । ସେହି ହେତୁରୁ ବଙ୍ଗଳା ଭାଷାରୁ ‘ଶ’ ର ଉଚ୍ଚାରଣ ଲୁପ୍ତ ହୋଇ ନାହିଁ । କିନ୍ତୁ ଶୌରସେନୀ ପ୍ରାକୃତରେ ଯେପରି ‘ଶ’ ର ଉଚ୍ଚାରଣ ନ ଥାଇ କେବଳ ‘ସ’ ର ଉଚ୍ଚାରଣ ଥିଲା, ଓଡ଼ିଆରେ ସେହିପରି କେବଳ ‘ସ’ ର ଉଚ୍ଚାରଣ ଅଛି । ଓଡ଼ିଶା-ପୁରାତତ୍ତ୍ୱରୁ ଏହା ଜଣାପଡ଼ିଅଛି ଯେ, ଉତ୍କଳର ବହୁ ପ୍ରାଚୀନ କାଳରୁ ଶବରମାନେ ବାସ କରୁଅଛନ୍ତି । ନାଟ୍ୟଶାସ୍ତ୍ରରେ ଉଲ୍ଲେଖ ଅଛି ଯେ,ଶବରମାନଙ୍କ ଭାଷାରେ କେବଳ ‘ସ’ ପ୍ରଚଳିତ (ଶବରାଣାଂ ଶକାଦୀନାଂ ତତ୍‌ସ୍ୱଭାବଶ୍ଚ ଯୋ ଗଣଃ, ସକାରଭାଷା ଯୋକ୍ତବ୍ୟା ଚଣ୍ଡାଳୀ ପୁକ୍କସାଦିଷୁ-ଅ ୧୭, ଶ୍ଳୋ ୧୩) । ସୁତରାଂ ଶବରମାନଙ୍କ ସଂସ୍ରବରେ ଓଡ଼ିଆରୁ ‘ଶ’, ‘ଷ’–ଏହି ଦୁଇ ବର୍ଣ୍ଣର ଧ୍ୱନି ଲୁପ୍ତ ହୋଇ କେବଳ ‘ସ’ର ଧ୍ୱନି ତହିଁରେ ପ୍ରଚଳିତ ହୋଇଅଛି ବୋଲି ମନେ ହୁଏ ।

ବାଗ୍‌ଯନ୍ତ୍ରର ବୈଜ୍ଞାନିକ ପରୀକ୍ଷାରୁ ଜଣା ଯାଇଅଛି ଯେ, ଖ, ଘ ପ୍ରଭୃତି ମହାପ୍ରାଣବର୍ଣ୍ଣ ଉଚ୍ଚାରଣ କରିବା ପାଇଁ ପ୍ରଶ୍ୱାସବାୟୁ ଯେପରି ବେଶି ପରିମାଣରେ ନିଃସାରିତ ହୁଏ, ‘ସ’ ଉଚ୍ଚାରଣ କରିବା ପାଇଁ ସେହିପରି ମଧ୍ୟ ନିଃସାରିତ ହୋଇଥାଏ । ସୁତରାଂ ‘ସ’ କୁ ମହାପ୍ରାଣ ବର୍ଣ୍ଣମାନଙ୍କ ଶ୍ରେଣୀଭୁକ୍ତ କରାଯାଇ ପାରେ । ଏପରି ସ୍ଥଳରେ ଓଡ଼ିଆର ଶାସ୍ତ୍ର, ସ୍ନାନ, ଶସ୍ତ୍ର ପ୍ରଭୃତି ଶବ୍ଦ ବେଳେ ବେଳେ ସାହାସ୍ର, ସ୍ରାହନ, ସହସ୍ର ପ୍ରଭୃତିରୂପେ ଉଚ୍ଚାରିତ ହେବା ବିଚିତ୍ର ନୁହେ ।

ଭାଷାତତ୍ତ୍ୱବିତ୍‌ମାନେ ଅନୁମାନ କରନ୍ତି ଯେ, ସଂସ୍କୃତ ଭାଷାରେ ପ୍ରଥମେ ‘ଣ’ ର ଧ୍ୱନି ନ ଥିଲା । ବର୍ତ୍ତମାନ ହିନ୍ଦୀ, ବଙ୍ଗଳା, ଆସାମୀ ପ୍ରଭୃତି ଭାଷାରେ ମଧ୍ୟ ଏହି ଧ୍ୱନିଟି ନାହିଁ । କିନ୍ତୁ ଦ୍ରାବିଡ଼ୀ ଭାଷାମାନଙ୍କରେ ଓ ଓଡ଼ିଆ ଭାଷାରେ ଏହି ଧ୍ୱନିଟି ଅଛି । ଭାଷାତତ୍ତ୍ୱବିତ୍‍ମାନେ କହନ୍ତି ଯେ, ଦ୍ରାବିଡ଼ୀ ଭାଷାପ୍ରଭାବରେ ସଂସ୍କୃତ ଭାଷାର ‘ନ’ ଅନେକ ସ୍ଥାନରେ ‘ଣ’ ରେ ପରିଣତ ହୋଇଥିଲା । କେତେକ ନିର୍ଦିଷ୍ଟ ସ୍ଥାନରେ ସଂସ୍କୃତ ଭାଷାରେ ‘ନ’, ‘ଣ’-ରେ ପରିଣତ ହୋଇ ଥିବାରୁ ଏବଂ କୌଣସି ସଂସ୍କୃତ ଧାତୁରେ ‘ଣ’ ନ ଥିବାରୁ ସଂସ୍କୃତଭାଷାରେ ପ୍ରଥମେ ‘ଣ’ ର ଧ୍ୱନି ନ ଥିଲା ବୋଲି ବିଶ୍ୱାସ ହୁଏ । ପ୍ରାକୃତ ଭାଷାରେ ‘ଣ’ ର ଧ୍ୱନି ଏତେ ବହୁଳ ହୋଇଥିଲା ଯେ, ଯେ କୌଣସି ସଂସ୍କୃତଶବ୍ଦସ୍ଥିତ ‘ନ’ ତହିଁରେ ‘ଣ’ ରେ ପରିଣତ ହୋଇ ପଡ଼ୁଥିଲା । ଏବେ ମଧ୍ୟ ସଂସ୍କୃତ ଜନ, ବନ ପ୍ରଭୃତି ଶବ୍ଦ ଓଡ଼ିଆରେ ଜଣ, ବଣ ପ୍ରଭୃତିରୂପେ ଉଚ୍ଚାରିତ । ‘ଣ’ ର ଧ୍ୱନି ‘ନ’ ର ଅପେକ୍ଷା କୋମଳ-। ‘ନ’ ର ଧ୍ୱନିରେ ‘ର’ ର ଧ୍ୱନି ମିଶି ‘ଣ’ ର ଧ୍ୱନି ଉତ୍ପନ୍ନ । ‘ନ’ ର ଧ୍ୱନି କର୍କଶ ବୋଲି ଓଡ଼ିଆରେ ‘ନ୍ନ’ ସାଧାରଣ ଲୋକେ ଉଚ୍ଚାରଣ କରି ନ ପାରି ‘ର୍ଣ୍ଣ’ରୂପେ ଉଚ୍ଚାରଣ କରନ୍ତି; ଯଥା–ଜଗନ୍ନାଥ, ଜଗର୍ଣ୍ଣାଥ ଅନ୍ନ=ଅର୍ଣ୍ଣ ।

ଆହୁରି ଗୋଟିଏ କଥା ଉଲ୍ଲେଖ କରିବା ଉଚିତ ଯେ, ଓଡ଼ିଶାର ଶିଶୁମାନେ ‘ଣ’ ଉଚ୍ଚାରଣ କରି ପାରନ୍ତି ନାହିଁ । ପ୍ରାକୃତ ଭାଷା ତୁଳନାରେ ଓଡ଼ିଆରେ ‘ଣ’ ର ଧ୍ୱନି ଅତ୍ୟଳ୍ପ ଥିବାରୁ ମନେ ହୁଏ, ଏହି ଧ୍ୱନିଟି କ୍ରମଶଃ ଲୁପ୍ତ ହୋଇ ପଡ଼ୁଅଛି ।

ଙ,ଞ୍ଜ–ଏହି ଦୁଇଟି ଅନୁନାସିକ ବର୍ଣ୍ଣ କୌଣସି ବର୍ଣ୍ଣରେ ଯୁକ୍ତ ନ ହୋଇ ସ୍ୱତନ୍ତ୍ରଭାବରେ କୌଣସି ଶବ୍ଦରେ ରହି ପାରନ୍ତି ନାହିଁ । କିନ୍ତୁ ‘ମ’ ଓଡ଼ିଆ ଭାଷାରେ ଅନେକ ସମୟରେ ସ୍ୱତନ୍ତ୍ରଭାବରେ ରହିଲେ ମଧ୍ୟ ଯେଉଁସବୁ ସଂସ୍କୃତ ଶବ୍ଦର ଅନ୍ତ୍ୟରେ ବା ମଧ୍ୟରେ ‘ମ’ ଥିଲା, ସେହି ସବୁ ଶବ୍ଦଗୁଡ଼ିକ ଓଡ଼ିଆରେ ବ୍ୟବହୃତ ହେବା ଫଳରେ ତହିଁ ରୁ ‘ମ’ ର ଧ୍ୱନି ଲୁପ୍ତ ହୋଇ କେବଳ ଅର୍ଦ୍ଧ-ଅନୁନାସିକ ଧ୍ୱନି ରହିଅଛି (ଯଥା, ସଂ କୋମଳ=ଓ କଁଳ, ସଂ ଭୂମି=ଓ ଭୂଇଁ, ସଂ ଯାମଳ=ଓ ଯାଁଳା) । ଏହା ବୋଲି ସଂସ୍କୃତଭାଷାରେ ‘ମ’ ର ଧ୍ୱନି ଯେପରି ଉଚ୍ଚାରିତ ହେଉଥିଲା, ଓଡ଼ିଆରେ ସେପରି ଉଚ୍ଚାରିତ ହୁଏ ନାହିଁ- ଏପରି କେହି ମନେ କରିବେ ନାହିଁ । ଯେଉଁ ସବୁ ସଂସ୍କୃତ ଶବ୍ଦ ରୂପାନ୍ତରିତ ହୋଇ ନାହିଁ, ସେହି ସବୁ ଶବ୍ଦସ୍ଥିତ ‘ମ’ ସଂସ୍କୃତ ଭାଷା ଭଳିଆ ଉଚ୍ଚାରିତ । କିନ୍ତୁ ‘ମ’ ଯଦି ଫଳାରୂପେ କୌଣସି ବର୍ଣ୍ଣରେ ଯୁକ୍ତ ହୋଇଥାଏ ତେବେ ସେଠାରେ ‘ମ’ ଆମ୍ଭେମାନେ ‘ଉଅଁ’ ବା ‘ଉମ’ ରୂପେ ଉଚ୍ଚାରଣ କରୁଁ, ଯଥା–ପଦ୍ମ=ପଦୁଅଁ, ସୁକ୍ଷ୍ମ=ସୁଖମ । ଏଥିରୁ ଜଣା ଯାଉଅଛି ଯେ, ‘ମ’ ର ଧ୍ୱନି ଉଚ୍ଚାରିତ ହେଲାବେଳେ ତାହା ‘ଉ’ ର ଧ୍ୱନିକି ଅନୁସରଣ କରେ । ସୁତରାଂ ସଂସ୍କୃତ ବଂଶ (କୁଳ), ପାଁଶ୍ଚ, ମାଂସ, ବଂଶ ପ୍ରଭୃତି ଶବ୍ଦମାନ ଓଡ଼ିଆରେ କାହିଁକି ଯଥାକ୍ରମେ ବାଉଁଶ, ପାଉଁସ, ମାଉଁସ, ବାଉଁଶ ପ୍ରଭୃତିରେ ପରିଣତ, ହୁଅନ୍ତି ତାହାର କାରଣ ବର୍ତ୍ତମାନ ପାଠକମାନେ ବୁଝିପାରୁଥିବେ । ‘ମ’ ଉଚ୍ଚାରଣ କରିବା ପାଇଁ ‘ଉ’ ର ଧ୍ୱନି ବାହାରୁ ଥିବାରୁ କୌଣସି ଶବ୍ଦରେ ‘ମ’ ର ପୂର୍ବରେ ଯଦି ଆକାର ଥାଏ, ତେବେ ତାହା ଓଡ଼ିଆ ଭାଷାରେ ଅକାରରୂପେ ଉଚ୍ଚାରିତ ହୁଏ; ଯଥା,-ଆ ଆମୀନ=ଓ ଅମୀନ, ସଂ ଚାମର=ଓ ଚଁର, ସଂ ଆମଳକୀ=ଓ ଅଁଳା । ଏପରି ଘଟିବାର କାରଣ ଏହି ଯେ, ‘ଉ’ ଉଚ୍ଚାରଣ କରିବା ପାଇଁ ପାଟି ମୁଦିବାକୁ ପଡ଼ୁଥିବାରୁ ‘ଆ’ ଉଚ୍ଚାରଣ କରିବା ପାଇଁ ପାଟି ମେଲା କରିବା ସହଜ ହୁଏ ନାହିଁ । ଯାହା ହେଉ ‘ଉଦିଲା’ କ୍ରିୟାପଦ ‘ଉଇଲା’ ରେ ପରିଣତ ନ ହୋଇ ‘ଉଇଁଲା’ ରେ କାହିଁକି ପରିଣତ ହୁଏ, ତାହାର କାରଣ ବର୍ତ୍ତମାନ ବୋଧ ହୁଏ ଉଲ୍ଲେଖ ନ କଲେ ଚଳେ । ଏଠାରେ କିନ୍ତୁ ଏ କଥା ଉଲ୍ଲେଖ କରିବା ଉଚିତ ଯେ, ‘ଉଇଁଲା’ ନ ଲେଖି ‘ଉଁଇଲା’ ଲେଖିବା ସମୀଚୀନ । କାରଣ, ‘ଉ’ ର ଧ୍ୱନି ସଙ୍ଗେ ଓଡ଼ିଆରେ ଅର୍ଦ୍ଧଅନୁନାସିକ ଧ୍ୱନି ଉତ୍ପନ୍ନ ହୋଇଥାଏ । ସେହି ହେତୁରୁ ‘କରୁ’ କ୍ରିୟାପଦ ‘କରୁ’ ରୂପେ ଉଚ୍ଚାରିତ ହୋଉଥାଏ । ‘ଉ’ ଯେପରି ଓଷ୍ଠର ସାହାଯ୍ୟରେ ଉଚ୍ଚାରିତ ହୋଇଥାଏ, ପ, ଫ, ବ, ଭ, ମ–ଏହି ବର୍ଣ୍ଣଗୁଡ଼ିକ ସେହିପରି ଓଷ୍ଠର ସାହାଯ୍ୟରେ ଉଚ୍ଚାରିତ ହୋଇଥାନ୍ତି । ସୁତରାଂ ‘ଉ’ ଉଚ୍ଚାରଣ କରିବାବେଳେ ‘ମ’ ର ଧ୍ୱନି ବା ‘ମ’ ଉଚ୍ଚାରଣ କରିବାବେଳେ ‘ଉ’ ର ଧ୍ୱନି ଅନୁସରଣ କରିବା ବିଚିତ୍ର ନୁହେ ।

ବାଗ୍‌ଯନ୍ତ୍ରର ଏକ ସ୍ଥାନରୁ ଉଚ୍ଚାରିତ ବୋଲି ଅନେକ ଭାଷାରେ ‘ମ’ ର ଧ୍ୱନିକୁ ‘ବ’ ର ଧ୍ୱନି ଅନୁସରଣ କରିଥାଏ । ପାଲିରେ ସଂସ୍କୃତ ଆମ୍ର, ତାମ୍ର ପ୍ରଭୃତି ଶବ୍ଦ ଆମ୍ବ୍ର, ତାମ୍ବ୍ର ପ୍ରଭୃତିରୂପେ ଉଚ୍ଚାରିତ ହେଉଥିଲେ । ଏଥିରୁ ଓଡ଼ିଆ ଆମ୍ବ, ତମ୍ୱା ପ୍ରଭୃତି ଶବ୍ଦମାନଙ୍କର ସୃଷ୍ଟି । ଇଂରେଜୀରେ ମଧ୍ୟ Neumerus (Latin), Sluma (Old English), Thum (Old English), Humils ପ୍ରଭୃତି ଶବ୍ଦମାନଙ୍କରୁ Number, Slumber, Thumb, Humble ପ୍ରଭୃତି ଶବ୍ଦମାନ ଉତ୍ପନ୍ନ । ‘ମ’ ର ଧ୍ୱନି ବାଗ୍‌ଯନ୍ତ୍ରର ଯେଉଁ ସ୍ଥାନରୁ ବାହାରେ, ‘ବ’ ର ଧ୍ୱନି ସେହି ସ୍ଥାନର ଅତି ନିକଟରୁ ବାହାରେ ବୋଲି ଏପରି ଘଟିଥାଏ–ଏ କଥା Dumville ସାହେବ ନିଜ ରଚିତ ‘Science of Speech’ରେ ଲେଖିଅଛନ୍ତି । ଏହି ହେତୁରୁ ‘ବ’ ଅନେକ ଭାଷାରେ ‘ମ’ ରେ ପରିଣତ ହୋଇଥାଏ । ଓଡ଼ିଆରେ ‘ବିନତି’ପରିବର୍ତ୍ତରେ ‘ମିନତି’ ଉଚ୍ଚାରିତ ହୋଇଥାଏ । ପୁଣି ସଂସ୍କୃତରେ ମଧ୍ୟ ‘ବତ୍’ ପ୍ରତ୍ୟୟ ‘ମତ୍’ ରେ ଏବଂ ବତ୍ ଓ ମତ୍ ପ୍ରତ୍ୟୟାନ୍ତ ଶବ୍ଦଗୁଡ଼ିକ ବହୁବଚନରେ ବନ୍ତ ଓ ମନ୍ତ ପ୍ରତ୍ୟୟାନ୍ତ ହୋଇ ପଡ଼ନ୍ତି । ବର୍ତ୍ତମାନ ଓଡ଼ିଆରେ ଏକବଚନରେ, ମଧ୍ୟ ‘ବନ୍ତ’ ଓ ‘ମନ୍ତ’ ପ୍ରତ୍ୟୟ ବ୍ୟବହୃତ; ଯଥା–ଧନବନ୍ତ, ବା ଧନମନ୍ତ । ସୁତରାଂ ସଂସ୍କୃତ ‘ବନ୍ତ୍ର’ ଶବ୍ଦ ପାଲିରେ ‘ବକ୍‍କ’-ରେ ପରିଣତ ହୋଇ ତହିଁରୁ ଓଡ଼ିଆ ‘ବାଙ୍କ’ ଶବ୍ଦ ଉତ୍ପନ୍ନ ହେବାପାଇଁ ଅନୁନାସିକ ଧ୍ୱନି ଆସିବା ବିଚିତ୍ର ନୁହେ । ସେହିପରି ‘ଗ’ ର ଧ୍ୱନି ସଙ୍ଗେ ମଧ୍ୟ ଓଡ଼ିଆରେ ଅନୁନାସିକ ଧ୍ୱନି ବାହାରେ (ଯଥା, ଫିଗ=ଫିଙ୍ଗ) ଏ କଥା ମଧ୍ୟ ଏଠାରେ ଉଲ୍ଲେଖ କରିବା ଉଚିତ ଯେ, ଦ୍ରାବିଡ଼ୀ ଭାଷାରେ ‘ଗ’ ର ଧ୍ୱନିକି ଅନୁନାସିକ ଧ୍ୱନି ଅନୁସରଣ କରିଥାଏ ।

ବର୍ତ୍ତମାନ ଏହା ବକ୍ତବ୍ୟ ଯେ, ‘ମ୍ମ’ ଓଡ଼ିଆରେ ସାଧାରଣତଃ ବେଳେ ବେଳେ ‘ନମ’ ରୂପେ ଉଚ୍ଚାରିତ (ଯଥା, ସମ୍ମୁଖ=ସନମୁଖ, ସମ୍ମାନ=ସନମାନ, ସମ୍ମତି=ସନମତି) । କିନ୍ତୁ ‘ଅମାତ୍ୟ’ କାହିଁକି ଓଡ଼ିଆରେ ‘ଅମନାତ୍ୟ’ ରୂପେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବ୍ୟବହୃତ ହୋଇଅଛି, କହିହେବ ନାହିଁ ।

ଚ, ଛ, ଜ, ଝ ପ୍ରଭୃତି ତାଲବ୍ୟ ବର୍ଣ୍ଣ ଏବଂ ତ, ଥ, ଦ, ଧ ପ୍ରଭୃତି ଦନ୍ତ୍ୟବର୍ଣ୍ଣଗୁଡ଼ିକର ଉଚ୍ଚାରଣ ସଂସ୍କୃତ ଭାଷାର ଉଚ୍ଚାରଣନୁରୂପେ ଓଡ଼ିଆରେ ପ୍ରଚଳିତ ଥିଲେ ମଧ୍ୟ ଅନେକ ସମୟରେ କୌଣସି କୌଣସି ତାଲବ୍ୟ ବର୍ଣ୍ଣ ଦନ୍ତ୍ୟବର୍ଣ୍ଣରୂପେ ଓ କୌଣସି କୌଣସି ଦନ୍ତ୍ୟବର୍ଣ୍ଣ ତାଲବ୍ୟ ବର୍ଣ୍ଣରୂପେ ସାଧାରଣ ଲୋକେ ଉଚ୍ଚାରଣ କରନ୍ତି । ସଂସ୍କୃତ ‘ତର୍ଜ୍ଜ’ରୁ ଓଡ଼ିଆରେ ‘ରଜିବା’ ପ୍ରଚଳିତ । ପୁଣି ‘ଜ’କୁ‘ଦ’ରେ ପରିଣତ କରି କେହି କେହି ‘ଚଦିବା’ ମଧ୍ୟ କହନ୍ତି । ଆହୁରି ମଧ୍ୟ ‘ଚାଷ’ ଶବ୍ଦର ‘ଷ’କୁ ଯେତେବେଳେ ‘ସ’ ରେ ପରିଣତ କରି ଉଚ୍ଚାରଣ କରୁଁ, ତେତେବେଳେ ‘ଚ’ ମଧ୍ୟ ‘ତ’ ରେ ପରିଣତ ହୋଇ ଉକ୍ତ ଶବ୍ଦଟି ‘ତାସ’ ରୂପେ ଉଚ୍ଚାରିତ ହୋଇଥାଏ । ସେହିପରି ‘ପିଶାଚ’ ଶବ୍ଦର ବର୍ଣ୍ଣବିପର୍ଯ୍ୟୟ ଘଟି ଯେତେବେଳେ ତାହା ‘ପିଚାଶ’ରେ ପରିଣତ ହୁଏ, ତେତେବେଳେ ଉକ୍ତ ଶବ୍ଦଟି ‘ପିତାସ’ରୂପେ ଉଚ୍ଚାରିତ ହୋଇଥାଏ । ନାମବାଚକ ’ସତ୍ୟବାଦୀ’ ଶବ୍ଦର ଶେଷାଂଶ ‘ବାଦୀ’-ରୁ ‘ବାଜି’-ର ମଧ୍ୟ ଉତ୍ପତ୍ତି ଘଟିଥାଏ । ଏହିପରି ସଂସ୍‌କୃତ ‘ମୁଦ୍’ ଧାତୁ ‘ମୁଜ୍’ ରେ (ତୁଂ, ବଂ, ମୁଜ୍) ପରିଣତ ହୋଇ ତହିଁରୁ ଓଡ଼ିଆ ‘ବୁଜ୍’ ଧାତୁ (ଉଂ ଆଖି ବୁଜିବା) ଉତ୍ପନ୍ନ ହୋଇଅଛି । ପୁଣି ସଂସ୍କୃତ ‘ବୁଧ୍’ ଧାତୁ ଓଡ଼ିଆରେ ‘ବୁଝ’ ରୂପେ ଓ ‘ଯଶ’ ଶବ୍ଦ ‘ଦଛ’ ରୂପେ ଉଚ୍ଚାରିତ ।

ଯୁକ୍ତାକ୍ଷରର ଉଚ୍ଚାରଣ ସମ୍ବନ୍ଧରେ ଆଲୋଚନା କରିବା ପୂର୍ବରୁ ଏକଥା ଉଲ୍ଲେଖ କରିବା ଉଚିତ ଯେ, ତାମିଲୀ ଭାଷାରେ ଯୁକ୍ତାକ୍ଷରର ବ୍ୟବହାର ଅତ୍ୟଳ୍ପ । ତାମିଲୀ ଭାଷାରେ ଏକବର୍ଣ୍ଣରେ, ସେହି ବର୍ଣ୍ଣ ଯେଉଁ ବର୍ଗର ଅନ୍ତର୍ଗତ, ସେହି ବର୍ଣ୍ଣର ଅନୁନାସିକ ଧ୍ୱନି ଯୁକ୍ତ ହୋଇ ପାରେ ଅଥବା ଯେ କୌଣସି ବର୍ଣ୍ଣର ଦ୍ୱିତ୍ୱ ଘଟି ପାରେ । ଙ୍କ, ଞ୍ଚ, ଣ୍ଟ, ନ୍ଦ, କ୍କ, ଚ୍ଚ, ଟ୍ଟ ପ୍ରଭୃତି କେତେଗୁଡ଼ିଏ ଯୁକ୍ତବର୍ଣ୍ଣ ଛାଡ଼ିଦେଲେ ଅନ୍ୟପ୍ରକାର ଯୁକ୍ତବର୍ଣ୍ଣ, ଅର୍ଥାତ୍ ଏକ ବ୍ୟଞ୍ଜନ ବର୍ଣ୍ଣରେ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ଯୁକ୍ତ ହେଲେ ତାହା ତାମିଲୀ ଭାଷାରେ ଉଚ୍ଚାରିତ ହୋଇ ପାରେ ନାହିଁ । ସେହିପରି ଅନୁନାସିକ ଧ୍ୱନିଯୁକ୍ତ ବର୍ଣ୍ଣଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ଯୁକ୍ତବର୍ଣ୍ଣର ଧ୍ୱନି ଓଡ଼ିଶାର ସାଧାରଣ ଲୋକେ ଉଚ୍ଚାରଣ କରି ପାରନ୍ତି ନାହିଁ । ସଂସ୍କୃତ ‘ସ୍ଥାନ’ ଶବ୍ଦ ତାମିଲୀ ଭାଷାରେ ଯେପରି ‘ଟାନ’ ରୂପେ ଉଚ୍ଚାରିତ, ଓଡ଼ିଆରେ ସେହିପରି ‘ଥାନ’ ରୂପେ ଉଚ୍ଚାରିତ ହୁଏ । ପୁଣି ତାମିଲୀ ଭାଷାର ଉଚ୍ଚାରଣ-ପ୍ରକୃତିର ଅନୁରୂପେ ଓଡ଼ିଆ ଭାଷାର ଉଚ୍ଚାରଣ-ପ୍ରକୃତି ଏପରି ସରଳ ହୋଇ ପଡ଼ିଅଛି ଯେ, କୌଣସି ଶବ୍ଦର ପ୍ରାରମ୍ଭରେ ଯୁକ୍ତବର୍ଣ୍ଣ ଥିଲେ ତାହା ଉଚ୍ଚାରିତ ନ ହୋଇ ତହିଁରୁ ଗୋଟିଏ ବର୍ଣ୍ଣ ଉଚ୍ଚାରିତ ହୋଇଥାଏ-। ସେହି ହେତୁରୁ ସଂସ୍କୃତ ସ୍ଫୁଟ, ସ୍ଫାଳ, ଶ୍ମଶାନ ପ୍ରଭୃତିରୁ ଓଡ଼ିଆ ଫୋଡ଼, ଫାଳ, ମସାଣି ପ୍ରଭୃତି ଉତ୍ପନ୍ନ । ପୁଣି ତାମିଲୀ ଭାଷାରେ କୌଣସି ବିଦେଶୀ ଶବ୍ଦର ଆଦ୍ୟ ଯୁକ୍ତ ବର୍ଣ୍ଣ ଉଚ୍ଚାରଣ କରିବାକୁ ହେଲେ ପ୍ରଥମେ ‘ଇ’ ର ଧ୍ୱନି ଯେପରି ଉଚାରିବାର ପ୍ରୟୋଜନ ହୁଏ, ଓଡ଼ିଆରେ ସେହିପରି ମଧ୍ୟ ହୁଏ । ସ୍କୁଲ, ଷ୍ଟେଶନ ପ୍ରଭୃତି ଓଡ଼ିଆରେ ଇସ୍‌କୁଲ, ଇଷ୍ଟେଶନ ପ୍ରଭୃତିରୂପେ ଉଚ୍ଚାରିତ । ଆହୁରି ମଧ୍ୟ କୌଣସି କୌଣସି ଶବ୍ବସ୍ଥ ଆଦ୍ୟ ଯୁକ୍ତବର୍ଣ୍ଣ ଭାଙ୍ଗିଯାଇ ପ୍ରଥମ ବର୍ଣ୍ଣରେ ଇକାର ଯୁକ୍ତ ହୁଏ ଓ ତହିଁ ଉତ୍ତାରୁ ସେହି ଶବ୍ଦଟି ଓଡ଼ିଆରେ ଉଚ୍ଚାରିତ ହୁଏ; ଯଥା,–ଶ୍ରାବଣ=ଶିରାବଣ, କ୍ଳେଶ=କିଳେଶ, ସ୍ଳେଟ=ସିଲଟ ।

କୌଣସି ଶବ୍ଦରେ ‘ର’ ଯୁକ୍ତ ବର୍ଣ୍ଣ ଥିଲେ ସାଧାରଣ ଲୋକେ ତାହା ଉଚ୍ଚାରଣ କଲାବେଳେ ଉକ୍ତ ଯୁକ୍ତବର୍ଣ୍ଣର ଧ୍ୱନି ଦୁଇଟି ପୃଥକ୍ ପୃଥକ୍ ଧ୍ୱନିରେ ପରିଣତ ହୁଅନ୍ତି, ଅଥବା ‘ର’ ର ଧ୍ୱନି ତହିଁରୁ ଲୁପ୍ତ ହୁଏ; ଯଥା–ପ୍ରବାସ=ପରବାସ, ପ୍ରସନ୍ନ=ପରସନ, ଗର୍ଜନ=ଗରଜନ, ବର୍ଷା=ବରଷା, ବ୍ରାହ୍ମଣ=ବାହ୍ମଣ, ଦ୍ରୋହି=ଦୋହି । ‘ର’ ଯୁକ୍ତ ବର୍ଣ୍ଣ ଓଡ଼ିଆରେ ସାଧାରଣତଃ ଏହିପରି ଉଚ୍ଚାରିତ ହୋଇଥାଏ । ବଙ୍ଗଳା ଓ ଆସାମୀ ଭାଷାରେ ମଧ୍ୟ ଏହିଭଳି ଉଚ୍ଚାରଣର ଦୃଷ୍ଟାନ୍ତ ମିଳେ । କିନ୍ତୁ ଓଡ଼ିଆରେ ଆଉ ଏକପ୍ରକାର ଅଦ୍ଭୁତ ଉଚ୍ଚାରଣ ଅଛି । ଅପରାଧ, ଉପରୋଧ, ଗରଜନ, ବରଷା ପ୍ରଭୃତି ଶବ୍ଦକୁ କେହି କେହି ଅପ୍ରାଧ, ଓପ୍ରୋଧ, ଗ୍ରଜନ, ବ୍ରଷା ପ୍ରଭୃତିରୂପେ ଉଚ୍ଚାରଣ କରିଥାନ୍ତି । ‘ର’ ଯୁକ୍ତ ବର୍ଣ୍ଣ ଉଚ୍ଚାରିତ ନ ହେଉଥିବା ସ୍ଥଳେ ପୁଣି ‘ର’ ଗୋଟିଏ ବର୍ଣ୍ଣରେ ବଳାତ୍କାରରେ କିପରି ଯୁକ୍ତ ହୁଏ, ତାହାର କାରଣ ନିର୍ଣ୍ଣୟ କରିବା କଠିନ । ବୋଧ ହୁଏ, ଶୁଦ୍ଧରୂପେ ଉଚ୍ଚାରଣ କରିବାକୁ ଚେଷ୍ଟା କରୁଁ କରୁଁ ଲୋକେ ଉକ୍ତ ଶବ୍ଦଗୁଡ଼ିକୁ ବିକୃତଭାବରେ ଉଚ୍ଚାରଣ କରିଥାନ୍ତି ।

ବର୍ତ୍ତମାନ ଓଡ଼ିଆ ଭାଷାରେ ଯେପରି ଯ, ୟ, ଦୁଇଟି ପୃଥକ୍ ବର୍ଣ୍ଣ ଅଛି, ସଂସ୍କୃତ ଭାଷାର ସେପରି ନ ଥିଲା ଓଡ଼ିଆରେ ‘ୟ’ ଯେପରି ଉଚ୍ଚାରିତ ହୁଏ, ସଂସ୍କୃତ ଭାଷାରେ ‘ମ’ ର ପରବର୍ତ୍ତୀ ବର୍ଣ୍ଣ ଠିକ୍ ସେହିପରି ଉଚ୍ଚାରିତ ହେଉଥିଲା । ସେହି ହେତୁରୁ ତାହା ଅର୍ଦ୍ଧସ୍ୱର ଆଖ୍ୟାରେ ବ୍ୟାକରଣମାନଙ୍କରେ ଅଭିହିତ । କାରଣ ତହିଁରେ ‘ଇ’, ‘ଅ’-ଏହି ଦୁଇଟି ସ୍ୱରବର୍ଣ୍ଣର ଧ୍ୱନି ନିହିତ ଅଛି । କିନ୍ତୁ ସେହି ବର୍ଣ୍ଣଟି କୌଣସି ଶବ୍ଦର ଆଦ୍ୟରେ ରହିଲେ ତାହା ‘ଜ’ ରୂପେ ଓଡ଼ିଆରେ ଉଚ୍ଚାରିତ ହେବାରୁ ଓଡ଼ିଆ ବର୍ଣ୍ଣମାଳାରେ ଯ, ୟ–ଏହି ଦୁଇଟି ପୃଥକ୍ ଲିପି ପ୍ରଚଳିତ ।

ଓଡ଼ିଆରେ କୌଣସି କୌଣସି ଶବ୍ଦର ମଧ୍ୟବର୍ତ୍ତୀ ‘ୟ’ ମଧ୍ୟ ‘ଜ’ ରୂପେ ଉଚ୍ଚାରିତ ହୁଏ (ମୟୂର=ମଜୁର) । ପୁଣି ପଣ୍ଡିତମାନେ ଶୁଦ୍ଧରୂପେ ଉଚ୍ଚାରଣ କରିବା ଅଭିପ୍ରାୟରେ ‘ଯ’ କୁ ‘ଜ୍ୟ’ ରୂପେ ଉଚ୍ଚାରଣ କରିଥାନ୍ତି । କିନ୍ତୁ ‘ଯ’ କୌଣସି ବର୍ଣ୍ଣରେ ଯୁକ୍ତ ହୋଇଥିଲେ ତାହା ‘ଇଅ’ ରୂପେ ଉଚ୍ଚାରିତ । ସେହି ହେତୁରୁ ବାକ୍ୟ, ଶକ୍ୟ ପ୍ରଭୃତି ଶବ୍ଦଗୁଡ଼ିକୁ ଓଡ଼ିଶାର ସାଧାରଣ ଲୋକେ ବାକିଅ, ଶକିଅ ପ୍ରଭୃତିରୂପେ ଉଚ୍ଚାରଣ କରିଥାନ୍ତି । କେବଳ ଓଡ଼ିଶାର ଉତ୍ତରାଞ୍ଚଳର ଲୋକେ ‘ବାହ୍ୟ’ ଶବ୍ଦଟିକୁ ବଙ୍ଗାଳୀମାନଙ୍କ ପରି ‘ବାଝ୍ୟ’ ରୂପେ ଉଚ୍ଚାରଣ କରିଥାନ୍ତି । ଏଠାରେ ‘ୟ’ ଫଳାକୁ ‘ଜ’ ରୂପେ ଉଚ୍ଚାରଣ କରିବାରୁ ତାହା ‘ହ’ ଯୋଗୁଁ ଅକ୍ଳେଶରେ ‘ଝ’ ରେ ପରିଣତ ହୋଇଯାଏ ।

ଉ, ଅ-ଏହି ଦୁଇଟି ବର୍ଣ୍ଣର ଧ୍ୱନି ମିଶି ଅନ୍ତସ୍ଥ ‘ବ’ର ଧ୍ୱନି ଉତ୍ପନ୍ନ ହୋଇଥିବାରୁ ସଂସ୍କୃତ ବ୍ୟାକରଣମାନଙ୍କରେ ଏହା ଅର୍ଦ୍ଧସ୍ୱର ବୋଲି ପରିଚିତ । ସେହି ହେତୁରୁ ଦ୍ୱାର, ତତ୍ତ୍ୱ, ସ୍ୱତ୍ୱ ପ୍ରଭୃତି ସଂସ୍କୃତ ଶବ୍ଦ ଓଡ଼ିଶାର ସାଧାରଣ ସାଧାରଣ ଲୋକେ ଦୁଆର, ତତୁଅ, ସତୁଅ ପ୍ରଭୃତିରୂପେ ଉଚ୍ଚାରଣ କରନ୍ତି ଓ ସଂସ୍କୃତ ଅବତାର, ଅବଲମ୍ବ ପ୍ରଭୃତି ଶବ୍ଦ ପାଲିରେ ଓତାର, ଓଲମ ପ୍ରଭୃତିରୂପେ ରୂପାନ୍ତରିତ ହୋଇଥିଲା । ବିଦେଶୀ ଶବ୍ଦମାନଙ୍କରେ ଥିବା ଅନ୍ତସ୍ଥ ‘ବ’ କୁ ଆମ୍ଭେମାନେ ଠିକ୍‍ରୂପେ ଉଚ୍ଚାରଣ କରିଥାଉଁ । କିନ୍ତୁ ବର୍ଣ୍ଣମାଳାରେ ଅନ୍ତସ୍ଥ ‘ବ’ ଓଷ୍ଠ୍ୟ ‘ବ’ ମଧ୍ୟରେ ଆକୃତିଗତ ବୈଷମ୍ୟ ନ ଥିବାରୁ ସାଧାରଣ ଲେଖକମାନେ ବିଦେଶୀ ଶବ୍ଦର ଅନ୍ତସ୍ଥ ‘ବ’ ସ୍ଥାନରେ ‘ଓ’ ବର୍ଣ୍ଣ ବ୍ୟବହାର କରିଥାନ୍ତି; ଯଥା–ଓୟାପସ, ଦେଓ୍ୟାନ । ବିଦେଶୀ ଶବ୍ଦ ଛଡ଼ା ଅନ୍ୟତ୍ର ଆମ୍ଭେମାନେ ଅନ୍ତସ୍ଥ ‘ବ’କୁ ଓଷ୍ଠ୍ୟ ‘ବ’ରୂପେ ଉଚ୍ଚାରଣ କରିଥାଉଁ । ସେହି ହେତୁରୁ ସଂସ୍କୃତି ସଂବାଦ, ବଶଂବଦ ପ୍ରଭୃତି ଶବ୍ଦଗୁଡ଼ିକୁ ଆମ୍ଭେମାନେ ସମ୍ବାଦ, ବଶମ୍ବଦ ପ୍ରଭୃତିରୂପେ ଲେଖିଥାଉଁ ।

ଆଜିକାଲି ଓଡ଼ିଆ ଭାଷାରେ ଲ, ଳ–ଏହି ଦୁଇଟିର ବିଭିନ୍ନ ଧ୍ୱନି ଯେପରି ପ୍ରଚଳିତ ଅଛି, ପୂର୍ବେ ସଂସ୍କୃତ ଭାଷାରେ ସେପରି ନ ଥିଲା । ଏବେ ମଧ୍ୟ ଓଡ଼ିଆ ‘ଳ’ ବର୍ଣ୍ଣର ଧ୍ୱନି ହିନ୍ଦୀ, ବଙ୍ଗଳା ପ୍ରଭୃତି ଭାଷାରେ ନାହିଁ; କେବଳ ‘ଲ’ର ଧ୍ୱନି ଉକ୍ତ ଭାଷାମାନଙ୍କରେ ଅଛି । ସଂସ୍କୃତ ଭାଷାରେ ‘ଲ’ର ଧ୍ୱନି ‘&’ର ଧ୍ୱନିରୁ ଉତ୍ପନ୍ନ ବୋଲି ତାହା ‘ଅର୍ଦ୍ଧସ୍ୱର’ ଆଖ୍ୟା ଲଭିଥିଲା । ‘ଲ’ରେ ‘ର’ର ଧ୍ୱନି ମିଶି ଓଡ଼ିଆ ‘ଳ’ର ଧ୍ୱନି ଉତ୍ପନ୍ନ । ତାମିଲୀ ଭାଷାରେ ‘ଳ’ର ଧ୍ୱନି ଥିବାରୁ ଆଦିମ ଦ୍ରାବିଡ଼ ଜାତିମାନଙ୍କଦ୍ୱାରା ଏହି ଧ୍ୱନିଟି ଓଡ଼ିଆରେ ରକ୍ଷିତ ହୋଇଅଛି ବୋଲି ମନେ ହୁଏ । ଏବେ ମଧ୍ୟ ପାଠଶାଳାରେ ପଢ଼ୁଥିବା କନ୍ଧପିଲାମାନେ ‘ଲ’ ଉଚ୍ଚାରଣ କରି ନ ପାରି ସର୍ବଦା ‘ଳ’ ଉଚ୍ଚାରଣ କରୁଅଛନ୍ତି । କିନ୍ତୁ ଓଡ଼ିଆରେ ‘ଳ’ ବର୍ଣ୍ଣଟି କୌଣସି ଶବ୍ଦର ଆଦ୍ୟରେ ଉଚ୍ଚାରିତ ହୋଇ ପାରେ ନାହିଁ-। ଆମ୍ଭେମାନେ ପ୍ରତ୍ୟେକ ଶବ୍ଦର ଆଦ୍ୟରେ ‘ଲ’ ବର୍ଣ୍ଣଟି ବ୍ୟବହାର କରୁଁ । ଯେଉଁ ସଂସ୍କୃତ ଶବ୍ଦର ଅନ୍ତ୍ୟରେ ‘ଲ’ ଯୁକ୍ତବର୍ଣ୍ଣରୂପେ ବ୍ୟବହୃତ ହେଉଥିଲା, ସେହି ସବୁ ଶବ୍ଦ ଓଡ଼ିଆରେ ରୂପାନ୍ତରିତ ହୋଇ ତହିଁଲେ ‘ଲ’ର ଧ୍ୱନି ରକ୍ଷିତ ହୋଇଅଛି । (ଯଥା, ସଂ ବିଲ୍ୱ=ଓ ବେଲ, ସଂ ଫୁଲ୍ଲ=ଓ ଫୁଲ) । ଅନ୍ୟତ୍ର ଶବ୍ଦର ମଧ୍ୟରେ ବା ଅନ୍ତ୍ୟରେ କେବଳ ‘ଳ’ ଉଚ୍ଚାରିତ ହୁଏ ବୋଲି କହିଲେ ଚଳେ ।

ସମ୍ବଲପୁର ଅଞ୍ଚଳରେ ‘ଳ’ର ଧ୍ୱନି ନାହିଁ । ପୁରୀ ବା କଟକ ଅଞ୍ଚଳର ଛୋଟ ପିଲାମାନେ ମଧ୍ୟ ‘ଳ’ର ଧ୍ୱନି ଉଚ୍ଚାରଣ କରି ପାରନ୍ତି ନାହିଁ । ପୁଣି ସାଧାରଣ ଲୋକେ ବେଳେ ବେଳେ ‘ଲ’କୁ ‘ନ’ରୂପେ ଉଚ୍ଚାରଣ କରିଥାନ୍ତି; ଯଥା–ସଂ ଲବଣ=ପ୍ରା ଲୋଣ=ଓ ଲୁଣ ବା ନୁଣ, ସଂ ନଗ୍ନ=ପା ଣଗ୍ଗଳ=ଓ ଲଙ୍ଗଳା ବା ନଙ୍ଗଳା । ପୃଥିବୀର ପ୍ରତ୍ୟେକ ଭାଷାରେ ଏପରି ଘଟୁଥିବାର ଧ୍ୱନି–ବିଜ୍ଞାନରୁ ଜଣାଯାଏ ।

ପୂର୍ବେ ଦେଖା ଯାଇଅଛି ଯେ, କେହି ‘ତ’କୁ ‘ଚ’ରୂପେ ଓ ‘ସ’କୁ ‘ଛ’ରୂପେ ଉଚ୍ଚାରଣ କରନ୍ତି । ସୁତରାଂ ‘ତ୍ସ’ ଏହି ଯୁକ୍ତବର୍ଣ୍ଣଟି ‘ତ୍‌ସ’ରୂପେ ଉଚ୍ଚାରିତ ନ ହୋଇ ‘ଛ’ରୂପେ ଉଚ୍ଚାରିତ ହେବା ବିଚିତ୍ର ନୁହେ; ଯଥା–ବତ୍ସ=ବଚ୍ଛା=ବଚା, ଉତ୍ସାହ=ଉଛାହ ।

କ୍ଜ, ଚ୍ଚ, ଦ୍ଦ, ଦ୍ଧ, ତ୍ତ, ପ୍ରଭୃତି ଯୁକ୍ତବର୍ଣ୍ଣରୂପେ ଉଚ୍ଚାରିତ ନ ହୋଇ ସାଧାରଣତଃ ସେଗୁଡ଼ିକ କ, ଚ, ଦ, ଧ, ତ ପ୍ରଭୃତିରୂପେ ଉଚ୍ଚାରିତ ହୋନ୍ତଥାନ୍ତି । କିନ୍ତୁ ‘ଜ୍ଞ’ ବର୍ଣ୍ଣଟି ଯୁକ୍ତବର୍ଣ୍ଣରୂପେ ଉଚ୍ଚାରିତ ହେଲେ ମଧ୍ୟ ଓଡ଼ିଆ ଭାଷାରେ ଏହାର ପ୍ରକୃତ ଧ୍ୱନି ନାହିଁ । ‘ଜ’, ‘ଞ’–ଏହି ଦୁଇଟି ବର୍ଣ୍ଣର ଧ୍ୱନିଯୁକ୍ତ ବର୍ଣ୍ଣଟି ଓଡ଼ିଆରେ ‘ଗ୍ୟଁ’ରୂପେ ବା ‘ଗ୍ୟ’ରୂପେ ଉଚ୍ଚାରିତ (ଯଥା, ଆଜ୍ଞା=ଆଗ୍ୟାଁ, ବିଜ୍ଞାନ=ବିଗ୍ୟାନ, ଅଜ୍ଞାନ=ଅଗ୍ୟାନ) ।

ସଂସ୍କୃତ ଭାଷାର ବିସର୍ଗର ଧ୍ୱନି ପାଲି ଭାଷାରେ ‘ଓ’ରୂପେ ଉଚ୍ଚାରିତ ହେଉଥିଲା; ଯଥା–ସଂ ଗଜଃ=ପା ଗଜୋ; କିନ୍ତୁ ବର୍ତ୍ତମାନ ଓଡ଼ିଆର ବିସର୍ଗର ଉଚ୍ଚାରଣ ପ୍ରାୟ ଲୁପ୍ତ ହୋଇ ପଡ଼ିଲାଣି ।

ଏହି ଅଧ୍ୟାୟରେ ଓଡ଼ିଆ ସନ୍ଧି ସମ୍ବନ୍ଧରେ ମଧ୍ୟ ଆଲୋଚନା କରି ପାରିଥାନ୍ତି । କିନ୍ତୁ ଓଡ଼ିଆ ଭାଷାରେ ପ୍ରାୟ ସନ୍ଧି ନ ଥିବାରୁ ତହିଁର ଆଲୋଚନାରୁ କ୍ଷାନ୍ତ ହେଲି । ଦୁଇଟି ଶବ୍ଦକୁ ଟାଣି ଓଟାରି ଏକତ୍ର କରିବା ସଂସ୍କୃତ ସନ୍ଧିର ଉଦ୍ଦେଶ୍ୟ ନ ଥିଲା । ଯେଉଁଠାରେ ପ୍ରାକୃତିକ ନିୟମରେ ଦୁଇଟି ଶବ୍ଦ ମିଳି ଯାଇଥାନ୍ତି, ସେଠାରେ କିପରି ବିଶ୍ଳେଷଣ କରି ଦୁଇଟି ଶବ୍ଦକୁ ପୃଥକ୍ ପୃଥକ୍‌ରୂପେ ବାରିବାକୁ ହେବ, ସେଥି ନିମନ୍ତେ ସଂସ୍କୃତ ବ୍ୟାକରଣମାନଙ୍କରେ ସନ୍ଧିସୂତ୍ରର ସୃଷ୍ଟି ହୋଇଥିଲା । କିନ୍ତୁ ପରବର୍ତ୍ତୀ ଯୁଗର ସଂସ୍କୃତ ଭାଷାରେ ଅନେକ କୃତ୍ରିମ ସନ୍ଧିର ସୃଷ୍ଟି ହୋଇଅଛି । ଏହା ବୋଲି ଓଡ଼ିଆରେ ‘କରୁ+ଅଛି’ ‘କରୁଛି’ରେ ପରିଣତ ହୋଇ ନ ପାରେ । ଓଡ଼ିଆରେ ପ୍ରାକୃତିକ ସନ୍ଧିର ଯେଉଁ କେତୋଟି ଦୃଷ୍ଟାନ୍ତ ମିଳେ, ସେହି କେତୋଟିକି ଘେନି କୌଣସି କଥା ଆଲୋଚନା କରାଯାଇ ନ ପାରେ । କେବଳ ସେମାନଙ୍କ ମଧ୍ୟରୁ ଏଠାରେ କେତୋଟିର ଉଦାହରଣ ଦିଆ ଯାଇଅଛି; ଯଥା,–ମନ+ଅନ୍ତର=ମନାନ୍ତର, ପାଞ୍ଚ+ଜଣ=ପାଁଜଣ, ଭାଇ+ନନା=ଭାଇନା, ପାଞ୍ଚ+ଟି=ପାଞ୍ଚୋଟି, କେତେ+ଟି=କେତୋଟି ।

Image

 

ପଞ୍ଚମ ଅଧ୍ୟାୟ

(ସର୍ବନାମ, ଅବ୍ୟୟ ଓ କ୍ରିୟାବିଶେଷଣ)

 

ସଂସ୍କୃତ ‘ଅସ୍ମଦ୍’ ଶବ୍ଦର ପ୍ରଥମା ବିଭକ୍ତି ଏକବଚନର ରୂପ ‘ଅହଂ’ ପ୍ରାକୃତିରେ ‘ଅମ୍‌ହେ’ ରେ ପରିଣତ ହୋଇଥିଲା । ଏହି ପ୍ରାକୃତ ‘ଅମ୍‌ହେ’ ଶବ୍ଦରୁ ଓଡ଼ିଆ ‘ଆମ୍ଭେ’ ଶବ୍ଦର ସୃଷ୍ଟି । ପୁଣି ‘ଅମ୍‌ହ’ ଶବ୍ଦରୁ ‘ଅ’ ଲୁପ୍ତ ହୋଇ ‘ମ୍‌ହ’ ଓଡ଼ିଆରେ ‘ମୁହି’ରେ ପରିଣତ ହୋଇ ତହିଁରୁ ‘ମୁଁ’ ଉତ୍ପନ୍ନ ହୋଇଅଛି । ପ୍ରାଚୀନ ବଙ୍ଗଳାରେ ବ୍ୟବହୃତ ‘ଆମ୍ଭେ’ ଶବ୍ଦ ଯେପରି ‘ଆମି’ରେ ପରିଣତ ହୋଇ ଆଧୁନିକ ବଙ୍ଗଳାରେ ବ୍ୟବହୃତ ହେଉଅଛି, ‘ଆମ୍ଭେ’ ସେହିପରି ‘ଆମେ’ ରେ ପରିଣତ ହୋଇ ଓଡ଼ିଆରେ ବ୍ୟବହୃତ ହେଉଅଛି । ଓଡ଼ିଆ ‘ଆମେ’ ଓ ‘ମୁଁ’ ଶବ୍ଦଦ୍ୱୟ ସହିତ ହିନ୍ଦୀ ‘ହାମ୍’ ଓ ‘ମେ’ ଶବ୍ଦଦ୍ୱୟ ତୁଳନା କରାଯାଇ ପାରେ ।

 

ସଂସ୍କୃତ ‘ଯୁଷ୍ମଦ୍’ ଶବ୍ଦର ପ୍ରଥମା ବିଭକ୍ତି ଏକବଚନର ରୂପ ‘ତ୍ୱଂ’ ପ୍ରାକୃତରେ ‘ତୁମ୍‌ହେ’ ରେ ପରିଣତ ହୋଇ ତହିଁରୁ ଓଡ଼ିଆରେ ‘ତୁମ୍ଭେ’ ଶବ୍ଦ ଉତ୍ପନ୍ନ । ପୁଣି ପ୍ରାକୃତ ‘ତୁମ୍‌ହେ’ ରୁ ‘ମେ୍’ ଲୁପ୍ତ ହୋଇ ‘ତୁହେ’ ‘ତୁହି’ ରେ ପରିଣତ ହୋଇ ଓଡ଼ିଆରେ ବ୍ୟବହୃତ ହେଉଅଛି । ‘ତୁମ୍ଭେ’ ବର୍ତ୍ତମାନ ‘ତୁମେ’ ରୂପେ ଓ ‘ତୁହି’ ‘ତୁ’ ରୂପେ କଥିତ ଭାଷାରେ ବ୍ୟବହୃତ । ଓଡ଼ିଆ ‘ତୁମେ’ ଓ ‘ତୁ’ ଶବ୍ଦଦ୍ୱୟ ସହିତ ବଙ୍ଗଳା ‘ତୁମି’ ଓ ‘ତୁଇ’ ଶବ୍ଦଦ୍ୱୟର ଯେ ଘନିଷ୍ଠ ସୌସାଦୃଶ୍ୟ ଅଛି, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏହା କୌତୂହଳର ବିଷୟ ଯେ, ଏକ ‘ଯୁଷ୍ମଦ୍’ ଶବ୍ଦରୁ ଉତ୍ପନ୍ନ ହୋଇ ଓଡ଼ିଆ ‘ତୁମେ’ ବା ବଙ୍ଗଳା ‘ତୁମି’ ଟିକିଏ ସମ୍ମାନିତ ବ୍ୟକ୍ତି ପ୍ରତି ଓ ଓଡ଼ିଆ ‘ତୁ’ ବା ବଙ୍ଗଳା ‘ତୁଇ’ ଅବଜ୍ଞାଜନକ ବ୍ୟକ୍ତିପ୍ରତି ବ୍ୟବହୃତ ହୋଇଥାଏ ।

 

ସଂସ୍କୃତ ‘କିମ୍’ ଓ ‘ଯଦ୍’ ଶବ୍ଦଦ୍ୱୟର ପ୍ରଥମା ବିଭକ୍ତି ଏକବଚନର ରୂପ ‘କଃ’,‘ଯଃ’ ପ୍ରାକୃତରେ କେବଳ ‘କ’ ଓ ‘ଜ’ ରୂପେ ବ୍ୟବହୃତ ହୋଇଥିବାରୁ ଜଣାଯାଏ । ଏହି ପ୍ରାକୃତ ପଦଯୋଡ଼ିକ ଓଡ଼ିଆରେ ‘କେ’ ଓ ‘ଯେ’ ରୂପେ ବ୍ୟବହୃତ । ପୁଣି ଉକ୍ତ ସଂସ୍କୃତ ଶବ୍ଦଦ୍ୱୟରୁ ପ୍ରାକୃତ କ୍ଳୀବଲିଙ୍ଗର ପ୍ରଥମା ବିଭକ୍ତି ଏକବଚନରେ ‘କଂ’ ‘ଜଂ’ ପଦଦ୍ୱୟ ନିଷ୍ପନ୍ନ ହୋଇଥିବାର ଦେଖାଯାଏ । ଏହି ‘କଂ’ ଓ ‘ଜଂ’ ପଦଦ୍ୱୟରୁ ଓଡ଼ିଆ ‘କେଉଁ’ ଓ ‘ଯେଉଁ’ ଶବ୍ଦଦ୍ୱୟ ଉତ୍ପନ୍ନ । ଏହି ଶବ୍ଦଦ୍ୱୟ ଲିଖିତ ଭାଷାରେ ଯେତେ ପରିମାଣରେ ବ୍ୟବହୃତ, କଥିତ ଭାଷାରେ ତେତେ ପରିମାଣରେ ବ୍ୟବହୃତ ନୁହନ୍ତି । ଏ ଯୋଡ଼ିକ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରେ ରୂପାନ୍ତରିତ । ଲିଖିତ ଭାଷାରେ ‘କେଉଁ କଥା’ ‘ଯେଉଁ ଲୋକ’ ପ୍ରଭୃତି ବ୍ୟବହାର କରାଯାଇ ପାରେ । କିନ୍ତୁ କଥିତ ଭାଷାରେ ପୁରୀ ଓ କଟକ ଅଞ୍ଚଳର ଲୋକେ ‘କୁ କଥା’, ‘ଯୁ ଲୋକ’, ଗଞ୍ଜାମ ଅଞ୍ଚଳର ଲୋକେ ‘କୋ କଥା’, ‘ଯୋ ଲୋକ’ ଓ ସମ୍ବଲପୁର ଅଞ୍ଚଳର ଲୋକେ ‘କେନ୍ ଲୋକ, ଯେନ୍’ ଲୋକ ପ୍ରଭୃତି ବ୍ୟବହାର କରନ୍ତି-। ‘କିମ୍’ ଓ ’ଯଦ୍’ ଶବ୍ଦଦ୍ୱୟରୁ ପ୍ରାକୃତ ଭାଷାରେ ପୁଂଲିଙ୍ଗର ପ୍ରଥମା ବିଭକ୍ତି ଏକବଚନରେ ଯଥାକ୍ରମେ ‘କୋ’, ‘ଜୋ’ ପଦଦ୍ୱୟ ଉତ୍ପନ୍ନ । ଏହି ‘କୋ’ ‘ଜୋ’ ଗଞ୍ଜାମ ଅଞ୍ଚଳର ଭାଷାରେ ବ୍ୟବହୃତ, କିନ୍ତୁ ପୁରୀ ଓ କଟକ ଅଞ୍ଚଳର ଲୋକେ ‘କୋ’ ଓ ‘ଜୋ’–ଏହି ଯୋଡ଼ିକୁ ଯଥାକ୍ରମେ ‘କୁ’ ଓ ‘ଜୁ’ ରେ ପରିଣତ କରି ବ୍ୟବହାର କରନ୍ତି । ପୁଣି ସମ୍ବଲପୁର ଅଞ୍ଚଳରେ ‘ଯେମାନେ’, ‘କେମାନେ’ ପ୍ରଭୃତି ବ୍ୟବହାର କରନ୍ତି ।

 

ସଂସ୍କୃତ ‘ଯଥା’ ‘ତଥା’ ପ୍ରଭୃତିରୁ ଉତ୍ପନ୍ନ ‘ଯହି’ ‘ତହି’ ପ୍ରଭୃତି ଓଡ଼ିଆରେ ‘ଯାହା’ ‘ତାହା’ ରୂପେ ଏବଂ ସଂସ୍କୃତ ‘ଯତ୍’ ‘ତତ୍’ ପ୍ରଭୃତିରୁ ପ୍ରାକୃତରେ ଉତ୍ପନ୍ନ ‘ଯା’, ‘ତା’, ଓଡ଼ିଆରେ ‘ଯା’ ‘ତା’ ରୂପେ ପ୍ରଚଳିତ । ସଂସ୍କୃତ ‘ଏତଦ୍’ ଶବ୍ଦରୁ ଓଡ଼ିଆ ‘ଏହା’ ଉତ୍ପନ୍ନ । ସେହିପରି ସଂସ୍କୃତ ‘ସଃ’ ବା ପ୍ରାକୃତ ‘ସୋ’ ରୁ ଓଡ଼ିଆ ‘ସେ’, ସଂସ୍କୃତ ‘କଃ’ ବା ପ୍ରାକୃତ ‘କୋ’ ରୁ ଓଡ଼ିଆ ‘କୋ’, ଏବଂ ସଂସ୍କୃତ ‘ଯଃ’ ବା ପ୍ରାକୃତ ‘ଯୋ’ ରୁ ଓଡ଼ିଆ ‘ଯେ’ ଉତ୍ପନ୍ନ ।

 

ସଂସ୍କୃତ ଈଦୃଶେନ, କୀଦୃଶେନ, ଯାଦୃଶେନ, ତାଦୃଶେନ ପ୍ରଭୃତି ପଦ ପ୍ରାକୃତରେ ଯଥାକ୍ରମେ ଅଇସନ, କଇସନ, ଯଇସନ, ତଇସନ ପ୍ରଭୃତିରେ ପରିଣତ ହୋଇଥିବାର ‘ବୌଦ୍ଧ ଗାନ ଓ ଦୋହା’ରୁ ପ୍ରମାଣ ମିଳେ । ଏହିସବୁ ପ୍ରାକୃତ ଶବ୍ଦଗୁଡ଼ିକରୁ ଏସନ, କେସନ, ଯେସନ, ତେସନ, ପ୍ରଭୃତି ଉତ୍ପନ୍ନ ହୋଇ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବ୍ୟବହୃତ ହେଉଥିଲେ ଏବଂ ଆଧୁନିକ ସାହିତ୍ୟରେ ମଧ୍ୟ ବ୍ୟବହୃତ ହେଉଅଛନ୍ତି । ‘ସ’ ଯେ ‘ହ’ ରେ ପରିଣତ ହୋଇ ପାରେ, ଏ କଥା ପାଠକେ ଧ୍ୱନିତତ୍ତ୍ୱରୁ ବୁଝିପାରିଥିବେ । ସୁତରାଂ ଏସନ, କେସନ, ଯେସନ, ତେସନ ପ୍ରଭୃତିରୁ ଏହ୍ନେ, କେହ୍ନେ, ଯେହ୍ନେ, ତେହ୍ନେ ପ୍ରଭୃତି ଅନାୟାସରେ ଉତ୍ପନ୍ନ ହୋଇ ପାରନ୍ତି । ଏଗୁଡ଼ିକ ଆଜିକାଲି କେବଳ ସାହିତ୍ୟରେ ବ୍ୟବହୃତ ।

 

ସଂସ୍କୃତ କୀଦୃଶ, ଯାଦୃଶ, ତାଦୃଶ ପ୍ରଭୃତିରୁ ଯଇଁସ, ତଇଁସ ପ୍ରଭୃତି ଉତ୍ପନ୍ନ ହୋଇଥିବାର ‘ବୌଦ୍ଧଗାନ ଓ ଦୋହା’ ରେ ଦେଖାଯାଏ । ଏହି ରୂପାନ୍ତରିତ ଶବ୍ଦଗୁଡ଼ିକରୁ କିସ, ଯିସ, ତିସ ପ୍ରଭୃତି ଉତ୍ପନ୍ନ ହୋଇ ଓଡ଼ିଆରେ ବ୍ୟବହୃତ । ଯିସ, ତିସ ଶବ୍ଦଦ୍ୱୟ ବର୍ତ୍ତମାନ ଓଡ଼ିଆ ଭାଷାରେ ପ୍ରଚଳିତ ନ ହେଉଥିଲେ ମଧ୍ୟ ପ୍ରାଚୀନ କାଳରେ ବ୍ୟବହୃତ ହେଉଥିବାର ଶାରଳା ଦାସଙ୍କ ମହାଭାରତରୁ ପ୍ରମାଣ ମିଳେ । କିନ୍ତୁ ପୁରୀ ଅଞ୍ଚଳର କେତେକ ଲୋକଙ୍କୁ ଛାଡ଼ିଦେଲେ ଓଡ଼ିଶାରେ ପ୍ରାୟ ସଭିଏଁ ‘କିସ’ ଶବ୍ଦ ବ୍ୟବହାର କରନ୍ତି । ଯାହା ହେଉ, ପାଠକେ ଏଠାରେ ହିନ୍ଦୀ ଭାଷାରେ ବ୍ୟବହୃତ କେସା, ଯେସା, ତେସା ପ୍ରଭୃତି ତୁଳନା କଲେ ବୁଝି ପାରିବେ ଯେ, ଓଡ଼ିଆ କିସ, ଯିସ, ତିସ ପ୍ରଭୃତି କଇଁସ, ଯଇଁସ, ତଇଁସ ପ୍ରଭୃତିରୁ ଉତ୍ପନ୍ନ ।

 

ସଂସ୍କୃତ ‘ସଦୃଶ’ ଶବ୍ଦ ପ୍ରାକୃତରେ ‘ସରିସା’ ରେ ପରିଣତ ହୋଇଥିଲା । ଏହି ‘ସରିସା’ ଶବ୍ଦ ବର୍ତ୍ତମାନ ମଧ୍ୟ ଓଡ଼ିଶାରେ ସ୍ଥାନେ ସ୍ଥାନେ ବ୍ୟବହୃତ । ନଆଗଡ଼, ବାଣପୁର ପ୍ରଭୃତି ଅଞ୍ଚଳର ଲୋକେ କହନ୍ତି–‘‘ତୁ ତା ସରିସା କାହୁଁ ହେବୁ’’ । ଏହି ‘ସରିସା’ ରୁ ‘ସରି’ ଉତ୍ପନ୍ନ ହୋଇ ଆଧୁନିକ ଓଡ଼ିଆରେ ମଧ୍ୟ ବ୍ୟବହୃତ ହେଉଅଛି; ଯଥା–‘‘କେମନ୍ତେ ସରି ତୋର ହେବି ନଳିନ ।’’

 

ଏବେ ତେବେ, କେବେ, ଯେବେ ପ୍ରଭୃତି ଯଥାକ୍ରମେ ସଂସ୍କୃତ ଇଦା, କଦା, ଯଦା, ତଦା ପ୍ରଭୃତିରୁ ଉତ୍ପନ୍ନ ବୋଲି ମନେ ହୁଏ । କାରଣ, ସଂସ୍କୃତ ‘କଦାବା’ ବର୍ତ୍ତମାନ ମଧ୍ୟ କଥିତ ଓଡ଼ିଆ ଭାଷାରେ ସ୍ଥାନେ ସ୍ଥାନେ ବ୍ୟବହୃତ ହୁଏ; ଯଥା–କଦବା କେହି ଏ କଥା କହନ୍ତି । ପୁଣି ସଂସ୍କୃତ ‘କଦାବା’ ପ୍ରାକୃତରେ ‘କବ୍ଦା’ ରୂପେ ପରିଣତ ହୋଇଥିବାର ନିଦର୍ଶନ ମିଳେ । ‘ବୌଦ୍ଧଗାନ ଓ ଦୋହା’ର ଗୋଟିଏ ପଦରେ କବ୍ଦା ଓ ଜବ୍ଦା ବ୍ୟବହୃତ ହୋଇଥିବାର ଦେଖାଯାଏ; ଯଥା–‘‘ଏମଇ କହିଜୋ ଭତ୍ତିଣ କବ୍ଦା, ଅପ୍ୟହି ଅପ୍ୟା ବୁଝସି ତବ୍ଦା ।’’ ଏହି ‘କବ୍ଦା’ ଓ ‘ତବ୍ଦା’ ଶବ୍ଦଦ୍ୱୟରୁ ଯେ ଓଡ଼ିଆ ‘କେବେ’ ‘ତେବେ’ ଶବ୍ଦଦ୍ୱୟ ଉତ୍ପନ୍ନ, ଏଥିରେ ସନ୍ଦେହ ନାହିଁ । ସୁତରାଂ ଓଡ଼ିଆ ଭାଷାରେ ଏବେ, ଯେବେ ଶବ୍ଦଦ୍ୱୟର ଉତ୍ପତ୍ତି ସମ୍ବନ୍ଧରେ ଆଉ କିଛି ଉଲ୍ଲେଖ କରିବାର ପ୍ରୟୋଜନ ନାହିଁ । ଏଗୁଡ଼ିକ ସଂସ୍କୃତ ‘ଇଦାବା’ ଓ ‘ଯଦାବା’ ପଦଦ୍ୱୟରୁ ଉତ୍ପନ୍ନ ।

 

ସଂସ୍କୃତ ଭାଷାରେ ‘ହି’ ଅବ୍ୟୟ ପଦଟି ଭାବର ଦୃଢ଼ତା ପ୍ରକାଶ କରେ । ଏହି ‘ହି’ ଓଡ଼ିଆରେ ବାକ୍ୟ ମଧ୍ୟରେ ‘କେବେ’ ପଦର ପରେ ‘ହେଁ’ ରୂପେ ବ୍ୟବହୃତ ହୋଇ ‘କେବେହେଁ’ ଶବ୍ଦର ସୃଷ୍ଟି ଘଟିଅଛି । ଏହି ’କେବେହେଁ’ ପୁଣି ‘କେଭେଁ’ ରୂପେ ଓଡ଼ିଆରେ ରୂପାନ୍ତରିତ । ସୁତରାଂ ହିନ୍ଦୀ ଭାଷାରେ ବ୍ୟବହୃତ ‘ଅଭି’, ‘କଭି’ ପ୍ରଭୃତିର ବ୍ୟୁତ୍ପତ୍ତି ସହଜରେ ଧରାପଡ଼େ । ବର୍ତ୍ତମାନ ସାଧାରଣତଃ ଖୋର୍ଦ୍ଧା ଅଞ୍ଚଳର ଚଷାମାନଙ୍କ ମଧ୍ୟରେ ଓ ବାଲେଶ୍ୱର ଜିଲାର ସର୍ବସାଧାରଣରେ ବ୍ୟବହୃତ ‘ଅବିକା’ ଶବ୍ଦ ‘ଅଭି’ ଶବ୍ଦରେ ‘କ’ ଯୁକ୍ତ ହୋଇ ଉତ୍ପନ୍ନ ହୋଇଅଛି ବୋଲି ମନେ ହୁଏ । ଓଡ଼ିଆ ଓ ବଙ୍ଗଳା ଭାଷାରେ କୌଣସି କୌଣସି ଶବ୍ଦରେ ସ୍ୱାର୍ଥରେ ‘କ’ ପ୍ରତ୍ୟୟ ଯୋଗ କରାଯାଉଥିବାର ପ୍ରାଚୀନ ସାହିତ୍ୟରୁ ଯଥେଷ୍ଟ ପ୍ରମାଣ ମିଳେ; ଯଥା,–ଆସିଲାକ, କଲାକ । ଏହି ‘କ’ ପ୍ରତ୍ୟୟ ବୋଧ ହୁଏ ସଂସ୍କୃତ ଭାଷାର ନିଶ୍ଚୟାର୍ଥବୋଧକ ‘ଖଳୁ’ ରୁ ଉତ୍ପନ୍ନ । କାରଣ, ସଂସ୍କୃତ ‘କିୟତ୍‌ଖଳୁ’ ଶବ୍ଦ ପାଲିରେ ‘କିତ୍ତକ’ ରେ ପରିଣତ ହୋଇ ତହିଁରୁ ଓଡ଼ିଆ ‘କେତେକ’ ଶବ୍ଦ ଉତ୍ପନ୍ନ ହୋଇ ଭାଷାରେ ବ୍ୟବହୃତ ହେଉଅଛି । ସୁତରାଂ ‘ଅଭି’ ରେ ‘କ’ ଯୁକ୍ତ ହୋଇ ‘ଅବିକା’ ଶବ୍ଦ ଉତ୍ପନ୍ନ ହେବା ଅସମ୍ଭବ ନୁହେ ।

 

ବର୍ତ୍ତମାନ ଏଠାରେ ଏ କଥା ମଧ୍ୟ ଉଲ୍ଲେଖ କରିବା ଉଚିତ ଯେ, ସଂସ୍କୃତ ଭାଷାରେ ଅବ୍ୟୟପଦମାନଙ୍କରେ ବିଭକ୍ତି ଯୋଗ କରାଯାଏ ନାହିଁ । କିନ୍ତୁ ସଂସ୍କୃତ ଅବ୍ୟୟପଦମାନଙ୍କରୁ ଓଡ଼ିଆ ‘କେବେ’, ‘ଯେବେ’ ପ୍ରଭୃତି ଉତ୍ପନ୍ନ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାରେ ତହିଁରେ ଦ୍ୱିତୀୟା, ପଞ୍ଚମୀ ଓ ଷଷ୍ଠୀ ବିଭକ୍ତି ଯୁକ୍ତ ହୋଇଥାଏ; ଯଥା–(କ) କେବକୁ ସେ କଣ୍ଟ କରିଥିଲେ ? (ଖ) କେବୁଁ ସେ ଗଲେଣି ? (ଗ) ଏହା କେବର କଥା ?

 

ଯେବେ, ତେବେ ପ୍ରଭୃତି ପଦଦ୍ୱାରା ଯଥାକ୍ରମେ ଯେଉଁ ସମୟରେ, ସେହି ସମୟରେ ପ୍ରଭୃତି ଅର୍ଥ ସୂଚିତ ହୁଏ । ପୁଣି ଯେବେ, ତେବେ ପ୍ରଭୃତି ପଦ ସଂସ୍କୃତ ଯଦ୍ୟପି, ତଦପି ପ୍ରଭୃତି ଅର୍ଥରେ ଯଥାକ୍ରମେ ବ୍ୟବହୃତ ହେବାର ଦେଖାଯାଏ; ଯଥା,–ଯେବେ ସେ ମାରନ୍ତି, ତେବେ ମୁଁ ସହିବି । କିନ୍ତୁ ପ୍ରଥମୋକ୍ତ ଅର୍ଥସୂଚକ ‘କେବେ’, ‘ଯେବେ’ ଶବ୍ଦଦ୍ୱୟ ଯହିଁରୁ ଉତ୍ପନ୍ନ, ଦ୍ୱିତୀୟୋକ୍ତ ଅର୍ଥସୂଚକ ‘କେବେ’, ‘ଯେବେ’ ଶବ୍ଦଦ୍ୱୟ ତହିଁରୁ ଉତ୍ପନ୍ନ ନୁହନ୍ତି । ସଂସ୍କୃତ ‘ଅପି’ ପାଲିରେ ‘ବି’ ରେ ପରିଣତ । ଏହି ‘ବି’ ଏବେ ମଧ୍ୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ବ୍ୟବହୃତ; ଯଥା,–ରାମ ଯିବ; ଶ୍ୟାମ ବି ଯିବ । ପୁଣି ସଂସ୍କୃତ ‘ତଦ୍‌’ ଶବ୍ଦ ପ୍ରାକୃତରେ ‘ତଅ’ ରୂପେ ବ୍ୟବହୃତ ହେଉଥିଲା । ତାହା ହେଲେ ‘ବୌଦ୍ଧଗାନ ଓ ଦୋହା’ ରେ ବ୍ୟବହୃତ ‘ତୋବ୍ବି’ ପଦ ଯେ ସଂସ୍କୃତ ‘ତଦପି’ ପଦରୁ ଉତ୍ପନ୍ନ, ଏଥିରେ ସନ୍ଦେହ ନାହିଁ । ଏହି ପ୍ରାକୃତ ‘ତୋବ୍ବି’ ଶବ୍ଦରୁ ଶେଷୋକ୍ତ ଅର୍ଥସୂଚକ ଓଡ଼ିଆ ‘ତେବେ’ ଶବ୍ଦ ଉତ୍ପନ୍ନ ବୋଲି ବର୍ତ୍ତମାନ ନିଃସନ୍ଦେହରେ କୁହାଯାଇପାରେ । ସୁତରାଂ ସଂସ୍କୃତ ‘ଯଦ୍ୟପି’ ପଦରୁ ଶେଷୋକ୍ତ ଅର୍ଥସୂଚକ ଓଡ଼ିଆ ‘ଯେବେ’ ଶବ୍ଦ ଉତ୍ପନ୍ନ ହୋଇଥିବା ଅସମ୍ଭବ ନୁହେ । ଶେଷରେ ଏତିକି ବକ୍ତବ୍ୟ ଯେ, ପ୍ରାକୃତ ‘ତବ୍ଦା’ ଓ ‘ତୋବ୍ବି’ ଶବ୍ଦଦ୍ୱୟ ଓଡ଼ିଆରେ ଏକାରୂପରେ ରୂପାନ୍ତରିତ ହୋଇଥିଲେ ମଧ୍ୟ ବିଭିନ୍ନ ଅର୍ଥବୋଧକ ହୋଇଅଛନ୍ତି । ସୁତରାଂ ଅର୍ଥ ଘେନି କେଉଁଠି କେଉଁ ଶବ୍ଦରୁ ଉତ୍ପନ୍ନ, ତାହା ନିରୂପଣ କରିବାକୁ ହେବ ।

 

ସଂସ୍କୃତ ‘ଐରାବତ, ପ୍ରାକୃତରେ ‘ଐରାବଣ’ ରେ ପରିଣତ ହୋଇଥିଲା । ‘ତ’ ‘ଣ’ ରେ ପରିଣତ ହୁଏ ବୋଲି ଧ୍ୱନିତତ୍ତ୍ୱରେ ଉଲ୍ଲେଖ କରାଯାଇ ନ ଥିଲେ ମଧ୍ୟ ପାଠକ ବର୍ତ୍ତମାନ ଉକ୍ତ ଦୃଷ୍ଟାନ୍ତ ଭଲରୂପେ ମନେ ରଖିବେ । ତାହା ହେଲେ ସଂସ୍କୃତ ଏତଦ୍ବତ, ଯଦ୍ବତ, ତଦ୍ବତ, କିଂବତ୍ ପ୍ରଭୃତି ଓଡ଼ିଆରେ ଏବଣ, ଯେବଣ, ତେବଣ, କେବଣ ପ୍ରଭୃତିରେ ପରିଣତ ହୋଇଥିବାର ଅନାୟାସରେ ଅନୁମାନ କରାଯାଇ ପାରେ । ଏହି ଶବ୍ଦଗୁଡ଼ିର ବ୍ୟବହାର ପ୍ରାଚୀନ ସାହିତ୍ୟରେ ବହୁଳ ପରିମାଣରେ ଦେଖାଯାଏ ଓ ବର୍ତ୍ତମାନ ମଧ୍ୟ କେହି କେହି ପଦ୍ୟରଚନାରେ ବ୍ୟବହାର କରିଥାନ୍ତି ।

 

‘ବ’ ‘ମ’ ରେ ପରିଣତ ହେଉଥିବା କଥା ଧ୍ୱନିତତ୍ତ୍ୱରେ ଉଲ୍ଲେଖ କରାଯାଇଅଛି । ସଂସ୍କୃତ ଭାଷାରେ ‘ବତ୍’ ପ୍ରତ୍ୟୟ ମଧ୍ୟ ‘ମତ୍’ ରେ ପରିଣତ ହୋଇଥାଏ । ସୁତରାଂ ସଂସ୍କୃତ ଏତଦ୍‌ବତ, ଯଦ୍‌ବତ, ତଦ୍‌ବତ, କିଂବତ୍ ପ୍ରଭୃତିରୁ ଯଥାକ୍ରମେ ଓଡ଼ିଆ ଏମନ୍ତ, ଯେମନ୍ତ, ତେମନ୍ତ, କେମନ୍ତ ପ୍ରଭୃତି ଉତ୍ପନ୍ନ ହୋଇଥିବା ବିଚିତ୍ର ନୁହେ । ଏଗୁଡ଼ିକ ସମ୍ବଲପୁର ଅଞ୍ଚଳରେ ଏମ୍‌ତା, ଯେମ୍‌ତା, ତେମ୍‌ତା, କେମ୍‌ତା ପ୍ରଭୃତିରୂପେ ବ୍ୟବହୃତ । ‘ବୌଦ୍ଧଗାନ ଓ ଦୋହା’ରେ ବ୍ୟବହୃତ ‘କିନ୍ତୋ’ ଶବ୍ଦ ସହିତ ଓଡ଼ିଆ ‘କେମନ୍ତ’ ଶବ୍ଦର ମଧ୍ୟ ସାମଞ୍ଜସ୍ୟ ଅଛି । ବଙ୍ଗଳା ଏମନ, ଯେମନ, ତେମନ, କେମନ ପ୍ରଭୃତି ଶବ୍ଦ ମଧ୍ୟ ଏଠାରେ ତୁଳନା କରାଯାଇ ପାରେ ।

 

ସଂସ୍କୃତ କୁତ୍ର, ଅତ୍ର, ଯତ୍ର, ତତ୍ର ପ୍ରଭୃତିରୁ ପାଲି କୁତ୍‌ଥ, ଅତ୍‌ଥ, ଯତ୍‌ଥ, ତତ୍‌ଥ ପ୍ରଭୃତିର ସୃଷ୍ଟି । ସୁତରାଂ ପାଲି ‘କୁତ୍‌ଥ’ ରୁ ବଙ୍ଗଳା ‘କୋଥା’ ଓ ପାଲି ‘ତତ୍‌ଥ’ ରୁ ଓଡ଼ିଆ ‘ତଥି’ ର ଉତ୍ପତ୍ତି ଘଟିଅଛି, ଏ କଥା ସହଜରେ ଅନୁମିତ ହୋଇ ପାରେ । ଏହି ଓଡ଼ିଆ ‘ତଥି’ ଶବ୍ଦ ପ୍ରାଚୀନ କାଳରେ ଓଡ଼ିଶାରେ ବ୍ୟବହୃତ ହେଉଥିଲା ଏବଂ ଏବେ ମଧ୍ୟ କେବେ କେବେ ପଦ୍ୟରଚନାରେ ବ୍ୟବହୃତ ହୋଇଥାଏ (ଉ-ସାଧବବୋହୂ ତଥି ପରେ ଶୋଭଇ) । କଥିତ ଭାଷାରେ ଏବେ ଏହାର ବ୍ୟବହାର ଦେଖାଯାଏ ନାହିଁ । ପୁଣି ଉକ୍ତ ପାଲି ଶବ୍ଦଗୁଡ଼ିକ ସେହି ପାଲିରେ କହଁ, ଯହଁ, ତହଁ ପ୍ରଭୃତିରେ ପରିଣତ ହୋଇଥିବାର ଦେଖାଯାଏ । ଏଥିରୁ ଅନାୟାସରେ ଅନୁମିତ ହୁଏ ଯେ, ଓଡ଼ିଆ କାହିଁ, ଯହିଁ, ତହିଁ ପ୍ରଭୃତି ଶବ୍ଦଗୁଡ଼ିକ ପାଲି କହଁ, ଯହଁ, ତହଁ ପ୍ରଭୃତିରୁ ଉତ୍ପନ୍ନ । କିନ୍ତୁ ପାଲି ‘ଅତ୍‌ଥ’ ରୁ ଓଡ଼ିଆ ‘ଏଥି’ ଶବ୍ଦର ସୃଷ୍ଟି । ପୁଣି ସଂସ୍କୃତ ‘କୁତ୍‍ଚିତ୍’ ଶବ୍ଦଟି ପାଲିରେ ‘କୁହିଚି’ରେ ପରିଣତ ହୋଇ ତହିଁରୁ ଓଡ଼ିଆ ‘କାହିଁ ଚି’ ଶବ୍ଦର ଉତ୍ପତ୍ତି ଘଟିଅଛି । ଏହି ଶବ୍ଦଟି କେବଳ ସମ୍ବଲପୁର ଅଞ୍ଚଳରେ ବ୍ୟବହୃତ । ପୁଣି ଆଉ ଗୋଟିଏ କଥା ଏଠାରେ ଉଲ୍ଲେଖ କରିବା ଉଚିତ ଯେ, ଓଡ଼ିଆ ଯହିଁ, ତହିଁ ପ୍ରଭୃତି ଅବ୍ୟୟ ପଦରେ ବିଭକ୍ତିର ଚିହ୍ନ ସମୟ ସମୟରେ ଯୋଗ କରାଯାଇଥାଏ; ଯଥା,–(୧) ଯାର ମନ ଯହିଁକି ରସେ, (୨) ତହିଁରୁ ମୁଁ କିଛି ବୁଝି ପାରିଲି ନାହିଁ, (୩) ଯହିଁର ଧାନ ତହିଁରେ ରଖ-। ସଂସ୍କୃତ ବା ପାଲି ଶବ୍ଦମାନଙ୍କର ଏପରି ବିଭକ୍ତି ଯୋଗ କରାଯାଉ ନ ଥିଲା ।

 

ସଂସ୍କୃତ ଯସ୍ମିନ୍, ତସ୍ମିନ୍ ପ୍ରଭୃତି ପଦ ପ୍ରାକୃତରେ ଜଇଁସୋ, ତଇଁ ସୋ ପ୍ରଭୃତିରୂପେ ରୂପାନ୍ତରିତ ହୋଇଥିବାର ‘ବୌଦ୍ଧଗାନ ଓ ଦୋହା’ ରୁ ପ୍ରମାଣ ମିଳୁଥିବାରୁ (ଗନ୍ଧପରସର ଜଇଁସୋ, ତଇଁସୋ) ଓଡ଼ିଆ କାହିଁ, ଯହିଁ, ତହିଁ ପ୍ରଭୃତି ସଂସ୍କୃତି କସ୍ମିନ୍, ଯସ୍ମିନ୍, ତସ୍ମିନ୍ ପ୍ରଭୃତିରୁ ଉତ୍ପନ୍ନ ବୋଲି ଅନୁମାନ କରାଯାଇ ପାରେ । କିନ୍ତୁ ହିନ୍ଦୀ ଭାଷାର କାହାଁ, ଉହାଁ ପ୍ରଭୃତି ତୁଳନା କଲେ ଏ ଅନୁମାନ ତେତେ ସଙ୍ଗତ ମନେ ହୁଏ ନାହିଁ । ହିନ୍ଦୀ ଭାଷାର ‘କାହାଁ’, ଓଡ଼ିଆ ‘କାହିଁ’ ଓ ପାଲି ‘କହଁ’ ପ୍ରଭୃତିର ପରସ୍ପର ଘନିଷ୍ଠ ସାଦୃଶ୍ୟ ଅଛି ।

 

ସଂସ୍କୃତ ‘ଇତିଖଳୁ’ ପାଲିରେ ‘ଏତେଖ’ ରେ ପରିଣତ ହୋଇ ତହିଁରୁ ଓଡ଼ିଆ ‘ଏତେକ’ ଶବ୍ଦରୁ ସୃଷ୍ଟି । ସଂସ୍କୃତ ‘କିୟତ୍‌ଖଳୁ’ ପାଲିରେ ‘କିତ୍ତକ’ ରେ ପରିଣତ ହୋଇ ଓଡ଼ିଆରେ ‘କେତେକ’ ରୂପେ ରୂପାନ୍ତରିତ । ତାହା ହେଲେ ସଂସ୍କୃତ ‘ଯତ୍‌ଖଳୁ’ ରୁ ଓଡ଼ିଆ ‘ଯେତେକ’ ଓ ସଂସ୍କୃତ ‘ତତ୍‌ଖଳୁ’ ରୁ ଓଡ଼ିଆ ‘ତେତେକ’ ର ଉତ୍ପତ୍ତି ବୋଲି ଅନୁମାନ କରାଯାଇ ପାରେ । ଧ୍ୱନିତତ୍ତ୍ୱର ନିୟମାନୁସାରେ ଏହି କେତେକ, ଯେତେକ, ତେତେକ, ଏତେକ ପ୍ରଭୃତି ଏତିକି, ଯେତିକି ତେତିକି, କେତିକି ପ୍ରଭୃତିରେ ପରିଣତ ହୋଇପଡ଼ନ୍ତି । ପୁଣି ଇତି, କିୟତ୍, ଯତ୍, ତତ୍ ପ୍ରଭୃତି ସଂସ୍କୃତ ଶବ୍ଦମାନଙ୍କରୁ ଓଡ଼ିଆ ଏତେ, କେତେ, ଯେତେ, ତେତେ ପ୍ରଭୃତିର ସୃଷ୍ଟି ଘଟିଅଛି । ଏହି ଏତେ, କେତେ, ଯେତେ, ତେତେ ପ୍ରଭୃତି ଏଡ଼େ, କେଡ଼େ, ଯେଡ଼େ, ତେଡ଼େ ପ୍ରଭୃତିରେ ପରିଣତ ହୋଇପଡ଼ନ୍ତି । ‘ତ’ ‘ଡ଼’ ରେ ପରିଣତ ହେବା ବିଚିତ୍ର ନୁହେ । ‘ଏତେ’ ଓ ‘ଏଡ଼େ’ ଉଭୟ ଶବ୍ଦର ଅର୍ଥ ସର୍ବଦା ସମାନ ହୋଇ ନ ପାରେ । ଏତେ ବଡ଼ ଲୋକ, ଏଡେ ବଡ଼ ଲୋକ-ଏହି ଦୁଇ ବାକ୍ୟରେ ଅର୍ଥର ବୈଷମ୍ୟ ନାହିଁ; କିନ୍ତୁ ଏଡ଼େ ଲୋକ, ଏତେ ଲୋକ- ଏହି ଦୁଇ ବାକ୍ୟରେ ଅର୍ଥର ବୈଷମ୍ୟ ଲକ୍ଷିତ ହୁଏ । ଏହି ଏତେକ ଯେତେକ, ତେତେକ, କେତେକ ବା ଏତେ, ଯେତେ, ତେତେ, କେତେ ବା ଏଡ଼େ,ଯେଡ଼େ ତେଡ଼େ, କେଡ଼େ ପ୍ରଭୃତି ଓଡ଼ିଆରେ ବିଶେଷଣପଦରୂପେ ମଧ୍ୟ ବାକ୍ୟମାନଙ୍କରେ ବ୍ୟବହୃତ ହୁଅନ୍ତି ।

 

ସଂସ୍କୃତ ‘ତୁଷ୍ଣୀ’ ଓ ‘କିଞ୍ଚିତ୍’ ଶବ୍ଦ ପାଲିରେ ‘ତୁନ୍‌ହି’ ଓ ‘କିଞ୍ଚି’ ରୂପେ ରୂପାନ୍ତରିତ । ଏଥିରୁ ଓଡ଼ିଆ ‘ତୁନି’ ଓ ‘କିଛି’ ଶବ୍ଦଦ୍ୱୟ ଉତ୍ପନ୍ନ । କେହି କେହି ଅନୁମାନ କରନ୍ତି ଯେ, ସଂସ୍କୃତ ‘କିୟତ୍’ ଶବ୍ଦରୁ ପାଲି ‘କିଞ୍ଚି’ ଶବ୍ଦର ଉତ୍ପତ୍ତି ଘଟିବା ଉତ୍ତାରୁ ସଂସ୍କୃତ ‘କିଞ୍ଚିତ୍’ ଶବ୍ଦ ତହିଁରୁ ଉତ୍ପନ୍ନ ।

 

ସଂସ୍କୃତ ‘କେନଚିତ୍’ ଶବ୍ଦରୁ ବଙ୍ଗଳା ‘କୋନ’ ଶବ୍ଦର ଉତ୍ପତ୍ତି । ତାହା ହେଲେ ‘କେନଚିତ୍’ ଶବ୍ଦରୁ ଓଡ଼ିଆ ‘କୌଣସି’ ଶବ୍ଦର ଉତ୍ପତ୍ତି ଘଟିଅଛି । ସଂସ୍କୃତ ‘ପୁନଃ’ ପ୍ରାକୃତରେ ‘ପୁଣ’ ରେ ପରିଣତ ହୋଇ ତହିଁରୁ ଓଡ଼ିଆ ‘ପୁଣି’ ଉତ୍ପନ୍ନ । ସଂସ୍କୃତ ‘ଅସ୍ତ୍ରା’ ରୁ ଓଡ଼ିଆ ‘ଆଚ୍ଛା’ ଉତ୍ପନ୍ନ; ଯଥା,–ମୁଁ ଘରକୁ ଯିବି ? (ଉତ୍ତର) ଆଚ୍ଛା । କିନ୍ତୁ ‘ଆଚ୍ଛା କଥା’–ଏଥିରେ ଥିବା ‘ଆଚ୍ଛା’ ସଂସ୍କୃତ ‘ଅସ୍ତୁ’ ରୁ ଉତ୍ପନ୍ନ ନୁହେ । ଏହା ବୋଧ ହୁଏ ସଂସ୍କୃତ ‘ଅ ତ୍ୟଦ୍ଭୂତ’ ବା ପ୍ରାକୃତ ‘ଅଚାଭୂଆ’ ରୁ ଉତ୍ପନ୍ନ । ‘ଅଚାଭୂଆ’ ଶବ୍ଦ ପ୍ରାଚୀନ ସାହିତ୍ୟରେ ବ୍ୟବହୃତ ହେଉଥିବାର ବଳରାମ ଦାସଙ୍କ ରାମାୟଣରେ ଦେଖାଯାଏ । ପୁଣି ‘ଆଶ୍ଚର୍ଯ୍ୟ’ ରୁ ‘ଆଚ୍ଛା’ ଉତ୍ପନ୍ନ ବୋଲି ଅନୁମାନ କରାଯାଇ ପାରେ ।

 

ସଂସ୍କୃତ ‘ଅପର’ ଶବ୍ଦ ପ୍ରାକୃତରେ ‘ଆବର’ ରୂପେ ରୂପାନ୍ତରିତ ହୋଇଥିଲା । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏହି ‘ଆବର’ ଶବ୍ଦର ବ୍ୟବହାର ବିରଳ ନୁହେ । ବଙ୍ଗଳା ଭାଷାରେ ଏହା ‘ଆବାର’ ରୂପେ ପ୍ରଚଳିତ । ‘ଆବର’ ଶବ୍ଦର ‘ବ’ ‘ଓ’ ରେ ପରିଣତ ହେବାରୁ ଓଡ଼ିଆ ‘ଆହୁରି’ ଓ ‘ଆଉ ଶବ୍ଦଦ୍ୱୟର ଏବଂ ହିନ୍ଦୀ ‘ଔର୍’ ଶବ୍ଦର ଉତ୍ପତ୍ତି ଘଟିଅଛି ।

 

ସଂସ୍କୃତ ‘କଥଂ’ ପାଲିରେ ‘କହଁ’ ରେ ପରିଣତ ହୋଇଥିଲା । ହିନ୍ଦୀ ଭାଷାରେ ପ୍ରଚଳିତ ‘କାହେ’ ଏହି ‘କହଁ’ ରୁ ଉତ୍ପନ୍ନ । କିନ୍ତୁ ପାଲି ‘କହଁ’ ଓଡ଼ିଆରେ ‘କାହିଁ’ ରେ ପରିଣତ ହୋଇ ତହିଁରେ ସଂସ୍କୃତ ‘କିମ୍’ ଶବ୍ଦରୁ ଉତ୍ପନ୍ନ ‘କି’ ଯୁକ୍ତ ହୋଇ ଓଡ଼ିଆ ‘କାହିଁକି’ ଶବ୍ଦ ଗଢ଼ା ହୋଇଅଛି ।

 

ସଂସ୍କୃତ ଭାଷାରେ ସମ୍ବୋଧନବୋଧକ ଅବ୍ୟୟ ‘ଅରେ’, ‘ଅରରେ’ ପ୍ରଭୃତି ପ୍ରଚଳିତ ଥିଲା । ଏଥିରୁ ଓଡ଼ିଆ ‘ହଇରେ’ ଉତ୍ପନ୍ନ । କିନ୍ତୁ ବଙ୍ଗଳା ଭାଷାରେ ବର୍ତ୍ତମାନ ମଧ୍ୟ ‘ଅରେ’ ବ୍ୟବହୃତ-। ସଂସ୍କୃତ ‘ଭୋ’ ରୁ ଓଡ଼ିଆ ‘ହେ’ ଉତ୍ପନ୍ନ; ସଂସ୍କୃତ ‘ଅୟେ’ ରୁ ଓଡ଼ିଆ ‘ଆହେ’ ଉତ୍ପନ୍ନ । ପ୍ରାକୃତ ଭାଷାରେ ସ୍ତ୍ରୀଲିଙ୍ଗରେ ବ୍ୟବହୃତ ସମ୍ବୋଧନବୋଧକ ଅବ୍ୟୟ ‘ହଲ୍ଲା’ ରୁ (ଯଥା–ହଲ୍ଲା ସଉନ୍ଦଳେ) ଓଡ଼ିଆ ‘ହଇଲୋ’ ରୂପାନ୍ତରିତ, କିନ୍ତୁ ପ୍ରାକୃତ ଭାଷାରେ ବ୍ୟବହୃତ ଏହି ‘ହଲ୍ଲା’ କାହିଁରୁ ଉତ୍ପନ୍ନ, ତାହା ନିରୂପଣ କରିବା କଠିନ । ସଂସ୍କୃତ ଭାଷାର ବିସ୍ମୟବୋଧକ ଅବ୍ୟୟ ‘ଅହୋ’ ରୁ ଓଡ଼ିଆ ‘ଆହା’ ଉତ୍ପନ୍ନ ।

 

ସଂସ୍କୃତ ଇତଃ, ଯତଃ, ତତଃ, କୁତଃ ପ୍ରଭୃତିରୁ ଓଡ଼ିଆ ଏଣେ, ଯେଣେ, ତେଣେ, କେଣେ ପ୍ରଭୃତି ଉତ୍ପନ୍ନ । ଏଗୁଡ଼ିକରେ ଦ୍ୱିତୀୟା, ପଞ୍ଚମୀ ଓ ଷଷ୍ଠୀ ବିଭକ୍ତିର ଚିହ୍ନ ମଧ୍ୟ ଯୋଗ କରାଯାଏ; ଯଥା–(କ) ଏଣିକି ଆସ, (ଖ) ତେଣୁ କେହି ଆସି ନାହାନ୍ତି, (ଗ) ତେଣର ଲୋକ ଗଲେ କାହିଁ ? ଏଗୁଡ଼ିକ ପୁଣି ହେତୁନିର୍ଦେଶକ ହୁଅନ୍ତି; ଯଥା–ଯେଣୁ ସେ ନ ଆସିଲେ, ତେଣୁ ମୁଁ ଚାଲିଗଲି ।

 

ସଂସ୍କୃତ ‘ଅର୍ଥ’ ଶବ୍ଦରୁ ଓଡ଼ିଆରେ ‘ଏଥୁ’ ଉତ୍ପନ୍ନ ହୋଇ ତହିଁରେ ‘ଅନନ୍ତର’ ଶବ୍ଦ ଯୋଗ କରି ଓଡ଼ିଆ ‘ଏଥୁଅନନ୍ତରେ’ ଶବ୍ଦ ସୃଷ୍ଟ ହୋଇଥିଲା ଓ ତାହା ପ୍ରାଚୀନ ସାହିତ୍ୟରେ ବ୍ୟବହୃତ ହେଉଥିଲା । ‘ଏଥୁ’ ବର୍ତ୍ତମାନ ‘ଏଥି’ ରେ ପରିଣତ ହୋଇ ତହିଁରେ ‘ଉତ୍ତାରେ’ ଶବ୍ଦ ଯୋଗ କରି ‘ଏଥିଉତ୍ତାରେ’ ଶବ୍ଦ ଗଢ଼ା ହୋଇ ବର୍ତ୍ତମାନ ଓଡ଼ିଆ ଭାଷାରେ ବ୍ୟବହୃତ ହୋଇଅଛି । ‘ଉତ୍ତାରେ’ ଶବ୍ଦଟି ସଂସ୍କୃତ ‘ଉତ୍ତର’ ଶବ୍ଦର ରୂପାନ୍ତର । ‘ଏଥିଉତ୍ତାରେ’ ଶବ୍ଦଟି ଓଡ଼ିଆରେ କ୍ରିୟାବିଶେଷଣରୂପେ ବ୍ୟବହୃତ ।

 

ସଂସ୍କୃତ ‘ବହିସ୍’ ଶବ୍ଦ ପାଲିରେ ‘ବାହିର’ ରେ ପରିଣତ ହୋଇଥିଲା; ବଙ୍ଗଳାରେ ଏହିରୂପେ ବର୍ତ୍ତମାନ ପ୍ରଚଳିତ । କିନ୍ତୁ ହିନ୍ଦୀ ଓ ଓଡ଼ିଆ ଭାଷାରେ ଏହା ‘ବାହାର’ ରୂପେ ପ୍ରଚଳିତ । ଏଥିରେ ମଧ୍ୟ ଦ୍ୱିତୀୟା, ପଞ୍ଚମୀ ଓ ଷଷ୍ଠୀ ବିଭକ୍ତିର ଚିହ୍ନ ଯୋଗ କରାଯାଏ । ସଂସ୍କୃତ ‘ଧିକ୍’ ଶବ୍ଦରୁ ଓଡ଼ିଆ ‘ଛି’ ଉତ୍ପନ୍ନ । ଏହା ବଙ୍ଗଳା ଭାଷାରେ ମଧ୍ୟ ବ୍ୟବହୃତ ।

 

ସ୍ୱୀକାର–ସୂଚନା ନିମନ୍ତେ ଓଡ଼ିଆରେ ‘ହଁ’ ଓ ବଙ୍ଗଳାରେ ‘ହାଁ’ ବ୍ୟବହୃତ ହୁଏ । ଏହା ଦ୍ରାବିଡ଼ୀ ଭାଷାର ‘ଆଁ’ ରୁ ଉତ୍ପନ୍ନ ବୋଲି ମନେ ହୁଏ । ସଂସ୍କୃତ ‘ହଠାତ୍’ ରୁ ଓଡ଼ିଆ ‘ହଠୁଣୁ’ ପ୍ରଚଳିତ; ଯଥା–ସେ ମୋତେ ହଠୁଣୁ ଗାଳି ଦେଲା । ଏହା ସଂସ୍କୃତ ଭାଷା ପରି କ୍ରିୟା-ବିଶେଷଣରୂପେ ବ୍ୟବହୃତ । ପୁଣି ‘ଯେଯାଏ, ‘ସେଯାଏ’ ପ୍ରଭୃତି କଥାରେ ବ୍ୟବହୃତ ‘ଯାଏ’ ପଦଟି ସଂସ୍କୃତ ‘ଯାବତ୍‌’ ଶବ୍ଦରୁ ଉତ୍ପନ୍ନ ।

 

ସଂସ୍କୃତ ଏବଂ, କେବଳ, ମାତ୍ର, ବୃଥା, ବିନା, ଯଦି ପ୍ରଭୃତି ଅବ୍ୟୟପଦଗୁଡ଼ିକ ଓଡ଼ିଆରେ ଅକ୍ଷୁଣ୍ଣରୂପେ ପ୍ରଚଳିତ । କେବଳ ‘ବିନା’ ଶବ୍ଦଟି ସମୟ ସମୟରେ ‘ବିନୁ’ ରେ ପରିଣତ ହୁଏ । ସେହିପରି, ‘ସଂସ୍କୃତ’ ‘ବିହୀନ’ ଓଡ଼ିଆରେ ‘ବିହୁନ’ ରେ ପରିଣତ । ପୁଣି ‘ଛଡ଼ା’ ଏହି ଅବ୍ୟୟ ପଦ ଓଡ଼ିଆରେ ପ୍ରଚଳିତ; ଯଥା–ରାମ ଛଡ଼ା ଆଉ କେହି ଯିବେ ନାହିଁ । ଏହା ଓଡ଼ିଆ ‘ଛାଡ଼୍‌’ ଧାତୁରୁ ଉତ୍ପନ୍ନ । ପାଲିରେ ‘ଛଡ଼େତି’ କ୍ରିୟାପଦର ପ୍ରଚଳନ ଥିଲା । କିନ୍ତୁ ଏହା ସଂସ୍କୃତ ଭାଷାର କେଉଁ କ୍ରିୟାପଦରୁ ଉତ୍ପନ୍ନ ତାହା ନିରୂପଣ କରିପାରୁ ନାହିଁ ।

 

ଚଞ୍ଚଳ ଶୀଘ୍ର, ପ୍ରଭୃତି ସଂସ୍କୃତ ଭାଷାର ଯେତେ କ୍ରିୟାବିଶେଷଣ ପଦ ଓଡ଼ିଆରେ ପ୍ରଚଳିତ, ସେମାନଙ୍କ ସମ୍ବନ୍ଧରେ କିଛି ଉଲ୍ଲେଖ କରିବାର ପ୍ରୟୋଜନ ନାହିଁ । କେବଳ ଏତିକି ବକ୍ତବ୍ୟ ଯେ, ସମୟ ସମୟରେ ଓଡ଼ିଆରେ କ୍ରିୟାବିଶେଷଣ ଗଢ଼ିବା ପାଇଁ ‘ରୂପେ’ ବା ‘କରି’ ପ୍ରତ୍ୟୟ ଯୋଗ କରାଯାଇଥାଏ; ଯଥା–(କ) ଭଲରୂପେ ଦେଖ, (ଖ) ଭଲ କରି ଦେଖ ।

 

ସଂସ୍କୃତ ‘ତ୍ୱରା’ ଶବ୍ଦ ଓଡ଼ିଆରେ ‘ତୋରା’, ‘ତୋରାବରା’ ଓ ‘ତରତର’ ରୂପେ ପ୍ରଚଳିତ । ‘ତରତର’ କ୍ରିୟାବିଶେଷଣରୂପେ ବ୍ୟବହୃତ ହୁଏ ।

 

ଓଡ଼ିଆ ‘ଇଲେ’ (ଅର୍ଥାତ୍‌ ଏବେ, ଯଥା–ସେ ଇଲେ ଆସିବ) ଶବ୍ଦ ସଂସ୍କୃତ ‘ଇଦା’ ରୁ ଉତ୍ପନ୍ନ ବୋଲି ମନେ ହୁଏ । ‘ଇଦା’ ରୁ ଉତ୍ପନ୍ନ ‘ଏଲା’ ଶବ୍ଦ ବର୍ତ୍ତମାନ ମଧ୍ୟ ଆସାମୀ ଭାଷାରେ ପ୍ରଚଳିତ ଅଛି । ସ୍ୱାର୍ଥରେ ବ୍ୟବହୃତ ‘କ’ ପ୍ରତ୍ୟୟ ‘ଇଲେ’ ଶବ୍ଦରେ ଯୁକ୍ତ ହୋଇ ତାହା ‘ଗ’ ରେ ପରିଣତ ହେବାରୁ ଓଡ଼ିଆ ‘ଇଲେଗେ’ ଶବ୍ଦ ଉତ୍ପନ୍ନ ହୋଇଅଛି ବୋଲି ଅନୁମାନ କରାଯାଇ ପାରେ-। ଏହି ‘ଇଲେଗେ’କୁ ଶୁଦ୍ଧ କରିବା ନିମନ୍ତେ ‘ଏହିଲାଗେ’ ରେ ପରିଣତ କରାଯାଇଅଛି ବୋଲି ମନେ ହୁଏ । ନଚେତ୍‌ ‘ଏହିଲାଗେ’ ଶବ୍ଦ ‘ଏହି’ ରେ ‘ଲାଗେ’ ଯୋଗ କରି ଗଢ଼ା ହୋଇଅଛି ବୋଲି କହିବା ପାଇଁ କୌଣସି ବିଶ୍ୱାସଯୋଗ୍ୟ କାରଣ ନାହିଁ । ପୁଣି ‘ଲ’, ‘ନ’ରେ ପରିଣତ ହେଉଥିବାରୁ ସାଧାରଣ ମୁଖରେ ‘ଏଇଲାଗେ ଏଇନାଗେ’ ରେ ପରିଣତ ହୁଏ ।

 

ନିଷେଧାର୍ଥକ ସଂସ୍କୃତ ‘ନ’ରୁ ଓଡ଼ିଆ ‘ନା’ ଉତ୍ପନ୍ନ । ସଂସ୍କୃତ ‘ନାସ୍ତି’ ପାଲିରେ ‘ନତ୍‌ଥି’ ରେ ପରିଣତ ହୋଇ ତହିଁରୁ ଓଡ଼ିଆ ‘ନାହିଁ’ ଉତ୍ପନ୍ନ ହୋଇଅଛି ।

 

ସଂସ୍କୃତରେ ନିଶ୍ଚୟାର୍ଥରେ ‘ହି’ ଯୋଗ କରାଯାଉଥିଲା ଏ କଥା ପୂର୍ବେ କୁହାଯାଇଅଛି । ଓଡ଼ିଆରେ ମଧ୍ୟ ନିଶ୍ଚୟାର୍ଥରେ ‘ହି’ ବ୍ୟବହାର କରାଯାଏ; ଯଥା,-ସେହି ଲୋକ ଏଠାକୁ ଆସିଥିଲା । ଏହି ‘ହି’ ସମୟ ସମୟରେ ଓଡ଼ିଆରେ ‘ଇ’ ରେ ପରିଣତ; ହୁଏ ଯଥା–ତାକୋଇ (ତାକୁ+ଇ) ମୁଁ ଟଙ୍କା ଦେଇଥିଲି ।

 

ସଂସ୍କୃତ ‘କିମପି’ ପଦ ପ୍ରାକୃତରେ ‘କିମ୍ପି’ରେ ପରିଣତ ହୋଇଥିବାର ‘ବୌଦ୍ଧଗାନ ଓ ଦୋହା’ରେ ଦେଖାଯାଏ । ଏହି ‘କିମ୍ପି’ରୁ ଓଡ଼ିଆ ‘କିମ୍ପା’ ବା ‘କିପାଇଁ’ ଉତ୍ପନ୍ନ । ପୁଣି ‘କିପାଇଁ’ରୁ ‘କି’ ଲୁପ୍ତ ହୋଇ ଓଡ଼ିଆରେ ‘ପାଇଁ’ ବ୍ୟବହୃତ ହୁଏ । ସଂସ୍କୃତ ‘ନିମିତ୍ତ’ରୁ ଓଡ଼ିଆ ‘ନିମନ୍ତେ’ ଉତ୍ପନ୍ନ । ସଂସ୍କୃତ ‘ମିଶ୍ର’ରୁ ଓଡ଼ିଆରେ ‘ମିଶା’ ଅବ୍ୟୟରୂପେ ବ୍ୟବହୃତ; ଯଥା–ସେ ମିଶାଯିବ । ଏହା ଅବ୍ୟୟରୂପେ ବ୍ୟବହୃତ । ଆହୁରି ମଧ୍ୟ ସଂସ୍କୃତ ‘ପ୍ରାୟ’ରୁ ଓଡ଼ିଆ ‘ପରି’ ଓ ‘ପରା’ ଉତ୍ପନ୍ନ ।

 

ସଂସ୍କୃତ ‘ବଦ୍‌’ ଧାତୁ ପ୍ରାକୃତରେ ‘ବଲ୍ଲ’ରେ ପରିଣତ ହୋଇଥିଲା । ଏଥିରୁ ଉତ୍ପନ୍ନ ‘ବୋଲି’ ଓଡ଼ିଆରେ ଅବ୍ୟୟରୂପେ ବ୍ୟବହୃତ; ଯଥା–ସେ ଆସିବେ ବୋଲି କହିଥିଲେ । ପୁଣି ଓଡ଼ିଆରେ ‘ଟା’ ବା ‘ଟି’ ନିର୍ଦ୍ଦେଶାର୍ଥରେ ବ୍ୟବହୃତ ହୋଇଥାଏ; ଯଥା–ପାଞ୍ଚୋଟି ଆମ୍ବ, ସେଟା ବଡ଼ ପାଜି । ‘ଟା’ ତାତ୍ସଲ୍ୟାର୍ଥରେ ବ୍ୟବହୃତ । ଏହି ‘ଟା’ ବୋଧ ହୁଏ ‘ଗୋଟା’ ରୁ ଉତ୍ପନ୍ନ । କାରଣ, ପାଞ୍ଚୋଟା ପରିବର୍ତ୍ତରେ ପାଞ୍ଚଗୋଟା କୁହାଯାଏ । ଏହି ‘ଗୋଟା’ ବୋଧ ହୁଏ ‘କଡ଼ା’ ରୁ ଉତ୍ପନ୍ନ । କାରଣ, ‘ପାଞ୍ଚୋଗୋଟା ନଡ଼ିଆ’ ବଦଳରେ ‘ପାଞ୍ଚକଡ଼ା ନଡ଼ିଆ’ କୁହାଯାଇଥାଏ । କିନ୍ତୁ କେହି କେହି ଅନୁମାନ କରନ୍ତି ଯେ, ଦ୍ରାବିଡ଼ୀ ଭାଷାରୁ ‘ଗୋଟା’ ବା ‘ଟା’ ଆସିଅଛି ।

Image

 

Unknown

ଷଷ୍ଠ ଅଧ୍ୟାୟ

(ଲିଙ୍ଗ)

 

ପ୍ରଥମେ ଏ କଥା ଉଲ୍ଲେଖ କରିବା ଉଚିତ ଯେ, ସଂସ୍କୃତ ଭାଷାରେ ଯେପରି ଲିଙ୍ଗ-ନିର୍ଣ୍ଣୟ କଠିନ ବ୍ୟାପାର ଥିଲା, ସେହି ସଂସ୍କୃତ ଭାଷାରୁ ପ୍ରଧାନତଃ ଉତ୍ପନ୍ନ ଓଡ଼ିଆ ଭାଷାରେ ଲିଙ୍ଗ-ନିର୍ଦେଶ ସେପରି ଜଟିଳ ବ୍ୟାପାର ନୁହେ । ଦ୍ରାବିଡ଼ୀ ଭାଷାରେ ଯେପରି ପ୍ରାଣିବାଚକ ଶବ୍ଦ ଛଡ଼ା ଅନ୍ୟ ସମସ୍ତ ଶବ୍ଦ କ୍ଳୀବଲିଙ୍ଗର ଅନ୍ତର୍ଗତ, ଓଡ଼ିଆ ଭାଷାରେ ମଧ୍ୟ ସେହିପରି; କିନ୍ତୁ ସଂସ୍କୃତ ଭାଷାରେ ‘ନଦୀ’ ଶବ୍ଦ ସ୍ତ୍ରୀଲିଙ୍ଗର ଅନ୍ତର୍ଭୁକ୍ତ ଥିଲେ ମଧ୍ୟ ବହୁବଚନରେ ‘ନଦୀବୃନ୍ଦ’ ହେଲେ ତାହା ପୁଂଲିଙ୍ଗର ଅନ୍ତର୍ଭୁକ୍ତ ହୋଇପଡ଼େ । ଶବ୍ଦରୂପର ସୁବିଧା ନିମନ୍ତେ ବୋଧ ହୁଏ ସଂସ୍କୃତ ଭାଷାରେ ଏପରି ଲିଙ୍ଗ-ବିଭାଗ ସୃଷ୍ଟ ହୋଇଥିଲା ।

 

ସଂସ୍କୃତ ଭାଷାରେ ପୁଂଲିଙ୍ଗକୁ ସ୍ତ୍ରୀଲିଙ୍ଗରେ ପରିଣତ କରିବାପାଇଁ ଯେତେ ପ୍ରତ୍ୟୟ ଥିଲା, ଓଡ଼ିଆରେ ସେ ସମସ୍ତ ପ୍ରତ୍ୟୟ ଅକ୍ଷୁଣ୍ଣ ରହି କେବଳ ଅପରିବର୍ତ୍ତିତ ସଂସ୍କୃତ ଶବ୍ଦରେ ବ୍ୟବହୃତ ହୁଏ । ତାହା ଛଡ଼ା କେତେଗୁଡ଼ିଏ ଓଡ଼ିଆ ସ୍ତ୍ରୀପ୍ରତ୍ୟୟ ସୃଷ୍ଟ ହୋଇଅଛି । ଏଠାରେ କେବଳ ଏହି ଓଡ଼ିଆ ସ୍ତ୍ରୀପ୍ରତ୍ୟୟ ସମ୍ବନ୍ଧରେ ଆଲୋଚନା କରିବାକୁ ହେବ । ଏଠାରେ ପୁଣି ଆଉ ଗୋଟିଏ କଥା ଉଲ୍ଲେଖ କରିବା ଉଚିତ ଯେ, ସଂସ୍କୃତରେ ଯେପରି ସ୍ତ୍ରୀଲିଙ୍ଗର ବିଶେଷଣ ସ୍ତ୍ରୀଲିଙ୍ଗରେ ପରିଣତ ହେଉଥିଲା (ଯଥା, ପୁଂ ଗତଃ ନରଃ–ସ୍ତ୍ରୀ ଗତା ନାରୀ), ଓଡ଼ିଆରେ ସେପରି ହୁଏ ନାହିଁ (ଯଥା, ପୁଂ ଗଲା ମନୁଷ୍ୟ–ସ୍ତ୍ରୀ ଗଲା ନାରୀ) । ଦୁଷ୍ଟ, ନଷ୍ଟ ଚଞ୍ଚଳ ପ୍ରଭୃତି ସ୍ତ୍ରୀଲିଙ୍ଗ ଶବ୍ଦର ବିଶେଷଣରୂପେ ଓଡ଼ିଆରେ ବ୍ୟବହୃତ ହେଲେ ମଧ୍ୟ ସେହିପରି ଅପରିବର୍ତ୍ତିତ ଆକାରରେ ରହନ୍ତି । କେବଳ ଅବସ୍ଥାବାଚକ ଓ କେତେଗୁଡ଼ିଏ ଉପପଦସମାସ-ନିଷ୍ପନ୍ନ ବିଶେଷଣ ଓଡ଼ିଆରେ ସର୍ବଦା ସ୍ତ୍ରୀଲିଙ୍ଗରେ ପରିଣତ ହୁଅନ୍ତି । ଏଗୁଡ଼ିକୁ ସ୍ତ୍ରୀଲିଙ୍ଗରେ ପରିଣତ କରିବାକୁ ହେଲେ ‘ଈ’ ପ୍ରତ୍ୟୟ ଯୋଗ କରିବାକୁ ହୁଏ । ଏହି ‘ଈ’ ପ୍ରତ୍ୟୟ ଯେ ସଂସ୍କୃତ ଭାଷାରୁ ଓଡ଼ିଆ ଭାଷାକୁ ଆସିଅଛି, ଏହା ପାଠକମାନଙ୍କୁ ବୁଝାଇବାର ପ୍ରୟୋଜନ ନାହିଁ । ଅବସ୍ଥାବାଚକ ଓ ଉପପଦସମାସନିଷ୍ପନ୍ନ ବିଶେଷଣଗୁଡ଼ିକ ଓଡ଼ିଆରେ ସାଧାରଣତଃ ଆକାରାନ୍ତ ହୋଇଥାନ୍ତି । ‘ଈ’ ପ୍ରତ୍ୟୟ ଯୋଗ କଲେ ସେଗୁଡ଼ିକ ପ୍ରାୟ ଈକାରାନ୍ତ ହୋଇ ପଡ଼ନ୍ତି; ଯଥା–ପଂ କୋଦା-ସ୍ତ୍ରୀ କୋଦୀ, ପୁଂ କେମ୍ପା–ସ୍ତ୍ରୀ କେମ୍ପୀ, ପୁଂ ଡ଼େଙ୍ଗା–ସ୍ତ୍ରୀ ଡ଼େଙ୍ଗୀ, ପୁଂ ବାଙ୍ଗର-ସ୍ତ୍ରୀ ବାଙ୍ଗରୀ, ପୁଂ ମୂତୁରା-ସ୍ତ୍ରୀ ମୂତୁରୀ, ପୁଂ ଦାନ୍ତୁରା-ସ୍ତ୍ରୀ ଦାନ୍ତୁରୀ, ପୁଂ ଛୋଟା-ସ୍ତ୍ରୀ ଛୋଟୀ, ପୁଂ ମୋଟା-ସ୍ତ୍ରୀ ମୋଟୀ, ପୁଂ ବେଧୁଆ–ସ୍ତ୍ରୀ ବେଧୋଈ (ଏଠାରେ ଉପାନ୍ତ୍ୟ ଉକାର ଓକାରରେ ପରିଣତ), ପୁଂ ଲଣ୍ଡା–ସ୍ତ୍ରୀ ଲାଣ୍ଡୀ, ପୁଂ କଣା–ସ୍ତ୍ରୀ କାଣୀ (ଏଠାରେ ପ୍ରଥମ ବର୍ଣ୍ଣର ଅକାର ଆକାରରେ ପରିଣତ), ପୁଂ ଟେରା–ସ୍ତ୍ରୀ ଟେରୀ, ପୁଂ ତୋଟିକଟା–ସ୍ତ୍ରୀ ତୋଟିକାଟୀ, ପୁଂ ନାକପୋଡ଼ା–ସ୍ତ୍ରୀ ନାକଫୋଡ଼ୀ, ପୁଂ ଛତ୍ରଖିଆ–ସ୍ତ୍ରୀ ଛତ୍ରଖାଈ । କେବଳ ବାୟା, ଅନ୍ଧ କାଲ ପ୍ରଭୃତି କେତୋଟି ଶବ୍ଦ ସ୍ତ୍ରୀଲିଙ୍ଗରେ ଯଥାକ୍ରମେ ବାୟାଣୀ, ଅନ୍ଧୁଣୀ, କାଲୁଣୀ ପ୍ରଭୃତିରେ ପରିଣତ ହୋଇ ଏହି ସୂତ୍ରର ବହିର୍ଭୂତ ହୋଇଅଛନ୍ତି ।

 

ସଂସ୍କୃତ ଭାଷାରେ ପୁଂଲିଙ୍ଗକୁ ସ୍ତ୍ରୀଲିଙ୍ଗରେ ପରିଣତ କରିବା ପାଇଁ କେତେଗୁଡ଼ିଏ ପୁଂଲିଙ୍ଗ ଶବ୍ଦର ଉତ୍ତର ‘ଆଣୀ’ ପ୍ରତ୍ୟୟ ଯୋଗ କରାଯାଉଥିଲା (ଯଥା, ପୁଂ ଇନ୍ଦ୍ର-ସ୍ତ୍ରୀ ଇନ୍ଦ୍ରାଣୀ) । ଏହି ‘ଆଣୀ’ ପ୍ରତ୍ୟୟ ବଙ୍ଗଳା ଭାଷାରେ ବ୍ୟବହୃତ ହୁଏ (ଯଥା ପୁଂ ମେହନ୍ତର–ସ୍ତ୍ରୀ ମେହନ୍ତରାନୀ)-। ପୁଣି ଆସାମୀ ଭାଷାରେ ଏହି ‘ଆଣୀ’ ପ୍ରତ୍ୟୟ ‘ଇନୀ’ ପ୍ରତ୍ୟୟରୂପେ ବ୍ୟବହୃତ (ଯଥା, ପୁଂ ବାଘ-ସ୍ତ୍ରୀ ବାଘିନୀ) । କିନ୍ତୁ ଓଡ଼ିଆରେ ସ୍ଥାନେ ସ୍ଥାନେ ଏହି ‘ଆଣୀ’ ପ୍ରତ୍ୟୟ ବ୍ୟବହୃତ ହୁଏ ଓ ସ୍ଥାନେ ସ୍ଥାନେ ‘ଆଣୀ’ ପ୍ରତ୍ୟୟ ‘ଉଣୀ’ ରେ ପରିଣତ ହୋଇ ବ୍ୟବହୃତ ହୁଏ । ଜାତିବାଚକ, ବ୍ୟବସାୟବାଚକ ବା କୌଣସି ଲୋକର ଦେଶପରିଚୟଜ୍ଞାପକ ଶବ୍ଦରେ ଓଡ଼ିଆ ଭାଷାରେ ସାଧାରଣତଃ ‘ଆଣୀ’ ପ୍ରତ୍ୟୟ ଯୋଗ କରାଯାଏ । ଆକାରାନ୍ତ ଶବ୍ଦରେ ‘ଆଣୀ’ ପ୍ରତ୍ୟୟ ଯୋଗ କଲେ ଶବ୍ଦର ଅନ୍ତ୍ୟ ଆକାର ଓ ପ୍ରତ୍ୟୟର ଆଦ୍ୟ ଆକାର ଦୁହେଁ ମିଳି ଗୋଟିଏ ଆକାରରୂପେ ରହନ୍ତି; ଯଥା,–ପଂ ଗୁଡ଼ିଆ–ସ୍ତ୍ରୀ ଗୁଡ଼ିଆଣୀ, ପୁଂ ମୂଲିଆ-ସ୍ତ୍ରୀ ମୂଲିଆଣୀ, ପୁଂ ପଶ୍ଚିମା-ସ୍ତ୍ରୀ ପଶ୍ଚିମାଣୀ, ପୁଂ ଦକ୍ଷିଣିଆ-ସ୍ତ୍ରୀ ଦକ୍ଷିଣିଆଣୀ । ଅକାରାନ୍ତ ଶବ୍ଦରେ ‘ଆଣୀ’ ପ୍ରତ୍ୟୟ ଯୋଗ କଲେ ତାହା ପ୍ରାୟ ‘ଉଣୀ’ କେ ପରିଣତ ହୋଇଯାଏ; ଯଥା, ପୁଂ ଗଉଡ଼–ସ୍ତ୍ରୀ ଗଉଡ଼ୁଣୀ, ପୁଂ କୁମ୍ଭାର–ସ୍ତ୍ରୀ କୁମ୍ଭାରୁଣୀ, ପୁଂ କମାର–ସ୍ତ୍ରୀ କମାରୁଣୀ । ଏହି ସୂତ୍ର ଅନୁସାରେ ‘ଡୋମ’ ଶବ୍ଦ ‘ଡୋମୁଣୀ’ ରେ ପରିଣତ ହେଉଥିଲେ ମଧ୍ୟ କେହି କେହି ‘ଡୋମଣୀ’ ରୂପେ ଉଚ୍ଚାରଣ କରିଥାନ୍ତି । ପୁଣି ଏହି ସୂତ୍ରରୁ ବହିର୍ଭୁତ ହୋଇ ବେଳେ ବେଳେ ‘ବଇଦ’ ରୁ ‘ବଇଦାଣୀ’ ହୁଏ ଏବଂ ପୂର୍ବୋକ୍ତ ସୂତ୍ରର ବ୍ୟତିକ୍ରମରେ ‘ଧୋବା’ ରୁ ‘ଧୋବଣୀ’ ଓ ‘ଚଷା’ ରୁ ‘ଚାଷୁଣୀ’ ହୁଏ । ଇକାରାନ୍ତ ବା ଈକାରାନ୍ତ ଶବ୍ଦରେ ‘ଆଣୀ’ ପ୍ରତ୍ୟୟ ଯୋଗ କଲେ ସେହି ଶବ୍ଦ ଅକାରାନ୍ତ ହୁଏ ଓ ‘ଆଣୀ’ ପ୍ରତ୍ୟୟ ‘ଉଣୀ’ ରେ ପରିଣତ ହୋଇପଡ଼େ; ଯଥା–ପୁଂ ମାଳୀ–ସ୍ତ୍ରୀ ମାଳୁଣୀ, ପୁଂ ବଙ୍ଗାଳୀ–ସ୍ତ୍ରୀ ବଙ୍ଗାଳୁଣୀ, ପୁଂ ତେଲୀ–ସ୍ତ୍ରୀ ତେଲୁଣୀ (ତେଲିଆଣୀ ମଧ୍ୟ ହୁଏ), ପୁଂ ବାଉରି–ସ୍ତ୍ରୀ ବାଉରୁଣୀ (ବାଉରାଣୀ ମଧ୍ୟ ହୁଏ) ।

 

ଆଉ କେତେଗୁଡ଼ିଏ ପୁଂଲିଙ୍ଗ ଶବ୍ଦରେ ‘ଆଣୀ’ ପ୍ରତ୍ୟୟ ଯୋଗ କଲେ ସେଗୁଡ଼ିକ ଏପରି ଆକାରରେ ପରିଣତ ହୋଇ ପଡ଼ନ୍ତି ଯେ, ସେମାନଙ୍କ ସମ୍ୱନ୍ଧରେ ବର୍ତ୍ତମାନ କୌଣସି ସୂତ୍ର ଗଢ଼ାଯାଇ ନ ପାରେ, ଯଥା–ପୁଂ ପଣ୍ଡା–ସ୍ତ୍ରୀ ପଣ୍ଡିଆଣୀ, ପୁଂ ମିତ–ସ୍ତ୍ରୀ ମିତଣୀ, ପୁଂ ହାଡ଼ି–ସ୍ତ୍ରୀ ହାଡ଼ିଆଣୀ, ପୁଂ ମହାଜନ–ସ୍ତ୍ରୀ ମହାଜନିଆଣୀ । ଉଚ୍ଚାରଣ-ବିଚିତ୍ରତା ଯୋଗୁଁ ଏକପ୍ରତ୍ୟୟ ଯେ ଏହିପରି ବିଭିନ୍ନ ରୂପରେ ପରିଣତ ହେଉଅଛି, ତାହା ପାଠକମାନେ ହୃଦୟଙ୍ଗମ କରି ପାରୁଥିବେ ।

 

ଜନ୍ତୁବାଚକ ଓ ପକ୍ଷିବାଚକ ଶବ୍ଦମାନଙ୍କ ମଧ୍ୟରୁ ଅଳ୍ପ କେତୋଟି ଶବ୍ଦ ଛଡ଼ା ବାକି ସବୁ ଗୁଡ଼ିକରେ ପୂର୍ବପଦ ଯୋଗ କରି ପୁଂଲିଙ୍ଗ ବା ସ୍ତ୍ରୀଲିଙ୍ଗ ନିର୍ଦ୍ଦେଶ କରିବାକୁ ହୁଏ । ଯେଉଁଗୁଡ଼ିକରେ ପୂର୍ବପଦ ଯୋଗ କରାଯାଏ ନାହିଁ, ସେଗୁଡ଼ିକୁ ବର୍ତ୍ତମାନ କୌଣସି ସୂତ୍ରର ଅନ୍ତର୍ଭୁକ୍ତ କରାଯାଇ ପାରୁ ନାହିଁ; ଯଥା,–ପୁଂ କୁକୁର–ସ୍ତ୍ରୀ କୁତୀ, ପୁଂ ବାଘ–ସ୍ତ୍ରୀ ବାଘୁଣୀ, ପୁଂ ଷଣ୍ଢ–ସ୍ତ୍ରୀ ଗାଈ, ପୁଂ ଘୋଡ଼ା–ସ୍ତ୍ରୀ ଘୋଡ଼ୀ, ପୁଂ ହାତୀ–ସ୍ତ୍ରୀ ହାତୁଣୀ, ପୁଂ ଚକୁଆ–ସ୍ତ୍ରୀ ଚକୋଈ, ପୁଂ ବଗ–ସ୍ତ୍ରୀ ବଗୁଲୀ, ପୁଂ ନାଗ–ସ୍ତ୍ରୀ ନାଗୁଣୀ । ଅନ୍ୟାନ୍ୟ ସମସ୍ତ ପ୍ରାଣୀବାଚକ ଶବ୍ଦର ପୂର୍ବରେ ‘ଅଣ୍ଡିରା’ ଶବ୍ଦ ଯୋଗ କରି ପୁଂଲିଙ୍ଗ ଓ ‘ମାଈ’ ଶବ୍ଦ ଯୋଗ କରି ସ୍ତ୍ରୀଲିଙ୍ଗ ଗଢ଼ାଯାଏ; ଯଥା–ପୁଂ ଅଣ୍ଡିରା ବାଛୁରୀ–ସ୍ତ୍ରୀ ମାଈ ବାଛୁରୀ, ପୁଂ ଅଣ୍ଡିରା ବିରାଡ଼ି–ସ୍ତ୍ରୀ ମାଈ ବିରାଡ଼ି, ପୁଂ ଅଣ୍ଡିରା ମୂଷା–ସ୍ତ୍ରୀ ମାଈ ମୂଷା, ପୁଂ ଅଣ୍ଡିରା ବଣି–ସ୍ତ୍ରୀ ମାଈ ବଣି, ପୁଂ ଅଣ୍ଡିରା ଗଧ–ସ୍ତ୍ରୀ ମାଈ ଗଧ, ପୁଂ ଅଣ୍ଡିରା ଭାଲୁ–ସ୍ତ୍ରୀ ମାଈ ଭାଲୁ ।

 

‘ଅଣ୍ଡିରା’ ଶବ୍ଦ କିପରି ଉତ୍ପନ୍ନ ହୋଇଅଛି, ତାହା ସ୍ଥିର କରିବା କଠିନ । କୁର୍ଗୁ ଭାଷାରେ ‘ଅଣ୍ଡ୍ରା’ ଶବ୍ଦ ପ୍ରଚଳିତ । ଏହା ବୋଧ ହୁଏ ‘ଅଣ୍ଡ’ ଶବ୍ଦରେ ‘ରା’ ଯୋଗ କରିବାରେ ଉତ୍ପନ୍ନ । ‘ମାଈ’ ଶବ୍ଦ ବୋଧ ହୁଏ ସଂସ୍କୃତ ‘ମାତୃ’ ଶବ୍ଦରୁ ଉତ୍ପନ୍ନ ।

 

ପାରିବାରିକ ସମ୍ୱନ୍ଧବାଚକ ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ ସଂସ୍କୃତ ଶବ୍ଦ ଗୁଡ଼ିକ ରୂପାନ୍ତରିତ ହୋଇ ଓଡ଼ିଆରେ ବ୍ୟବହୃତ ହେଉଅଛି । ସଂସ୍କୃତ ପୁଂଲିଙ୍ଗ ‘ବାପା’ ଶବ୍ଦରୁ ଓଡ଼ିଆରେ ‘ବାପା’ ଶବ୍ଦ ପ୍ରଚଳିତ । ସଂସ୍କୃତ ‘ମାତା’-ରୁ ଉତ୍ପନ୍ନ ‘ମା’, ‘ବପ୍ପା’-ଶବ୍ଦର ସ୍ତ୍ରୀଲିଙ୍ଗରୂପେ ବ୍ୟବହୃତ । କିନ୍ତୁ ପୁରୀ ଅଞ୍ଚଳରେ ବ୍ରାହ୍ମଣମାନେ ‘ବାପା’ ପରିବର୍ତ୍ତେ ଯେଉଁ ‘ନନା’ ଶବ୍ଦ ବ୍ୟବହାର କରନ୍ତି ତାହା କାହିଁରୁ ଉତ୍ପନ୍ନ କହିହେବ ନାହିଁ । ବେଦର ଭାଷାରେ ‘ନନା’ ଶବ୍ଦ ମାତାପ୍ରତି ବ୍ୟବହୃତ । ଏହି ‘ନନା’ ଶବ୍ଦ ଓଡ଼ିଆରେ ମାନ୍ୟ ପୁରୁଷ-ବ୍ୟକ୍ତି ପ୍ରତି ବ୍ୟବହୃତ ହୁଏ ବୋଲି କହିବା କଠିନ । ପୁରୀଜିଲ୍ଲାର ବ୍ରାହ୍ମଣମାନଙ୍କୁ ଛାଡ଼ିଦେଲେ ଓଡ଼ିଶାର ବାକି ସବୁଜାତି ବଡ଼ଭାଇକି ‘ନନା’ ବୋଲି ଡାକନ୍ତି । ପୁଣି ‘ନନା’ ଶବ୍ଦରୁ ସ୍ତ୍ରୀଲିଙ୍ଗ ଗଢ଼ି ବଡ଼ଭଉଣୀକି ‘ନାନୀ’ ବୋଲି ଡାକନ୍ତି । ଆହୁରି ମଧ୍ୟ ପୁରୀଜିଲାର ବ୍ରାହ୍ମଣମାନେ ସଂସ୍କୃତ ‘ଭ୍ରାତୃ’ ବା ପ୍ରାକୃତ ‘ଭାଓ’ ଶବ୍ଦରୁ ଉତ୍ପନ୍ନ ଓଡ଼ିଆ ‘ଭାଇ’ ସହିତ ‘ନନା’ ଯୋଗକରି ବଡ଼ଭାଇକି ‘ଭାଇନା କହନ୍ତି । ସଂସ୍କୃତ ‘ଭ୍ରାତୃଜାୟା’-ରୁ ଉତ୍ପନ୍ନ ‘ଭାଉଜ’ ଶବ୍ଦ ମଧ୍ୟ ‘ନନା’ ବା ‘ଭାଇନା’ ଶବ୍ଦର ଅନ୍ୟତର ସ୍ତ୍ରୀଲିଙ୍ଗରୂପେ ବ୍ୟବହୃତ । ପୁଣି କେତେକ ଜାତିରେ ବଡ଼ଭାଇର ସ୍ତ୍ରୀକି ‘ନୂଆବୋହୁ’ (ସଂ ନବବଧୂ) ବୋଲି ଡାକନ୍ତି ।

 

କରଣମାନଙ୍କ ମଧ୍ୟରୁ କେହି କେହି ବଡ଼ଭଉଣୀକି ‘ନାନୀ’ ପରିବର୍ତ୍ତେ ‘ଅପା’ କହନ୍ତି ଓ କେତେକ ସ୍ଥାନରେ କ୍ଷତ୍ରିୟମାନେ ‘ଅତ୍ତା’ କହନ୍ତି । ସଂସ୍କୃତରେ ‘ଅତ୍ତା’ ଶବ୍ଦ ମଧ୍ୟ ବଡ଼ଭଉଣୀପ୍ରତି ପ୍ରୟୋଗ କରାଯାଉଥିଲା । ତାମିଲି ଭାଷାରେ ‘ବାପା’-କୁ ‘ଅପ୍ପା’ କହନ୍ତି ଓ ତୁଳୁଭାଷାରେ ‘ମା’-କୁ ଅପ୍ପେ କହନ୍ତି । ସୁତରାଂ ଓଡ଼ିଆ ‘ଅପା’ ଶବ୍ଦ ଦ୍ରାବିଡ଼ୀ ଭାଷାରୁ ଆସିଅଛି ବୋଲି ଅନାୟାସାରେ କୁହାଯାଇପାରେ । ଯାହାହେଉ ଓଡ଼ିଆରେ ‘ବଡ଼ଭାଇ’-ର ସ୍ତ୍ରୀଲିଙ୍ଗରୂପେ ନାନୀ, ଅପା, ଅତା, ଭାଉଜ ଓ ନୂଆବୋହୂ–ଏହି କେତୋଟି ଶବ୍ଦ ପ୍ରଚଳିତ ।

 

ସଂସ୍କୃତ ‘ତୀତ’ ଶବ୍ଦରୁ ଉତ୍ପନ୍ନ ‘ଦଦା’ ଶବ୍ଦ ଓଡ଼ିଶାରେ କ୍ଷତ୍ରିୟମାନଙ୍କମଧ୍ୟରୁ କେହି କେହି ‘ବାପା’ ପ୍ରତି ପ୍ରୟୋଗ କରିଥାନ୍ତି । କିନ୍ତୁ ସାଧାରଣ ଲୋକେ ବାପାର ବଡ଼ଭାଇକି ‘ଦଦା’ ବୋଲି ଡାକନ୍ତି । ଏହାର ସ୍ତ୍ରୀଲିଙ୍ଗରୂପେ ଓଡ଼ିଆରେ ‘ଜେଠାଈ’ ଶବ୍ଦ ପ୍ରଚଳିତ । ସଂସ୍କୃତ ଭାଷାରେ ଯୁବତୀ ସ୍ତ୍ରୀ-ର ତତ୍ତ୍ୱାବଧାରିକାକୁ ‘ଜ୍ୟେଷ୍ଠତରା’ କହୁଥିଲେ, ଏଥିରୁ ଓଡ଼ିଆ ‘ଜେଠାଇ’ ଶବ୍ଦ ରୂପାନ୍ତରିତ କି ? କୌଣସି କୌଣସି ଅଞ୍ଚଳରେ ‘ବଡ଼ ମା’ ଶବ୍ଦ ‘ଦଦା-ର ସ୍ତ୍ରୀଲିଙ୍ଗରୂପେ ମଧ୍ୟ ବ୍ୟବହୃତ ହୁଏ ?

 

ବାପାର ସାନ ଭାଇକି ଓଡ଼ିଆରେ ‘କକା’ ଓ ବଙ୍ଗଳାରେ ‘କାକା’ କହନ୍ତି । ଏହା କାହିଁ ରୁ ଉତ୍ପନ୍ନ, ବର୍ତ୍ତମାନ ନିରୂପଣ କରା ଯାଇ ପାରୁ ନାହିଁ । କିନ୍ତୁ ସଂସ୍କୃତ ‘ଖୁଲ୍ଲତାତ’ ଶବ୍ଦରୁ ଉତ୍ପନ୍ନ ‘ଖୁଡ଼ୁତା’ ଶବ୍ଦ ଓଡ଼ିଆରେ ପ୍ରଚଳିତ ଅଛି । ଖୁଡ଼ୁତାର ସଂକ୍ଷିପ୍ତ ରୂପ ‘ଖୁଡ଼ା’ ବା ‘ଖୁଡ଼ୋ’ ବଙ୍ଗଳା ଭାଷାରେ ପ୍ରଚଳିତ । ଏହି ‘ଖୁଡ଼ା’ରୁ ଗଢ଼ା ‘ଖୁଡ଼ୀ’ ଶବ୍ଦ ବର୍ତ୍ତମାନ ଓଡ଼ିଆରେ ‘କକା’ର ସ୍ତ୍ରୀଲିଙ୍ଗରୂପେ ବ୍ୟବହୃତ । ବଙ୍ଗଳାରେ ‘ଖୁଡ଼ୀମା’ ମଧ୍ୟ କହନ୍ତି । ପୁଣ ପିଉଷୀ ଶବ୍ଦ କକା, ଦଦା ଓ ବାପା ପ୍ରଭୃତି ପ୍ରତ୍ୟେକ ଶବ୍ଦର ଅନ୍ୟତର ସ୍ତ୍ରୀଲିଙ୍ଗରୂପେ ପ୍ରଚଳିତ ଥିଲେ ମଧ୍ୟ ଡାକିବା ବେଳେ ପିଉଷୀ ଶବ୍ଦ କେହି ବ୍ୟବହାର କରନ୍ତି ନାହିଁ । ‘ପିଉଷୀ’ ଶବ୍ଦ ସଂସ୍କୃତ ‘ପିତୃଷ୍ୱସା’ରୁ ଉତ୍ପନ୍ନ । ଏହାର ଅନ୍ୟତମ ପୁଂଲିଙ୍ଗ ଶବ୍ଦ ପିଉଷା । ସେହିପରି ସଂସ୍କୃତ ‘ମାତୃଷ୍ୱସା’ରୁ ଉତ୍ପନ୍ନ ମାଉଷୀ ଓ ତାହାର ପୁଂଲିଙ୍ଗ ମଉସା ଶବ୍‍ଦଦ୍ୱୟ ଓଡ଼ିଆରେ ପ୍ରଚଳିତ । ସଂସ୍କୃତ ‘ପୁତ୍ର’ ଶବ୍ଦ ପାଲିରେ ‘ପୁତ୍ତ’ରେ ପରିଣତ ହୋଇଥିଲା । ଏହି ‘ପୁତ୍ତ’ ଶବ୍ଦ ପ୍ରାଚୀନ ଓଡ଼ିଆରେ ବ୍ୟବହୃତ ଥିଲା ଏବଂ ଏବେ ମଧ୍ୟ ସ୍ତ୍ରୀଲୋକମାନେ ଗାଳିଦେବାବେଳେ ବ୍ୟବହାର କରନ୍ତି (ଯଥା–ତୋ ବଡ଼ ପୁତ୍ତ ପଡ଼ି ମରୁ) । ଏହି ପୁତ୍ତରୁ ଉତ୍ପନ୍ନ ପୁଅ ଶବ୍ଦର ସ୍ତ୍ରୀଲିଙ୍ଗରୂପେ ସଂସ୍କୃତ ଦୁହିତୃ ବା ପାଲି ‘ଧିତର’ରୁ ଉତ୍ପନ୍ନ ଝିଅ ଶବ୍ଦ ଓଡ଼ିଆରେ ପ୍ରଚଳିତ । ପୁଣି ସଂସ୍କୃତ ବଧୂରୁ ଉତ୍ପନ୍ନ ବୋହୂ ଶବ୍ଦ ପୁଅର ଅନ୍ୟତର ସ୍ତ୍ରୀଲିଙ୍ଗରୂପେ ଓ ସଂସ୍କୃତ ଜାମାତୃରୁ ଉତ୍ପନ୍ନ ଜୁଆଇଁ ଶବ୍ଦ ଝିଅର ଅନ୍ୟତର ପୁଂଲିଙ୍ଗରୂପେ ଓଡ଼ିଆରେ ବ୍ୟବହୃତ ।

 

ସଂସ୍କୃତ ଭ୍ରାତୃ ଶବ୍ଦରୁ ଉତ୍ପନ୍ନ ଭାଇର ସ୍ତ୍ରୀଲିଙ୍ଗରୂପେ ସଂସ୍କୃତ ଭଗିନୀର ଶବ୍ଦରୁ ଉତ୍ପନ୍ନ ଭଉଣୀ ଶବ୍ଦ ଓଡ଼ିଆରେ ପ୍ରଚଳିତ । ସଂସ୍କୃତ ‘ଭଗିନୀପତି’-ରୁ ଉତ୍ପନ୍ନ ‘ଭିଣୋଇ’ ଶବ୍ଦ ‘ଭଉଣୀ ଶବ୍ଦର ଅନ୍ୟତର ପୁଂ ଲିଙ୍ଗ ରୂପେ ପ୍ରଚଳିତ । ସେହିପରି ସଂସ୍କୃତ ‘ନନନ୍ଦୃ’ ଶବ୍ଦରୁ ଉତ୍ପନ୍ନ ଓଡ଼ିଆ ‘ନଣନ୍ଦ’ ଶବ୍ଦ ପୁଂଲିଙ୍ଗରୂପେ ସଂସ୍କୃତ ‘ନନନ୍ଦୃ ପତି’ରୁ ଉତ୍ପନ୍ନ ‘ନଣନ୍ଦେଇ’ ଶବ୍ଦ ଓଡ଼ିଆରେ ପ୍ରଚଳିତ । ପୁଣି ‘ନଣନ୍ଦ’ର ଅନ୍ୟତର ପୁଂଲିଙ୍ଗରୂପେ ସଂସ୍କୃତ ‘ଦେବର’ ଶବ୍ଦରୁ ଉତ୍ପନ୍ନ ‘ଦିଅର’ ଶବ୍ଦ ପ୍ରଚଳିତ । ସଂସ୍କୃତରେ ଦେବର ଶବ୍ଦ ସ୍ୱାମୀ ପ୍ରତି ମଧ୍ୟ ବ୍ୟବହୃତ ହେଉଥିଲା ।

 

ସଂସ୍କୃତ ‘ନପ୍ତୃ’ ଶବ୍ଦରୁ ଉତ୍ପନ୍ନ ଓଡ଼ିଆ ‘ନାତି’ ଶବ୍ଦରେ ‘ଆଣୀ’ ପ୍ରତ୍ୟୟ ଯୋଗ କରି ସ୍ତ୍ରୀଲିଙ୍ଗରେ ନାତୁଣୀ ଶବ୍ଦ ଗଢ଼ା ହୋଇଅଛି । ସେହିପରି ସଂସ୍କୃତ ଶାଳକରୁ (ପରିହାସର ପାତ୍ର) ଉତ୍ପନ୍ନ ଓଡ଼ିଆରେ ଶଳା ଶବ୍ଦରେ ‘ଈ’ ପ୍ରତ୍ୟୟ ଯୋଗକରି ସ୍ତ୍ରୀଲିଙ୍ଗରେ ଶାଳୀ ଶବ୍ଦ ଗଢ଼ା ହୋଇଅଛି । ବଙ୍ଗଳା ଭାଷାରେ ନାତି, ନାତନୀ, ଶାଲା, ଶାଲୀ ପ୍ରଭୃତିର ପ୍ରଚଳନ ଅଛି ।

 

ସଂସ୍କୃତ ‘ଆର୍ଯ୍ୟ’ ଶବ୍ଦରୁ ଉତ୍ପନ୍ନ ଓଡ଼ିଆ ‘ଅଜା’ ର ସ୍ତ୍ରୀଲିଙ୍ଗରୂପେ ସଂସ୍କୃତ ‘ଆର୍ଯ୍ୟା’ ରୁ ଉତ୍ପନ୍ନ ‘ଆଈ’ ଶବ୍ଦ ପ୍ରଚଳିତ । ତାମିଲୀ ଭାଷାରେ ‘ମା’ କୁ ‘ଆଈ’ କହନ୍ତି ଓ କାନେରୀ ଭାଷାରେ ଗୋସେଇଁବାପାକୁ ‘ଅଜା’ କହନ୍ତି ।

 

ସଂସ୍କୃତ ‘ମାତୁଳ’ ରୁ ଉତ୍ପନ୍ନ ‘ମାମୁ’ ଓ ‘ମାତୁଳାନୀ’ରୁ ଉତ୍ପନ୍ନ ‘ମାଈ’ ଶବ୍ଦ ଯଥାକ୍ରମେ ଓଡ଼ିଆରେ ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗରୂପେ ବ୍ୟବହୃତ । ପୁଣି ଓଡ଼ିଆରେ ପ୍ରଚଳିତ ସଂସ୍କୃତ ‘ଶ୍ୱଶୁର’ ଶବ୍ଦର ସ୍ତ୍ରୀଲିଙ୍ଗରୂପେ ସଂସ୍କୃତ ‘ଶ୍ୱସ୍ରୂ’ ଶବ୍ଦରୁ ଉତ୍ପନ୍ନ ‘ଶାସୂ’ ପ୍ରଚଳିତ । ଆହୁରି ମଧ୍ୟ ପୁଅ ବା ଝିଅର ଶ୍ୱଶୁରକୁ ‘ସମ୍ୱନ୍ଧୀ’ ବା ‘ସମନ୍ଧୀ’ କୁହାଯାଏ । ‘ସମ୍ୱନ୍ଧୀ’ ଶବ୍ଦ ମଧ୍ୟ ସଂସ୍କୃତରେ ଏପରି ସ୍ଥଳେ ବ୍ୟବହୃତ ହେଉଥିଲା । ସ୍ତ୍ରୀଲିଙ୍ଗରେ ପ୍ରଚଳିତ ‘ସମ୍ୱନ୍ଧୁଣୀ’ ଶବ୍ଦ ସଂସ୍କୃତ ‘ସମ୍ୱନ୍ଧିନୀ’ ରୁ ଉତ୍ପନ୍ନ, କି ‘ସମ୍ୱନ୍ଧୀ’ ଶବ୍ଦରେ ‘ଆଣୀ’ ପ୍ରତ୍ୟୟ ଯୋଗ କରିବାଦ୍ୱାରା ଉତ୍ପନ୍ନ, ତାହା ନିରୂପଣ କରିବା ସହଜ ନୁହେ ।

 

ସଂସ୍କୃତ ‘ଜ୍ୟେଷ୍ଠତାତ’ ଶବ୍ଦ ଓଡ଼ିଆରେ ‘ଦେଡ଼ୁତା’ ରୂପେ ପରିଣତ ହୋଇଥିବାର ଦେଖାଯାଏ; ସ୍ୱାମୀର ବଡ଼ ଭାଇକି ‘ଦେଡ଼ୁତାଶୁର’ ବା ‘ଦେଡ଼ଶୁର’ କହନ୍ତି । ସଂସ୍କୃତ ’ଜ୍ୟେଷ୍ଠତାତଶ୍ୱଶୁର’ ରୁ ଉତ୍ପନ୍ନ ‘ଦେଡ଼ତାଶୁର’ ସଂକ୍ଷିପ୍ତ ହୋଇ ‘ଦେଡ଼ଶୁର’ ରେ ପରିଣତ ହୋଇଅଛି-। ବଙ୍ଗଳାରେ ‘ଭ୍ରାତୃଶ୍ୱଶୁର’ ରୁ ଉତ୍ପନ୍ନ ‘ଭାଶୁର’ ଶବ୍ଦ ପ୍ରଚଳିତ ଅଛି । ଯାହା ହେଉ, ଏହି ‘ଦେଡ଼ଶୁର’ ଓ ‘ଦିଅର’ ର ‘ନଣନ୍ଦ’ ଛଡ଼ା ଅନ୍ୟତର ସ୍ତ୍ରୀଲିଙ୍ଗ ଶବ୍ଦ ‘ଜା’ ଓଡ଼ିଆ ଓ ବଙ୍ଗଳାରେ ପ୍ରଚଳିତ । ଏହି ‘ଜା’ ସଂସ୍କୃତ ‘ଭ୍ରାତୃଜାୟା’ ରୁ ଭ୍ରାତୃ ଲୁପ୍ତ ହୋଇ ଶେଷାଂଶ ‘ଜାୟା’-ରୁ ଉତ୍ପନ୍ନ ।

 

ସଂସ୍କୃତ ‘ଗୃହସ୍ଥ’ ଶବ୍ଦରୁ ‘ଉତ୍ପନ୍ନ ‘ଗେରସ୍ତ’ ଓ ସଂସ୍କୃତ ‘ଗ୍ରହୀତା’ ଶବ୍ଦରୁ ଉତ୍ପନ୍ନ ‘ଘଇତା’-ର ସ୍ତ୍ରୀଲିଙ୍ଗରେ ଓଡ଼ିଆରେ ‘ମାଇପ’ ଶବ୍ଦ ପ୍ରଚଳିତ । କିନ୍ତୁ ଏହା କାହିଁରୁ ଉତ୍ପନ୍ନ କହି ହେବ ନାହିଁ । ତାମିଲୀ ଭାଷାରେ ‘ମାପିଲେଇ’ ଶବ୍ଦ ‘ବର’-କୁ ବୁଝାଏ । ମାଙ୍ଗୋଲୀ ଭାଷାରେ ଶାଳୀକି ‘ମାଇପ’ କହନ୍ତି ।

 

‘ଅଣ୍ଡିରା’ ଶବ୍ଦର ସ୍ତ୍ରୀଲିଙ୍ଗରୂପେ ଓଡ଼ିଆରେ ‘ମାଇକିନିଆ’ ଶବ୍ଦ ପ୍ରଚଳିତ । କୋଟା ଭାଷାର ‘ମୋକ୍କନ’ ଶବ୍ଦରୁ ଖୁବ୍‌ ସମ୍ଭବ ବିହାର ପ୍ରଚଳିତ ‘ମାଉଗୀ’ (ଭାର୍ଯ୍ୟା), ବଙ୍ଗଳା ‘ମାଗୀ’ ଓ ଓଡ଼ିଆ ମାଇକିନିଆ’ ଉତ୍ପନ୍ନ ।

 

ଓଡ଼ିଆ ‘ଭେଣ୍ଡା’ ଶବ୍ଦ ଯହିଁରୁ ଉତ୍ପନ୍ନ, ତାହା ଶବ୍ଦତାଲିକାରେ ଦେଖାଇ ଦିଆଯାଇଅଛି । କିନ୍ତୁ ତାହାର ସ୍ତ୍ରୀଲିଙ୍ଗରେ ପ୍ରଚଳିତ ‘ଭୁଆଷୁଣୀ ଶବ୍ଦ କାହିଁରୁ ଉତ୍ପନ୍ନ, ନିରୂପଣ କରାଯାଇ ପାରୁ ନାହିଁ (ଉ, ପୁଂ ଭେଣ୍ଡା ପୁଅ–ସ୍ତ୍ରୀ ଭୁଆଷୁଣୀ ଝିଅ) ।

 

ସଂସ୍କୃତ ‘ଭାଗିନେୟ’ ର ରୂପାନ୍ତରରେ ଉତ୍ପନ୍ନ ଓଡ଼ିଆ ‘ଭଣଞ୍ଜା’ ଶବ୍ଦର ସ୍ତ୍ରୀଲିଙ୍ଗ ରୂପେ ସଂସ୍କୃତ ‘ଭାଗିନେୟୀ’ ରୁ ଉତ୍ପନ୍ନ ‘ଭାଣିଞ୍ଜୀ’ ଶବ୍ଦ ବ୍ୟବହୃତ ହୁଏ; ପୁଣି ‘ଭଣଞ୍ଜା’ ଶବ୍ଦର ଅନ୍ୟତର ସ୍ତ୍ରୀଲିଙ୍ଗରୂପେ ‘ଭଣଞ୍ଜା ବୋହୂ’ ଓ ଭାଣଞ୍ଜୀ’ର ଅନ୍ୟତର ପୁଂଲିଙ୍ଗରୂପେ ‘ଭାଣଞ୍ଜୀ-ଜୁଆଇଂ’ ବ୍ୟବହୃତ ହୁଏ । ଏମାନଙ୍କର ଉତ୍ପତ୍ତି ସମ୍ବନ୍ଧରେ କିଛି ଉଲ୍ଲେଖ କରିବାର ପ୍ରୟୋଜନ ନାହିଁ ।

 

ସଂସ୍କୃତ ‘ମାତୁଳ’ ଶବ୍ଦ ଓଡ଼ିଆରେ ‘ମଉଳା’ ରେ ପରିଣତ ହୋଇଥିବାର ବଳରାମ ଦାସଙ୍କ ରାମାୟଣରୁ ଜଣାଯାଏ । ଏବେ ମଧ୍ୟ ‘ମଉଳା’ ଶବ୍ଦ ସ୍ଥାନେ ସ୍ଥାନେ ଓଡ଼ିଆରେ ବ୍ୟବହୃତ ହୁଏ (ଯଥା, ମଉଳା ନିମନ୍ତ୍ରଣ) । ଏହି ‘ମଉଳା’ ଶବ୍ଦ ସଙ୍ଗେ ଶ୍ୱଶୁର ଶବ୍ଦ ଯୁକ୍ତ ହୋଇ ‘ମଳାଶୁର’ ଶବ୍ଦ ଉତ୍ପନ୍ନ ହୋଇଅଛି । ଏହାର ସ୍ତ୍ରୀଲିଙ୍ଗରୂପେ ‘ମାଇଁଶାଶୁ’ ଓଡ଼ିଆରେ ପ୍ରଚଳିତ ।

Image

 

ସପ୍ତମ ଅଧ୍ୟାୟ

(ବଚନ ଓ ବିଭକ୍ତି)

 

ଗଣ, ବୃନ୍ଦ, ସମସ୍ତ, ସମୂହ, ସକଳ ପ୍ରଭୃତି ସାହିତ୍ୟ-ବ୍ୟବହୃତ କେତେଗୁଡ଼ିଏ ବହୁବଚନ-ଅର୍ଥବୋଧକ ସଂସ୍କୃତ ଶବ୍ଦ ଛାଡ଼ିଦେଲେ ଗୁଡ଼ି, ଗୁଡ଼ିକ, ଗୁଡ଼ାକ, ମାନେ ପ୍ରଭୃତି କେତେଗୁଡ଼ିଏ ବିଶୁଦ୍ଧ ଓଡ଼ିଆ ବହୁବଚନ-ନିର୍ଦ୍ଦେଶକ ପ୍ରତ୍ୟୟର ପ୍ରଚଳନ ଦେଖାଯାଏ । ଏମାନଙ୍କ ମଧ୍ୟରୁ ଗୁଡ଼ି, ଗୁଡ଼ିକ, ଗୁଡ଼ାକ–ଏହି ତିନୋଟି ପ୍ରତ୍ୟୟ ଅବଶ୍ୟ ଗୋଟିଏ ଶବ୍ଦରୁ ଉତ୍ପନ୍ନ । ଅଧ୍ୟାପକ ବିଜୟଚନ୍ଦ୍ର ମଜୁମଦାର ମହାଶୟ ନିଜ ରଚିତ History of the Bengali Language ରେ ଲେଖିଅଛନ୍ତି ଯେ, ଦ୍ରାବିଡ଼ୀ ଭାଷାର ବହୁବଚନାନ୍ତ ପ୍ରତ୍ୟୟ ‘ଗଲ୍‌’ ପାଲିଭାଷାରେ ବ୍ୟବହୃତ ହୋଇ (ଯଥା, ପୁପ୍‌ଫଗଲ=ଫୁଲଗୁଡ଼ିକ) ତହିଁରୁ ବଙ୍ଗଳା ଗୁଲି, ଗୁଲିକ ଏବଂ ଓଡ଼ିଆ ଗୁଡ଼ି, ଗୁଡ଼ିକ, ଗୁଡ଼ାକ ପ୍ରଭୃତିର ସୃଷ୍ଟି ଘଟିଅଛି । ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନେକ ପଦରେ ସ୍ୱାର୍ଥରେ ‘କ’ ପ୍ରତ୍ୟୟ ଯୁକ୍ତ ହୋଇଥିବାର ପ୍ରାଚୀନ ସାହିତ୍ୟରୁ ନିଦର୍ଶନ ମିଳେ । ସୁତରାଂ ଦ୍ରାବିଡ଼ୀ ଭାଷାର ‘ଗଲ୍‌’ ‘ଗୁଲି’ ରେ ପରିଣତ ହୋଇ ତହିଁରୁ ଗୁଡ଼ିକ, ଗୁଡ଼ାକ ପ୍ରଭୃତି ଉତ୍ପନ୍ନ ହେବା ଅସମ୍ଭବ ନୁହେ । କିନ୍ତୁ କେହି କେହି ଏପରି ଅନୁମାନ କରି ପାରନ୍ତି ଯେ, ସଂସ୍‌କୃତ ‘ଗଣ’ (ଯଥା, ପକ୍ଷିଗଣ) ପାଲିରେ ‘ଗଲ୍‌’-ରେ ପରିଣତ ହୋଇ ତାହା ଦ୍ରାବିଡ଼ୀ ଭାଷାକୁ ଯାଇଥିବ । ମାତ୍ର ସଂସ୍‌କୃତରେ ‘ପୁଷ୍ପଗଣ’ ରୂପେ ବ୍ୟବହାର ନ ଥିବାରୁ ତାହା ପାଲିରେ ‘ପୁପ୍‌ଫଗଲ୍‌’ ରେ ପରିଣତ ହୋଇଥିବାରୁ କୁହାଯାଇ ନ ପାରେ ଓ ଦ୍ରାବିଡ଼ୀ ଭାଷାରେ ବହୁ ପ୍ରାଚୀନ କାଳରୁ ‘ଗଲ୍‌’ ର ପ୍ରଚଳନ ଥିବାରୁ ଏପରି ଅନୁମାନ ଯୁକ୍ତିଯୁକ୍ତ ମନେ ହୁଏ ନାହିଁ । ପୁଣି କେହି କେହି ସଂସ୍‌କୃତ ‘କୁଳ’ ରୁ (ଯଥା, ପକ୍ଷିକୁଳ, ଗୋରୁକୁଳ) ବଙ୍ଗଳା ‘ଗୁଲି’ ଓ ଓଡ଼ିଆ ‘ଗୁଡ଼ି’ ର ଉତ୍ପତ୍ତି ଘଟିଅଛି ବୋଲି ଅନୁମାନ କରନ୍ତି । କିନ୍ତୁ ପାଲି ବା ପ୍ରାକୃତ ଭାଷାରେ ‘କୁଳ’ ପ୍ରତ୍ୟୟ ଯୋଗ କରି ବହୁବଚନାନ୍ତ ଶବ୍ଦ ଗଢ଼ିଥିବାର ପ୍ରମାଣ ନ ମିଳୁଥିବାରୁ ଏ ଅନୁମାନ ବିଶ୍ୱାସଯୋଗ୍ୟ ମନେ ହୁଏ ନାହିଁ । ସୁତରାଂ ଦ୍ରାବିଡ଼ୀ ଭାଷାରେ ‘ଗଲ୍‌’ ର ଓଡ଼ିଆ ଗୁଡ଼ି, ଗୁଡ଼ାକ ଓ ଗୁଡ଼ାକର ଉତ୍ପତ୍ତି ବୋଲି ସ୍ୱୀକାର କରିବାକୁ ହେବ ।

 

‘ମାନେ’ ପ୍ରତ୍ୟୟଟିର ଉତ୍ପତ୍ତିସମ୍ବନ୍ଧରେ ବର୍ତ୍ତମାନ ଆଲୋଚନା କରିବାକୁ ହେବ । ଶାରଳା ଦାସଙ୍କ ମହାଭାରତ ଓ ବଳରାମ ଦାସଙ୍କ ରାମାୟଣରେ ‘ଆମ୍ଭନ୍ତ’ (ଆମ୍ଭେମାନେ, ଆମ୍ଭମାନଙ୍କୁ), ତୁମ୍ଭନ୍ତ (ତୁମ୍ଭେମାନେ, ତୁମ୍ଭମାନଙ୍କୁ) ପଦଦ୍ୱୟର ପ୍ରୟୋଗ ଦେଖାଯାଏ । ପ୍ରାଚୀନ ବଙ୍ଗଳା ସାହିତ୍ୟରେ ମଧ୍ୟ ଏହି ପଦଦ୍ୱୟର ନିଦର୍ଶନ ମିଳେ । ଆସାମୀ ଭାଷାରେ ପ୍ରଚଳିତ ବହୁବଚନାନ୍ତ ପଦ ‘ବାଘହଂତ, ଗାଈହଂତ’ ପ୍ରଭୃତି ଏଠାରେ ତୁଳନା କରାଯାଇପାରେ । ପ୍ରାଚୀନ ହିନ୍ଦୀ ଭାଷାରେ ବହୁବଚନରେ ‘ବନ୍‌’ ପ୍ରତ୍ୟୟ ମଧ୍ୟ ପ୍ରଚଳିତ ଥିଲା । ସୁତରାଂ ଏହିସବୁ ଉଦାହରଣରୁ ଅନୁମାନ କରାଯାଇପାରେ ଯେ, ସଂସ୍‌କୃତ ‘ବତ୍‌’ ପ୍ରତ୍ୟୟ (ଯଥା ଧନବନ୍ତଃ) ଓଡ଼ିଆ ଓ ବଙ୍ଗଳା ଭାଷାରେ ପ୍ରାଚୀନ କାଳରେ ‘ନ୍ତ’ ପ୍ରତ୍ୟୟରୂପେ ଏବଂ ପ୍ରାଚୀନ ହିନ୍ଦୀ ଭାଷାରେ ‘ବନ୍‌’ ପ୍ରତ୍ୟୟରୂପେ ବ୍ୟବହୃତ ହେଉଥିଲା । ଏହି ‘ବତ୍‌’ ପ୍ରତ୍ୟୟ ମଧ୍ୟ ‘ହଂତ’ ପ୍ରତ୍ୟୟରେ ଆସାମୀ ଭାଷାରେ ପରିଣତ ହୋଇଥିବ । ସୁତରାଂ ହିନ୍ଦୀ ଭାଷାରେ ‘ବନ୍‌’ ପ୍ରତ୍ୟୟ ଓଡ଼ିଆରେ ‘ମାନେ’-ରେ ପରିଣତ ହୋଇଥିବ ବୋଲି ଅନୁମାନ କରାଯାଇ ପାରେ; ଅଥବା ସଂସ୍କୃତ ‘ଅମାତ୍ୟ’ ଯେପରି ଓଡ଼ିଆରେ ‘ଅମନାତ୍ୟ’-ରେ ପରିଣତ ହୋଇଥିବ–ଏ କଥା ମଧ୍ୟ ଅନୁମାନ କରାଯାଇପାରେ । କିନ୍ତୁ ସଂସ୍କୃତ ‘ବତ୍’ ପ୍ରତ୍ୟୟଯୋଗେ ଓଡ଼ିଆ ‘ଆମ୍ଭନ୍ତ’, ’ତୁମ୍ଭନ୍ତ’, ପଦଦ୍ୱୟ ଉତ୍ପନ୍ନ ବୋଲି ହୃଦ୍‌ବୋଧ ହୁଏ ନାହିଁ । କାରଣ, ପ୍ରାକୃତ ଭାଷାରେ ଏହାର କୌଣସି ନିଦର୍ଶନ ନାହିଁ । ଗଣ୍ଡ ଭାଷାରେ ବହୁବଚନରେ ନିଷ୍ପନ୍ନ ପଦ ‘ଆମାତ୍‌’ (ଆମ୍ଭେମାନେ) ପ୍ରଚଳିତ ଥିବାରୁ ମନେ ହୁଏ, ଗଣ୍ଡଭାଷାର ସଂସ୍ରବରେ ପ୍ରାଚୀନ ଓଡ଼ିଆ ଓ ପ୍ରାଚୀନ ବଙ୍ଗଳା ଭାଷାରେ ‘ଆମ୍ଭନ୍ତ’ ପଦ ପ୍ରଚଳିତ ଥିଲା । ଏହି ‘ଆମ୍ଭନ୍ତ’ ରୁ ‘ଆମ୍ଭେମାନେ’ ଉତ୍ପନ୍ନ ହେବା ଅସମ୍ଭବ ନୁହେ ।

 

ତାମିଲୀ ଭାଷାରେ ‘ମାର’ ପ୍ରତ୍ୟୟ ଯୋଗ କରି ବହୁବଚନର ପଦ ନିଷ୍ପନ୍ନ ହୋଇଥାଏ-। ଏହି ‘ମାର’ ପ୍ରତ୍ୟୟରୁ ଦ୍ରାବିଡ଼ୀ ଭାଷାର ସମସ୍ତ ବହୁବଚନର ପ୍ରତ୍ୟୟ ଉତ୍ପନ୍ନ ବୋଲି Bishop Caldwell ପ୍ରମାଣ କରିଅଛନ୍ତି । ଏହି ‘ମାର’ରୁ ମାଲୟଲମ ଭାଷାରେ ‘ନାଲ’ର ସୃଷ୍ଟି । ଧ୍ୱନିବିଜ୍ଞାନାନୁସାରେ ‘ମାର’ରୁ ‘ମାଳ’ ମଧ୍ୟ ଉତ୍ପନ୍ନ ହୋଇ ପାରେ । ଓଡ଼ିଆରେ ଅନେକ ଲୋକ ଏବେ ମଧ୍ୟ ବହୁବଚନରେ ‘ମାଳ’ ପ୍ରତ୍ୟୟ ଯୋଗ କରିଥାନ୍ତି (ଯଥା, ସେଠାରେ ଗୋରୁମାଳ ଚରୁଛନ୍ତି) । ଏହି ‘ମାଳ’ ସଂସ୍କୃତ ‘ମାଳା’ରୁ ଉତ୍ପନ୍ନ ବୋଲି କେହି କେହି ଅନୁମାନ କରି ପାରନ୍ତି । କିନ୍ତୁ ମନେ ରଖିବାକୁ ହେବ ଯେ, ‘ମାଳା’ ଶବ୍ଦ ଦ୍ରାବିଡ଼ୀ ଭାଷାରୁ ସଂସ୍କୃତ ଭାଷାକୁ ଆସିଅଛି ବୋଲି Bishop Caldwell ପ୍ରମାଣ କରିଅଛନ୍ତି । ତାହାହେଲେ ଓଡ଼ିଆ ‘ମାଳ’ ଯେ ଦ୍ରାବିଡ଼ୀ ଭାଷାର ‘ମାର’ରୁ ଆସିଅଛି, ଏଥିରେ ସନ୍ଦେହ ନାହିଁ । ସୁତରାଂ ‘ମାଳ’ରୁ ଓଡ଼ିଆ ବହୁବଚନର ପ୍ରତ୍ୟୟ ‘ମାନ’ର ଉତ୍ପତ୍ତି ବୋଲି ଅନାୟାସରେ କୁହାଯାଇ ପାରେ ।

 

ଓଡ଼ିଆ ଭାଷାରେ ‘ଏ’ ଗୋଟିଏ ବହୁବଚନର ପ୍ରତ୍ୟୟରୂପେ ବ୍ୟବହୃତ (ଯଥା, ପିଲା+ଏ=ପିଲେ, ମୂଲିଆ+ଏ=ମୂଲିଏ) । ସଂସ୍କୃତ ଭାଷାରେ ପ୍ରଥମା ବିଭକ୍ତିର ବହୁବଚନରେ କେତେକ ଶବ୍ଦରେ ‘ଏ’ ପ୍ରତ୍ୟୟ ବ୍ୟବହୃତ ହେଉଥିଲା; ଯଥା, ‘ସର୍ବ’ ଶବ୍ଦରୁ ପ୍ରଥମା ବିଭକ୍ତିରେ ବହୁବଚନରେ ‘ସର୍ବେ’ । ଏହି ‘ଏ’ ପ୍ରତ୍ୟୟ ପ୍ରାକୃତ ଭାଷାରୁ ମଧ୍ୟ ଲୁପ୍ତ ହୋଇ ନ ଥିଲା । ସୁତରାଂ ଓଡ଼ିଆ ଭାଷାରେ ବହୁବଚନରେ ‘ଏ’ ପ୍ରତ୍ୟୟ ବ୍ୟବହୃତ ହେବା ବିଚିତ୍ର ନୁହେ । ଏହି ‘ଏ’ ‘ମାନ’ରେ ଯୁକ୍ତ ହୋଇ ‘ମାନେ’ ପ୍ରତ୍ୟୟର ସୃଷ୍ଟି । ଅନେକ ଭାଷାରେ ଏକତ୍ର ଦୁଇଟି ବହୁବଚନର ପ୍ରତ୍ୟୟ ଯୁକ୍ତ ହେଉଥିବାର ପ୍ରମାଣ ମିଳେ । ସୁତରାଂ ଓଡ଼ିଆରେ ‘ମାନ’ ଏବଂ ‘ଏ’–ଏହି ଦୁଇଟି ବହୁବଚନର ପ୍ରତ୍ୟୟ ମିଳି ‘ମାନେ’ରେ ପରିଣତ ହୋଇ ବ୍ୟବହୃତ ହେବା ଆଶ୍ଚର୍ଯ୍ୟର କଥା ନୁହେ-

 

ପୁଣି ପ୍ରଥମା ବିଭକ୍ତିର ବହୁବଚନ ଛଡ଼ା ଅନ୍ୟାନ୍ୟ ସମସ୍ତ ବିଭକ୍ତିର ବହୁବଚନରେ ‘ମାନ’ ସଙ୍ଗେ ‘ଙ୍କ’ ଯୋଗ କରାଯାଏ; ଯଥା,–ତୁମମାନଙ୍କୁ, ତୁମମାନଙ୍କଦ୍ୱାରା, ତୁମମାନଙ୍କଠାରୁ, ତୁମମାନଙ୍କର ଓ ତୁମମାନଙ୍କଠାରେ । ତୃତୀୟ ପୁରୁଷର ସର୍ବନାମ ଶବ୍ଦରେ ମାନ୍ୟାର୍ଥରେ ପ୍ରଥମା ବିଭକ୍ତିର ଏକବଚନ ଛଡ଼ା ଅନ୍ୟାନ୍ୟ ବିଭକ୍ତିର ଏକବଚନରେ କେବଳ ‘ଙ୍କ’ ଯୋଗ କରାଯାଇଥାଏ; ଯଥା,–ତାଙ୍କ, ତାଙ୍କଦ୍ୱାରା, ତାଙ୍କଠାରୁ, ତାଙ୍କର, ତାଙ୍କଠାରେ । ଗଞ୍ଜାମ ଅଞ୍ଚଳରେ ପ୍ରଥମା ବିଭକ୍ତିର ଏକବଚନରେ ‘ଙ୍କ’ ଯୋଗ କରାଯାଇଥାଏ ଯଥା,–ତାଙ୍କେ (ସେ) କହିଲେ । ଏକବଚନରେ ମାନ୍ୟାର୍ଥରେ ‘ଙ୍କ’ ଯୋଗ କରାଯାଉଥିବାରୁ ବୁଝାଯାଉଅଛି ଯେ, ‘ଙ୍କ’ ଗୋଟିଏ ବହୁବଚନର ପ୍ରତ୍ୟୟ । କାରଣ, ସଂସ୍କୃତରେ ମାନ୍ୟାର୍ଥରେ କେବଳ କ୍ରିୟାପଦ ବହୁବଚନାନ୍ତ ହେଉଥିବା ସ୍ଥଳେ ଓଡ଼ିଆରେ କ୍ରିୟା ଓ କର୍ତ୍ତା ଉଭୟ ବହୁବଚନାନ୍ତ ହୁଅନ୍ତି (ଯଥା, ଅବଧାନେ ଆସୁଅଛନ୍ତି) । ଏଠାରେ ବହୁବଚନର ପ୍ରତ୍ୟୟ ‘ଏ’ ଯୋଗ କରାଯାଇ ‘ଅବଧାନେ’ ପଦ ନିଷ୍ପନ୍ନ ହୋଇଅଛି । ସୁତରାଂ ବର୍ତ୍ତମାନ ସ୍ପଷ୍ଟରୂପେ ଜଣାଯାଉଅଛି ଯେ, ମାନାର୍ଥ୍ୟ ପ୍ରକାଶ ନିମନ୍ତେ ଓଡ଼ିଆରେ ତୃତୀୟ ପୁରୁଷର ସର୍ବନାମ ଶବ୍ଦର ଏକବଚନରେ ଯୋଗ କରାଯାଉଥିବା ‘ଙ୍କ’ ଗୋଟିଏ ବହୁବଚନର ପ୍ରତ୍ୟୟ । ‘ଙ୍କ’ ଯେ ଗୋଟିଏ ବହୁବଚନର ଚିହ୍ନ, ଏହା ତଳେ ମଧ୍ୟ ପ୍ରମାଣିତ ହେବ । ଏହି ‘ଙ୍କ’ ଗଣ୍ଡଭାଷାର ବହୁବଚନର ପ୍ରତ୍ୟୟ ବୋଲି ମନେ ହୁଏ । ଗଣ୍ଡ ଭାଷାରେ ‘ନେଲି’ (କିଆରୀ) ଶବ୍ଦ ବହୁବଚନରେ ‘ନେଲିଙ୍କ’ ହୁଏ । କନ୍ଧଭାଷାରେ ବହୁବଚନରେ ମଧ୍ୟ ‘ଙ୍ଗ’ ପ୍ରତ୍ୟୟ ଯୋଗ କରାଯାଇଥାଏ ‘ଗ’ ଓ ‘କ’–ଏହି ବର୍ଣ୍ଣଦ୍ୱୟ ସର୍ବଦା ପରସ୍ପରରେ ପରିବର୍ତ୍ତିତ ହେଉଥିବାରୁ ଗଣ୍ଡଭାଷାର ‘ଙ୍ଗ’ ଓ କନ୍ଧଭାଷାର ‘ଙ୍କ’ ପ୍ରତ୍ୟୟଦ୍ୱୟ ଏକ ବୋଲି ମନେ ହୁଏ । ଯାହା ହେଉ ଓଡ଼ିଆ ଭାଷାରେ ପ୍ରଥମା ବିଭକ୍ତି ର ବହୁବଚନ ଛଡ଼ା ଅନ୍ୟାନ୍ୟ ବିଭକ୍ତି ର ବହୁବଚନରେ ଯେ ଯୋଡ଼ିଏ ପ୍ରତ୍ୟୟ ଯୋଗ କରାଯାଏ, ତାହା ପାଠକେ ଅକ୍ଳେଶରେ ଉପଲବ୍‌ଧି କରି ପାରୁଥିବେ । ଶେଷରେ ଏତିକି ବକ୍ତବ୍ୟ ଯେ, ‘ମାନେ’ ବା ‘ମାନଙ୍କ’ ଏହି ଯୋଡ଼ିକ ପ୍ରତ୍ୟୟ ବ୍ୟକ୍ତି ବାଚକ ବା ଜାତିବାଚକ ଶବ୍ଦ ଛଡ଼ା ଅନ୍ୟତ୍ର ବ୍ୟବହୃତ ହୁଅନ୍ତି ନାହିଁ । ଗୁଡ଼ି, ଗୁଡ଼ିକ, ଗୁଡ଼ାକ ପ୍ରଭୃତି ବହୁବଚନର ଚିହ୍ନସକଳ ସର୍ବତ୍ର ବ୍ୟବହୃତ ହୁଅନ୍ତି । ପ୍ରଥମ ଓ ଦ୍ୱିତୀୟ ପୁରୁଷର ସର୍ବନାମ ଶବ୍ଦରେ ‘ଗୁଡ଼ାକ’ ଚିହ୍ନ ଅବଜ୍ଞା-ଅର୍ଥରେ ବ୍ୟବହୃତ; ଯଥା–ତୁମଗୁଡ଼ାଙ୍କ କଥାରେ ବିଶ୍ୱାସ ନାହିଁ । ‘ଗୁଡ଼ିକ’ ଓ ‘ଗୁଡ଼ାକ’ ଚିହ୍ନ ସଙ୍ଗେ ମଧ୍ୟ ‘ଙ୍କ’ ପ୍ରତ୍ୟୟ ବହୁବଚନରେ ଯୋଗ କରାଯାଇଥାଏ । ଏଠାରେ ମଧ୍ୟ ‘ଙ୍କ’ ଗୋଟିଏ ବହୁବଚନର ଚିହ୍ନ ବୋଲି ପ୍ରମାଣିତ ହେଉଅଛି । ଅନ୍ୟ କୌଣସି ବହୁବଚନର ଚିହ୍ନ ସହିତ ନ ମିଶି ପ୍ରଥମା ବିଭକ୍ତିର ବହୁବଚନ ଛଡ଼ା ଅନ୍ୟାନ୍ୟ ବିଭକ୍ତିର ବହୁବଚନରେ ମଧ୍ୟ ‘ଙ୍କ’ ଯୋଗ କରାଯାଇଥାଏ ଯଥା,–ପିଲାଙ୍କୁ, ପିଲାଙ୍କଦ୍ୱାରା, ପିଲାଙ୍କଠାରୁ ଇତ୍ୟାଦି ।

 

ଜାତିବାଚକ ବା ମନୁଷ୍ୟବାଚକ ଶବ୍ଦରେ ‘ଗୁଡ଼ାକ’ ଚିହ୍ନ ବ୍ୟବହୃତ ହେଲେ ‘ଅବଜ୍ଞା’ ଅର୍ଥ ପ୍ରକାଶ ପାଇଥାଏ । କେବଳ ‘ଗୁଡ଼ିକ’ ଚିହ୍ନଦ୍ୱାରା ଅବଜ୍ଞା-ଅର୍ଥ ବୁଝାଏ ନାହିଁ । ପିଲାଗୁଡ଼ିକ, ପିଲାଗୁଡ଼ାକ -ଏହି ଦୁଇ କଥାରେ ଅର୍ଥର କି ବୈଷମ୍ୟ ଅଛି, ତାହା ପାଠକେ ବିଚାର କରିବେ ।

 

ସଂସ୍କୃତ ‘ସର୍ବ’ ଶବ୍ଦରୁ ‘ସବୁ’ ଯୋଗ କରି ଓଡ଼ିଆରେ ବହୁବଚନାନ୍ତ ପଦ ମଧ୍ୟ ନିଷ୍ପନ୍ନ ହୋଇଥାଏ । ଏହି ବହୁବଚନର ଚିହ୍ନ ସର୍ବତ୍ର ବ୍ୟବହୃତ ହୋଇଥାଏ । ପ୍ରଥମା ବିଭକ୍ତର ବହୁବଚନ ଛଡ଼ା ଅନ୍ୟାନ୍ୟ ବିଭକ୍ତିର ବହୁବଚନରେ ‘ସବୁ’ ସଙ୍ଗେ ‘ଙ୍କ’ ଚିହ୍ନ ଯୋଗ କରା ଯାଇଥାଏ ଯଥା–ପିଲାସବୁଙ୍କୁ, ପିଲାସବୁଙ୍କର, ‘ସବୁ’ ଚିହ୍ନ ଯଦି ଶବ୍ଦରୁ ଆଦ୍ୟରେ ଯୋଗ କରାଯାଏ, ତେବେ ଶବ୍ଦର ଶେଷରେ ମଧ୍ୟ ‘ମାନେ’ ବା ‘ଗୁଡ଼ିକ’ ଚିହ୍ନ ବ୍ୟବହାର କରିବାକୁ ପଡ଼େ ଯଥା–ସୁବ ପିଲାମାନେ, ସବୁ ପିଲାଗୁଡ଼ିକ ।

 

ପ୍ରଥମ ଓ ଦ୍ୱିତୀୟ ପୁରୁଷର ସର୍ବନାମ ଶବ୍ଦରେ ‘ସଭି’ ମଧ୍ୟ ଗୋଟିଏ ବହୁବଚନର ଚିହ୍ନରୂପେ ବ୍ୟବହୃତ ହୁଏ; ଯଥା–ଆମେସଭିଏ, ଆମସଭିଙ୍କୁ, ଆମସଭିଙ୍କଦ୍ୱାରା, ଆମସଭିଙ୍କଠାରୁ, ଆମସଭିଙ୍କର, ଆମସଭିଙ୍କଠାରେ, ତୁମେସଭିଏ, ତୁମସଭିଙ୍କୁ, ତୁମସଭିଙ୍କଦ୍ୱାରା, ତୁମସଭିଙ୍କଠାରୁ, ତୁମସଭିଙ୍କର ଓ ତୁମସଭିଙ୍କଠାରେ । ‘ସଭି’ ପ୍ରାକୃତ ‘ସବ’ ବା ସଂସ୍କୃତ ‘ସର୍ବ’ ରୁ ଉତ୍ପନ୍ନ । ପୂର୍ବବର୍ତ୍ତୀ ‘ସ’ର ଧ୍ୱନିଯୋଗୁଁ ‘ବ୍ବ’, ‘ଭ’ରେ ପରିଣତ ହୋଇଅଛି ।

 

ତେଲୁଗୁ ଭାଷାର ‘ପଲ’ ଶବ୍ଦଟି ମଧ୍ୟ ଓଡ଼ିଆରେ ବହୁବଚନର ଚିହ୍ନରୂପେ ବ୍ୟବହୃତ; ଯଥା,–ପଲେ ଛେଳି ବା ଛେଳିପଲ । ପୁଣି ସଂସ୍କୃତ ‘ପୁଞ୍ଜ’ ଶବ୍ଦ ଓଡ଼ିଆରେ ବହୁବଚନରେ ‘ପୁଞ୍ଜେ’ ବା ‘ପୁଞ୍ଜା’ ରୂପେ କେତେକ ଶବ୍ଦରେ ଯୋଗ କରାଯାଇଥାଏ । ଏହି ‘ପୁଞ୍ଜ’ରୁ ଉତ୍ପନ୍ନ ‘ପଞ୍ଝେ’ ମଧ୍ୟ ବହୁବଚନର ଚିହ୍ନରୂପେ ବ୍ୟବହୃତ । ‘ପଞ୍ଝେ’ ବେଳେବେଳେ ‘ପଞ୍ଝା’ ବା ‘ପଞ୍ଝାକ’ରୂପେ ବ୍ୟବହୃତ ହୁଏ । ଏହି ଅତିରିକ୍ତ ‘କ’ର କଥା ପୂର୍ବେ ଆଲୋଚନା କରାଯାଇଅଛି । ବର୍ତ୍ତମାନ ଆଉ ଗୋଟିଏ କଥା ଉଲ୍ଲେଖ କରିବା ଉଚିତ ଯେ, ‘ପୁଞ୍ଜାକ’ ବା ‘ପୁଞ୍ଜେ’ ଅଥବା ‘ପଞ୍ଝେ’ ବା ‘ପଞ୍ଝାକ’ ଶବ୍ଦର ପୂର୍ବେ ବା ପରେ ‘ପଲ’ ଶବ୍ଦ ଭଳିଆ ବ୍ୟବହୃତ ହୋଇ ପାରେ । କିନ୍ତୁ ‘ପୁଞ୍ଚା’ ବା ‘ପଞ୍ଝା’ କୌଣସି ଶବ୍ଦର ପୂର୍ବରେ ଯୋଗ କରାଯାଇ ପାରେ ନାହିଁ ।

 

ବର୍ତ୍ତମାନ ଓଡ଼ିଆ ଭାଷାର ଅନ୍ୟାନ୍ୟ ବିଭକ୍ତିର କଥା ଆଲୋଚନା କରିବା ପୂର୍ବରୁ ଏ କଥା ଉଲ୍ଲେଖ କରିବା ଉଚିତ ଯେ, ପୃଥିବୀର କୌଣସି ଭାଷାରେ ତାହାର ଉତ୍ପତ୍ତି ସମୟରେ ବିଭକ୍ତିର ଚିହ୍ନ ନ ଥିଲା ବୋଲି ଭାଷାତତ୍ତ୍ୱବିତ୍‌ମାନେ କହନ୍ତି । ପ୍ରତ୍ୟେକ ଭାଷାରେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଶବ୍ଦ ଯୋଗ କରି ବିଭକ୍ତ୍ୟନ୍ତ ପଦ ଗଢ଼ୁ ଗଢ଼ୁ ଅବଶେଷରେ ଯୁକ୍ତ ଶବ୍ଦ କ୍ଷୟ ପାଇ ତାହାର ଟିକିଏ ଚିହ୍ନ ରହିଯାଏ । ଓଡ଼ିଆ ଭାଷାର ବିଭକ୍ତିର ଉତ୍ପତ୍ତି-କଥା ଆଲୋଚନା କଲେ ପାଠକେ ଉକ୍ତ କଥା ଟିକିଏ ଉପଲବ୍ଧି କରି ପାରନ୍ତି । ସଂସ୍କୃତ ଭାଷାରେ ମଧ୍ୟ ସୁ , ଔ, ଜସ୍‌ ପ୍ରଭୃତି ଯୋଗ କରି ବିଭକ୍ତ୍ୟନ୍ତ ପଦ ଗଢ଼ୁ ଗଢ଼ୁ ଅବଶେଷରେ ‘ସୁ’ରୁ ବିସର୍ଗ ଏବଂ ‘ଜସ୍‌’ରୁ ‘ଆଃ’ ରହିଥିଲା-। ପ୍ରାକୃତ ଭାଷାରେ ‘ବିସର୍ଗ’ ‘ଓକାର’ରେ ଏବଂ ‘ଅଃ’ ‘ଆ’ରେ ବା ‘ଏ’ରେ ପରିଣତ ହୋଇଥିବାର ଦେଖାଯାଏ । ଏହିପରି ପ୍ରତ୍ୟେକ ବିଭକ୍ତିର ଚିହ୍ନ କ୍ରମଶଃ ପରିବର୍ତ୍ତିତ ହୋଇଥିବାରୁ ଭାରତର ଆଧୁନିକ ପ୍ରାଦେଶିକ ଭାଷାମାନଙ୍କରେ ସେମାନଙ୍କର କୌଣସି ନିଦର୍ଶନ ନାହିଁ କହିଲେ ଚଳେ । ବିଭିନ୍ନ ବିଭକ୍ତି କ୍ଷୟପାଇବାରୁ ପ୍ରାକୃତ ଭାଷାରୁ ଯେତେବେଳେ ପ୍ରାଦେଶିକ ଭାଷାମାନଙ୍କର ଉତ୍ପତ୍ତି ଘଟିଥିଲା, ତେତେବେଳେ ଗୋଟିଏ ଶବ୍ଦ ତିନି ବା ତତୋଧିକ ବିଭକ୍ତିରେ ଏକରୂପ ହେଉଥିଲା । ଉଦାହରଣସ୍ୱରୂପ ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ; ସଂସ୍କୃତ ‘ଅସ୍ମଦ୍‌’ ଶବ୍ଦରୁ ପ୍ରାକୃତ ଭାଷାରେ ପ୍ରଥମା ବିଭକ୍ତି ର ଏକବଚନ, ଦ୍ୱିତୀୟା ବିଭକ୍ତିର ବହୁବଚନ ଓ ସପ୍ତମୀ ବିଭକ୍ତିର ବହୁବଚନ- ଏହିପରି ତିନି ବିଭକ୍ତିରେ କେବଳ ‘ଅମ୍‌ହେ’ ପଦ ନିଷ୍ପନ୍ନ ହେଉଥିଲା । ପୁଣି ପ୍ରାକୃତ ଭାଷାର ‘ଅସ୍ମଦ୍‌’ ଶବ୍ଦର ଦ୍ୱିତୀୟା ବିଭକ୍ତିର ଏକବଚନାନ୍ତ ପଦ ‘ମମଂ’ ବା ‘ମି’, ତୃତୀୟା ବିଭକ୍ତିର ‘ମେ’, ପଞ୍ଚମୀ ବିଭକ୍ତିର ‘ମତ୍ତୋ’, ଷଷ୍ଠୀ ବିଭକ୍ତିର ‘ମେ’ ଓ ସପ୍ତମୀ ବିଭକ୍ତିର ‘ମଇ’ କ୍ରମଶଃ ରୂପାନ୍ତରିତ ହୋଇ ଓଡ଼ିଆରେ ଉକ୍ତ ବିଭକ୍ତିମାନଙ୍କରେ ଯେତେବେଳେ କେବଳ ‘ମୋ’ ପଦରେ ପରିଣତ ହୋଇଥିଲେ, ତେତେବେଳେ ଲୋକେ ହୃଦୟର ଭାବ ବିନିମୟ ନିମନ୍ତେ ଯେ ଭୀଷଣ ଅସୁବିଧାରେ ପଡ଼ିଥିବେ, ଏଥିରେ ସନ୍ଦେହ ନାହିଁ । ମୋତେ, ମୋଦ୍ୱାରା, ମୋଠାରୁ, ମୋର ମୋଠାରେ- ଏହି ପଦମାନଙ୍କରୁ ବିଭକ୍ତିର ଚିହ୍ନ ଉଠାଇ ଦେଲେ ପ୍ରତ୍ୟେକେ କେଳବ ‘ମୋ’ରେ ପରିଣତ ହେବେ । ଏପରି ଅବସ୍ଥାରେ ଦ୍ୱିତୀୟା, ତୃତୀୟା, ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀର ଚିହ୍ନ ଯୋଗ ନ କରି ଭାଷାରେ ବ୍ୟବହୃତ ହୋଇ ନ ପାରେ ।

 

ଓଡ଼ିଆରେ ‘ତେ’ ଓ ‘କୁ’ (‘ତେ’ ପ୍ରଥମ ଓ ଦ୍ୱିତୀୟ ପୁରୁଷର ସର୍ବନାମ ଶବ୍ଦରେ କେବଳ ବ୍ୟବହୃତ) ଦ୍ୱିତୀୟା ବିଭକ୍ତି ର ଚିହ୍ନ । ‘ରେ’, ‘ହାତରେ’, ‘ଦ୍ୱାରା’ ତୃତୀୟା ବିଭକ୍ତି ର ଚିହ୍ନ; ‘ଠାରୁ’, ‘ଠୁଁ’, ‘ରୁଁ, ‘ଉଁ’, ପାଖରୁ’, ‘ନିକଟରୁ’ ପଞ୍ଚମୀ ବିଭକ୍ତି ର ଚିହ୍ନ; ‘ର’ ଷଷ୍ଠୀ ବିଭକ୍ତିର ଚିହ୍ନ ଏବଂ ‘ଠାରେ’, ‘ଠି’, ‘ପାଖରେ’, ‘ନିକଟରେ’–ଏଗୁଡ଼ିକ ସପ୍ତମୀ ବିଭକ୍ତି ର ଚିହ୍ନସ୍ୱରୂପ ବ୍ୟବହୃତ । ଏମାନଙ୍କ ମଧ୍ୟରୁ ପ୍ରଥମେ କେବଳ ଷଷ୍ଠୀ ବିଭକ୍ତି ର ଚିହ୍ନ ‘ର’ ସମ୍ବନ୍ଧରେ ଆଲୋଚନା କରିବାକୁ ହେବ ।

 

ଷଷ୍ଠୀ ବିଭକ୍ତି ର ଚିହ୍ନ ‘ର’ର ଉତ୍ପତ୍ତି ସମ୍ବନ୍ଧରେ ଅନେକ ଲୋକ ଅନେକ ପ୍ରକାର ଅନୁମାନ କରନ୍ତି । ହିନ୍ଦୀ ଭାଷାରେ ‘କା’ ଷଷ୍ଠୀ ବିଭକ୍ତିର ଚିହ୍ନସ୍ୱରୂପ ବ୍ୟବହୃତ ହେଉଥିବାରୁ ଏହା ‘କା’ ଏବଂ ଓଡ଼ିଆ ଓ ବଙ୍ଗଳା ଭାଷାର ଷଷ୍ଠୀ ବିଭକ୍ତି ର ଚିହ୍ନ ‘ର’ ସଂସ୍କୃତ ‘ମାମକ’, ‘ତାବକ’ ପ୍ରଭୃତି ଶବ୍ଦର ‘କ’ରୁ ଉତ୍ପନ୍ନ ବୋଲି କେହି କେହି ଅନୁମାନ କରନ୍ତି । ଆହୁରି ମଧ୍ୟ ସଂସ୍କୃତ ‘ମଦୀୟ’, ‘ତଦୀୟ’, ପ୍ରଭୃତି ଶବ୍ଦର ‘ୟ’ରୁ ଆଲୋଚିତ ‘ର’ର ଉତ୍ପତ୍ତି ବୋଲି କେହି କେହି ମନେ କରନ୍ତି । କିନ୍ତୁ ଏହିସବୁ ଅନୁମାନ ବିଶ୍ୱାସଯୋଗ୍ୟ ନୁହେ । ସଂସ୍କୃତ ଭାଷାରେ ଅଧିକାଂଶ ଶବ୍ଦର ଷଷ୍ଠୀ ବିଭକ୍ତିର ଏକବଚନରେ ‘ସ୍ୟ’ (ଯଥା, ନର ସ୍ୟ) ଦେଖାଯାଏ । ଏହି ‘ସ୍ୟ’ ପାଲି ଭାଷାରେ ‘ସ୍ସ’ ରେ ପରିଣତ ହୋଇଥିଲା (ଯଥା, ସଂ ନରସ୍ୟ=ପା ନରସ୍ସ) । ‘ସ’ ‘ର’ରେ ପରିଣତ ହେଉଥିବାର ଦ୍ରାବିଡ଼ୀ ଭାଷାରେ ଦେଖାଯାଏ । ପୁଣି ‘ସ’, ‘ର’ରେ ପରିଣତ ହେବା କଥା ଏହି ଗ୍ରନ୍ଥର ଧ୍ୱନିତତ୍ତ୍ୱରେ ଦେଖାଇ ଦିଆଯାଇଅଛି । ସୁତରାଂ ପାଲି ଭାଷାର ଷଷ୍ଠୀ ବିଭକ୍ତିର ଚିହ୍ନ ‘ସ’ରୁ ଓଡ଼ିଆ, ବଙ୍ଗଳା ଓ ଆସାମୀ ଭାଷାର ଷଷ୍ଠୀ ବିଭକ୍ତି ର ଚିହ୍ନ ‘ର’ ଏବଂ ମହାରାଷ୍ଟ୍ରୀ ଭାଷାର ଷଷ୍ଠୀ ବିଭକ୍ତିର ଚିହ୍ନ ‘ଚ୍ଚ’ ଉତ୍ପନ୍ନ ହୋଇଅଛି ବୋଲି ଆମ୍ଭେମାନେ ସହଜରେ ଅନୁମାନ କରି ପାରୁ ।

 

ଆହୁରି ମଧ୍ୟ ଛୋଟନାଗପୁର ପ୍ରଦେଶର ଅସୁର ଜାତିର ଭାଷାରେ ‘ରା’ ଷଷ୍ଠୀ ବିଭକ୍ତିର ଚିହ୍ନରୂପେ ବ୍ୟବହୃତ ହୁଏ ଯଥା,–ହୋପୋନ (ପିଲା), ହୋପାନରା (ପିଲାର) । ଏହି ଆସୁରୀ ଭାଷାର ‘ରା’ ରୁ ଆମ୍ଭମାନଙ୍କ ଭାଷାର ଷଷ୍ଠୀ ବିଭକ୍ତିର ଚିହ୍ନ ‘ର’ ଉତ୍ପନ୍ନ ହୋଇଅଛି ବୋଲି କହିବା ବଡ଼ ଦୁରୂହ । କାରଣ ଛୋଟନାଗପୁରର ଅସୁର ଜାତି ସହିତ ଓଡ଼ିଆ ଜାତିର କୌଣସି ସଂସ୍ରବ ଥିବାର ଇତିହାସରୁ ଏପର୍ଯ୍ୟନ୍ତ ନିଦର୍ଶନ ମିଳି ନାହିଁ ।

 

ଓଡ଼ିଆ ଭାଷାରେ ଷଷ୍ଠୀ ବିଭକ୍ତିର ଚିହ୍ନରୂପେ ବ୍ୟବହୃତ ‘ର’ ସଂସ୍କୃତ ମାମକ, ତାବକ ପ୍ରଭୃତିରେ ବ୍ୟବହୃତ ‘କ’ ରୁ ବା ମଦୀୟ, ତଦୀୟ ପ୍ରଭୃତିର ବ୍ୟବହୃତ ‘ୟ’ ରୁ ଯେ ଉତ୍ପନ୍ନ ନୁହେ, ତାହା ଓଡ଼ିଆ ଭାଷାରୁ ସ୍ପଷ୍ଟରୂପେ ଜଣାପଡ଼େ । ଯଦି ମାମକ, ତାବକ ବା ମଦୀୟ, ତଦୀୟ ଓଡ଼ିଆରେ ଯଥାକ୍ରମେ ‘ମୋର’ ‘ତୋର’ ରୂପେ ରୂପାନ୍ତରିତ ହୋଇଥାନ୍ତେ, ତେବେ କଥିତ ଭାଷାରେ ‘ମୋର’ ‘ତୋର’ ପ୍ରଭୃତି ବିଭକ୍ତିଯୁକ୍ତ ପଦର ପ୍ରଚଳନ ବେଶି ହୋଇଥାନ୍ତା । କିନ୍ତୁ ସାଧାରଣତଃ କଥାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରୁଷର ସବନାମ ଶବ୍ଦ ଷଷ୍ଠୀ ବିଭକ୍ତିର ଚିହ୍ନ ଯୋଗ କରା ନ ଯାଇ ଭାବ ପ୍ରକାଶ କରା ଯାଇଥାଏ ଯଥା–ମୋ ଲୁଗା, ତୋ ହାତ, ତା କଥା । ଏଥିରୁ ବୁଝାଯାଏ ଯେ, ଅନ୍ୟ କୌଣସି ଭାଷାରୁ ଷଷ୍ଠୀ ବିଭକ୍ତିର ଚିହ୍ନ ‘ର’ ଆଣି ‘ମୋ’ ‘ତୋ’ ଓ ‘ତା’ ପ୍ରଭୃତିରେ ଯୋଗ କରା ଯାଇଥାଏ, ଅଥବା ‘ର’ କଥା କହୁଁ କହୁଁ ଆପେ ଆପେ ଉତ୍ପନ୍ନ ହୋଇପଡ଼େ । ‘ର’ ଆପେ ଆପେ ଉତ୍ପନ୍ନ ହେବା କଥା ଧ୍ୱନିତତ୍ତ୍ୱରେ କୁହା ଯାଇଅଛି । ଓଡ଼ିଆ ଭାଷାର ଯେ ‘ର’ ପ୍ରଥମା ବିଭକ୍ତି ଛଡ଼ା ଅନ୍ୟାନ୍ୟ ପ୍ରତ୍ୟେକ ବିଭକ୍ତିରେ ଉତ୍ପନ୍ନ ହୁଏ, ତାହା ପାଠକେ ଏହି ଅଧ୍ୟାୟର ପରବର୍ତ୍ତୀ ଅଂଶରୁ ବୁଝିପାରିବେ । ସୁତରାଂ ଷଷ୍ଠୀ ବିଭକ୍ତିର ଚିହ୍ନ ‘ର’ ଆପେ ଆପେ ଉତ୍ପନ୍ନ ହୋଇଅଛି ବୋଲି କହିବା ବେଶି ସମୀଚୀନ । ଯାହା ହେଉ ଓଡ଼ିଆ ଷଷ୍ଠୀ ବିଭକ୍ତିର ଚିହ୍ନ ‘ର’ ଦଶମ ଶତାବ୍ଦୀ ପୂର୍ବରୁ ସୃଷ୍ଟ ହୋଇଅଛି । କାରଣ ‘ବୌଦ୍ଧଗାନ ଓ ଦୋହା’ରେ ଏହି ଚିହ୍ନ ବ୍ୟବହୃତ ହୋଇଅଛି ଯଥା–(ନଗରବାରିହରରେ ଡୋମ୍ବୀ ତୋହରି କୁଡ଼ିଆ) । ଏଠାରେ ନିଶ୍ଚୟର୍ଥବୋଧକ ଅବ୍ୟୟ ‘ହି’ ରୁ ଉତ୍ପନ୍ନ ‘ଇ’, ‘ର’ ରେ ଯୋଗ କରା ଯାଇଅଛି । ‘ମୋର’, ‘ତୋର’ ପ୍ରଭୃତି ପଦ ‘ମୋହର’ ‘ତୋହର’ ପ୍ରଭୃତିରେ ପରିଣତ ହେବାପାଇଁ ଯେଉଁ ‘ହ’ ର ଧ୍ୱନି ଆଗମ ହୁଏ, ତାହା ପାଠକେ ଧ୍ୱନିତତ୍ତ୍ୱରୁ ବୁଝିପାରୁଥିବେ ।

 

ଓଡ଼ିଆ ଭାଷାରେ ‘ଏ’ ଦ୍ୱିତୀୟା, ତୃତୀୟା ଓ ସପ୍ତମୀ ବିଭକ୍ତି ର ଚିହ୍ନସ୍ୱରୂପ ଏକବଚନରେ ବ୍ୟବହୃତ ହୋଇଥିବାର ପ୍ରାଚୀନ ଓ ଆଧୁନିକ ପଦ୍ୟରଚନାରୁ ଯଥେଷ୍ଟ ଦୃଷ୍ଟାନ୍ତ ମିଳେ ଯଥା,–ଦ୍ୱିତୀୟା, ଉଚ୍ଚ ତରୁଫଳେ ଖର୍ବେ ଆଶାୟୀ ପରି (ଲା. ବ. ୮ମ ଛାନ୍ଦ); ତୃତୀୟା, ବଜ୍ରାଘାତେ ଗୋପପୁର କଲେ ସେ ଜୁର (ଗୋପାଳଙ୍କ ଓଗାଳ ଓ ଲଉଡ଼ି ଖେଳ); (ସପ୍ତମୀ) ଜଗତେ ଅପକୀର୍ତ୍ତି-ହାଟ ବସେ (ବି. ଚି. ୪୯ ଛାନ୍ଦ) ।

 

ସଂସ୍କୃତ ଓ ପ୍ରାକୃତ ଭାଷାରେ ‘ଅଂ’ ଦ୍ୱିତୀୟାବିଭକ୍ତ୍ୟନ୍ତ ପଦରେ ରହୁଥିଲା । ଏହି ‘ଅଂ’ ବୋଧହୁଏ ‘ଏ’ ରେ ପରିଣତ ହୋଇ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିଲା । ‘ବୌଦ୍ଧଗାନ ଓ ଦୋହା’ର ଭାଷାରେ କେବଳ ‘ଏ’ ଦ୍ୱିତୀୟା ବିଭକ୍ତିର ଚିହ୍ନରୂପେ ବ୍ୟବହୃତ ହୋଇଅଛି; ତହିଁରେ ‘କୁ’ ଚିହ୍ନ ଆଦୌ ବ୍ୟବହୃତ ହୋଇ ନାହିଁ । ତ୍ରୟୋଦଶ ଶତାବ୍ଦୀର ଭୁବନେଶ୍ୱରରୁ ଆବିଷ୍କୃତ ଶିଳାଲିପିରେ ଦ୍ୱିତୀୟା ବିଭକ୍ତିର ଚିହ୍ନରୂପେ ‘କେ’ ବ୍ୟବହୃତ ହୋଇଅଛି । ସମ୍ବଲପୁର ଅଞ୍ଚଳରେ ମଧ୍ୟ ‘କେ’ ଦ୍ୱିତୀୟା ବିଭକ୍ତି ର ଚିହ୍ନରୂପେ ବ୍ୟବହୃତ ହୁଏ; ଯଥା–ହାଟଲିକେ ଯାଉସନ । ବଙ୍ଗଳା ଭାଷାରେ ମଧ୍ୟ ‘କେ’ ଚିହ୍ନ ଦ୍ୱିତୀୟା ବିଭକ୍ତି ରେ ବ୍ୟବହୃତ । ଆସାମୀ ଭାଷାରେ ‘କ’ ଓ ହିନ୍ଦୀଭାଷାରେ ‘କୋ’ ଦ୍ୱିତୀୟା ବିଭକ୍ତି ର ଚିହ୍ନରୂପେ ବ୍ୟବହୃତ । ଏହି ‘କେ’ ଚିହ୍ନର ଉତ୍ପତ୍ତି ସମ୍ବନ୍ଧରେ ଅନେକ ଲୋକ ଅନେକ ପ୍ରକାର ଅନୁମାନ କରନ୍ତି । କେହି କେହି କହନ୍ତି, ଏହି ‘କେ’ ସଂସ୍କୃତ ‘କୃତେ’ରୁ ଉତ୍ପନ୍ନ । କିନ୍ତୁ ଏପରି ଅନୁମାନ ଅପେକ୍ଷା ଦ୍ରାବିଡ଼ୀ ଭାଷାର ଚତୁର୍ଥୀ ବିଭକ୍ତି ର ଚିହ୍ନ ‘କେ’ ଏହିସବୁ ଭାଷାମାନଙ୍କରେ ଦ୍ୱିତୀୟା ବିଭକ୍ତି ର ଚିହ୍ନରୂପେ ବ୍ୟବହୃତ ହୋଇଅଛି ବୋଲି ଅନୁମାନ କରିବା ବେଶି ଯୁକ୍ତିଯୁକ୍ତ । ଓଡ଼ିଆ ‘କୁ’ ଦ୍ରାବିଡ଼ୀ ଭାଷାର ‘କେ’ ରୁ ଆସିଅଛି ବୋଲି ବିଶ୍ୱାସ କରିବାର କାରଣ ଅଛି । ପ୍ରାଚୀନ କାଳରେ ବଙ୍ଗଳାଭାଷା ଓ ବାଲେଶ୍ୱର ଅଞ୍ଚଳର ଓଡ଼ିଆଭାଷା ଭଳିଆ, ପୁରୀ ଓ କଟକ ଅଞ୍ଚଳର ଭାଷାରେ କରିବାକୁ, ଖାଇବାକୁ ପ୍ରଭୃତି ପଦ ପରିବର୍ତ୍ତେ କରିତେ, ଖାଇତେ ପ୍ରଭୃତି ପଦ ବ୍ୟବହୃତ ହେଉଥିବାର ବଳରାମ ଦାସଙ୍କ ରାମାୟଣରୁ ଓ ଶାରଳା ଦାସଙ୍କ ମହାଭାରତରୁ ପ୍ରମାଣ ମିଳେ । ଦ୍ରାବିଡ଼ୀ ଭାଷାରେ ‘ପେରୁ’ (ବଢ଼ିବା) ଧାତୁରୁ ‘ପେରୁକୁ’ (ବଢ଼ିବାପାଇଁ) ପଦ ନିଷ୍ପନ୍ନ ହୋଇଥାଏ । ସେହିପରି ଓଡ଼ିଆରେ କରିତେ, ଖାଇତେ ପ୍ରଭୃତି କରିବାକୁ, ଖାଇବାକୁ ପ୍ରଭୃତିରେ ପରିଣତ ହୋଇଥିବାରୁ ବୁଝାଯାଏ ଯେ, ଦ୍ରାବିଡ଼ୀ ଭାଷାର ପ୍ରଭାବରେ ଘଟିଅଛି; ସୁତରାଂ ଦ୍ରାବିଡ଼ୀ ଭାଷାର ‘କେ’ ର ଓଡ଼ିଆ ଦ୍ୱିତୀୟା ବିଭକ୍ତିର ଚିହ୍ନ ‘କୁ’ ଉତ୍ପନ୍ନ ହେବା ଅସମ୍ଭବ ନୁହେ ।

 

ଚତୁର୍ଥୀ ବିଭକ୍ତି ସଂସ୍କୃତ ଭାଷାରେ ଓ ପ୍ରାକୃତ ଭାଷାରେ ଥିଲା ଏବଂ ଏବେ ମଧ୍ୟ ମହାରାଷ୍ଟ୍ରୀ ଓ ଆସାମୀ ଭାଷାରେ ଅଛି । କିନ୍ତୁ ଓଡ଼ିଆ ଓ ବଙ୍ଗଳା ଭାଷାରୁ ଚତୁର୍ଥୀ ବିଭକ୍ତି ର ଚିହ୍ନ ଲୁପ୍ତ ହୋଇଅଛି । ଓଡ଼ିଆରେ ସଂସ୍କୃତ ଭାଷାର ଚତୁର୍ଥୀ ବିଭକ୍ତି ସ୍ଥାନରେ ଦ୍ୱିତୀୟା ବିଭକ୍ତି ବ୍ୟବହାର କରାଯାଏ–ସଂ ମଶକାୟ ଧୂମଃ, ଓଂ ମଶାକୁ ଧୂଆଁ । ଏଥିରୁ ବୁଝାଯାଏ ଯେ, କରିତେ, ଖାଇତେ ପ୍ରଭୃତି ପଦରେ ନିମିତ୍ତାର୍ଥରେ ଯୁକ୍ତ ହୋଇଥିବା ‘ତେ’ ଓଡ଼ିଆରେ କର୍ମକାରକରେ ମଧ୍ୟ ବ୍ୟବହୃତ ହୋଇପାରେ । ସମ୍ପ୍ରଦାନ କାରକ ପ୍ରାୟ ନିମିତ୍ତାର୍ଥବୋଧକ । ଏଣୁ ମହାରାଷ୍ଟ୍ରୀ ଭାଷାରେ ଚତୁର୍ଥୀ ବିଭକ୍ତିରେ ବ୍ୟବହୃତ ‘ତେ’ ଚିହ୍ନ ସଂସ୍କୃତ ‘ତୁମୁନ୍‌’ (ଯଥା, କର୍ତ୍ତୁଂ) ପ୍ରତ୍ୟୟରୁ ଉତ୍ପନ୍ନ ବୋଲି କୁହାଯାଇ ପାରେ । କରିତେ, ଖାଇତେ ପ୍ରଭୃତି ପଦରେ ଯୁକ୍ତ ହୋଇଥିବା ‘ତେ’ ମଧ୍ୟ ସଂସ୍କୃତ ‘ତୁମୁନ୍‌’ ପ୍ରତ୍ୟୟରୁ ଉତ୍ପନ୍ନ । ତାହାହେଲେ ଓଡ଼ିଆ ପ୍ରଥମ ପୁରୁଷର ସର୍ବନାମ ଶବ୍ଦରୁ ଦ୍ୱିତୀୟା ବିଭକ୍ତିରେ ନିଷ୍ପନ୍ନ ପଦ ‘ମୋତେ’ ଓ ଦ୍ୱିତୀୟ ପୁରୁଷର ସର୍ବନାମ ଶବ୍ଦରୁ ଦ୍ୱିତୀୟା ବିଭକ୍ତି ରେ ନିଷ୍ପନ୍ନ ପଦ ‘ତୋତେ’ ରେ ଥିବା ‘ତେ’ ଯେ ସଂସ୍କୃତ ‘ତୁମୁନ୍‌’ ପ୍ରତ୍ୟୟରୁ ଉତ୍ପନ୍ନ, ତାହା ପାଠକେ ହୃଦୟଙ୍ଗମ କରି ପାରୁଥିବେ । ପୁଣି ଦ୍ରାବିଡ଼ୀ ଭାଷାର ଚତୁର୍ଥୀ ବିଭକ୍ତିର ଚିହ୍ନ ଯେ ଦ୍ୱିତୀୟା ବିଭକ୍ତି ରେ ବ୍ୟବହୃତ ହୋଇପାରେ, ତାହା ମଧ୍ୟ ପ୍ରମାଣିତ ହେଉଅଛି ।

 

‘ବୌଦ୍ଧଗାନ ଓ ଦୋହା’ରେ ‘ଏ’ ଛଡ଼ା ଦ୍ୱିତୀୟା ବିଭକ୍ତିର ଅନ୍ୟ ଚିହ୍ନ ନ ଥିଲା ବୋଲି କୁହାଯାଇଅଛି । ଶାରଳା ଦାସଙ୍କ ମହାଭାରତରେ ମୁକୁ, ତୁକୁ ଓ ମୋତେ, ତୋତେ ପଦମାନ ଦେଖାଯାଏ । ଏହି ‘କୁ’ ଓ ‘ତେ’ ଚିହ୍ନ ତ୍ରୟୋଦଶ ଶତାବ୍ଦୀର ପୂର୍ବରୁ ସୃଷ୍ଟ । ପୁଣି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମୋରେ, ତୋରେ, ତାହାରେ, ପ୍ରଭୃତି ଦ୍ୱିତୀୟା ବିଭକ୍ତିର ପଦମାନ ଦେଖାଯାଏ । ଏହି ପଦମାନଙ୍କରେ ‘ରେ’ ଦ୍ୱିତୀୟା ବିଭକ୍ତିର ପ୍ରାଚୀନ ଚିହ୍ନ ‘ଏ’ ରୁ ଉତ୍ପନ୍ନ । ସୁତରାଂ ‘ର’ ଯେ ଆପେ ଆପେ ଉତ୍ପନ୍ନ, ଏ କଥା ପାଠକେ ବୁଝି ପାରୁଥିବେ ।

 

ସଂସ୍କୃତ ଭାଷାରେ ତୃତୀୟାବିଭକ୍ତ୍ୟନ୍ତ ପଦରେ ‘ଏନ’ ରହୁଥିଲା । ଏହି ‘ଏନ’ ରୁ ପ୍ରାକୃତ ଭାଷାରେ କେବଳ ‘ଏ’ ରହୁଥିଲା । ଏହି ‘ଏ’ ଓଡ଼ିଆଭାଷାରେ ବ୍ୟବହୃତ ହେଉ ହେଉ ‘ରେ’ ପାଲଟି ଯାଇଅଛି; ଯଥା, କଲମରେ ଲେଖି ହେଉ ନାହିଁ । ଅନ୍ୟାନ୍ୟ ଓଡ଼ିଆ ତୃତୀୟାବିଭକ୍ତର ଚିହ୍ନ ସମ୍ବନ୍ଧରେ ଆଲୋଚନା କରିବାର ପ୍ରୟୋଜନ ନାହିଁ । କେବଳ ଏତିକି ବକ୍ତବ୍ୟ ଯେ, ବ୍ୟକ୍ତିବାଚକ ଶବ୍ଦରେ ‘ରେ’ ତୃତୀୟା ବିଭକ୍ତିର ଚିହ୍ନରୂପେ ବ୍ୟବହୃତ ନ ହୋଇ ‘ଦ୍ୱାରା’ ଓ ‘ହାତରେ’–ଏହି ଦୁଇଟି ଚିହ୍ନ ଆଜିକାଲି ବ୍ୟବହୃତ ।

 

ଓଡ଼ିଆରେ ପଞ୍ଚମୀ ବିଭକ୍ତିର ଚିହ୍ନରୂପେ ‘ଉ’ ପ୍ରତ୍ୟୟ ବ୍ୟବହୃତ ହୋଇଥାଏ; ଯଥା–ଘରୁ (ଘର+ଉ) ଆସିଲି । ପ୍ରାକୃତ ଭାଷାରେ ଅନେକ ଶବ୍ଦର ପଞ୍ଚମୀ ବିଭକ୍ତିରେ ‘ଉ’ ଥିବାର ଦେଖାଯାଏ; ଯଥା- ବଚ୍ଛାଦୁ, ସବ୍ବାଦୁ, ଇମାଦୁ, ଏହି ‘ଉ’ ଓଡ଼ିଆରେ ବ୍ୟବହୃତ ହେଉ ହେଉ ‘ରୁ’ ରେ ପରିଣତ ହୋଇଅଛି; ଯଥା-ବନୁ=ବନରୁ । ବ୍ୟକ୍ତିବାଚକ ଶବ୍ଦରେ ‘ରୁ’ ପଞ୍ଚମୀ ବିଭକ୍ତିରେ ଯୁକ୍ତ ନ ହୋଇ ‘ଠାରୁ’ ଯୁକ୍ତ ହୋଇଥାଏ । ଏହି ‘ଠାରୁ’ ପୁଣି ‘ଠୁ’ ରେ ପରିଣତ ହୋଇଯାଏ । ‘ଉ’ ର ଧ୍ୱନିଯୋଗୁଁ ପଞ୍ଚମୀ ବିଭକ୍ତିରେ ସମୟେ ସମୟେ ଅର୍ଦ୍ଧ ଅନୁନାସିକ ଧ୍ୱନିର ଆଗମ ଘଟିଥାଏ; ଯଥା–ବନ=ବନୁଁ, ରାମଠାରୁ=ରାମଠୁଁ ।

 

ସଂସ୍କୃତ ଭାଷାରେ ସପ୍ତମୀ ବିଭକ୍ତିରେ ‘ଏ’ ରହୁଥିଲା । ଏହି ‘ଏ’ ପ୍ରାକୃତ ଭାଷାରେ ଥିଲା ବୋଲି ତହିଁରୁ ଓଡ଼ିଆ ଭାଷାକୁ ଆସିଥିଲା । ଓଡ଼ିଆ ଭାଷାରେ ସପ୍ତମୀ ବିଭକ୍ତିରେ ‘ଏ’ ଚିହ୍ନ ବ୍ୟବହୃତ ହେଉଥିବାରୁ ତୃତୀୟା ବିଭକ୍ତିକି ସପ୍ତମୀ ବିଭକ୍ତିଠାରୁ ପୃଥକ୍‌ରୂପେ ବାରିବା ପାଇଁ ତୃତୀୟା ବିଭକ୍ତିରେ ସଂସ୍କୃତ ଭାଷାର ‘ଏନ’ ଭଳିଆ ‘ଏଣ’ ଯୋଗ କରିବାର ଚେଷ୍ଟା ହୋଇଥିଲା; ଯଥା–କରେଣ ଶଙ୍ଖଚକ୍ରଧାରୀ ।

 

ସପ୍ତମୀ ବିଭକ୍ତିର ଚିହ୍ନ ‘ଠାରେ’ କଥା ଆଲୋଚନା କରିବା ପୂର୍ବରୁ ଏ କଥା କହିବା ଉଚିତ ଯେ, ପ୍ରତ୍ୟେକ ଭାଷାରେ ସପ୍ତମୀ ବିଭକ୍ତି ସାଧାରଣତଃ ସ୍ଥାନନିର୍ଦ୍ଦେଶକ ରୂପେ ବ୍ୟବହୃତ ହୋଇଥାଏ । ତାମିଲୀ ଭାଷାରେ ‘କାନ’ ର ଅର୍ଥ ‘ସେଠାରେ’ । ଏହି ‘କାନ’ ଦ୍ରାବିଡ଼ୀ ଭାଷାରେ ସପ୍ତମୀ ବିଭକ୍ତିର ଚିହ୍ନରୂପେ ବ୍ୟବହୃତ । ସୁତରାଂ ସଂସ୍କୃତ ‘ସ୍ଥାନ’ ପ୍ରାକୃତରେ ‘ଠାବ’ ରେ ପରିଣତ ହୋଇ ତହିଁରୁ ଉତ୍ପନ୍ନ ଓଡ଼ିଆ ‘ଠା’ ସପ୍ତମୀ ବିଭକ୍ତିରେ ବ୍ୟବହୃତ ହେଉଥିବା ବିଚିତ୍ର ନୁହେ । ଏହି ‘ଠା’ ଓଡ଼ିଆରେ ଅତିରିକ୍ତ ଚିହ୍ନରୂପେ ଦ୍ୱିତୀୟା, ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ବିଭକ୍ତିରେ ବ୍ୟବହୃତ ହୁଏ; ଯଥା–ମୋଠାକୁ ମୋଠାରୁ, ମୋଠାର, ମୋଠାରେ ।
 

ଏପର୍ଯ୍ୟନ୍ତ କେବଳ ଏକବଚନର ଚିହ୍ନ ସମ୍ବନ୍ଧରେ ଆଲୋଚନା କରାଗଲା । ଓଡ଼ିଆ ବହୁବଚନର ବିଭକ୍ତି-ଚିହ୍ନ ସମ୍ବନ୍ଧରେ ଆଲୋଚ୍ୟ ବିଷୟ କିଛି ନାହିଁ । କାରଣ, ଏକବଚନରେ ଯେଉଁ ସବୁ ଚିହ୍ନ ବ୍ୟବହୃତ ହୁଏ, ସେହିସବୁ ଚିହ୍ନ ବହୁବଚନବୋଧକ ପ୍ରତ୍ୟୟ ସଙ୍ଗେ ଯୁକ୍ତ ହୋଇ କୌଣସି ଶବ୍ଦର ପରେ ଯୁକ୍ତ ହେଲେ ବହୁବଚନର ବିଭକ୍ତ୍ୟନ୍ତ ପଦ ନିଷ୍ପନ୍ନ ହୋଇ ପଡ଼େ । ବର୍ତ୍ତମାନ ପାଠକମାନଙ୍କର ସୁବୋଧ୍ୟ ନିମନ୍ତେ ସଂସ୍କୃତ ‘ଅସ୍ମଦ୍‌’ ଓ ଯୁଷ୍ମଦ୍‌’ ଶବ୍ଦଦ୍ୱୟର ସଂସ୍କୃତ ଓ ପ୍ରାକୃତ ଭାଷାରେ ଏକବଚନରେ ବିଭିନ୍ନ ବିଭକ୍ତିରେ ନିଷ୍ପନ୍ନ ପଦମାନ ଏବଂ ଓଡ଼ିଆରେ ଏକବଚନ ଓ ବହୁବଚନର ବିଭିନ୍ନ ବିଭକ୍ତିରେ ନିଷ୍ପନ୍ନ ପଦମାନ ତଳେ ସନ୍ନି ବେଶିତ ହେଉଅଛି ।

 

ସଂସ୍କୃତ

ପ୍ରାକୃତ

ଓଡ଼ିଆ

ଏକବଚନ

ଏକବଚନ

ଏକବଚନ

ବହୁବଚନ

ପ୍ରଥମା ଅହଂ

ଅମ୍‌ହେ, ମି

ଆମେ, ମୁଁ, ମୁହିଁ

ଆମେ, ଆମେମାନେ

ଦ୍ୱିତୀୟା ମାମ୍‌, ମା

ମମଂ

ଆମକୁ, ମୋତେ

ଆମଙ୍କୁ, ଆମମାନଙ୍କୁ

ତୃତୀୟା ମୟା

ମେ

ଆମଦ୍ୱାରା, ମୋଦ୍ୱାରା

ଆମଦ୍ୱାରା, ଆମମାନଙ୍କଦ୍ୱାରା

ପଞ୍ଚମୀ ମତ୍‌

ମତ୍ତୋ

ଆମଠାରୁ, ମୋଠାରୁ

ଆମଠାରୁ, ଆମମାନଙ୍କଠାରୁ

ଷଷ୍ଠୀ ମମ୍‌, ମେ

ମମ

ଆମର, ମୋର

ଆମର, ଆମମାନଙ୍କର

ସପ୍ତମୀ ମୟି

ମଇ

ଆମଠାରେ, ମୋଠାରେ

ଆମଠାରେ, ଆମମାନଙ୍କଠାରେ

ପ୍ରଥମା ତ୍ୱଂ

ତଂ

ତୁମେ, ତୁ, ତୁହି

ତୁମେ, ତୁମେମାନେ

ଦ୍ୱିତୀୟା ତ୍ୱାମ୍‌

ତଂ

ତୁମକୁ, ତୋତେ

ତୁମଙ୍କୁ, ତୁମମାନଙ୍କୁ

ତୃତୀୟା ତ୍ୱୟା

ତଇ, ତଏ

ତୁମଦ୍ୱାରା, ତୋଦ୍ୱାରା

ତୁମଦ୍ୱାରା, ତୁମମାନଙ୍କଦ୍ୱାରା

ପଞ୍ଚମୀ ତ୍ୱତ୍

ତତ୍ତୋ

ତୁମଠାରୁ, ତୋଠାରୁ

ତୁମଠାରୁ, ତୁମମାନଙ୍କଠାରୁ

ଷଷ୍ଠୀ ତବ, ତେ

ତୁମୋ

ତୁମର, ତୋର

ତୁମର,ତୁମମାନଙ୍କର

ସପ୍ତମୀ ତ୍ୱୟି

ତଇ

ତୁମଠାରେ, ତୋଠାରେ

ତୁମଠାରେ, ତୁମମାନଙ୍କଠାରେ

 

ବହୁବଚନବୋଧକ ପ୍ରତ୍ୟୟ ଯୋଗ ନ କରି କେବଳ ‘ଆମ’ ବା ‘ତୁମ’ ପଦ ବହୁବଚନର ପ୍ରତ୍ୟେକ ବିଭକ୍ତିରେ ରହି ପାରେ । କାରଣ ‘ଅସ୍ମଦ୍’ ଓ ଯୁଷ୍ମଦ୍‌’ ଦ୍ୱୟରୁ ପ୍ରାକୃତ ଭାଷାରେ ପ୍ରଥମା ବିଭକ୍ତିର ବହୁବଚନରେ ‘ଅମ୍‌ହେ’ ଓ ତୁମ୍‌ହେ’ ପଦଦ୍ୱୟ ନିଷ୍ପନ୍ନ ହେଉଥିଲା । ତହିଁରୁ ଓଡ଼ିଆରେ ବହୁବଚନରେ ‘ଆମେ’ ଓ ‘ତୁମେ’ ପଦଦ୍ୱୟ ଉତ୍ପନ୍ନ । ଏଣୁ ବହୁବଚନବୋଧକ ପ୍ରତ୍ୟୟ ଯୋଗ ନ କରି କେବଳ ବିଭକ୍ତି-ଚିହ୍ନ ଯୋଗ କଲେ ବହୁବଚନାନ୍ତ ପଦ ନିଷ୍ପନ୍ନ ହୋଇପଡ଼େ । ପୁଣି ସମ୍ମାନ-ସୂଚନା ନିମନ୍ତେ ଏକବଚନରେ କର୍ତ୍ତା ବହୁବଚନାନ୍ତ ହେବାର ରୀତି ଓଡ଼ିଆ ଭାଷାରେ ପ୍ରଚଳିତ ଥିବାରୁ ଏକବଚନର ପ୍ରତ୍ୟେକ ବିଭକ୍ତିରେ ‘ଆମ’ ଓ ‘ତୁମ’ ପଦଦ୍ୱୟ ବ୍ୟବହାର କରାଯାଇ ଥାଏ । ଏଣୁ ଏ କଥା କହିବା ଉଚିତ ଯେ, ସଂସ୍କୃତ ‘ଅସ୍ମଦ୍‌’ ଓ ‘ଯୁଷ୍ମଦ୍’ ଶବ୍ଦଦ୍ୱୟ ରୂପାନ୍ତରିତ ହୋଇ ଓଡ଼ିଆରେ ‘ଆମ’ ଓ ‘ତୁମ’ ଶବ୍ଦଦ୍ୱୟ ଉତ୍ପନ୍ନ ।

 

ସଂସ୍କୃତ ‘କିମ୍‌; ଶବ୍ଦ ରୂପାନ୍ତରିତ ହୋଇ ପ୍ରଥମା ବିଭକ୍ତି ଛଡ଼ା ଅନ୍ୟାନ୍ୟ ବିଭକ୍ତିର ଏକବଚନରେ ‘କା’ ରୂପେ ଓଡ଼ିଆରେ ପ୍ରଚଳିତ ହୋଇ ତହିଁରେ ବିଭକ୍ତିର ଚିହ୍ନ ଯୋଗ କରାଯାଉଅଛି । ପ୍ରାକୃତ ଭାଷାରେ ‘କିମ୍‌’ ଶବ୍ଦରୁ ତୃତୀୟା, ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ବିଭକ୍ତିର ଏକବଚନରେ ଯଥାକ୍ରମେ କିଣା, କତ୍ତୋ, କାସ, କତ୍‌ଥ ପ୍ରଭୃତି ପଦ ନିଷ୍ପନ୍ନ ହୋଇଥିବାର ଦେଖାଯାଏ । ସୁତରାଂ ଣା, ତ୍ତୋ, ସ, ତ୍ଥ–ଏହି ଅନ୍ତ୍ୟବର୍ଣ୍ଣଗୁଡ଼ିକ ଯେତେବେଳେ ଲୁପ୍ତ ହୋଇ ପଡ଼ିଥିବେ, ତେତେବେଳେ ଉକ୍ତ ପ୍ରାକୃତ ପଦଗୁଡ଼ିକ କେବଳ ‘କା’ ରେ ପରିଣତ ହେବା ଅସମ୍ଭବ ନୁହେ । ସେହିପରି ସଂସ୍କୃତ ’ଯଦ୍‌’ ଓ ‘ତଦ୍‌’ ଶବ୍ଦରୁ ପ୍ରଥମା ବିଭକ୍ତି ଛଡ଼ା ଅନ୍ୟାନ୍ୟ ବିଭକ୍ତିର ଏକବଚନରେ ଓଡ଼ିଆରେ ଯଥାକ୍ରମେ ‘ଯା’ ଓ ‘ତା’ ପ୍ରଚଳିତ ହୋଇ ତହିଁରେ ବିଭକ୍ତି ର ଚିହ୍ନ ଯୋଗ କରାଯାଉଅଛି । ଏହି ‘ଯା’ ଓ ‘ତା’ ଯେତେବେଳେ ମାନ୍ୟାର୍ଥରେ ବ୍ୟବହାର କରାଯାଏ, ତେତେବେଳେ ତହିଁ ରେ ବହୁବଚନର ଚିହ୍ନ ‘ଙ୍କ’ ଯୋଗ କରି ‘ଯାଙ୍କ’ ଓ ‘ତାଙ୍କ’ ନିଷ୍ପନ୍ନ ହେଲା ଉତ୍ତାରୁ ବିଭକ୍ତିର ଚିହ୍ନ ଯୋଗ କରାଯାଏ । ପୁଣି ବହୁବଚନରେ ‘କେଉଁ’, ‘ଯେଉଁ’, ‘ସେ’–ଏହି ପଦମାନଙ୍କରେ ବହୁବଚନାନ୍ତ ଚିହ୍ନ ଯୋଗ କଲା ଉତ୍ତାରେ ତହିଁରେ ବିଭକ୍ତିର ଚିହ୍ନ ଯୋଗ କରାଯାଇଥାଏ । କିନ୍ତୁ ‘କେଉଁ’ ଓ ‘ଯେଉଁ’ ପରିବର୍ତ୍ତେ କେବଳ ‘କେ’ ଓ ‘ଯେ’ ବ୍ୟବହାର କରିବା ଯୁକ୍ତି ଯୁକ୍ତ ମନେ ହୁଏ ।

 

ଓଡ଼ିଆରେ କେଉଁ ସ୍ଥଳରେ କେଉଁ ବିଭକ୍ତି ବ୍ୟବହୃତ ହୁଏ, ତାହା ବର୍ତ୍ତମାନ ଆଲୋଚନା କରିବାକୁ ହେବ । ସଂସ୍କୃତରେ କ୍ରିୟାବିଶେଷଣରେ ଦ୍ୱିତୀୟା ବିଭକ୍ତି ବ୍ୟବହୃତ ହେଉଥିଲା । ଓଡ଼ିଆରେ ଦ୍ୱିତୀୟା ବିଭକ୍ତିରେ ‘ଏ’ ଓ ‘ରେ’ ଚିହ୍ନ ବ୍ୟବହୃତ ହୋଇଥିବାର ଦେଖାଇ ଦିଆ ଯାଇଅଛି-। ଏହି ଚିହ୍ନଗୁଡ଼ିକ କ୍ରିୟାବିଶେଷଣ ପଦରେ ମଧ୍ୟ ବ୍ୟବହୃତ; ଯଥା–ବେଗେ ଆସ; ମୁଁ ତରତରରେ ଖାଇଲି । ଏହିପରି ସଂସ୍କୃତ ଭାଷାର ‘ଅଧ୍ୱକାଳାଭ୍ୟାମତ୍ୟନ୍ତସଂଯୋଗ’ ଭଳିଆ ଓଡ଼ିଆରେ ଦ୍ୱିତୀୟା ବିଭକ୍ତି ମଧ୍ୟ ବ୍ୟବହୃତ; ଯଥା–(ଅଧ୍ୱବାଚକ) ଏଠାରୁ ତିନି କୋଶରେ ଗାଁ ଅଛି; (କାଳବାଚକ) ଚାରିମାସେ ବ୍ୟାକରଣ ସାରିଲି ।

 

‘ଧିକ୍‌’ ଶବ୍ଦଯୋଗେ ଓଡ଼ିଆରେ ଦ୍ୱିତୀୟା ବିଭକ୍ତି ବ୍ୟବହୃତ ହୁଏ; ଯଥା–ତୋତେ ଧିକ୍‌ । ‘ପ୍ରତି’ ଶବ୍ଦଯୋଗେ ସଂସ୍କୃତ ଭାଷା ଭଳିଆ ଓଡ଼ିଆରେ ଦ୍ୱିତୀୟା ବିଭକ୍ତି ଯୋଗ କରାଯାଏ ନାହିଁ । ‘ପ୍ରତି’ ଯୋଗ କଲେ ଓଡ଼ିଆରେ ସାଧାରଣତଃ ଷଷ୍ଠୀ ବିଭକ୍ତି ବ୍ୟବହୃତ ହୋଇଥାଏ; ଯଥା–ତାଙ୍କ ପ୍ରତି କାହାର ଦୟା ନାହିଁ । ଏଠାରେ ସଂସ୍କୃତ ସୂତ୍ରର ବ୍ୟତିକ୍ରମ ଘଟିବାର କାରଣ ନିର୍ଦ୍ଦେଶ କରିବା କଠିନ ।

 

‘ସହ’ ଶବ୍ଦ ଯୋଗେ ସଂସ୍କୃତରେ ତୃତୀୟା ବିଭକ୍ତି ବ୍ୟବହୃତ ହେଉଥିଲା । କିନ୍ତୁ ଓଡ଼ିଆରେ ଷଷ୍ଠୀ ବିଭକ୍ତି ବ୍ୟବହୃତ ହୁଏ; ଯଥା–ତାଙ୍କ ସଙ୍ଗେ ମୁଁ ଯିବି ନାହିଁ । ସଂସ୍କୃତ ‘ସାର୍ଦ୍ଧ୍ୱ’ ରୁ ଉତ୍ପନ୍ନ ଓଡ଼ିଆ ‘ସାଥି’ ଯୋଗେ ମଧ୍ୟ ଏହି ବିଭକ୍ତି ବ୍ୟବହୃତ ହୁଏ ।

 

ଊଣା ଅର୍ଥରେ ସଂସ୍କୃତରେ ତୃତୀୟା ବିଭକ୍ତି ବ୍ୟବହୃତ ହେଉଥିଲା । କିନ୍ତୁ ଓଡ଼ିଆରେ ବର୍ତ୍ତମାନ ସେପରି ଅର୍ଥରେ ପ୍ରଥମା ବିଭକ୍ତି ବ୍ୟବହୃତ; ଯଥା–କୋଡ଼ିଏରୁ ଦୁଇ ଊଣା; ରାଜା ବିହୁନେ ରାଜ୍ୟ ଅସୁନ୍ଦର । ବାରଣ ଓ ପ୍ରୟୋଜନ ଅର୍ଥରେ ସଂସ୍କୃତ ଭଳିଆ ଓଡ଼ିଆରେ ତୃତୀୟା ବିଭକ୍ତି ବସେ; ପୁଣି ସମୟେ ସମୟେ ପଞ୍ଚମୀ ବିଭକ୍ତି ମଧ୍ୟ ଯୋଗ କରାଯାଏ; ଯଥା= କଳିରେ କି ଫଳ ? ଧନରେ କି ପ୍ରୟୋଜନ ? କଳିର କି ଫଳ ? ଧନରୁ କି ପ୍ରୟୋଜନ?

 

 

 

ସଂସ୍କୃତରେ ‘ସଦୃଶ’ ଶବ୍ଦ ଯୋଗେ ତୃତୀୟା ବିଭକ୍ତି ବ୍ୟବହୃତ ହେଉଥିଲା; କିନ୍ତୁ ଓଡ଼ିଆରେ ସେଠାରେ ଷଷ୍ଠୀ ବିଭକ୍ତି ବ୍ୟବହୃତ ହୁଏ, ଯଥା–ତାଙ୍କ ସରି; ମୋ ପରି ।

Image

 

ଅଷ୍ଟମ ଅଧ୍ୟାୟ

(ଧାତୁରୂପ)

 

ପ୍ରତ୍ୟେକ ଭାଷାରେ ଧାତୁରୂପ ବଡ଼ ଜଟିଳ । ବିଶେଷତଃ ସଂସ୍କୃତ ଭାଷାରେ ଧାତୁରୂପ ଏପରି ଜଟିଳ ଯେ, ଅନାର୍ଯ୍ୟ ଲୋକେ ଶିଖିବା ତେଣିକି ଥାଉ, ବ୍ୟାକରଣ ପଢ଼ି ନ ଥିବା ଆର୍ଯ୍ୟମାନଙ୍କ ପକ୍ଷରେ ତାହା ଭଲରୂପେ ଆୟତ୍ତ କରିବା କଠିନ ବ୍ୟାପାର ହୋଇଥିବ । ସେହି ହେତୁରୁ ସଂସ୍କୃତ ଭାଷାର ଧାତୁମାନଙ୍କର ଦଶ କାଳ ପରିବର୍ତ୍ତେ ପ୍ରାକୃତରେ ବର୍ତ୍ତମାନ (ଲଟ୍‌), ଭବିଷ୍ୟତ୍‌ (ଲୁଟ୍) ଓ ଅନୁଜ୍ଞା (ଲୋଟ୍‌) ଏହି ତିନୋଟି କାଳ ରହି ଆଉସବୁ କାଳ ପ୍ରାୟ ଲୁପ୍ତ ହୋଇ ପଡ଼ିଥିଲା ପୁଣି ଭ୍ୱାଦିଗଣ ଧାତୁଛଡ଼ା ପ୍ରାକୃତ ଭାଷାରେ ଅନାନ୍ୟ ଧାତୁର ପ୍ରଚଳନ ବିରଳ ହୋଇ ପଡ଼ିଥିଲା । ଏପରି ହୃଦୟର ଭାବ ବ୍ୟକ୍ତ କରିବା ନିମନ୍ତେ ଲୋକେ ନିଜ ଅଜ୍ଞାତସାରରେ ପ୍ରାକୃତିକ ଉପାୟ ଅବଶ୍ୟ ଅବଲମ୍ବନ କରିଥିବେ ।

 

ପ୍ରତ୍ୟେକ ଭାଷାରେ ‘କରିବା’ ଓ ‘ହେବା’ ଅର୍ଥବୋଧକ ଧାତୁର ପ୍ରଚଳନ ବେଶି । ସେହି ହେତୁରୁ ‘କର୍’ ଓ ‘ହୋ’–ଏହି ଦୁଇଟି ଧାତୁର ବ୍ୟବହାରରେ ଓଡ଼ିଆରେ ଅଧିକାଂଶ କ୍ରିୟାପଦ ନିଷ୍ପନ୍ନ ହୋଇ ପଡ଼େ । ଉଦାହରଣସ୍ୱରୂପ ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ‘ଖାଉଅଛି’ ନ କହି ‘ଭୋଜନ କରୁଅଛି’ କହିଲେ ଚଳେ । ପୁଣି ପ୍ରତ୍ୟେକ ଭାଷାରେ ‘ଅଛି’ ଓ ‘ଥିଲା’–ଏହି ଦୁଇ କ୍ରିୟାପଦର ଅର୍ଥବୋଧକ କ୍ରିୟାପଦ ନିତାନ୍ତ ପ୍ରୟୋଜନ । କାରଣ, ଏହି ଦୁଇଟି ପ୍ରାୟ ସର୍ବଦା ବ୍ୟବହାର କରିବାକୁ ଲୋଡ଼ା ପଡ଼େ । ସୁତରାଂ ପ୍ରାକୃତ ଭାଷାରୁ ବିଭିନ୍ନ କାଳର ଧାତୁରୂପ ଉଠି ଯାଇଥିବାରୁ ‘ଅଛି’ ଓ ‘ଥିଲା’–ଏହି ଦୁଇଟି କ୍ରିୟାପଦକୁ ଯଥାକ୍ରମେ ବର୍ତ୍ତମାନ ଓ ଅତୀତ କାଳର ପ୍ରତ୍ୟୟରୂପେ ଓଡ଼ିଆ ଭାଷାରେ ବ୍ୟବହାର କରିବା ବିଚିତ୍ର ନୁହେ । ବଙ୍ଗଳା ଓ ଆସାମୀ ଭାଷାର ଉକ୍ତ କାଳଦ୍ୱୟରେ ବ୍ୟବହୃତ ପ୍ରତ୍ୟୟ ଯୋଡ଼ିକ ଉକ୍ତ ଓଡ଼ିଆ ପ୍ରତ୍ୟୟର ଅନୁରୂପ ।

 

ସଂସ୍କୃତ ‘ଅସ୍ତି’ କ୍ରିୟାପଦ ପାଲିରେ ‘ଅତ୍ଥି’ରେ ପରିଣତ ହୋଇଥିଲା । ଏହି ‘ଅତ୍ଥି’ରୁ ଓଡ଼ିଆ ‘ଅଛି’ ଓ ବଙ୍ଗଳା ‘ଆଛେ’ ଉତ୍ପନ୍ନ । ଓଡ଼ିଆରେ ଅତୀତକାଳରେ ଓ ଆନୁମାନିକ ଭବିଷ୍ୟତ୍‌କାଳରେ ଧାତୁର ଉତ୍ତର ଯଥାକ୍ରମେ ‘ଥିଲା’ ଓ ‘ଥିବ’ ପ୍ରତ୍ୟୟ ଯୋଗ କରା ଯାଉଥିବାରୁ ଏବଂ ବଙ୍ଗଳାରେ ଓ ହିନ୍ଦୀରେଅତୀତ କାଳରେ ଧାତୁର ଉତ୍ତର ଯଥାକ୍ରମେ ‘ଛିଲ’ ଓ ‘ଥା’ ପ୍ରତ୍ୟୟ ଯୋଗ କରାଯାଉଥିବାରୁ ଓଡ଼ିଆ ‘ଥିଲା’, ବଙ୍ଗଳା ‘ଛିଲ’ ଓ ହିନ୍ଦୀ ‘ଥା’–ଏହି ପ୍ରତ୍ୟୟଗୁଡ଼ିକ ସଂସ୍କୃତ ‘ସ୍ଥା’ ଧାତୁରୁ ଉତ୍ପନ୍ନ ବୋଲି ସହଜରେ ଅନୁମାନ କରାଯାଇ ପାରେ । ସୁତରାଂ ଓଡ଼ିଆ ‘ଥିଲା’ ଓ ବଙ୍ଗଳା ‘ଛିଲ’–ଏହି ପ୍ରତ୍ୟୟ ଦୁଇଟି ସଂସ୍କୃତ ‘ଆସୀତ୍‌’ କ୍ରିୟାପଦରୁ ଉତ୍ପନ୍ନ ବୋଲି ଯେଉଁ ମାନେ କହନ୍ତି, ସେମାନଙ୍କ କଥା ବିଶ୍ୱାସଯୋଗ୍ୟ ନୁହେ । ଯାହାହେଉ ସଂସ୍କୃତ ’ସ୍ଥା’ ଧାତୁରୁ ଓଡ଼ିଆ ‘ଥିଲା’ ପ୍ରତ୍ୟୟ କିପରି ସ୍ପଷ୍ଟ ହେଲା, ତାହା ଆଲୋଚନା କରିବା ଉଚିତ । ସଂସ୍କୃତ ‘ଗତଃ’ ପ୍ରାକୃତରେ ‘ଗଦ’ରେ ପରିଣତ ହୋଇଥିଲା । ଏହି ‘ଗଦ’ ଓଡ଼ିଆରେ ‘ଗଲା’ ଓ ବଙ୍ଗଳାରେ ‘ଗେଲ’ ରୂପେ ପରିଣତ ହେବା ଅସମ୍ଭବ ନୁହେ । ତାହାହେଲେ ସଂସ୍କୃତ ସ୍ଥିତ’ରୁ ଓଡ଼ିଆ ‘ଥିଲା’ ଓ ବଙ୍ଗଳା ‘ଛିଲ‘ ସହଜରେ ଉତ୍ପନ୍ନ ହୋଇ ପାରେ । କିନ୍ତୁ ସଂସ୍କୃତ ଭାଷାର ଅତୀତ କାଳର ‘କ୍ତ’ ବା ‘ତ’ ପ୍ରତ୍ୟୟ ସ୍ଥାନରେ ‘ବୌଦ୍ଧଗାନ ଓ ଦୋହା’ ଗ୍ରନ୍ଥର ଭାଷାରେ ‘ଡ଼’ ପ୍ରତ୍ୟୟ ବ୍ୟବହାର କରାଯାଇଥିବାରୁ (ଯଥା, ଅଇସନ ଚର୍ଯ୍ୟା କୁକ୍କୁରୀ ପାଏଁ ଗାଇଡ଼) ଦ୍ରାବିଡ଼ୀ ଭାଷାରେ ଅତୀତ କାଳରେ ଧାତୁର ଉତ୍ତର ଯେଉଁ ‘ଡ଼’ ପ୍ରତ୍ୟୟ ଯୋଗ କରାଯାଏ, ସେହି ‘ଡ଼’ ପ୍ରତ୍ୟୟ ସଂସ୍କୃତ ‘କ୍ତ’ ବା ‘ତ’ ପ୍ରତ୍ୟୟ ପରିବର୍ତ୍ତେ ବ୍ୟବହୃତ ହୋଇ ଓଡ଼ିଆରେ ତାହା ‘ଲା’ ରେ ପରିଣତ ହୋଇଅଛି ବୋଲି ଅନୁମାନ କରିବା ବେଶି ଯୁକ୍ତିଯୁକ୍ତ । ଗ୍ରୀକ, ଲାଟିନ ଓ ଗୋଥୀ ପ୍ରଭୃତି ଭାଷାରେ ଅତୀତ କାଳରେ ଧାତୁର ଉତ୍ତର ‘ତ’ ପ୍ରତ୍ୟୟ ଯୋଗ କରାଯାଏ । ସୁତରାଂ ସଂସ୍କୃତ ଭାଷାପରି ପ୍ରାଚୀନ ଦ୍ରାବିଡ଼ୀ ଭାଷାରେ ଅତୀତ କାଳରେ ଧାତୁର ଉତ୍ତର ‘ତ’ ପ୍ରତ୍ୟୟ ଯୋଗ କରାଯାଉଥିବାରୁ ତହିଁରୁ ‘ଡ଼’ ପ୍ରତ୍ୟୟ ଉତ୍ପନ୍ନ ହୋଇଅଛି ବୋଲି ଅନୁମାନ କରାଯାଇ ପାରେ ।

 

ବର୍ତ୍ତମାନ ଓଡ଼ିଆ ଭାଷାରେ ଭବିଷ୍ୟତ୍‌ କାଳରେ ଧାତୁର ଉତ୍ତର ଯେଉଁ ‘ବ’ ପ୍ରତ୍ୟୟ ଯୋଗ କରାଯାଏ, ସେ ସମ୍ବନ୍ଧରେ ଆଲୋଚନା କରାଯାଉ । ଓଡ଼ିଆରେ ‘ରଖିବି’, ବଙ୍ଗଳାରେ ‘ରାଖିବ’ ଓ ଭୋଜପୁରୀ ହିନ୍ଦୀରେ ‘ରାଖବ’ ପ୍ରଭୃତି କ୍ରିୟାପଦମାନ ଭବିଷ୍ୟତ୍ କାଳରେ ନିଷ୍ପନ୍ନ ହୋଇଥାଏ । ଏହିସବୁ କ୍ରିୟାପଦମାନଙ୍କରେ ଥିବା ଭବିଷ୍ୟତ୍‌ କାଳର ଚିହ୍ନ ‘ବ’ କୁ ସଂସ୍କୃ ତ ଭାଷାର ‘ତବ୍ୟ’ ପ୍ରତ୍ୟୟରୁ ଉତ୍ପନ୍ନ ବୋଲି ଅନୁମାନ କରାଯାଇ ପାରେ । କିନ୍ତୁ ଅଧ୍ୟାପକ Max Muller ଏହି ‘ବ’କୁ ଲାଟିନ ଭାଷାର ଭବିଷ୍ୟତ୍‌ କାଳର ‘ବ’ ପ୍ରତ୍ୟୟ ସଙ୍ଗେ ତୁଳନା କରିଅଛନ୍ତି । ଏହି ସବୁ ଅନୁମାନ ଅପେକ୍ଷା ଦ୍ରାବିଡ଼ୀ ଭାଷାର ଭବିଷ୍ୟତ୍‌କାଳର ‘ବ’ ପ୍ରତ୍ୟୟ ଓଡ଼ିଆ ଭାଷାକୁ ଆସିଥିବାର ଅନୁମାନ କରିବା ବେଶି ସମୀଚୀନ । କାରଣ ତାମିଲୀ ଭାଷାର ଭବିଷ୍ୟତ୍‌କାଳର ‘ବ’ (ଅନ୍ତସ୍ଥ ବ) ବା ‘ଉମ୍‌’ ପ୍ରତ୍ୟୟ ଓଡ଼ିଆଭାଷା ଓ ବଙ୍ଗଳାଭାଷାର ଭବିଷ୍ୟତ୍‌ କାଳର ‘ବ’ ପ୍ରତ୍ୟୟ ଏବଂ ପୁରୀ ଅଞ୍ଚଳରେ ଭବିଷ୍ୟତ୍‌ କାଳର ଧାତୁର ଉତ୍ତର ଯୁକ୍ତ ‘ମୁ’ (ଯଥା, କରିମୁ, ଯିମୁ) ପ୍ରତ୍ୟୟ ସଙ୍ଗେ ଯେପରି ମିଳିଯାଏ, ତାମିଲି ଭାଷାର ଭବିଷ୍ୟତ୍‌ କାଳର ‘ଗୁ’ ପ୍ରତ୍ୟୟ ମଧ୍ୟ ହିନ୍ଦୀ ଭାଷାର ଭବିଷ୍ୟତ୍‌ କାଳର ‘ଙ୍ଗେ’ ପ୍ରତ୍ୟୟ ସଙ୍ଗେ ସେହିପରି ମିଳିଯାଏ । ତାମିଲୀ ଭାଷାରେ En-b-en (ମୁଁ କହିବି), Sol-v-en (ମୁଁ କହିବି), Sey-gu-ମୁଁ କରିବି) ଓ Pog-um (ଏହା ଯିବ) ପ୍ରଭୃତି ବାକ୍ୟମାନ ନିଷ୍ପନ୍ନ ହୋଇଥାଏ । ପୁରୀ ଅଞ୍ଚଳରେ ବ୍ୟବହୃତ କରିବୁ, ଯିମୁ ପ୍ରଭୃତି କ୍ରିୟାପଦ ଭଳିଆ ‘ବୌଦ୍ଧ ଗାନ ଓ ଦୋହା’ରେ ମଧ୍ୟ ମାରମି, ଲେମି ପ୍ରଭୃତି କ୍ରିୟାପଦମାନ ବ୍ୟବହୃତ ହୋଇଅଛି; ଯଥା–‘‘ମାରମି ଡ଼ୋମୀ ଲେମି ପରାଣ’’ ।

 

ବର୍ତ୍ତମାନ ଓଡ଼ିଆ ନିତ୍ୟପ୍ରବୃତ୍ତ-ବର୍ତ୍ତମାନ କାଳର (ସଂସ୍କୃତ ବିଧିଲିଙ୍ଗ୍‌) କ୍ରିୟାପଦମାନଙ୍କର ଉତ୍ପତ୍ତିକ୍ରମ ସମ୍ବନ୍ଧରେ ଆଲୋଚନା କରିବାକୁ ହେବ । ସୁତରାଂ ଉକ୍ତ କାଳର ପ୍ରତ୍ୟେକ ପୁରୁଷର ପ୍ରତ୍ୟେକ ବଚନର କ୍ରିୟାପଦମାନ ପ୍ରଥମେ ଲକ୍ଷ୍ୟ କରିବା ଉଚିତ । ପ୍ରଥମ ପୁରୁଷର ଏକବଚନରେ ‘କରେ’ (ଯଥା, ମୁଁ କରେ), ବହୁବଚନରେ ‘କରୁଁ’ (ଯଥା, ଆମେ କରୁଁ), ଦ୍ୱିତୀୟ ପୁରୁଷର ଏକବଚନରେ ’କର’ (ଯଥା, ତୁମ୍ଭେ କର), ବହୁବଚନରେ ‘କର’ (ଯଥା, ତୁମ୍ଭେମାନେ କର), ତୃତୀୟ ପୁରୁଷର ଏକବଚନରେ ‘କରେ’ (ଯଥା, ସେ କରେ), ବହୁବଚନରେ କରନ୍ତି (ଯଥା, ସେମାନେ କରନ୍ତି) ପ୍ରଭୃତି କ୍ରିୟାପଦମାନ ଓଡ଼ିଆରେ ପ୍ରଚଳିତ । ସଂସ୍କୃତ ଧାତୁର ବିଶୁଦ୍ଧ ବର୍ତ୍ତମାନ କାଳର (ଲଟ୍‌) ରୂପ ପରିବର୍ତ୍ତିତ ହୋଇ ପ୍ରାକୃତରେ ବିଶୁଦ୍ଧ ବର୍ତ୍ତମାନ ଓ ନିତ୍ୟପ୍ରବୃତ୍ତ ବର୍ତ୍ତମାନ, ଉଭୟ କାଳରେ ବ୍ୟବହୃତ ହୋଇଥିବାର ଦେଖାଯାଏ । ସୁତରା ‘ଅଛି’ ଓ ‘ଆଛେ’ ପ୍ରତ୍ୟୟ ଯୋଗ କରି ଓଡ଼ିଆ ଓ ବଙ୍ଗଳା ଭାଷାରେ ବିଶୁଦ୍ଧ ବର୍ତ୍ତମାନ କାଳର କ୍ରିୟାପଦ ଗଢ଼ା ହେବା ଉତ୍ତାରୁ ସଂସ୍କୃତ ବିଶୁଦ୍ଧ ବର୍ତ୍ତମାନ କାଳର ଧାତୁର ରୂପ ପରିବର୍ତ୍ତିତ ହୋଇ ଯାହା ପ୍ରାକୃତ ଭାଷାରେ ବିଶୁଦ୍ଧ ଉର୍ତ୍ତମାନ ଓ ନିତ୍ୟପ୍ରବୃତ୍ତ ବର୍ତ୍ତମାନ ଉଭୟ କାଳରେ ବ୍ୟବହୃତ ହେଉଥିଲା, ତାହା ପୁଣି ପରିବର୍ତ୍ତିତ ହୋଇ ଓଡ଼ିଆ ଓ ବଙ୍ଗଳା ଭାଷାରେ କେବଳ ନିତ୍ୟପ୍ରବୃତ୍ତ ବର୍ତ୍ତମାନ କାଳରେ ବ୍ୟବହୃତ ହେବା ବିଚିତ୍ର ନୁହେ । ସଂସ୍କୃତ ‘କୃ’ ଧାତୁର ତୃତୀୟ ପୁରୁଷର (ସଂ ପ୍ରଥମ) ଏକବଚନର କ୍ରିୟାପଦ ‘କରୋତି’ ପ୍ରାକୃତରେ ‘କରଇ’ ରେ ପରିଣତ ହୋଇଥିଲା । ପ୍ରାଚୀନ ଓଡ଼ିଆରେ ‘କରଇ’ କ୍ରିୟାପଦ ବ୍ୟବହୃତ ହେଉଥିଲା ଏବଂ ଏବେ ମଧ୍ୟ ପଦ୍ୟରଚନାରେ ବ୍ୟବହୃତ ହୋଇଥାଏ । ଅତଏବ ସଂସ୍କୃତ ‘ତି’ ପ୍ରତ୍ୟୟରୁ ଉତ୍ପନ୍ନ ‘ଇ’ ଓଡ଼ିଆରେ ‘ଏ’ରେ ପରିଣତ ହୋଇ ଯେ ଓଡ଼ିଆ ଧାତୁମାନଙ୍କରେ ଯୁକ୍ତ ହୁଏ, ଏଥିରେ ସନ୍ଦେହ ନାହିଁ ।

 

‘ହସନ୍ତି’ ସଂସ୍କୃତ ଭାଷାରେ ତୃତୀୟ ପୁରୁଷର ବହୁବଚନାନ୍ତ କ୍ରିୟାପଦରୂପେ ଯେପରି ବ୍ୟବହୃତ ହେଉଥିଲା, ପ୍ରାକୃତରେ ସେହିପରି ମଧ୍ୟ ବ୍ୟବହୃତ ହେଉଥିଲା । ସୁତରାଂ ଓଡ଼ିଆରେ ତୃତୀୟ ପୁରୁଷର ବହୁବଚନରେ ‘ଅନ୍ତି’ ପ୍ରତ୍ୟୟ ଯୋଗ କରି କ୍ରିୟାପଦ ଗଢ଼ିବା ଆଶ୍ଚର୍ଯ୍ୟ ନୁହେ ।

 

ଓଡ଼ିଆରେ ଦ୍ୱିତୀୟ ପୁରୁଷର (ସଂ ମଧ୍ୟମ) ଏକବଚନାନ୍ତ କ୍ରିୟାପଦ ଓ ବହୁବଚନାନ୍ତ କ୍ରିୟାପଦ ମଧ୍ୟରେ କେତେବେଳେ ହେଲେ ରୂପର ବୈଷମ୍ୟ ଦେଖାଯାଏ ନାହିଁ । କାରଣ, ଦ୍ୱିତୀୟ ପୁରୁଷର ଏକବଚନରେ ଯେପରି ‘ତୁମେ’ ପଦ କର୍ତ୍ତା ରୂପେ ବ୍ୟବହୃତ ହୋଇଥାଏ, ବହୁବଚନରେ ସେହିପରି ମଧ୍ୟ ବ୍ୟବହୃତ ହୋଇଥାଏ । ସେହି ହେତୁରୁ ସଂସ୍କୃତଭାଷାର ବିଶୁଦ୍ଧ ବର୍ତ୍ତମାନ କାଳର ଦ୍ୱିତୀୟ ପୁରୁଷର ବହୁବଚନାନ୍ତ କ୍ରିୟାପଦ ‘ହସଥ’ ପ୍ରାକୃତରେ ‘ହସହ’ରେ ପରିଣତ ହୋଇ ଓଡ଼ିଆରେ ତାହା ‘ହସ’ରୂପେ ଦ୍ୱିତୀୟ ପୁରୁଷର ଏକବଚନ ଓ ବହୁବ ଚନର ନିତ୍ୟପ୍ରବୃତ୍ତ ବର୍ତ୍ତମାନ କାଳରେ ବ୍ୟବହୃତ ହୋଇଥାଏ । ଏହି ହେତୁରୁ ଓଡ଼ିଆ ଧାତୁମାନଙ୍କରେ କେବଳ ‘ଅ’ ପ୍ରତ୍ୟୟ ଯୋଗ କଲେ ଦ୍ୱିତୀୟ ପୁରୁଷର ନିତ୍ୟପ୍ରବୃତ୍ତ ବର୍ତ୍ତମାନ କାଳର କ୍ରିୟାପଦ ନିଷ୍ପନ୍ନ ହୁଏ ।

 

ସଂସ୍କୃତ ଭାଷାର ପ୍ରଥମ ପୁରୁଷର (ସଂ ଉତ୍ତମ) ଏକବଚନାନ୍ତ କ୍ରିୟାପଦ ‘ହସାମି’ ପ୍ରାକୃତରେ ଅପରିବର୍ତ୍ତିତ ରୂପରେ ପ୍ରଚଳିତ ଥିଲା । ଏହା ଓଡ଼ିଆରେ ‘ହସଇ’ରେ ପରିଣତ । ଏହିପରି ଓଡ଼ିଆ ନିତ୍ୟପ୍ରବୃତ୍ତ ବର୍ତ୍ତମାନ କାଳର ପ୍ରଥମ ପୁରୁଷର ଏକବଚନାନ୍ତ କ୍ରିୟାପଦ ପ୍ରାକୃତ ଭାଷାରୁ ଉତ୍ପନ୍ନ ହୋଇଥିବାରୁ ଅନ୍ତ୍ୟ ‘ଇ’, ‘ଏ’ରେ ପରିଣତ ହୋଇ ପ୍ରତ୍ୟୟରୂପେ ଧାତୁମାନଙ୍କରେ ଯୁକ୍ତ ହୁଏ; ଯଥା–କର+ଏ =କରେ (ଉ ମୁଁ କରେ) ।

 

ସଂସ୍କୃତ ଭାଷାର ବର୍ତ୍ତମାନ କାଳର ପ୍ରଥମ ପୁରୁଷର ବହୁବଚନାନ୍ତ କ୍ରିୟାପଦ ‘ହସାମଃ’ ପ୍ରାକୃତରେ ‘ହସାମୋ’ରେ ପରିଣତ ହୋଇଥିଲା । ଓକାର ଉକାରରେ ପରିଣତ ହୋଇ ପ୍ରାକୃତରେ କେବେ କେବେ ‘ହସାମୁ’ କ୍ରିୟାପଦ ମଧ୍ୟ ବ୍ୟବହୃତ ହେଉଥିଲା । ଏହି ‘ହସାମୁ’ ଯେତେବେଳେ ‘ହସଉ’ ରେ ପରିଣତ ହୋଇଥିବାର ‘ବୌଦ୍ଧଗାନ ଓ ଦୋହା’ର ଭାଷାରେ ଦେଖାଯାଉଅଛି, ତେତେବେଳେ ଧାତୁରେ ‘ଉ’ ପ୍ରତ୍ୟୟ ଯୋଗ କରି ଓଡ଼ିଆରେ ନିତ୍ୟପ୍ରବୃତ୍ତ ବର୍ତ୍ତମାନ କାଳରେ ପ୍ରଥମ ପୁରୁଷର ବହୁବଚନାନ୍ତ କ୍ରିୟାପଦ ଗଢ଼ିବା ବିଚିତ୍ର ନୁହେ । (ଉ-ହସ୍‌+ଉ=ହସୁ) ।

 

ବିଶୁଦ୍ଧ ବର୍ତ୍ତମାନ କାଳର କ୍ରିୟାପଦ ପଢ଼ିବାକୁ ହେଲେ ‘ଅଛି’ ପ୍ରତ୍ୟୟ ଯୋଗ କରାଯାଏ–ଏ କଥା ଉଲ୍ଲେଖ କରା ଯାଇଅଛି । ଏହି ‘ଅଛି’ ବିଭିନ୍ନ ପୁରୁଷର ବିଭିନ୍ନ ବଚନରେ ନିତ୍ୟପ୍ରବୃତ୍ତ ବର୍ତ୍ତମାନ କାଳର କ୍ରିୟାପଦ ଭଳିଆ ସ୍ୱରାନ୍ତ ହୁଏ । କେବଳ ତୃତୀୟ ପୁରୁଷର ଏକବଚନ ଓ ପ୍ରଥମ ପୁରୁଷର ବହୁବଚନରେ ‘ଅଛି’ ଅପରିବର୍ତ୍ତିତ ଆକାରରେ ରହେ (ଉ-ସେ କରୁଅଛି, ମୁଁ କରୁଅଛି) ଏବଂ ତୃତୀୟ ପୁରୁଷର ବହୁବଚନରେ ‘ଅଛନ୍ତି’ ରୂପେ ଧାତୁମାନଙ୍କର ଯୁକ୍ତ ହୁଏ । ସଂସ୍କୃତ ବିଶୁଦ୍ଧ ବର୍ତ୍ତମାନ କାଳର କ୍ରିୟାପଦଗୁଡ଼ିକ ରୂପାନ୍ତରିତ ହୋଇ ଯେତେବେଳେ ଓଡ଼ିଆରେ ନିତ୍ୟପ୍ରବୃତ୍ତ ବର୍ତ୍ତମାନ କାଳରେ ବ୍ୟବହୃତ, ତେତେବେଳେ ବିଶୁଦ୍ଧ ବର୍ତ୍ତମାନ କାଳର କ୍ରିୟାପଦଗୁଡ଼ିକ ନିତ୍ୟପ୍ରବୃତ୍ତ ବର୍ତ୍ତମାନ କାଳର କ୍ରିୟାପଦ ଭଳିଆ ସ୍ୱରାନ୍ତ ହେବା ଆଶ୍ଚର୍ଯ୍ୟର କଥା ନୁହେ । କିନ୍ତୁ ଆଉ ଗୋଟିଏ କଥା ଏହି ଯେ, ବିଶୁଦ୍ଧ ବର୍ତ୍ତମାନ କାଳରେ ଧାତୁମାନଙ୍କରେ ‘ଅଛି’ ପ୍ରତ୍ୟୟ ଯୋଗ କଲାବେଳେ ଧାତୁ ଓ ପ୍ରତ୍ୟୟ ମଧ୍ୟରେ ଗୋଟିଏ ‘ଉ’ର ଆଗମ ଘଟିଥାଏ; ଯଥା–କର୍‌+ଅଛି=କର୍‌+ଉ+ଅଛି=କରୁଅଛି । ବର୍ତ୍ତମାନ ଏହି ‘ଉ’ର ଉତ୍ପତ୍ତି ସମ୍ବନ୍ଧରେ ଆଲୋଚନା କରିବାକୁ ହେବ ।

 

ଓଡ଼ିଆ ‘ଖାଉ ଖାଉ’ (ଖାଇବା କାର୍ଯ୍ୟ କରିବା ସମୟରେ) ବଙ୍ଗଳାରେ ‘ଖାଇତେ ଖାଇତେ’ ରୂପେ ପ୍ରଚଳିତ । ପୁଣି ଓଡ଼ିଆ ‘ଖାଉଛି’ କ୍ରିୟାପଦ ବଙ୍ଗଳାରେ ‘ଖାଇତେଛେ’ ରୂପେ ବ୍ୟବହୃତ । ବଙ୍ଗଳା ‘ଖାଇତେ’ ରେ ଯୁକ୍ତ ‘ତେ’ ପ୍ରତ୍ୟୟ ଯେ ସଂସ୍କୃତ ‘ତୁମୁନ୍‌’ ପ୍ରତ୍ୟୟରୁ ଉତ୍ପନ୍ନ, ତାହା ବିଭକ୍ତି ଆଲୋଚନା କଲାବେଳେ କୁହାଯାଇ ଅଛି । ସଂସ୍କୃତ ‘ଭୋକ୍ତୁଂ’ ପ୍ରାକୃତରେ ‘ଭୋତ୍ତୁ’ ରେ ଓ ସଂସ୍କୃତ ‘ହସିତୁଂ’ ପ୍ରାକୃତରେ ‘ହସିଉଁ’ରେ ପରିଚିତ ହୋଇଥିଲା । ସୁତରାଂ ସଂସ୍କୃତ ‘ତୁମୁନ୍‌’ ପ୍ରତ୍ୟୟରୁ ଉତ୍ପନ୍ନ ‘ଉ’ ଓଡ଼ିଆ ‘ଖା’ ଧାତୁରେ ଯୁକ୍ତ ହୋଇ ‘ଖାଉ ଖାଉ’ ପଦ ନିଷ୍ପନ୍ନ ହେବା ଅସମ୍ଭବ ନୁହେ । ଏହି ‘ଉ’ ଓ ‘ଅଛି’ ଦୁହେଁ ଓଡ଼ିଆ ଧାତୁମାନଙ୍କରେ ଯୁକ୍ତ ହୋଇ ବିଶୁଦ୍ଧ ବର୍ତ୍ତମାନ କାଳର କ୍ରିୟାପଦ ନିଷ୍ପନ୍ନ ହୋଇଥାଏ । ପୁଣି ଏହି ‘ଉ’ ଆନୁମାନିକ ବର୍ତ୍ତମାନ ଓ ଆନୁମାନିକ ଭବିଷ୍ୟତ୍‌ କାଳରେ ଧାତୁମାନଙ୍କରେ ଯୁକ୍ତ ହେଲା ଉତ୍ତାରେ ‘ଥିବ’ ପ୍ରତ୍ୟୟ ଯୋଗ କରାଯାଏ; ଯଥା–ସେ ବର୍ତ୍ତମାନ ଭାତ ଖାଉଥିବ, ମୁଁ ସ୍କୁଲରେ ପହଞ୍ଚିବା ବେଳକୁ ପିଲେ ଆସୁଥିବେ । ଆହୁରି ମଧ୍ୟ ଅସମ୍ପନ୍ନ ଅତୀତ କାଳରେ ଏହି ‘ଉ’ ଧାତୁମାନଙ୍କରେ ଯୋଗ କଲା ଉତ୍ତାରେ ‘ଥିଲା’ ପ୍ରତ୍ୟୟ ଯୋଗ କରାଯାଏ; ଯଥା–ମୁଁ ଗଲାବେଳକୁ ରାମ ଭାତ ଖାଉଥିଲା ।

 

ନିକଟାତୀତ କାଳର (ସଂ ଲଙ୍‌) କ୍ରିୟାପଦ ଗଢ଼ିବାକୁ ହେଲେ ଓଡ଼ିଆରେ ଧାତୁମାନଙ୍କ ଉତ୍ତର ‘ଅଛି’ ପ୍ରତ୍ୟୟ ଯୋଗ କରାଯାଏ । ଏହି ‘ଅଛି’ ପ୍ରତ୍ୟୟର ପୂର୍ବେ ଗୋଟିଏ ‘ଇ’ ଧାତୁରେ ଯୁକ୍ତ ହୋଇଥାଏ; ଯଥା, କରିଅଛି, ଖାଇଅଛି । ଓଡ଼ିଆରେ ଅସମାପିକା କ୍ରିୟା ଗଢ଼ିବାପାଇଁ ଧାତୁର ଉତ୍ତର ଯେଉଁ ‘ଇ’ ପ୍ରତ୍ୟୟ ଯୋଗ କରାଯାଏ, ସେହି ‘ଇ’ ଏଠାରେ ବ୍ୟବହୃତ ହୁଏ । କାରଣ, ଓଡ଼ିଆ ‘ଖାଇଅଛି’ ପଦ ବଦଳରେ ବଙ୍ଗଳା ‘ଖାଇୟାଛି’ ବ୍ୟବହୃତ ହେଉଥିବାରୁ ବୁଝାଯାଏ ଯେ, ବଙ୍ଗଳା ଅସମାପିକା କ୍ରିୟା ‘ଖାଇୟା’ ଏଠାରେ ବ୍ୟବହୃତ ହୋଇଅଛି । ବଙ୍ଗଳା ଅସମାପିକା କ୍ରିୟାର ‘ଇୟା’ ପ୍ରତ୍ୟୟ ବା ଓଡ଼ିଆ ‘ଇ’ ପ୍ରତ୍ୟୟ ସଂସ୍କୃତ ‘କ୍ତ୍ୱା’ ପ୍ରତ୍ୟୟରୁ ଉତ୍ପନ୍ନ । ପୁଣି ‘ଗ୍ରହ୍‌’ ଧାତୁରେ ‘କ୍ତ୍ୱା’ ପ୍ରତ୍ୟୟ ଯୋଗ କଲେ ପ୍ରାକୃତରେ ‘ଘେତ୍ତୁଣ’ ପଦ ନିଷ୍ପନ୍ନ ହେଉଥିଲା ଏବଂ ଏବେ ମଧ୍ୟ ମରହଟ୍ଟୀ ଭାଷାରେ ‘କରିଣ’, ‘ଧରିଣ’ ପ୍ରଭୃତି ଅସମାପିକା କ୍ରିୟାପଦମାନ ବ୍ୟବହୃତ ହୁଏ । ସୁତରାଂ ପ୍ରାଚୀନ ଓଡ଼ିଆରେ କରିଣ, ଧରିଣ ପ୍ରଭୃତି ବ୍ୟବହୃତ ହେବା ବିଚିତ୍ର ନୁହେ । ଯାହା ହେଉ, ଆଲୋଚିତ ‘ଇ’ ର ଉତ୍ପତ୍ତିକ୍ରମ ପାଠକେ ବର୍ତ୍ତମାନ ବୁଝି ପାରୁଥିବେ । ବର୍ତ୍ତମାନ କେବଳ ଏତିକି ବକ୍ତବ୍ୟ ଯେ, ବିଶୁଦ୍ଧ ବର୍ତ୍ତମାନ ‘କାଳର ‘ଅଛି’ ପ୍ରତ୍ୟୟ ଯେପରି ବିଭିନ୍ନ ପୁରୁଷର ବିଭିନ୍ନ ବଚନରେ ସ୍ୱରାନ୍ତ ହୁଏ, ନିକଟାତୀତ କାଳରେ ମଧ୍ୟ ସେହିପରି ହୁଏ । ପୁଣି ଏ କଥା ମଧ୍ୟ ଉଲ୍ଲେଖ କରିବା ଉଚିତ ଯେ, ଏହି ଆଲୋଚିତ ‘ଇ’ ଏହିପରି ବିଶୁଦ୍ଧାତୀତ, ସମ୍ଭାବ୍ୟାତୀତ, ବିଶୁଦ୍ଧଭବିଷ୍ୟତ୍ ଓ ଅନୁମାନିକ ଭବିଷ୍ୟତ୍‌ କାଳରେ ବ୍ୟବହୃତ ହୋଇଥାଏ । ଯଥା–(କ) କରିଥିଲା, ଖାଇଥିଲା; (ଖ) କରିଥାନ୍ତା, ଖାଇଥାନ୍ତା; (ଗ) କରିବ, ଖାଇବ; (ଘ) କରିଥିବ, ଖାଇଥିବ ।

 

ବିଶୁଦ୍ଧ ଅତୀତ ଓ ଅସମ୍ପନ୍ନ ଅତୀତ କାଳରେ ଓଡ଼ିଆ ଧାତୁର ଉତ୍ତର ଯେଉଁ ‘ଥିଲା’ ପ୍ରତ୍ୟୟ ଯୋଗ କରାଯାଏ, ତାହା ବର୍ତ୍ତମାନ କାଳରେ ଯୋଗ କରାଯାଉଥିବା ‘ଅଛି’ ପ୍ରତ୍ୟୟ ଭଳିଆ (ପ୍ରଥମ ପୁରୁଷର ଏକବଚନ ଓ ବହୁବଚନ ଛଡ଼ା) ବିଭିନ୍ନ ପୁରୁଷର ବିଭିନ୍ନ ବଚନରେ ସ୍ୱରାନ୍ତ ହୁଏ । ‘ଥିଲା’ ପ୍ରଥମ ପୁରୁଷର ଏକବଚନରେ ‘ଥିଲି’ ଓ ବହୁବଚନରେ ‘ଥିଲୁଁ’ ରୂପେ ବ୍ୟବହୃତ । ତୃତୀୟ ପୁରୁଷର ବହୁବଚନରେ ମଧ୍ୟ ‘ଥିଲା’ ‘ଥିଲେ’ ରେ ପରିଣତ ହୋଇଯାଏ । ଏହିପରି ଆନୁମାନିକ ଭବିଷ୍ୟତ୍ କାଳର ‘ଥିବ’ ପ୍ରତ୍ୟୟ ଓ ବିଶୁଦ୍ଧ ଭବିଷ୍ୟତ୍‌ କାଳର ‘ବ’ ପ୍ରତ୍ୟୟ ‘ଥିଲା’ ପ୍ରତ୍ୟୟ ଯେପରି ବିଭିନ୍ନ ପୁରୁଷର ବିଭିନ୍ନ ବଚନରେ ସ୍ୱରାନ୍ତ ହୁଏ, ସେହିପରି ସ୍ୱରାନ୍ତ ହେବାର ଦେଖାଯାଏ । ତୃତୀୟ ପୁରୁଷର ବହୁବଚନରେ ‘ବ’ ପ୍ରତ୍ୟୟ ‘ବେ’ ରେ ଓ ‘ଥିବ’ ପ୍ରତ୍ୟୟ ରେ ପରିଣତ ହୁଅନ୍ତି । ଏହି ଅନ୍ତ୍ୟ ଏକାର ଶବ୍ଦରୂପର ବହୁବଚନର ଚିହ୍ନ ‘ଏ’ ବୋଲି ମନେ ହୁଏ ।

 

‘ହସ୍‌’ ଧାତୁରୁ ପ୍ରାକୃତ ଭାଷାରେ ଅନୁଜ୍ଞାରେ (ସଂ ଲୋଟ୍) ତୃତୀୟ ପୁରୁଷର ଏକବଚନରେ ‘ହସଉ’, ବହୁବଚନରେ ‘ହସନ୍ତୁ’, ଦ୍ୱିତୀୟ ପୁରୁଷର ଏକବଚନରେ ‘ହସ’ ଓ ବହୁବଚନରେ ‘ହସହ’ ପ୍ରଭୃତି ପଦମାନ ନିଷ୍ପନ୍ନ ହୋଇଥିବାର ଦେଖାଯାଏ । ସୁତରାଂ ଓଡ଼ିଆରେ ଏଗୁଡ଼ିକ ଯଥାକ୍ରମେ ‘ହସୁ’, ‘ହସନ୍ତୁ’ ‘ହସ’ ଓ ‘ହସ’ ପ୍ରଭୃତିରେ ଅନାୟାସରେ ପରିଣତ ହେବା କଥା ପାଠକମାନଙ୍କୁ ବୁଝାଇବାର ପ୍ରୟୋଜନ ନାହିଁ । ଏହିପରି ‘ଉ’, ‘ଅନ୍ତୁ’ ଓ ‘ଅ’ ପ୍ରତ୍ୟୟ ଯୋଗ କରି ଅନୁଜ୍ଞାରେ ସବୁ ଓଡ଼ିଆ ଧାତୁର କ୍ରିୟାପଦ ଗଢ଼ାଯାଇ ପାରେ ।

 

ସମ୍ଭାବ୍ୟ ଅତୀତର କ୍ରିୟାପଦ ଗଢ଼ିବାକୁ ହେଲେ ‘ଥାନ୍ତା’ ପ୍ରତ୍ୟୟ ଯୋଗ କରାଯାଏ (ଯଥା–ସେ ଯଦି ଏ କାମ କରିଥାନ୍ତା) । ଏହି ‘ଥାନ୍ତା’, ‘ଥା’ ଧାତୁରେ ‘ନ୍ତା’ ପ୍ରତ୍ୟୟ ଯୋଗ କରିବାଦ୍ୱାରା ଉତ୍ପନ୍ନ । ଏହି ‘ନ୍ତା’ ସଂସ୍କୃତ ଭାଷାର ‘ଶତୃ’ ପ୍ରତ୍ୟୟରୁ ଯେ ଉତ୍ପନ୍ନ, ଏ କଥା ପରବର୍ତ୍ତୀ ଅଧ୍ୟାୟର ଆଲୋଚନା କରାଯିବ । କିନ୍ତୁ ‘କରନ୍ତେ’ ‘ହସନ୍ତେ’ (ଯଥା–ରାମ ହସନ୍ତେ ଶିକ୍ଷକ ପ୍ରହାର କଲେ) ପ୍ରଭୃତିରେ ଯୁକ୍ତଥିବା ‘ନ୍ତେ’ ଉକ୍ତ ‘ନ୍ତା’ ଠାରୁ ପୃଥକ୍‌ । ଏହି ‘ନ୍ତେ’ ସଂସ୍କୃତ ସତି-ସପ୍ତମୀର ‘ତେ’ ରୁ (ଯଥା–କୃତେ ସତି) ଉତ୍ପନ୍ନ ।

 

ହେତୁ ଅର୍ଥରେ ତୃତୀୟା ବିଭକ୍ତିର ଚିହ୍ନ ଯୋଗ କରାଯାଇଥାଏ । ପ୍ରାଚୀନ ଓଡ଼ିଆରେ ଯେ ‘କରଣେ’, ‘ଗଜେଣ’ ପ୍ରଭୃତି ତୃତୀୟା ବିଭକ୍ତିର ପଦମାନ ନିଷ୍ପନ୍ନ ହେଉଥିଲା, ତାହା ବିଭକ୍ତି–ନିର୍ଣ୍ଣୟବେଳେ ଉଲ୍ଲେଖ କରାଯାଇ ଅଛି । ସୁତରାଂ ପ୍ରାଚୀନ ଓଡ଼ିଆରେ ବ୍ୟବହୃତ ‘କରନ୍ତେଣ’, ‘ହସନ୍ତେଣ’ ପ୍ରଭୃତିରେ ଯୁକ୍ତ ଥିବା ‘ଣ’ ସମ୍ବନ୍ଧରେ ଏଠାରେ କିଛି ଉଲ୍ଲେଖ ନ କଲେ ମଧ୍ୟ ପାଠକମାନେ ଅନାୟାସରେ ବୁଝିପାରିବେ ।

 

ଅତୀତ କାଳର ‘ଗଲା’, ‘ଖାଇଲା’ ପ୍ରଭୃତି କ୍ରିୟାପଦରେ ଯୁକ୍ତ ଥିବା ‘ଲା’ ପ୍ରତ୍ୟୟ ସମ୍ବନ୍ଧରେ ପୂର୍ବେ ଆଲୋଚନା କରା ଯାଇଅଛି । ଏହି କ୍ରିୟାପଦମାନଙ୍କରେ ପୁଣି ‘ଣି’ ଯୋଗ କରି ‘ଗଲାଣି’ ‘ଖାଇଲାଣି’ ପ୍ରଭୃତି ନିଷ୍ପନ୍ନ ହୁଏ । ସମ୍ବଲପୁର ଅଞ୍ଚଳରେ ‘ଗଲାଣ’, ‘ଖାଇଲାଣ’ ପ୍ରଭୃତି ପ୍ରଚଳିତ । ଏହି ‘ଣି’ ବା ‘ଣ’ ସଂସ୍କୃତ ଭାଷାର ନିଶ୍ଚୟାର୍ଥବୋଧକ ‘ନୁ’ରୁ ଉତ୍ପନ୍ନ ।

 

ସଂସ୍କୃତ ଭାଷାର ‘ପ୍ରସ୍ଥାପୟତି’, ‘କାରୟତି’ ପ୍ରଭୃତି ପ୍ରେରଣାର୍ଥକ କ୍ରିୟାପଦ ପାଲିରେ ଯଥାକ୍ରମେ ‘ପଟ୍‌ଠାପେତି’ ‘କାରେତି’ ପ୍ରଭୃତିରେ ପରିଣତ ହେଉଥିଲେ । ଏଗୁଡ଼ିକ ଓଡ଼ିଆରେ ‘ପଠାଏ’, ‘କରାଏ’ ପ୍ରଭୃତିରୂପେ ରୂପାନ୍ତରିତ । ସୁତରାଂ ଓଡ଼ିଆରେ ପ୍ରେରଣାର୍ଥକ ଧାତୁ ଗଢ଼ିବାକୁ ହେଲେ ମୂଳ ଧାତୁର ଉତ୍ତର ‘ଆ’ ଯୋଗ କରାଯାଏ; ଏହି ‘ଆ’ ଧାତୁର ଅନ୍ତ୍ୟ ବର୍ଣ୍ଣରେ ଯୁକ୍ତ ହୁଏ । ଯଥା–ଧର୍‌+ଆ=ଧରା, ହସ୍‌+ଆ=ହସା, ରଖ୍‌+ଆ=ରଖା, ଚିହ୍ନ୍‌+ଆ=ଚିହ୍ନା, ତୋଳ୍‌+ଆ=ତୋଳା ।

 

ଯେଉଁ ଧାତୁର ଆଦ୍ୟ ବର୍ଣ୍ଣ ଆକାରାନ୍ତ, ସେହି ଧାତୁରେ ପ୍ରେରଣାର୍ଥରେ ‘ଆ’ ପ୍ରତ୍ୟୟ ଯୋଗ କଲେ ଯେ ଉକ୍ତ ବର୍ଣ୍ଣଟି ଅକାରାନ୍ତ ହୋଇ ପଡ଼ିବ, ତାହା ପାଠକମାନେ ଏହି ଗ୍ରନ୍ଥର ଧନିତତ୍ତ୍ୱ ଅଧ୍ୟାୟରୁ ବୁଝିଥିବେ । ତଥାପି ଏଠାରେ କେତେଗୋଟି ଉଦାହରଣ ଦିଆଯାଉଛି । ଯଥା-ନାଚ୍‌+ଅ=ନଚା, ଚାଖ୍‌+ଆ=ଚଖା, ଆଣ୍‌+ଆ=ଅଣା, ବାଛ୍‌+ଅ=ବଛା, ମାଗ୍+ଆ=ମଗା, ଚାଟ୍‌+ଆ=ଚଟା, ଛାଣ୍‌+ଆ=ଛଣା ।

 

ଆଉ ଗୋଟିଏ କଥା ଏଠାରେ ଉଲ୍ଲେଖ କରିବା ଉଚିତ ଯେ, ଧାତୁର ଉତ୍ତର ‘ଅଛି’ ବା ‘ଥିଲା’ ପ୍ରତ୍ୟୟ ଯୋଗ କଲାବେଳେ ଯେଉ ‘ଇ’ ବା ‘ଉ’ର ଆଗମ ହୋଇଥାଏ, ସେହି ‘ଇ’ ବା ‘ଉ’ ଆକାରାନ୍ତ ଧାତୁର ଅନ୍ତ୍ୟ ବର୍ଣ୍ଣରେ ଯୁକ୍ତ ନ ହୋଇ ସ୍ୱତନ୍ତ୍ରଭାବରେ ରହନ୍ତି (ଯଥା–ଖାଇଛି, ଧାଉଁଛି)-। କିନ୍ତୁ ପ୍ରେରଣାର୍ଥକ ଧାତୁର ଆକାରାନ୍ତ ଅନ୍ତ୍ୟ ବର୍ଣ୍ଣ ‘ଇ’ ର ଧ୍ୱନିଯୋଗୁଁ ବେଳେ ବେଳେ ଏକାରାନ୍ତ ହୋଇ ପଡ଼େ (ଯଥା–ବଛେଇଛି, ଚଖେଇଲା) ।

 

ସଂସ୍କୃତ ଭାଷାରେ କୌଣସି ବିଶେଷ୍ୟ ପଦରୁ କ୍ରିୟାପଦ ଗଢ଼ା ହେଲେ ତାହାକୁ ନାମଧାତୁର କ୍ରିୟାପଦ କହନ୍ତି । ଓଡ଼ିଆରେ ପ୍ରଚୁର ପରିମାଣରେ ନାମଧାତୁରେ କ୍ରିୟାପଦ ପ୍ରଚଳିତ; କାରଣ ସଂସ୍କୃତ ଭାଷାର ଶବ୍ଦଗୁଡ଼ିକ ରୂପାନ୍ତରିତ ହୋଇ ଓଡ଼ିଆଭାଷାରେ ପ୍ରଚଳିତ ହେଲା ଉତ୍ତାରେ ତହିଁରୁ ଅନେକ କ୍ରିୟାପଦ ଓଡ଼ିଆରେ ନିଷ୍ପନ୍ନ ହୋଇଅଛି । ଯଥା–ସଂ କୋମଳ=ଓ କଳ (କ୍ରିୟା-କଁଳୁଛି), ସଂ ଗଳ୍ପ=ଓ ଗଫ (କ୍ରିୟା-ଗଫୁଛି), ସଂ ଉଷ୍ମ=ଓ ଉଷୁମ (କ୍ରିୟା-ଉଷୁମେଇଛି), ସଂ ଗ୍ରହଣ=ଓ ଘେନ (କ୍ରିୟା-ଘେନିଛି) । ଏହିପରି ଆଣ୍ଠୁ, ନାକ, ମୁଣ୍ଡ, ମୁହଁ, ଗୋଡ଼ ପ୍ରଭୃତିକୁ ମଧ୍ୟ ଓଡ଼ିଆରେ କ୍ରିୟାପଦମାନ ଗଢ଼ା ହୁଏ ।

Image

 

ନବମ ଅଧ୍ୟାୟ

(କୃଦନ୍ତ ଓ ତଦ୍ଧିତ)

 

ପ୍ରତ୍ୟେକ ଭାଷାରେ ପୂର୍ବପ୍ରତ୍ୟୟ (Prefix) ଓ ପରପ୍ରତ୍ୟୟ (Suffix) ବ୍ୟବହୃତ । ଧାତୁ ବା ଶବ୍ଦର ପୂର୍ବେ ଯେଉଁ ପ୍ରତ୍ୟୟ ଯୋଗ କରାଯାଏ, ତାହାକୁ ସଂସ୍କୃତ ଭାଷାରେ ଅବ୍ୟୟ ପଦ ବା ଉପସର୍ଗ କହନ୍ତି । ଯଥା–ଆଗମ୍‌, ସମ୍ମୁଖ । ଏଠାରେ ‘ଗମ୍‌’ ଧାତୁର ପୂର୍ବେ ‘ଆ’ ଓ ‘ମୁଖ’ ଶବ୍ଦର ପୂର୍ବେ ‘ସମ୍’ ଅବ୍ୟୟ ପଦ ବ୍ୟବହୃତ । ଶବ୍ଦର ଶେଷରେ ଯେଉଁ ପ୍ରତ୍ୟୟ ଯୋଗ କରାଯାଏ, ତାହାକୁ ସଂସ୍କୃତ ଭାଷାରେ ତଦ୍ଧିତ ପ୍ରତ୍ୟୟ କହନ୍ତି । ଯଥା–ମୌଖିକ, ଜଳୀୟ । ଏଠାରେ ‘ମୁଖ’ ଓ ‘ଜଳ’ ଶବ୍ଦର ଉତ୍ତର ଯଥାକ୍ରମେ ‘ଇକ’ ଓ ‘ଈୟ’ ପ୍ରତ୍ୟୟ ଯୋଗ କରାଯାଇଅଛି । ଏହିପରି ଓଡ଼ିଆ ଭାଷାରେ ମଧ୍ୟ କୃଦନ୍ତ ଓ ତଦ୍ଧିତ ପ୍ରତ୍ୟୟର ବ୍ୟବହାର ଅଛି । ଏହି କୃଦନ୍ତ ଓ ତଦ୍ଧିତ ପ୍ରତ୍ୟୟ ଯୋଗ କରି ନଆ ନଆ ଶବ୍ଦ ଗଢ଼ିଲେ ଭାଷାର ଯେ ଦାରିଦ୍ର୍ୟ ଘୁଞ୍ଚିଯାଏ, ଏ କଥା କାହାରିକି ବୁଝାଇବାକୁ ପଡ଼ିବ ନାହିଁ । ଓଡ଼ିଆ ଭାଷାରେ କେଉଁ କେଉଁ ପ୍ରତ୍ୟୟ ପ୍ରଚଳିତ ଅଛି ଓ କେଉଁ ପ୍ରତ୍ୟୟ କିପରି ସ୍ଥାନରେ ଶବ୍ଦରେ ବା ଧାତୁରେ ଯୋଗ କରି ନୂତନ ଶବ୍ଦ ଗଢ଼ି ବାକୁ ହେବ । ତାହା ଓଡ଼ିଆ ବ୍ୟାକରଣମାନଙ୍କରେ ନିର୍ଦ୍ଦେଶ କରିଦେଲେ ଲେଖକମାନେ ସଂସ୍କୃତ ଭାଷାର ଆଶ୍ରୟ ନ ଘେନି ଦିନକୁ ଦିନ ନୂଆ ନୂଆ ଶବ୍ଦମାନ ଗଢ଼ି ମାତୃଭାଷାର ଉନ୍ନତି ବିଧାନ କରି ପାରନ୍ତେ । ପ୍ରାଚୀନ କାଳର ଓଡ଼ିଆ କବିମାନେ ଖେଳ, ତିଆରି ପ୍ରଭୃତି ଶବ୍ଦରେ ପ୍ରତ୍ୟୟ ଯୋଗ କରି ଖେଳୁଆଳ, ତିଆରଣ ପ୍ରଭୃତି ଶବ୍ଦ ଗଢ଼ି ସେମାନଙ୍କ ରଚନାରେ ବ୍ୟବହାର କରୁଥିଲେ [ଯଥା–(୧)-ଖେଳୁଆଳ ବୁଦ୍ଧି ଛାଡ଼ ରେ ବାବୁ, ଖଡ଼ି ଛୁଇଁଲେ ପାଠ ପଢ଼ିବୁ; (୨) ବାଳକ ଭାବରୁ ସେ ଘେନେ ତିଆରଣ, ଏଥକୁ ସଂଶୟ ଯେ ନ କର ନୃପରାଣ]-। କିନ୍ତୁ ଆଜିକାଲି ଲେଖକମାନଙ୍କୁ ପୂର୍ବପ୍ରତ୍ୟୟ ଓ ପରପ୍ରତ୍ୟୟଗୁଡ଼ିକ ଅଜଣା ଥିବାରୁ ସେମାନେ ନୂତନ ଶବ୍ଦ ପ୍ରାୟ ଗଢ଼ି ପାରନ୍ତି ନାହିଁ-। ସେହି ହେତୁରୁ ଏଠାରେ କେତେଗୁଡ଼ିଏ ଓଡ଼ିଆ ପ୍ରତ୍ୟୟର କଥା ଆଲୋଚନା କରିବା ଏକାନ୍ତ ଆବଶ୍ୟକ ।

 

ଓଡ଼ିଆ ପ୍ରତ୍ୟୟଗୁଡ଼ିକର ଇତିହାସ ଆଲୋଚନା କରିବା ପୂର୍ବରୁ ଆଉ ଗୋଟିଏ କଥା ଉଲ୍ଲେଖ କରିବା ଉଚିତ ଯେ, ସଂସ୍କୃତ ଭାଷାରେ ଯେଉଁ ସବୁ ପୂର୍ବପ୍ରତ୍ୟୟ ଓ ପରପ୍ରତ୍ୟୟ ପ୍ରଚଳିତ ଥିଲା, ଓଡ଼ିଆ ଭାଷାରେ ବ୍ୟବହୃତ ସଂସ୍କୃତ ଶବ୍ଦମାନଙ୍କରେ ସେମାନଙ୍କର ଯଥେଷ୍ଟ ନିଦର୍ଶନ ରହିଅଛି । ଭିନ୍ନ ଭିନ୍ନ ପ୍ରତ୍ୟୟଯୁକ୍ତ ଅବହେଳା, ପରାକ୍ରମ, ପ୍ରତିକାର, ଉପକାର, ଗତ, ଗତି ପ୍ରଭୃତି ବହୁତ ସଂସ୍କୃତ ଶବ୍ଦ ଓଡ଼ିଆରେ ପ୍ରଚଳିତ । କିନ୍ତୁ ସଂସ୍କୃତ ଭାଷାର ଶାନଚ୍‌, ଣ ମୂଳ ପ୍ରଭୃତି କେତେଗୁଡ଼ିଏ ପ୍ରତ୍ୟୟ-ଯୁକ୍ତ ଶବ୍ଦର ପ୍ରଚଳନ ଓଡ଼ିଆରେ ନାହିଁ । ତଥାପି ସଂସ୍କୃତ ଭାଷାରେ ଉକ୍ତ ପ୍ରତ୍ୟୟମାନ ଯୋଗ କରି ଯେଉଁ ଅର୍ଥ-ସୂଚକ ଶବ୍ଦମାନ ଗଢ଼ା ଯାଉଥିଲା, ଓଡ଼ିଆରେ ଅନ୍ୟ ଉପାୟରେ ସେହି ଅର୍ଥ-ସୂଚକ ଶବ୍ଦ ଗଢ଼ା ଯାଇପାରେ । ଏଗୁଡ଼ିକ ଜାଣି ପାରିଲେ ଲେଖକ ଅନାୟାସରେ ହୃଦୟର ଭାବ ବ୍ୟକ୍ତ କରିପାରେ । କିନ୍ତୁ ଉକ୍ତ ପ୍ରତ୍ୟୟ ପରିବର୍ତ୍ତେ ଓଡ଼ିଆରେ କି ଉପାୟ ଗ୍ରହଣ କରିବାକୁ ହେବ, ତାହା ସର୍ବାଙ୍ଗୀନଭାବରେ ଏଠାରେ ଆଲୋଚନା କରିବା ସହଜ କଥା ନୁହେ । ଯାହା ହେଉ, କେତେଗୁଡ଼ିଏ ଓଡ଼ିଆ ପ୍ରତ୍ୟୟର ଇତିହାସ ଆଲୋଚନା କରିସାରି ଲୁପ୍ତ ପ୍ରତ୍ୟୟ ସମ୍ବନ୍ଧରେ ସଂକ୍ଷିପ୍ତ ଆଲୋଚନା କରାଯିବ ।

 

କ୍ଷମ୍‌, ପୂଜ୍‌ ପ୍ରଭୃତି କେତେଗୁଡ଼ିଏ ଧାତୁରୁ ସଂସ୍କୃତ ଭାଷାରେ କ୍ଷମା, ପୂଜା ପ୍ରଭୃତି ଶବ୍ଦ ନିଷ୍ପନ୍ନ କରାଯାଏ । ସଂସ୍କୃତ ବ୍ୟାକରଣକାରଙ୍କ ମତରେ ଉକ୍ତ ଧାତୁମାନଙ୍କର ‘ଅ’ ପ୍ରତ୍ୟୟ ଯୋଗ କଲେ ଯେଉଁସବୁ ଶବ୍ଦ ନିଷ୍ପନ୍ନ ହୁଏ, ସେଗୁଡ଼ିକୁ ସ୍ତ୍ରୀଲିଙ୍ଗରେ ପରିଣତ କରିବା ପାଇଁ ଆକାରାନ୍ତ କରାଯାଏ । କିନ୍ତୁ ଏହା ଅସମ୍ଭବ କଥା । କାରଣ କୌଣସି ଶବ୍ଦକୁ ବୃଥା ସ୍ତ୍ରୀଲିଙ୍ଗରେ ପରିଣତ କରିବାର ପ୍ରବୃତ୍ତି ଲୋକଙ୍କ ମନରେ ଜନ୍ମିବାର କୌଣସି ପ୍ରୟୋଜନ ନ ଥାଏ । ସେହି ହେତୁରୁ ମନେ ହୁଏ, ଉକ୍ତ ଧାତୁମାନଙ୍କରେ ‘ଆ’ ପ୍ରତ୍ୟୟ ଯୋଗ କରି ଶବ୍ଦ ଗଢ଼ାଯାଏ । ଏହି ‘ଆ’ ପ୍ରତ୍ୟୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ପ୍ରଚଳିତ ଅଛି । ବଙ୍ଗଳାଭାଷାରେ ‘କର୍‌’ ଧାତୁରେ ‘ଆ’ ପ୍ରତ୍ୟୟ ଯୋଗ କରି ‘କରା’ ଉତ୍ପନ୍ନ (ଯଥା, କରା କାଜ) । କିନ୍ତୁ ଓଡ଼ିଆ ଭାଷାରେ ‘କର୍‌’ ଧାତୁରେ ‘ଆ’ ପ୍ରତ୍ୟୟ ଯୋଗ କରାଯାଏ ନାହିଁ । ଓଡ଼ିଆରେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଧାତୁରେ ‘ଆ’ ପ୍ରତ୍ୟୟ ଯୋଗକରି ଶବ୍ଦ ଗଢ଼ାଯାଏ । ସେହି ଧାତୁମାନଙ୍କରୁ ପ୍ରତ୍ୟୟଯୋଗେ ନିଷ୍ପନ୍ନ ଶବ୍ଦ କେତେବେଳେ ବିଶେଷ୍ୟରୂପେ, ପୁଣି କେତେବେଳେ ବିଶେଷଣରୂପେ ବାକ୍ୟମାନଙ୍କରେ ବ୍ୟବହାର କରାଯାଏ । ଯଥା-ବାନ୍ଧ୍‌+ଆ=ବନ୍ଧା, ଘାଣ୍ଟ୍‌+ଆ=ଘଣ୍ଟା, କୋର୍‌+ଆ=କୋରା, ମାଗ୍‌+ ଆ=ମଗା, କୀଣ୍‌+ଆ=କୀଣା, ବାଣ୍ଟ୍+ଆ=ବଣ୍ଟା, ଚକଟ୍‌+ଆ=ଚକଟା, ଗୋଳ୍‌+ଆ=ଗୋଳା, ଧର୍‌+ଆ=ଧରା । ଏହିସବୁ ନିଷ୍ପନ୍ନ ଶବ୍ଦମାନଙ୍କର ପ୍ରୟୋଗ କଥିତ ଓଡ଼ିଆ ଭାଷାରେ ବିରଳ ନୁହେ । ‘ମଗା ଅପେକ୍ଷା କୀଣା ଭଲ’–ଏହି ବାକ୍ୟର ମଗା ଓ କୀଣା ଏହି ଦୁଇଟି ପଦ ବିଶେଷ୍ୟରୂପେ ବ୍ୟବହୃତ । କିନ୍ତୁ ‘ମଗା ତରକାରୀ’, ‘କୀଣା ଲୁଗା’–ଏପରି ସ୍ଥଳରେ ଉକ୍ତ ଶବ୍ଦଗୁଡ଼ିକ ବିଶେଷଣରୂପେ ବ୍ୟବହୃତ । ଏଥିରୁ ସ୍ପଷ୍ଟରୂପେ ବୁଝାଯାଉ ଅଛି ଯେ, ଧାତୁର ଉତ୍ତର ‘ଆ’ ପ୍ରତ୍ୟୟ ଯୋଗ କଲେ ଯେଉଁ ଶବ୍ଦ ନିଷ୍ପନ୍ନ ହେବ, ତାହା ବିଶେଷ୍ୟ ବା ବିଶେଷଣରୂପେ ବ୍ୟବହୃତ ହୋଇପାରେ । ସଂସ୍କୃତ ଭାଷାର ଅନେକ ବିଶେଷ୍ୟ ପଦ ଓଡ଼ିଆରେ ବିଶେଷ୍ୟ ଓ ବିଶେଷଣ ଉଭୟରୂପେ ବ୍ୟବହୃତ ହେଉଥିବାର ପୂର୍ବେ ଦେଖାଇ ଦିଆ ଯାଇଅଛି । ସୁତରାଂ ‘ଆ’ ପ୍ରତ୍ୟୟଯୋଗେ ନିଷ୍ପନ୍ନ ଶବ୍ଦ ସଂସ୍କୃତରେ କେବଳ ବିଶେଷ୍ୟରୂପେ ବ୍ୟବହୃତ ହେଉଥିଲେ ମଧ୍ୟ ଓଡ଼ିଆ ଧାତୁରେ ‘ଆ’ ପ୍ରତ୍ୟୟଯୋଗେ ନିଷ୍ପନ୍ନ ଶବ୍ଦ ବିଶେଷ୍ୟ ଓ ବିଶେଷଣ ଉଭୟରୂପେ ବ୍ୟବହୃତ ହେବା ବିଚିତ୍ର ନୁହେ । କିନ୍ତୁ ଏତିକି ପ୍ରଭେଦ ଦେଖାଯାଏ ଯେ, ବିଶେଷ୍ୟରୂପେ ବ୍ୟବହୃତ ଶବ୍ଦ ଧାତୁର ଉତ୍ତର ଭାବବାଚ୍ୟରେ ‘ଆ’ ପ୍ରତ୍ୟୟଯୋଗେ ଏବଂ ବିଶେଷଣରୂପେ ବ୍ୟବହୃତ ଶବ୍ଦ ଧାତୁର ଉତ୍ତର କର୍ତ୍ତୃବାଚ୍ୟରେ ‘ଆ’ ପ୍ରତ୍ୟୟଯୋଗେ ନିଷ୍ପନ୍ନ । ଏହି ‘ଆ’ ପ୍ରତ୍ୟୟଯୁକ୍ତ ଶବ୍ଦ ବିଶେଷଣ ରୂପେ ବ୍ୟବହୃତ ହେଉଥିବାରୁ ବିଶେଷ୍ୟକୁ ବିଶେଷଣରେ ପରିଣତ କରିବା ପାଇଁ ଓଡ଼ିଆରେ କେତେକ ଶବ୍ଦର ଉତ୍ତର ମଧ୍ୟ ‘ଆ’ ପ୍ରତ୍ୟୟ ଯୋଗ କରାଯାଏ । ଯଥା–ଫାଟ+ଆ=ଫଟା, କାଦୁଅ+ଆ=କାଦୁଆ, ପଶ୍ଚିମ+ଆ=ପଶ୍ଚିମା, ଦକ୍ଷିଣ+ଆ=ଦକ୍ଷିଣା, (ଯଥା, ଦକ୍ଷିଣା ପବନ), ବାଙ୍କ+ଆ=ବଙ୍କା, ପୂର୍ବ+ଆ=ପୂର୍ବା । ଭାଷାବିଜ୍ଞାନରୁ ଏହା ଜଣାଯାଏ ଯେ, ବିଶେଷଣ ପଦ ଉଚ୍ଚାରଣ କଲାବେଳେ ଅନ୍ତ୍ୟବର୍ଣ୍ଣରେ ଶକ୍ତିନ୍ୟାସ ପଡ଼ୁଥିବାରୁ ଅନାୟାସରେ ‘ଆ’ ର ଧ୍ୱନି ଉତ୍ପନ୍ନ ହୁଏ ।

 

ଦୃଶ୍‌, ଶୀ ପ୍ରଭୃତି କେତେଗୁଡ଼ିଏ ଧାତୁରେ ‘ଅନ’ ପ୍ରତ୍ୟୟ ଯୋଗ କରି ଦର୍ଶନ, ଶୟନ ପ୍ରଭୃତି ଶବ୍ଦ ସଂସ୍କୃତ ଭାଷାରେ ନିଷ୍ପନ୍ନ ହେଉଥିଲା । ସଂସ୍କୃତ ଭାଷାରେ ଏହି ‘ଅନ’ ପ୍ରତ୍ୟୟ ଓଡ଼ିଆରେ ‘ଅଣ’ ପ୍ରତ୍ୟୟରୂପେ ପ୍ରଚଳିତ । ସେହି ହେତୁରୁ ଓଡ଼ିଆରେ ଜଣା, ମାର୍‌, ଜାର୍‌, ମାଗ୍‌ ପ୍ରଭୃତି ଧାତୁରେ ‘ଅଣ’ ପ୍ରତ୍ୟୟ ଯୋଗ କଲେ ସେଗୁଡ଼ିକ ଯଥାକ୍ରମେ ଜଣାଣ, ମାରଣ, ଜାରଣ, ମାଗଣ (ଯଥା–ରଜା ପ୍ରଜାଙ୍କ ଉପରେ ମାଗଣ ବସାଇଅଛନ୍ତି) ପ୍ରଭୃତିରେ ପରିଣତ ହୁଅନ୍ତି-। ସେହିପରି ଶବ୍ଦର ଉତ୍ତର ମଧ୍ୟ ‘ଅଣ’ ପ୍ରତ୍ୟୟ ଯୋଗ କରାଯାଏ । ଯଥା–ମୁହଁ+ଅଣ=ମୁହାଣ । ପୁଣି ସଂସ୍କୃତ ଭାଷାରେ ଯେପରି ‘ଅନ’ ପ୍ରତ୍ୟୟାନ୍ତ ଶବ୍ଦ ଆକାରାନ୍ତ ହୋଇପଡ଼େ (ଯଥା-ରଚନା, ଶୋଚନା), ସେହିପରି ଓଡ଼ିଆରେ ମଧ୍ୟ ‘ଅଣ’ ପ୍ରତ୍ୟୟାନ୍ତ ଶବ୍ଦ ଆକାରାନ୍ତ ହୋଇପଡ଼େ । କର୍ତ୍ତୃବାଚ୍ୟରେ, କର୍ମବାଚ୍ୟରେ ଓ କରଣବାଚ୍ୟରେ ଓଡ଼ିଆରେ କୌଣସି ଧାତୁରେ ‘ଅଣ’ ପ୍ରତ୍ୟୟ ଯୋଗ କଲେ ତାହା ସାଧାରଣତଃ ଆକାରାନ୍ତ ହୋଇପଡ଼େ । ଯଥା–ମାର୍‌+ଅଣ=ମାରଣା, (ଯେ ମାରେ; ଉ-ମାରଣା ବଳଦ), ଚାଖ+ଅଣ=ଚାଖଣା (ଯାହାକୁ ଚଖାଯାଏ), ବାଟ୍+ଅଣ=ବାଟଣା (ଯାହାକୁ ବଟାଯାଏ), ଖେଳ+ଅଣ=ଖେଳଣା (ଯାହାଦ୍ୱାରା ଖେଳାଯାଏ), କୋର୍‌+ଅଣ=କୋରଣା (ଯାହାଦ୍ୱାରା କୋରାଯାଏ), ଘୋର+ଅଣ=ଘୋରଣା (ଯାହାଦ୍ୱାରା ଘୋରାଯାଏ) ଓ ପିଟ୍‌+ଅଣ=ପିଟଣା (ଯାହାଦ୍ୱାରା ପିଟାଯାଏ) । ଭାବବାଚ୍ୟ ଛଡ଼ା ଅନ୍ୟ ବାଚ୍ୟରେ ‘ଅଣ’ ପ୍ରତ୍ୟୟ ଯୋଗେ ନିଷ୍ପନ୍ନ ଶବ୍ଦ ଅନେକ ସମୟରେ ବିଶେଷଣରୂପେ ବ୍ୟବହୃତ ହୁଏ । ବଙ୍ଗଳାଭାଷାରେ ମଧ୍ୟ ‘ଅନ’ ପ୍ରତ୍ୟୟାନ୍ତ ଶବ୍ଦ ଆକାରାନ୍ତ ଶବ୍ଦ ହୁଏ । ଯଥା–ବାଟନା, କୁଟନା ।

 

ସଂସ୍କୃତ ‘ଉତ୍ଥାନ’ ଶବ୍ଦରୁ ଓଡ଼ିଆ ‘ଉଠାଣି’ ଶବ୍ଦ ଉତ୍ପନ୍ନ ହୋଇଥିବାରୁ ଜଣା ଯାଉଅଛି ଯେ, ସଂସ୍କୃତ ‘ଅନ’ ପ୍ରତ୍ୟୟରୁ ଓଡ଼ିଆ ‘ଅଣି’ ପ୍ରତ୍ୟୟ ଉତ୍ପନ୍ନ । ଯଥା-ଛାଟ+ଅଣି=ଛାଟଣି (ଉ–ଏହା ଶୁଣି ଅର୍ଜ୍ଜୁନ ଛାଡ଼ି ସ୍ତ୍ରୀବେଶ, ଛାଟଣି ଦୁଇ କରେ ବାନ୍ଧିଲେ ବହି ତୋଷ), ଗଡ଼୍+ଅଣି=ଗଡ଼ାଣି, ଉତର୍+ଅଣି=ଉତୁରାଣି, କାଟ୍+ଅଣି=କାଟଣି (ଗାଳି), ଛନ୍ଦ୍+ଅଣି=ଛନ୍ଦଣି, ବାନ୍ଧ୍+ଅଣି=ବାନ୍ଧଣି (ଉ–କୋଇଲି ଛନ୍ଦଣି ବନ୍ଧଣି ଭୁଜଦଣ୍ଡ), ଚାହଁ+ଅଣି=ଚାହାଁଣି, ରଦ୍+ଅଣି=ରହଣି, ଖଟ୍+ଅଣି=ଖଟଣି, ଚଳ୍+ଅଣି=ଚଳଣି, ଭାଳ୍+ଅଣି=ଭାଳଣି, ପଥ+ଅଣି=ପହଣି, (ପାଣିଯିବା ବାଟ) । ଏହି ‘ଅଣି’ ପ୍ରତ୍ୟୟ ସଂସ୍କୃତ ‘ଅନି’ ପ୍ରତ୍ୟୟରୁ ଆସିଥିବାର ଅନୁମାନ କରାଯାଇ ପାରେ । ମାତ୍ର କୌଣସି ପ୍ରମାଣ ନ ଥିବାରୁ ଏହା ବିଶ୍ୱାସଯୋଗ୍ୟ ହୁଏ ନାହିଁ । ଯାହା ହେଉ ପାଠକେ ଏଠାରେ ଖାଟନି,ବକନି ପ୍ରଭୃତି ବଙ୍ଗଳା ଭାଷାର ଶବ୍ଦମାନ ତୁଳନା କରିପାରନ୍ତି ।

 

ସଂସ୍କୃତ ଭାଷାରେ କେତେଗୁଡ଼ିଏ ବିଶେଷଣକୁ ବିଶେଷ୍ୟରେ ପରିଣତ କରିବା ପାଇଁ ‘ତ୍ୱ’ ପ୍ରତ୍ୟୟ ଯୋଗ କରାଯାଉଥିଲା । ଯଥା-ଶୂର+ତ୍ୱ=ଶୂରତ୍ୱ । ସଂସ୍କୃତଭାଷାରେ ଶବ୍ଦର ଉତ୍ତର ଯୁକ୍ତ ଏହି ‘ତ୍ୱ’ ପ୍ରତ୍ୟୟ ସଂସ୍କୃତ ‘ଆତ୍ମନ୍’ ଶବ୍ଦର ‘ତ୍ମ’ ରୁ ଉତ୍ପନ୍ନ ବୋଲି ଭାଷାତତ୍ତ୍ୱବିତ୍‌ମାନେ ଅନୁମାନ କରନ୍ତି । ସଂସ୍କୃତ ‘ଆତ୍ମନ୍’ ଶବ୍ଦ ପ୍ରାକୃତରେ ‘ଅପ୍ପଣ’ ରେ ପରିଣତ ହୋଇ ତହିଁରୁ ଓଡ଼ିଆ ଆପଣ ଶବ୍ଦ ଉତ୍ପନ୍ନ ହୋଇଅଛି । ସୁତରାଂ ଏହି ‘ଆପଣ’ ଶବ୍ଦରୁ ‘ପଣ’ ପ୍ରତ୍ୟୟ ଉତ୍ପନ୍ନ ହୋଇ ଓଡ଼ିଆରେ ଶବ୍ଦମାନଙ୍କ ଉତ୍ତର ଯୁକ୍ତ ହେବା ଅସମ୍ଭବ ନୁହେ । ଯଥା–ଚତୁର+ପଣ=ଚତୁରପଣ, ପଣ୍ଡିତ+ପଣ=ପଣ୍ଡିତପଣ, ସୁନ୍ଦର+ପଣ=ସୁନ୍ଦରପଣ, ଚଞ୍ଚଳ+ପଣ=ଚଞ୍ଚଳପଣ ।

 

ସଂସ୍କୃତ ଭାଷାରେ ‘ଉଚ୍ଚ’ ଓ ‘ଈୟ’ ପ୍ରତ୍ୟୟ ପ୍ରଚଳିତ ଥିବାର ଶିକ୍ଷିତ ବ୍ୟକ୍ତି ମାତ୍ରକେ ଜାଣନ୍ତି । କିନ୍ତୁ ପ୍ରାକୃତ ଭାଷାରେ ଉକ୍ତ ପ୍ରତ୍ୟୟ ଯୁକ୍ତ ଶବ୍ଦମାନଙ୍କର ଅନ୍ତ୍ୟ ‘କ’ ଓ ‘ୟ’, ‘ଅ’ ରେ ପରିଣତ ହୋଇଥିବାରୁ ଦେଖାଯାଏ । ସୁତରାଂ ସଂସ୍କୃତ ‘ଇକ’ ଓ ‘ଈୟ’ ପ୍ରତ୍ୟୟରୁ ଯେ ଓଡ଼ିଆ ‘ଇଆ’ ପ୍ରତ୍ୟୟ ଉତ୍ପନ୍ନ, ଏଥିରେ ସନ୍ଦେହ ନାହିଁ । ଏହି ‘ଇଆ’ ପ୍ରତ୍ୟୟ ଓଡ଼ିଆରେ ବିଭିନ୍ନ ଅର୍ଥରେ ଶବ୍ଦର ‘ଉତ୍ତର’ ଯୋଗ କରାଯାଏ । ଯଥା–[ବ୍ୟବସାୟାର୍ଥରେ] ହଳ+ଇଆ=ହଳିଆ, ମୂଲ+ଇଆ=ମୂଲିଆ, ଗୁଡ଼+ଇଆ=ଗୁଡ଼ିଆ (ଗୁଡ଼ିଆଜାତି), [ସଦୃଶାର୍ଥରେ] ଗୁଡ଼+ଇଆ=ଗୁଡ଼ିଆ (ଗୁଡ଼ପରି ମଧୁର), ମାଟି+ଇଆ=ମାଟିଆ [ମାଟିପରି ରଙ୍ଗ, ହଳଦି+ଇଆ=ହଳଦିଆ (ହଳଦିପରି ରଙ୍ଗ), [ଯୁକ୍ତାର୍ଥରେ] ତେଲ+ଇଆ=ତେଲିଆ, ମଳ+ଇଆ=ମଳିଆ, ମାଟି+ଇଆ=ମାଟିଆ (ଉ-ଲୁଗାଟା ମାଟିଆ ହୋଇଗଲା) ଏହିପରି ଆହୁରି ଅନେକ ଅର୍ଥରେ ‘ଇଆ’ ପ୍ରତ୍ୟୟ ଯୋଗ କରାଯାଏ । ଯଥା-ସମ୍ବଲପୁର+ଇଆ=ସମ୍ବଲପୁରିଆ, ଦକ୍ଷିଣ+ଇଆ=ଦକ୍ଷିଣିଆ ।

 

ଏହି ‘ଇଆ’ ପ୍ରତ୍ୟୟ ମଧ୍ୟ ସ୍ୱାର୍ଥରେ ଅନେକ ଶବ୍ଦର ଉତ୍ତର ଯୋଗ କରାଯାଏ । ଯଥା–ପଣ୍ଡିତପଣ+ଇଆ=ପଣ୍ଡିତପଣିଆ,ସୁନ୍ଦରପଣ+ଇଆ=ସୁନ୍ଦରପଣିଆ, ସିହାଣା+ଇଆ=ସିହାଣିଆ । ଏହି ‘ଇଆ’ ପ୍ରତ୍ୟୟ ହିନ୍ଦୀ ଓ ବଙ୍ଗଳାଭାଷାରେ ମଧ୍ୟ ପ୍ରଚଳିତ । କିନ୍ତୁ ସ୍ୱାର୍ଥରେ ଯୁକ୍ତ ହୋଇଥିବାର କୌଣସି ଭାଷାରେ ଦେଖାଯାଏ ନାହିଁ । ଏଣୁ ଓଡ଼ିଆ ଭାଷାରେ କିପରି ସ୍ୱାର୍ଥରେ ବ୍ୟବହୃତ ହୁଏ, କହି ହେବ ନାହିଁ ।

 

ସଂସ୍କୃତଭାଷାର ‘ଉକ’ ପ୍ରତ୍ୟୟାନ ଶବ୍ଦର ଅନ୍ତ୍ୟ ‘କି’ ପ୍ରାକୃତ ଭାଷାର ‘ଅ’ ରେ ପରିଣତ ହୋଇଥିଲା । ସୁତରାଂ ସଂସ୍କୃତ ‘ଉକ’ ପ୍ରତ୍ୟୟରୁ ଓଡ଼ିଆ ‘ଉଆ’ ପ୍ରତ୍ୟୟ ଉତ୍ପନ୍ନ ବୋଲି କହିବାକୁ ହେବ । ଯଥା– ହାଟ+ଉଆ=ହାଟୁଆ, ବାଟ+ଉଆ=ବାଟୁଆ, ବଳ+ଉଆ=ବଳୁଆ, ଭାର+ଉଆ=ଭାରୁଆ, ମିଛ+ଉଆ=ମିଛୁଆ । ଏହି ‘ଉଆ’ ପ୍ରତ୍ୟୟ ଅନେକ ଶବ୍ଦରେ ସ୍ୱାର୍ଥରେ ମଧ୍ୟ ଯୋଗ କରାଯାଏ । ଯଥା-ଗାଢ଼+ଉଆ=ଗାଢ଼ୁଆ (ଉ-ଗାଢ଼ୁଆ ଗରା), ଗରୁ (ସଂ ଗୁରୁ)+ଉଆ=ଗରୁଆ (ଗରୁଆ ତଳକୁ ଗଲା, ବି. ଚି. ମ) । କେତେବେଳେ ଏହି ‘ଉଆ’ ପ୍ରତ୍ୟୟ ‘ଇଆ’ ପ୍ରତ୍ୟୟ ସ୍ଥାନରେ ଓ ‘ଇଆ’ ପ୍ରତ୍ୟୟ ‘ଉଆ’ ପ୍ରତ୍ୟୟ ସ୍ଥାନରେ ବ୍ୟବସାୟାର୍ଥରେ ବ୍ୟବହୃତ ହୁଏ, ତାହା ଠିକ୍ କରିବା କଠିନ । ଯଥା-ହଳ+ଇଆ=ହଳିଆ (ବର୍ଷକ ନିମନ୍ତେ ନିଯୁକ୍ତ ଚାକର), ହଳ+ଉଆ=ହଳୁଆ (ଯେ ହଳ ବୁଲାଉଥାଏ), ଭାର+ଇଆ=ଭାରିଆ, ଭାର+ଉଆ=ଭାରୁଆ ।

 

ଛିଦ୍, ନମ୍ ପ୍ରଭୃତି ଧାତୁର ଉତ୍ତର ‘ର’ ପ୍ରତ୍ୟୟ ଯୋଗ କରି ସଂସ୍କୃତ ଭାଷାରେ ଛିଦ୍ର, ନମ୍ର ପ୍ରଭୃତି ଶବ୍ଦ ଗଢ଼ା ହୋଇଥିବାର ପାଠକେ ଜାଣନ୍ତି । ଏହି ‘ର’ ପ୍ରତ୍ୟୟ ଆକାରାନ୍ତ ହୋଇ ଅର୍ଥାତ୍ ‘ରା’ ପ୍ରତ୍ୟୟରୂପେ ଓଡ଼ିଆରେ ଅନେକ ଧାତୁ ଓ ଶବ୍ଦର ଉତ୍ତର ଯୁକ୍ତ ହୁଏ । ଯଥା–(ଶବ୍ଦର ଉତ୍ତର ‘ରା’ ପ୍ରତ୍ୟୟ) ଚୂନ+ରା=ଚୂନରା (ଯେ ଚୂନ ବିକେ), ପାନ+ରା=ପାନରା । ଧାତୁର ଉତ୍ତର ଯୁକ୍ତ ହେଲେ ଧାତୁର ଅନ୍ତ୍ୟବର୍ଣ୍ଣ ଅକାରାନ୍ତ ହୋଇପଡ଼େ । ଯଥା-ପୋଚ୍+ରା=ପୋଚରା (ସଢ଼ା;ଉ-ପୋଚରା ମାଛ), ଛେଚ୍ (ସଂ ସଂଚୂର୍ଣ୍ଣ)+ରା=ଛେଚରା(ଉ-ଆମ୍ବତଳେ ପଡ଼ି ଛେଚରା ହୋଇଗଲା), ଚିହ୍ନ+ରା=ଚିହ୍ନରା (ଉ-ଶ୍ରୀରାଧା ବାତୁଳୀ ପ୍ରେମରସାତୁଳୀ ଘେନ ଚିହ୍ନରା ଗ୍ରାହକମାନେ), ସଜ୍+ରା=ସଜଡ଼ା (ଏହି ‘ସଜାଡ଼’ ଶବ୍ଦରୁ ଓଡ଼ିଆ ‘ସଜାଡ଼୍’ ଧାତୁର ଉତ୍ପତ୍ତି; (ଉ-କଂସାଗିନା ସଜାଡ଼ିଛି), ଖସ୍ (ସଂ ସ୍ଖଳ୍)+ରା=ଖସଡ଼ା ବା ଖସରା (ଉ-ପ୍ରେମପଥ ବଡ଼ ଖସଡ଼ା, ପଦେ ପଦେ ତହିଁ କଚଡ଼ା); ଗୋଡ଼ ଖସି ପଡ଼ିଯିବାକୁ ‘କଚଡ଼ା’ କହନ୍ତି, ଏଣୁ ‘ଖସଡ଼ା’ ଶବ୍ଦରୁ ‘କଚଡ଼ା’ ଶବ୍ଦର ଉତ୍ପତ୍ତି ଘଟିଅଛି ବୋଲି ମନେ ହୁଏ । ସୁତରାଂ ଖସଡ଼ା, କଚଡ଼ା ପ୍ରଭୃତି ନ ଲେଖି ଖସରା, କଚରା ପ୍ରଭୃତି ଲେଖିବା ସଙ୍ଗତ ବୋଲି ମନେ ହୁଏ । ଘଷ୍+ରା=ଘଷରା (ଉ-ଘଷରା ପଇସା); ଏହି ‘ଘଷରା’ ରୁ ‘ଘୋଷରା’ ଶବ୍ଦର (ଉ-ବାଘ ଖାଇବା ଅପେକ୍ଷା ଘୋଷରା ଘା ବାଧେ) ଉତ୍ପତ୍ତି ବୋଲି ଅନୁମାନ କରାଯାଇ ପାରେ । କାନ୍ଦ୍+ରା=କାନ୍ଦୁରା, ଟାଙ୍ଗ+ରା=ଟାଙ୍ଗରା (ସଂସ୍କୃତ ‘ଟଙ୍କା’ ଶବ୍ଦରୁ ଓଡ଼ିଆ ‘ଟାଙ୍ଗି’ ଶବ୍ଦ ଉତ୍ପନ୍ନ), ବାଙ୍କ+ରା=ବାଙ୍ଗରା (ଟାଙ୍ଗରା; ବାଙ୍ଗରା ହିଆ ଗୋଟି ଗୋଟି ବାଳ; ଏ ତିନିଙ୍କି ପରତେ ନ ଯିବ, ଜୀଇଥିବ ଯେତେ କାଳ), ତନ୍‍ତନ୍+ରା=ତଣ୍ଡରା ବା ତଣ୍ଡିରା, ଗଣ୍ଠି+ରା=ଗଣ୍ଠିରା (କେହି କେହି ‘ଗଣ୍ଡିରା’ ମଧ୍ୟ କହନ୍ତି) ।

 

‘ରସ’ ଶବ୍ଦରେ ‘ଆଳ’ ପ୍ରତ୍ୟୟ ଯୋଗ କରି ସଂସ୍କୃତ ‘ରସାଳ’ ଶବ୍ଦର ସୃଷ୍ଟି । ସଂସ୍କୃତ ଭାଷାରେ ‘ଆଳ’ ପ୍ରତ୍ୟୟର ଯଥେଷ୍ଟ ଉଦାହରଣ ଅଛି । ଓଡ଼ିଆ ଭାଷାରେ ଏହି ‘ଆଳ’ ପ୍ରତ୍ୟୟ ମଧ୍ୟ ବ୍ୟବହୃତ ହୁଏ । ଯଥା–ଦୁହଁ+ଆଳ=ଦୁହାଁଳ (ଉ-ଦୁହାଁଳ ଗାଈ), ଖେଳ+ଆଳ=ଖେଳୁଆଳ (ଖେଳୁଆଳ ବୁଦ୍ଧି ଛାଡ଼ ରେ ବାବୁ, ଖଡ଼ି ଛୁଇଁଲେ ତୁ ପାଠ ପଢ଼ିବୁ) । ‘ମଇଁଷାଳ’ ଶବ୍ଦରେ ଯୁକ୍ତ ଥିବା ‘ଆଳ’ ପ୍ରତ୍ୟୟ ଆଲୋଚିତ ‘ଆଳ’ ପ୍ରତ୍ୟୟଠାରୁ ପୃଥକ୍ । ସଂସ୍କୃତ ‘କୋଟ୍ଟପାଳ’ (ତା କୋଟ୍ଟ+ସଂ ପାଳ) ଶବ୍ଦରୁ ଓଡ଼ିଆ ‘କଟୁଆଳ’ ଶବ୍ଦ ଉତ୍ପନ୍ନ । ସୁତରା ‘ପାଳ’ ଶବ୍ଦରୁ ଉତ୍ପନ୍ନ ‘ଆଳ’ ପ୍ରତ୍ୟୟ ‘ମଇଁଷି’ ଶବ୍ଦରେ ଯୁକ୍ତ ହୋଇ ‘ମଇଁଷାଳ’ ଶବ୍ଦ ଉତ୍ପନ୍ନ ବୋଲି ଅନାୟାସରେ ଅନୁମାନ କରାଯାଇପାରେ ।

 

ସଂସ୍କୃତ ସ୍ୱର୍ଣ୍ଣକାରୀ, ଭିକ୍ଷାକାରୀ ପ୍ରଭୃତି ଶବ୍ଦ ଓଡ଼ିଆରେ ସୁନାରୀ, ଭିଖାରୀ ପ୍ରଭୃତିରେ ପରିଣତ । ଏଥିରୁ ଜଣାଯାଏ ଯେ, ‘କାରୀ’ ଓଡ଼ିଆରେ ‘ଆରୀ’ ରୂପେ ରୂପାନ୍ତରିତ ହୋଇଅଛି । ଏହି ‘ଆରୀ’ ରୁ ଓଡ଼ିଆ ‘ଆଳୀ’ ପ୍ରତ୍ୟୟ ଅକ୍ଳେଶରେ ଉତ୍ପନ୍ନ ହୋଇପାରେ । ଯଥା, ଚିହ୍ନ୍+ଆଳୀ=ଚିହ୍ନାଳୀ (ଯେ ଚିହ୍ନିପାରେ), ଗୁନ୍ଥ୍+ଆଳୀ=ଗୁନ୍ଥାଳୀ (ଉ-ଫୁଲଗୁନ୍ଥାଳୀ), ଖୁଣ୍ଟ୍+ଆଳୀ=ଖୁଣ୍ଟାଳୀ (ଉ-ଆମ୍ବଖୁଣ୍ଟାଳୀ), ଛୁଆଁ (ସଂ ଛଦ୍)+ଆଳୀ=ଛୁଆଁଳୀ (ଯେ ଘର ଛପର କରେ); ଏ ଶବ୍ଦ ଓଡ଼ିଶାରେ ସର୍ବତ୍ର ପ୍ରଚଳିତ ନୁହେ ।

 

ସଂସ୍କୃତ ଭାଷାରେ ଧନ, ଲକ୍ଷ୍ମୀ ପ୍ରଭୃତି ଶବ୍ଦରେ ‘ବତ୍’ ପ୍ରତ୍ୟୟ ଯୋଗ କଲେ ଯେଉଁସବୁ ଶବ୍ଦ ଉତ୍ପନ୍ନ ହୁଅନ୍ତି, ସେହି ସବୁ ଶବ୍ଦ ଉକ୍ତ ଭାଷାରେ ପ୍ରଥମା ବିଭକ୍ତିର ଏକବଚନରେ ଧନବାନ୍, ଲକ୍ଷ୍ମୀବାନ୍ ପ୍ରଭୃତି ରୂପ ଧାରଣ କରନ୍ତି । ସୁତରାଂ ଜଣାଯାଏ ଯେ, ସଂସ୍କୃତ ଭାଷାରେ ‘ବତ୍’ ପ୍ରତ୍ୟୟ ‘ବାନ୍’ ରେ ପରିଣତ ହୁଏ । ଏହି ‘ବାନ୍’ ରୁ ‘ବାଲା’ ପ୍ରତ୍ୟୟ ଉତ୍ପନ୍ନ ହୋଇ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଭାଷାରେ ପ୍ରଚଳିତ ହୁଏ । ଯଥା–ସାରୁ+ବାଲା=ସାରୁବାଲା, ଚାଉଳ+ବାଲା=ଚାଉଳବାଲା, ପଇସା+ବାଲା=ପଇସାବାଲା ।

 

ଭବିଷ୍ୟତ୍ କାଳରେ ସଂସ୍କୃତ ଭାଷାରେ ଧାତୁର ଉତ୍ତର ‘ତବ୍ୟ’ ପ୍ରତ୍ୟୟ ଯୋଗ କରାଯାଉଥିଲା । ଏହି ‘ତବ୍ୟ’ ପ୍ରତ୍ୟୟରୁ ଓଡ଼ିଆରେ ‘ଇବା’ ପ୍ରତ୍ୟୟ ଉତ୍ପନ୍ନ ହୋଇ ଧାତୁର ଉତ୍ତର ଯୁକ୍ତ ହୁଏ । ଯଥା, କର୍+ଇବା=କରିବା, ଖା+ଇବା=ଖାଇବା, ଶୋ+ଇବା=ଶୋଇବା, ଧାଁ+ଇବା=ଧାଇଁବା ।

 

ସଂସ୍କୃତରେ ‘ତବ୍ୟ’ ପ୍ରତ୍ୟୟାନ୍ତ ଶବ୍ଦ ଯେପରି କେତେବେଳେ ବିଶେଷ୍ୟ, କେତେବେଳେ ବା ବିଶେଷଣରୂପେ ବ୍ୟବହୃତ ହୁଏ, ଓଡ଼ିଆରେ ‘ଇବା’ ପ୍ରତ୍ୟୟାନ୍ତ ଶବ୍ଦ ମଧ୍ୟ ସେହିପରି ବ୍ୟବହୃତ ହୁଏ । ଯଥା–କରିବା ଲୋକ (ବିଶେଷଣରୂପେ ବ୍ୟବହୃତ), ମୋ ଯିବାରେ ଠିକଣା ନାହିଁ (ବିଶେଷ୍ୟରୂପେ ବ୍ୟବହୃତ) ।

 

ସଂସ୍କୃତ ଭାଷାରେ ଅତୀତ କାଳରେ ଯେପରି ‘କ୍ତ’ ପ୍ରତ୍ୟୟ ଯୁକ୍ତ ହୁଏ, ଓଡ଼ିଆରେ ସେହିପରି ‘ଲା’ ପ୍ରତ୍ୟୟ ଯୋଗ କରାଯାଏ । ଓଡ଼ିଆ ‘ଲା’ ପ୍ରତ୍ୟୟର ଉତ୍ପତ୍ତି ସମ୍ବନ୍ଧରେ ପୂର୍ବବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରାଯାଇଅଛି । ଏଣୁ ଏଠାରେ ସେ ସମ୍ବନ୍ଧରେ କିଛି ଆଲୋଚନା କରାଯାଉ ନାହିଁ; କେବଳ ଗୋଟିଏ ଉଦାହରଣ ଦିଆ ଯାଉଅଛି– କର+ଲା=କରିଲା ଓ କଲା । ଏହିପରି ‘ଯା’ ଧାତୁରେ ‘ଲା’ ପ୍ରତ୍ୟୟ ଯୁକ୍ତ ହୁଏ ନାହିଁ । ‘ଗମ୍‌’ ଧାତୁରେ ‘ଲା’ ପ୍ରତ୍ୟୟ ଯୋଗ କରି ‘ଗଲା’ ପଦ ନିଷ୍ପନ୍ନ । କେବଳ ଏହି ‘କଲା’ ଓ ‘ଗଲା’ ଛଡ଼ା ଆଉ ଯେତେ ପଦ ‘ଲା’ ପ୍ରତ୍ୟୟଯୋଗେ ନିଷ୍ପନ୍ନ ହୁଅନ୍ତି, ତହିଁରେ ପ୍ରତ୍ୟୟ ଓ ଧାତୁର ମଧ୍ୟରେ ଗୋଟିଏ ‘ଇ’ ର ଧ୍ୱନି ଆଗମ ହୁଏ । ଯଥା–ଶୋ+ଇଲା=ଶୋଇଲା, ହସ୍‌+ଲା=ହସିଲା ।

 

ଧାବ୍‌, ବଦ୍‌ ପ୍ରଭୃତି ଧାତୁରେ ବର୍ତ୍ତମାନ କାଳରେ ‘ଶତୃ’ ପ୍ରତ୍ୟୟ ଯୋଗ କରି ସଂସ୍କୃତ ଭାଷାରେ ଧାବତ୍‌, ବଦତ୍‌ ପ୍ରଭୃତି ଶବ୍ଦ ଉତ୍ପନ୍ନ । ଏହି ଶବ୍ଦଗୁଡ଼ିକ ଉକ୍ତ ଭାଷାରେ ବହୁବଚନରେ ଧାବନ୍ତଃ, ବଦନ୍ତଃ ପ୍ରଭୃତି ରୂପ ଧାରଣ କରନ୍ତି । ତାହା ହେଲେ ଦେଖାଯାଉଅଛି ଯେ, ‘ଶତୃ’ ପ୍ରତ୍ୟୟରୁ ‘ଅନ୍ତଃ’ ମଧ୍ୟ ଉତ୍ପନ୍ନ ହୋଇଥିଲା । ଏହି ‘ଅନ୍ତଃ’ ରୁ ବିସର୍ଗ ଲୋପ ପାଇ ଓ ଏହା ଆକାରାନ୍ତ ହୋଇ, ଅର୍ଥାତ୍ ‘ଅନ୍ତ’ ଓଡ଼ିଆରେ ‘ଅନ୍ତା’ ପ୍ରତ୍ୟୟରୂପେ ପ୍ରଚଳିତ । ଯଥା, ହସ୍‌+ଅନ୍ତ=ହସନ୍ତା, ଜୀଣ୍‌+ଅନ୍ତା=ଜୀଣନ୍ତା, ଆସ୍‌+ଅନ୍ତା=ଆସନ୍ତା, ବୁଡ଼୍‌+ଅନ୍ତା=ବୁଡ଼ନ୍ତା । ଏଠାରେ ଏ କଥା ମଧ୍ୟ ଉଲ୍ଲେଖ କରିବା ଉଚିତ ଯେ, ‘ଅସ୍ତଗତ ସୂର୍ଯ୍ୟ’, ‘ଆଗାମୀ ବର୍ଷ ପ୍ରଭୃତି କଥା ସାହିତ୍ୟରେ ବ୍ୟବହାର ନ କରି ‘ବୁଡ଼ନ୍ତା ସୂର୍ଯ୍ୟ’, ‘ଆସନ୍ତା ବର୍ଷ’ ପ୍ରଭୃତି ବ୍ୟବହାର କଲେ ସାହିତ୍ୟ ହୃଦୟଗ୍ରାହୀ ହେବ । କିନ୍ତୁ ଲେଖକମାନେ ଇବା, ଲା ଓ ଅନ୍ତା–ଏହି ପୃଥକ୍‌ ପୃଥକ୍‌ ପ୍ରତ୍ୟୟଯୋଗେ ନିଷ୍ପନ୍ନ ଭିନ୍ନ ଭିନ୍ନ ଶବ୍ଦଗୁଡ଼ିକୁ ରଚନାରେ ବ୍ୟବହାର କଲାବେଳେ ସତର୍କ ଥିବା ଉଚିତ । ଏ କଥା ମନେ ରଖିବାକୁ ହେବ ଯେ, ‘ଇବା’ ପ୍ରତ୍ୟୟାନ୍ତ ଶବ୍ଦ ଭବିଷ୍ୟତ୍ କାଳରେ, ‘ଅନ୍ତା’ ପ୍ରତ୍ୟୟାନ୍ତ ଶବ୍ଦ ବର୍ତ୍ତମାନ କାଳରେ ଓ ‘ଲା’ ପ୍ରତ୍ୟୟାନ୍ତ ଶବ୍ଦ ଅତୀତ କାଳରେ ବ୍ୟବହାର କରିବାକୁ ହେବ । ଖାଇବା ଲୋକେ ଆସି ନାହାନ୍ତି–ଏହି ବାକ୍ୟର ମର୍ମ ଏହି ଯେ, ଯେଉଁ ଲୋକମାନେ ଖାଇବେ, ସେମାନେ ଆସି ନାହାନ୍ତି । କିନ୍ତୁ ‘‘ଖାଇବା ଲୋକେ ଚାଲିଗଲେ’’–ଏପରି ବାକ୍ୟ ବ୍ୟବହାର ନ କରି ‘‘ଖାଇଲା ଲୋକେ ଚାଲିଗଲେ’’, ଏପରି ବାକ୍ୟ ବ୍ୟବହାର କରିବା ଉଚିତ । ସେହିପରି ‘‘ଚାଲନ୍ତା ଶଗଡ଼ରେ ହାତ ପୂରାଉଛି’’ ନ ଲେଖି ‘‘ଚାଲିବା ଶଗଡ଼ରେ ହାତ ପୂରାଉଛି’’ ବା ‘‘ଚାଲିଲା ଶଗଡ଼ରେ ହାତ ପୂରାଉଛି’’ ଲେଖିବା ଠିକ୍‌ ନୁହେ ।

 

ଓଡ଼ିଆରେ କେତେଗୁଡ଼ିଏ ଶବ୍ଦର ଉତ୍ତର ‘କାର’ ପ୍ରତ୍ୟୟ ଯୁକ୍ତ ହୁଏ । ଯଥା–ବୀଣା+କାର=ବୀଣାକାର (ଯେ ବୀଣା ବଜାଏ), ଲେଖନ+କାର=ଲେଖନକାର (ଯେ ଲେଖେ) । ଏହି ‘କାର’ ପ୍ରତ୍ୟୟ ପ୍ରାଚୀନ କାଳରୁ ଓଡ଼ିଆ, ବଙ୍ଗଳା ଓ ଆସାମୀ ଭାଷାରେ ପ୍ରଚଳିତ । ସଂସ୍କୃତ ‘କୁମ୍ଭକାର’, ‘କର୍ମକାର’ ପ୍ରଭୃତି ଶବ୍ଦରେ ଯୁକ୍ତ ଥିବା ‘କାର’ ପ୍ରତ୍ୟୟର ଅନୁକରଣରେ ବୋଧ ହୁଏ ଏହି ପ୍ରତ୍ୟୟଟି ଉତ୍ପନ୍ନ ।

 

ସଂସ୍କୃତ ‘ବତ୍‌’ ଓ ‘ମତ୍‌’ ପ୍ରତ୍ୟୟଦ୍ୱୟ ଓଡ଼ିଆରେ ଯଥାକ୍ରମେ ‘ବନ୍ତ’ ଓ ‘ମନ୍ତ’ ପ୍ରତ୍ୟୟରୂପେ ପ୍ରଚଳିତ । ଯଥା–ଧନ+ବନ୍ତ=ଧନବନ୍ତ, ବୁଦ୍ଧି+ମନ୍ତ=ବୁଦ୍ଧିମନ୍ତ । କିନ୍ତୁ ଆଉ ଗୋଟିଏ କଥା ଏଠାରେ ଉଲ୍ଲେଖ କରିବା ଉଚିତ ଯେ, ସଂସ୍କୃତ ଭାଷାରେ ଯେପରି ନିୟମ ଅଛି–ଯେଉଁଠାରେ ‘ବତ୍‌’ ପ୍ରତ୍ୟୟ ବ୍ୟବହୃତ ହେବ,ସେଠାରେ ‘ମତ୍‌’ ପ୍ରତ୍ୟୟ ବ୍ୟବହୃତ ହୋଇ ପାରିବ ନାହିଁ, ଅଥବା ଯେଉଁଠାରେ ‘ମତ୍‌’ ପ୍ରତ୍ୟୟ ବ୍ୟବହୃତ ହେବ, ସେଠାରେ ‘ବତ୍‌’ ପ୍ରତ୍ୟୟ ବ୍ୟବହୃତ ହୋଇ ପାରିବ ନାହିଁ, ଓଡ଼ିଆରେ ସେପରି ନିୟମ ନାହିଁ । ଓଡ଼ିଆରେ ‘ଧନବନ୍ତ’ ଓ ‘ଧନମନ୍ତ’ ଉଭୟ ଶବ୍ଦ ନିଷ୍ପନ୍ନ ହୋଇପାରେ ।

 

ଓଡ଼ିଆ ଭାଷାରେ ‘ଇ’ ପ୍ରତ୍ୟୟର ଦୃଷ୍ଟାନ୍ତ ମିଳେ । ଯଥା, ମହାଜନ+ଇ=ମହାଜନି, ନବାବ+ଇ=ନବାବି, ଚଲାକ+ଇ=ଲୋକି, ଚାଲ+ଇ=ଚାଲି । ଏହି ‘ଇ’ ପ୍ରତ୍ୟୟାନ୍ତ ଶବ୍ଦ ଓଡ଼ିଆରେ ବିଶେଷ୍ୟପଦରୂପେ ବ୍ୟବହୃତ । ବୈଦିକ ଭାଷାରେ ମଧ୍ୟ ଏହିପରି ‘ଇ’ ପ୍ରଚଳିତ ଥିଲା । କିନ୍ତୁ ପରବର୍ତ୍ତୀ ସଂସ୍କୃତ ଭାଷାରେ ଏହାର ପ୍ରଚଳନ ଦେଖାଯାଏ ନାହିଁ । ସୁତରାଂ ବୈଦିକ ଭାଷାର ‘ଇ’ ପ୍ରତ୍ୟୟ ଓଡ଼ିଆ ଭାଷାକୁ ଆସିଅଛି ବୋଲି କହିବା କଠିନ । ବଙ୍ଗଳା ଭାଷାରେ ମଧ୍ୟ ‘ଇ’ ପ୍ରତ୍ୟୟର ପ୍ରଚଳନ ଦେଖାଯାଏ ।

 

କେତେକ ସ୍ଥଳରେ ‘ଈ’ ପ୍ରତ୍ୟୟର ଦୃଷ୍ଟାନ୍ତ ଓଡ଼ିଆ ଭାଷାରେ ଦେଖାଯାଏ । ଯଥା–ସମ୍ବଲପୁର+ଈ=ସମ୍ବଲପୁରୀ (ଉ ସମ୍ବଲପୁରୀ ଚାଉଳ), ଭାର+ଈ=ଭାରୀ, ଦକ୍ଷିଣୀ (ଉ-ଦକ୍ଷିଣୀ ଲୁଗା), ବଙ୍ଗଳା+ଈ=ବଙ୍ଗାଳୀ, ପଞ୍ଜାବ+ଈ=ପଞ୍ଜାବୀ, ବାଟ+ଈ= ବାଟୋଈ । ଏହି ‘ଈ’ ପ୍ରତ୍ୟୟ ସଂସ୍କୃତ ‘ଈୟ’ ବା ‘ଈନ’ ପ୍ରତ୍ୟୟରୁ ଉତ୍ପନ୍ନ । ‘ଈ’ ପ୍ରତ୍ୟୟାନ୍ତ ଶବ୍ଦ ବିଶେଷଣରୂପେ ବ୍ୟବହୃତ ହୋଇଥାଏ ।

 

‘ବଡ଼’ ଓ ‘ମିଠା’–ଏହି ଦୁଇ ଶବ୍ଦରୁ କିପରି ଯଥାକ୍ରମେ ‘ବଢ଼ାଇ’ ଓ ‘ମିଠେଇ’ ଶବ୍ଦ ଦ୍ୱୟ ଉତ୍ପନ୍ନ, ତାହା ନିରୂପଣ କରିବା କଠିନ । ମନେ ହୁଏ, ପୂର୍ବୋକ୍ତ ‘ଇ’ ପ୍ରତ୍ୟୟଯୋଗେ ଉଚ୍ଚାରଣର ବିଚିତ୍ରତା ଘେନି ଏହି ଦୁଇଟି ଶବ୍ଦ ଉତ୍ପନ୍ନ ।

 

ସଂସ୍କୃତ ଭାଷାରେ କୌଣସି କୌଣସି ଧାତୁରେ ‘କ୍ତନ୍‌’ ପ୍ରତ୍ୟୟ ଯୋଗ କଲେ ଯେଉଁ ଶବ୍ଦ ନିଷ୍ପନ୍ନ ହୁଏ, ତହିଁରେ ଉକ୍ତ ପ୍ରତ୍ୟୟରୁ କେବଳ ‘ତି’ ରହେ (ଯଥା–ଗମ୍‌+କ୍ତିନ=ଗତି) । ଏହି ‘ତ’ ଓଡ଼ିଆରେ ଗୋଟିଏ ପ୍ରତ୍ୟୟରୂପେ ବ୍ୟବହୃତ (ଯଥା–ଗଣ୍‌+ତି= ଗଣତି, ଛୁଁଆ+ତି=ଛୁଁ ଆତ ବା ଛୁଁଆଚି, ଭର୍‌+ତି=ଭର୍ତ୍ତି, ପୂର+ତି=ପୂର୍ତ୍ତି) । ସଂସ୍କୃତରେ ‘ତି’ ପ୍ରତ୍ୟୟାନ୍ତ ଶବ୍ଦ କେବଳ ବିଶେଷ୍ୟ ରୂପେ ବ୍ୟବହୃତ । କିନ୍ତୁ ଓଡ଼ିଆରେ ‘ତି’ ପ୍ରତ୍ୟୟାନ୍ତ ଶବ୍ଦ ବିଶେଷ୍ୟ ଓ ବିଶେଷଣ ଉଭୟରୂପେ ବ୍ୟବହୃତ ହୋଇପାରେ । ଯଥା–ଲୋକ ଗଣତି ହେଲେ (ବିଶେଷଣ ରୂପେ ‘ଗଣତି’ ପଦ ବ୍ୟବହୃତ); ତାଙ୍କ ଗଣତିରେ ଭୁଲ ଥିଲା (ଏଠାରେ ବିଶେଷ୍ୟରୂପେ ବ୍ୟବହୃତ) ।

 

ଓଡ଼ିଆରେ କେତେକ ବସ୍ତୁବାଚକ ଶବ୍ଦ ବଡ଼ ଆୟତନ ବୁଝାଇବା ପାଇଁ ଆକାରାନ୍ତ ଓ ଛୋଟ ଆୟତନ ବୁଝାଇବାପାଇଁ ଇକାରାନ୍ତ ହୁଅନ୍ତି । ଯଥା, ହଣ୍ଡା-ହାଣ୍ଡି (ସଂ ଭାଣ୍ଡ), ବଡ଼ା-ବଡ଼ି, ଛୁରା-ଛୁରି, ଘଣ୍ଟା-ଘଣ୍ଟି, ନଳା-ନଳି, ପେଡ଼ା-ପେଡ଼ି । ବଙ୍ଗଳାରେ ମଧ୍ୟ ଏହିପରି ପ୍ରଚଳନ ଦେଖାଯାଏ ।

 

ଓଡ଼ିଆରେ ଓ ବଙ୍ଗଳାରେ ଭାବାର୍ଥରେ କେତେକ ଶବ୍ଦର ଉତ୍ତର ‘ଆମି’ ପ୍ରତ୍ୟୟ ଯୋଗ କରାଯାଉଥିବାର ଦେଖାଯାଏ । ଯଥା, ମୂର୍ଖ+ଆମି=ମୂର୍ଖାମି, ପାଗଲ+ଆମି=ପାଗଲାମି । ଏହି ‘ଆମି’ ପ୍ରତ୍ୟୟ କାହିଁରୁ ଉତ୍ପନ୍ନ, ତାହା ନିରୂପଣ କରିବା କଠିନ । ଏହିପରି ଭାବାର୍ଥରେ ‘ଆନି’ ପ୍ରତ୍ୟୟ ଯୋଗ କରାଯାଏ । ଯଥା–ବାବୁ+ଆନି=ବାବୁଆନି, ସାହେବ+ଆନି=ସାହେବାନି । ବୋଧ ହୁଏ ଏହି ‘ଆନି’ ଓ ପୂର୍ବୋକ୍ତି ‘ଆମି’ ପ୍ରତ୍ୟୟ ଏକ ଶବ୍ଦରୁ ଉତ୍ପନ୍ନ ।

 

‘ଶାନ୍ତି’ ଶବ୍ଦର ପୂର୍ବରେ ‘ଅ’ ଯୋଗ କରି ସଂସ୍କୃତ ‘ଅଶାନ୍ତି’ ଶବ୍ଦ ଉତ୍ପନ୍ନ । ସଂସ୍କୃତ ବ୍ୟାକରଣକାରମାନଙ୍କ ମତରେ ଏହି ‘ଅ’, ‘ନ’ ପ୍ରତ୍ୟୟରୁ ଉତ୍ପନ୍ନ । ଯାହା ହେଉ ସଂସ୍କୃତ ଭାଷା ଭଳିଆ ଓଡ଼ିଆରେ ଅନେକ ଶବ୍ଦର ପୂର୍ବରେ ‘ଅ’ ଯୋଗ କରାଯାଏ । ଯଥା, ଅବାଟ, ଅଖିଆ, ଅପିଆ, ଅକାଳ (ଦୁର୍ଭିକ୍ଷ) ।

 

ସଂସ୍କୃତ ‘ସୁ’ ଉପସର୍ଗଟି ମଧ୍ୟ ଅନେକ ଓଡ଼ିଆ ଶବ୍ଦର ପୂର୍ବରେ ଯୋଗ କରାଯାଏ (ଯଥା–ସୁପିଲା, ସୁଗୁଣ, ସୁବାଟ, ସୁକାଳ) । ‘କାଳ’ ଶବ୍ଦର ପୂର୍ବରେ ‘ଅ’ ଯୋଗ କରି ‘ଅକାଳ’ ଶବ୍ଦ ଗଢ଼ିଲେ ଯେପରି ତାହା ଦୁର୍ଭିକ୍ଷ କାଳକୁ ବୁଝାଏ, ସେହିପରି ‘କାଳ’ ଶବ୍ଦର ପୂର୍ବରେ ‘ସୁ’ ଯୋଗ କରି ‘ସୁକାଳ’ ଗଢ଼ିଲେ ଶସ୍ତା କାଳକୁ ବୁଝାଏ । ସଂସ୍କୃତ ‘ମହାର୍ଘ’ ଯେପରି ଓଡ଼ିଆରେ ‘ମହରଗ’ ରେ ପରିଣତ ହୋଇ ତାହା ବହୁମୂଲ୍ୟତା ଛଡ଼ା ଦୁର୍ଭିକ୍ଷ କାଲ ନିର୍ଦ୍ଦେଶ କରେ, ସେହିପରି ‘ସୁକାଳ’ ଶବ୍ଦ ‘ସୁକାଲ’ ରେ (ଉ-ଜିନିଷପତ୍ର ବଡ଼ ସୁକାଲ) ପରିଣତ ହୋଇ ଭଲ ସମୟ ନିର୍ଦ୍ଦେଶ ନ କରି ‘ଶସ୍ତା’ ଅର୍ଥ ପ୍ରକାଶ କରେ । ଦୁର୍ଭିକ୍ଷ କାଳରେ ଜିନିଷପତ୍ର ମହରଗ ହୁଏ ବୋଲି ତାହାକୁ ମହରଗ କାଳ କୁହାଯାଏ । ସେହିପରି ସୁକାଳରେ ଜିନିଷପତ୍ର ଶସ୍ତା ହୁଏ ବୋଲି ‘ସୁକାଲ’ ଶବ୍ଦ ଶସ୍ତା ଅର୍ଥ ପ୍ରକାଶ କରେ ।

 

ସଂସ୍କୃତ ‘କୁ’ (ମନ୍ଦ) ଅନେକ ଓଡ଼ିଆ ଶବ୍ଦର ପୂର୍ବରେ ଯୋଗ କରାଯାଏ–ଯଥା, କୁବାଟ, କୁପିଲା ।

 

ସଂସ୍କୃତ ‘ଅପ’ ଉପସର୍ଗ ଓଡ଼ିଆରେ ଅନେକ ଶବ୍ଦର ପୂର୍ବରେ ଯୋଗ କରାଯାଏ । ଯଥା–ଅପଯଶ (ନିନ୍ଦା), ଅପନିନ୍ଦା (ଅତିଶୟ ନିନ୍ଦା) ଅପକଥା (ମନ୍ଦ କଥା) । ସଂସ୍କୃତ ଭାଷାରେ ‘ଅପଯଶ’ ଶବ୍ଦ ପ୍ରଚଳିତ ଥିଲା । କିନ୍ତୁ ଅନ୍ୟ ଦୁଇଟି ଶବ୍ଦ ପ୍ରଚଳିତ ଥିବାର ନିଦର୍ଶନ ନାହିଁ ।

 

ଯେଉଁ ଶବ୍ଦର ଆଦ୍ୟରେ ‘ଅ’ ଥାଏ, ସଂସ୍କୃତ ଭାଷାରେ ସେହି ଶବ୍ଦର ପୂର୍ବରେ ‘ନ’ ପ୍ରତ୍ୟୟ ଯୋଗ କଲେ ପୂର୍ବୋକ୍ତି ‘ଅ’ ଓ ‘ନ’ ଦୁହେଁ ମିଶି ‘ଅନ’ରେ ପରିଣତ ହୁଅନ୍ତି (ଉ ନ+ଅବସର=ଅନବସର) । ଉକ୍ତ ‘ଅନ’ରୁ ଓଡ଼ିଆରେ ‘ଅଣ’ ପ୍ରତ୍ୟୟ ଉତ୍ପନ୍ନ ହୋଇ ଅନେକ ଶବ୍ଦର ପୂର୍ବରେ ଯୁକ୍ତ ହୁଏ । ଯଥା–ଅଣ+ବାଟ=ଅଣବାଟ, ଅଣ+ହେଳା=ଅଣହେଳା, ଅଣ+ଆକାର=ଅଣାକାର, ଅଣ+ବାହୁଡ଼ା=ଅଣବାହୁଡ଼ା, ଅଣ+ହଳଦିଆ=ଅଣହଳଦିଆ, ଅଣ+ସୋରିଷ=ଅଣସୋରିଷ ।

 

ବୀପ୍ସାର୍ଥରେ ଅନେକ ଶବ୍ଦର ପୂର୍ବରେ ବା ପରେ ‘ସାରା’ ଯୋଗ କରାଯାଏ । ଯଥା, ସାରା+ରାତି=ସାରାରାତି, ରାତି+ସାରା=ରାତିସାରା; ଏହିପରି ସାରାଦିନ, ଦିନସାରା ଓ ସାରାଦେଶ, ଦେଶସାରା ପ୍ରଭୃତି ନିଷ୍ପନ୍ନ । ଏହି ‘ସାରା’ କାହିଁରୁ ଉତ୍ପନ୍ନ, ତାହା ନିରୂପଣ କରିବା କଠିନ । ‘ସାରା’ ଭଳିଆ ‘ଗୋଟା’ ମଧ୍ୟ ଯୋଗ କରାଯାଏ । ଯଥା–ଗୋଟାରାତି ବା ରାତିଗୋଟାକ, ଗୋଟାଦେଶ ବା ଦେଶଗୋଟାକ । ‘ଗୋଟା’ ର ଉତ୍ପତ୍ତି ସମ୍ବନ୍ଧରେ ପୂର୍ବେ ଆଲୋଚନା କରାଯାଇଅଛି । ଏଣୁ ସେ ସମ୍ବନ୍ଧରେ ଉଲ୍ଲେଖ କରିବାର ଆଉ ପ୍ରୟୋଜନ ନାହିଁ ।

 

ଓଡ଼ିଆରେ ‘ଦର’ ଏହି ପୂର୍ବ ପ୍ରତ୍ୟୟଟି ମଧ୍ୟ ପ୍ରଚଳିତ । ଯଥା, ଦରକଞ୍ଚା, ଦରସିଝା, ଦରପାଚିଲା, ଦରକାମୁଡ଼ା, ଦରଖଣ୍ଡିଆ । ‘ଦର’ ଶବ୍ଦଟି ପ୍ରାଚୀନ ସଂସ୍କୃତରେ ନ ଥିଲା ବୋଲି ମନେ ହୁଏ । କିନ୍ତୁ ପରବର୍ତ୍ତୀ ଯୁଗର ଭାଷାରେ ଦରହାସ, ଦରମୁକୁଳିତ ପ୍ରଭୃତି ପ୍ରଚଳିତ ଥିବାର ଦେଖାଯାଏ । ଯାହା ହେଉ ଲେଖକମାନେ ସଂସ୍କୃତ ‘ଈଷତ୍‌’ ଶବ୍ଦ ପରିବର୍ତ୍ତରେ ‘ଦର’ ଶବ୍ଦଟି ଯଦି ଓଡ଼ିଆ ରଚନାରେ ବ୍ୟବହାର କରନ୍ତି, ତେବେ ସେମାନଙ୍କ ରଚନା ଅବଶ୍ୟ ସୁଲଳିତ ହେବ ।

 

ଫାର୍ସୀ ଭାଷାର ଖୋର, ଖାନା, ଗୀର (ଓ ଗିରି), ବନ୍ଦ (ଓ ବନ୍ଦ) ବାଜ (ଯେ ଖେଳେ), ନବୀସ (ଲେଖକ) ପ୍ରଭୃତି ପ୍ରତ୍ୟୟ ଅନେକ ସମୟରେ କେତେକ ଓଡ଼ିଆ ଶବ୍ଦରେ ଯୁକ୍ତ ଥିବାର ଦେଖାଯାଏ । ଯଥା,–ଅଫିମଖୋର, ମିଛଖୋର, ନାଚଖାନା, ବାବୁଗିରି, ଶିଷକଗିରି, ବାଡ଼ାବନ୍ଦି, ଗାଳିବାଜ, ଶିକ୍ଷାନବୀସ । ପିକଦାନି ଓ ନାସଦାନି ପ୍ରଭୃତି ଶବ୍ଦରେ ଯୁକ୍ତ ଥିବା ‘ଦାନି’ କଥାଟି ସଂସ୍କୃତ ‘ଧାନ’ ଶବ୍ଦରୁ ଉତ୍ପନ୍ନ, କି ଫାର୍ସୀ ‘ଦାନ’ ଶବ୍ଦରୁ ଉତ୍ପନ୍ନ, କହି ହେବ ନାହିଁ ।

 

ସଂସ୍କୃତ ଭାଷାରେ ଯେପରି ଣମୂଳ ପ୍ରତ୍ୟୟ ଯୋଗ କରାଯାଉ ଥିଲା, ଓଡ଼ିଆରେ ସେପରି କୌଣସି ପ୍ରତ୍ୟୟ ଯୋଗ କରାଯାଉ ନ ଥିଲେ ମଧ୍ୟ ‘ଶମୂଳ’ ପ୍ରତ୍ୟୟ ଯୋଗେ ସଂସ୍କୃତ ଭାଷାରେ ଯେପରି ଧାତୁର ଦ୍ୱ ତ୍ୱ ହେଉଥିଲା (ଉ–ସାରଂ ସ୍ମାରଂ ଦାରୁଭୂତୋ ମୁରାରି), ସେହିପରି ଓଡ଼ିଆରେ କ୍ରିୟାପଦର ମଧ୍ୟ ଦ୍ୱ ତ୍ୱ ଘଟେ (ଯଥା, ଭାବୁ ଭାବୁ ଦିନ ଗଲା) ।

 

ସଂସ୍କୃତ ଭାଷାରେ ଯଡ଼ଂନ୍ତ ‘ଦୀପ୍‌’ ଧାତୁରେ ‘ଶାନଚ୍‌’ ପ୍ରତ୍ୟୟ ଯୋଗ କଲେ ‘ଦେଦୀପ୍ୟମାନ’ ଶବ୍ଦ ନିଷ୍ପନ୍ନ ହେଉଥିଲା । ଓଡ଼ିଆରେ ସେପରି ସ୍ଥଳେ କେବଳ ଶବ୍ଦର ଦ୍ୱିତ୍ୱ ଘଟେ; ଯଥା–ଦାଉ ଦାଉ (ଉ-ଦୀପ ଦାଉ ଦାଉ ଜଳୁଛି), ଜଳ ଜଳ (ଉ–ତରାଗୁଡ଼ିକ ଜଳ ଜଳ ହେଉଛନ୍ତି)-

Image

 

Unknown

ଦଶମ ଅଧ୍ୟାୟ

(ସମାସ ଦ୍ୱନ୍ଦଶବ୍ଦ)

 

ଓଡ଼ିଆ ଭାଷାରେ ଖାଣ୍ଟି ଓଡ଼ିଆ ସମାସ ବିରଳ ନୁହେ । ସେଗୁଡ଼ିକୁ ଚିହ୍ନି ଓଡ଼ିଆ ଭାଷାରେ ବ୍ୟବହାର କଲେ ସାହିତ୍ୟର ଭାଷା ଯେ ଲଳିତ ଓ ମଧୁର ହେବ, ଏ କଥା କାହାରିକୁ ବୁଝାଇବାକୁ ପଡ଼ିବ ନାହିଁ । ସଂସ୍କୃତ ଭାଷା ଭଳିଆ ଓଡ଼ିଆରେ ବହୁବ୍ରୀହି, କର୍ମଧାରୟ, ଅବ୍ୟୟୀଭାବ, ତତ୍‌ପୁରୁଷ ଓ ଦ୍ୱନ୍ଦ ପ୍ରଭୃତି ସବୁ ସମାସ ପ୍ରଚଳିତ । ତଳେ ସେମାନଙ୍କର ଦୃଷ୍ଟାନ୍ତ ଦିଆଯାଇଅଛି ।

 

ବହୁବ୍ରୀହି–

 

ଓଡ଼ିଆ ବହୁବ୍ରୀହି ସମାସ ଚିହ୍ନିବାକୁ ହେଲେ ସଂସ୍କୃତ ବହୁବ୍ରୀହି ସମାସ ପହିଲେ ଭଲରୂପେ ଚିହ୍ନିବା ଉଚିତ । ସଂସ୍କୃତ ବହୁବ୍ରୀହି ସମାସ-ନିଷ୍ପନ୍ନ ଶବ୍ଦର ଆଦ୍ୟ ପଦଟି ବିଶେଷଣ । ଯଥା–ଭଗ୍ନଶାଖଃ (ଭଗ୍ନ ହୋଇଅଛି ଶାଖା ଯାହାର)–ଏଠାରେ ‘ଭଗ୍ନ’ ବିଶେଷଣ । କିନ୍ତୁ ଓଡ଼ିଆରେ କେତେବେଳେ ଆଦ୍ୟ ପଦଟି ବିଶେଷଣ ହୋଇଥାଏ, ପୁଣି କେତେବେଳେ ପର ପଦଟି ବିଶେଷଣ ହୋଇଥାଏ । ଯଥା–ପୋଡ଼ାମୁହାଁ (ପୋଡ଼ି ଯାଇଅଛି ମୁହଁ ଯାହାର), ମୁହଁପୋଡ଼ା (ମୁହଁଟି ପୋଡ଼ି ଯାଇଅଛି ଯାହାର), ଖଣ୍ଡିଆନାକା (ଖଣ୍ଡିଆ ହୋଇଅଛି ନାକ ଯାହାର), ନାକଖଣ୍ଡିଆ (ନାକ ଖଣ୍ଡିଆ ହୋଇଅଛି ଯାହାର- ଉ- ନାକଖଣ୍ଡିଆ ମାଙ୍କଡ଼), ବଙ୍କାଗୋଡ଼ା (ବଙ୍କା ହୋଇଅଛି ଗୋଡ଼ ଯାହାର), ଗୋଡ଼ବଙ୍କା (ଗୋଡ଼ ବଙ୍କା ହୋଇଅଛି ଯାହାର ଉ- ଗୋଡ଼ବଙ୍କା ବଳଦ) । ଏହି ସବୁ ଦୃଷ୍ଟାନ୍ତରୁ ଜଣାଯାଉଅଛି ଯେ, ଓଡ଼ିଆ ବହୁବ୍ରୀହି ସମାସନିଷ୍ପନ୍ନ ଶବ୍ଦ ସର୍ବଦା ଆକାରାନ୍ତ ହୁଏ । ଓଡ଼ିଆରେ ‘ଆ’ ପ୍ରତ୍ୟୟଯୋଗେ ନିଷ୍ପନ୍ନ ଶବ୍ଦ ବିଶେଷଣରୂପେ ବ୍ୟବହୃତ ହୁଏ, ଏ କଥା ପୂର୍ବବର୍ତ୍ତୀ ଅଧ୍ୟାୟରେ ଉଲ୍ଲେଖ କରାଯାଇଅଛି । ବହୁବ୍ରୀହି ସମାସ-ନିଷ୍ପନ୍ନ ଶବ୍ଦ ବିଶେଷଣରୂପେ ସର୍ବଦା ବ୍ୟବହୃତ ହୁଏ ବୋଲି ଏହା ଆକାରାନ୍ତ ହୁଏ ।

 

ଉପପଦ–

 

ସଂସ୍କୃତରେ ଯେପରି ‘ଉପପଦ’ ସମାସ ପ୍ରଚଳିତ ଥିଲା, ଓଡ଼ିଆରେ ସେପରି ପ୍ରଚଳିତ ଅଛି । ଓଡ଼ିଆ ଉପପଦସମାସର ଦୃଷ୍ଟାନ୍ତ ଦେବା ପୂର୍ବରୁ ଉପପଦ ଓ ବହୁବ୍ରୀହି ସମାସ ମଧ୍ୟରେ ଯେ ପ୍ରଭେଦ ଅଛି, ତାହା ଏଠାରେ ଉଲ୍ଲେଖ କରିବା ଉଚିତ । ଉପାପଦ ସମାସ-ନିଷ୍ପନ୍ନ ଶବ୍ଦର ଅନ୍ତ୍ୟରେ କ୍ରିୟାପଦର ଚିହ୍ନ ଥାଏ । କିନ୍ତୁ ବହୁବ୍ରୀହୀ ସମାସର ଅନ୍ତ୍ୟରେ କ୍ରିୟାପଦର ଚିହ୍ନ ନ ଥାଏ । ଯଥା ଜଳଦଃ (ଜଳଂ ଦଦାତୀତି), ଭଗ୍ନଶାଖଃ (ଭଗ୍ନାଶାଖା ଯସ୍ୟ) । ଏଠାରେ ପ୍ରଥମ ଶବ୍ଦଟିର ଅନ୍ତ୍ୟରେ ଯେପରି ‘ଦଦାତି’ କ୍ରିୟାପଦର ଚିହ୍ନ ଅଛି, ଦ୍ୱିତୀୟ ଶବ୍ଦଟିରେ ସେପରି ନାହିଁ । ଏହି ହେତୁରୁ ପ୍ରଥମ ଶବ୍ଦଟି ଉପପଦ-ସମାସ-ନିଷ୍ପନ୍ନ ଓ ଦ୍ୱିତୀୟ ଶବ୍ଦଟି ବହୁବ୍ରୀହିସମାସନିଷ୍ପନ୍ନ । ଏହିପରି ଓଡ଼ିଆରେ ଯେଉଁ ଶବ୍ଦର ଶେଷରେ କ୍ରିୟା ପଦର ଚିହ୍ନ ଥାଏ, ତାହା ଉପପଦ-ସମାସ-ନିଷ୍ପନ୍ନ ବୋଲି ଜାଣିବାକୁ ହେବ । ଯଥା–ମନୁଷ୍ୟଖିଆ (ମନୁଷ୍ୟ ଯେ ଖାଏ; ଉ-ମନୁଷ୍ୟଖିଆ ବାଘ), କୋଳପଶା (କୋଳରେ ଯେ ପଶେ; ଉ- କୋଳପଶା ପିଲା), ଆଗଚଲା (ଆଗରେ ଯେ ଚାଲେ), ଆଗବୋଲା (ଆଗରେ ଯେ ବୋଲେ) । ଶେଷରେ ଏ କଥା ମଧ୍ୟ ଉଲ୍ଲେଖ କରିବା ଉଚିତ ଯେ, ଓଡ଼ିଆରେ ବହୁବ୍ରୀହି-ସମାସନିଷ୍ପନ୍ନ ଶବ୍ଦ ଭଳିଆ ଉପପଦ ସମାସ-ନିଷ୍ପନ୍ନ ଶବ୍ଦ ମଧ୍ୟ ଆକାରାନ୍ତ ହୁଏ ।

 

କର୍ମଧାରୟ–

 

ଓଡ଼ିଆରେ କର୍ମଧାରୟ ସମାସ ନ ରଖିଲେ କିଛି କ୍ଷତି ନାହିଁ । ‘ଭଲ ଲୁଗା’–ଏହାକୁ ଏକପଦରେ ପରିଣତ କରିବାର କୌଣସି ପ୍ରୟୋଜନ ଅଛି ବୋଲି ମନେ ହୁଏ ନାହିଁ । କିନ୍ତୁ ମଧ୍ୟପଦଲୋପୀ କର୍ମଧାରୟ ସମାସଟି ପ୍ରାକୃତିକ ନିୟମରେ ଉତ୍ପନ୍ନ ହୋଇ ଓଡ଼ିଆ ଭାଷାରେ ପ୍ରଚଳିତ ଥିବାରୁ ତାହା ନ ରଖିଲେ ଭାଷାର ପ୍ରାଣହାନି ହେବ; ସୁତରାଂ ଏଠାରେ କେବଳ ମଧ୍ୟପଦଲୋପୀ କର୍ମଧାରୟ ସମାସର ଦୃଷ୍ଟାନ୍ତ ଦିଆଯାଉଅଛି । ଯଥା–ସୁନାମୁଦି (ସୁନାରେ ଗଢ଼ା ମୁଦି), କାଠପୋଲ (କାଠରେ ତିଆରି ପୋଲ), ପଥର କାନ୍ଥ (ପଥରରେ ତିଆରି କାନ୍ଥ) ।

 

ଅବ୍ୟୟୀଭାବ–

 

ସଂସ୍କୃତରେ ଅବ୍ୟୟପଦଯୋଗେ ଯେଉଁ ସମାସ ନିଷ୍ପନ୍ନ ହୁଏ, ତାହାକୁ ଅବ୍ୟୟୀଭାବ ସମାସ କହନ୍ତି । ଯଥା, ପ୍ରତିଗୃହଂ (ଗୃହଂଗୃହଂ) । ଏଠାରେ ‘ପ୍ରତି’ ଅବ୍ୟୟପଦଯୋଗେ ‘ପ୍ରତିଗୃହଂ’ ଶବ୍ଦ ନିଷ୍ପନ୍ନ ହୋଇଅଛି । ସେହିପରି ଓଡ଼ିଆରେ ‘ପ୍ରତି’ ଅବ୍ୟୟପଦଯୋଗେ ମଧ୍ୟ ସମାସ ନିଷ୍ପନ୍ନ ହୋଇଥାଏ । ଯଥା,–ପ୍ରତିଘର, ପ୍ରତିକଥା, ପ୍ରତିପଦ । କିନ୍ତୁ ଅଧିକାଂଶ ସମୟରେ ଅବ୍ୟୟପଦ ଯୋଗ ନ କରି କେବଳ ଶବ୍ଦର ଦ୍ୱିତ୍ୱଯୋଗେ ସଂସ୍କୃତ ଅବ୍ୟୟୀଭାବ ସମାସର ଭାବ ଓଡ଼ିଆରେ ବ୍ୟକ୍ତ କରାଯାଇଥାଏ । ଯଥା,–ଘର ଘର (ଘର ଘର ଖୋଜି ଚାଉଳ ଗଣ୍ଡେ ପାଇଲି ନାହିଁ), ଗାଁ ଗାଁ (ସେ ଗାଁ ଗାଁ ବୁଲି ଭିକ ମାଗେ), ଗଦାଗଦା (ଗଦାଗଦା ଧାନ ବର୍ଷାରେ ମିଳିଗଲା) । ପୁଣି ସଂସ୍କୃତରେ ଯେପରି ଯଥାଜ୍ଞାନ, ଯଥାଶକ୍ତି ପ୍ରଭୃତି ନିଷ୍ପନ୍ନ ହୁଅନ୍ତି, ଓଡ଼ିଆରେ ସେହିପରି ‘ଚାହିଁ’ ବା ‘ଦେଖି’ ଯୋଗ କରି ହୃଦୟର ଭାବ ବ୍ୟକ୍ତ କରାଯାଏ । ଯଥା–ଶକ୍ତିକି ଚାହିଁ, ଜ୍ଞାନକୁ ଚାହିଁ, ଆୟ ଦେଖି । ଆହୁରି ମଧ୍ୟ ସଂସ୍କୃତରେ ଯେପରି ‘ଗଙ୍ଗାୟାଃ ମଧ୍ୟଂ’ ‘ମଧ୍ୟେ ଗଙ୍ଗ ନିଷ୍ପନ୍ନ ହୁଏ, ଓଡ଼ିଆରେ ସେହିପରି ‘ମଝିଅଗଣା’, ‘ମଝିସମୁଦ୍ର’ ପ୍ରଭୃତି ନିଷ୍ପନ୍ନ ହୁଅନ୍ତି ।

 

ତତ୍‌ପୁରୁଷ–

 

(୧) ଦ୍ୱିତୀୟା- ଘରବାହୁଡ଼ା (ଘରକୁ ବାହୁଡ଼ା; ଉ- ଘର ବାହୁଡ଼ା ଗୋଠରେ ଗଉଡ଼ର ପ୍ରୟୋଜନ ନାହିଁ), ବିଦେଶ ଯିବା (ବିଦେଶକୁ ଯିବା; ଉ- ମୋର ବିଦେଶ ଯିବା ବନ୍ଦ ହେଲା), ପାଠ ପଢ଼ିବା (ପାଠକୁ ପଢ଼ିବା; ଉ- ପାଠ ପଢ଼ିବା ଛାଡ଼ି ଖେଳିବା ଭଲ ନୁହେ) । (୨) ତୃତୀୟା-ହାତଲେଖା (ହାତରେ ଲେଖା; ଉ-ପୁରୁଣା ହାତଲେଖା ତାଳପତ୍ର ପୋଥି ଓଡ଼ିଶାରେ ବିରଳ), ଗୋଡ଼ମଳା (ଗୋଡ଼ରେ ମଳା; ଉଃ- ଗୋଡ଼ମଳା ଧାନ), ମନଗଢ଼ା (ମନଦ୍ୱାରା ଗଢ଼ା; ଉ-ଏହା ତୁମର ମନଗଢ଼ା କଥା । (୩) ଚତୁର୍ଥୀ-ଜାଳକାଠ (ଜାଳ ନିମନ୍ତେ କାଠ; ଯେପରି ସଂସ୍କୃତରେ ଯୂପାୟ ଦାରୁ-ଯୂପଦାରୁ), ଭାତଧାନ (ଭାତପାଇଁ ଧାନ), କୁର୍ତାକନା । (କୁର୍ତାନିମନ୍ତେ କନା) । (୪) ପଞ୍ଚମୀ-ଗଛଝଡ଼ା (ଗଛରୁ ଝଡ଼ା; ଉ-ଗଛଝଡ଼ା ଆମ୍ବପତ୍ରରେ ଦାନ୍ତ ଘଷାଯାଏ), ବାଘଭୟ (ବାଘଠାରୁ ଭୟ; ବାଘଭୟ ପାଇ ହରି ବଣରୁ ଫେରି ଆସିଲା), ପ୍ରବାସଫେରନ୍ତା (ପ୍ରବାସରୁ ଫେରନ୍ତା) । (୫) ଷଷ୍ଠୀ-ଦେହଦୁଃଖ, ରାମକଥା, ହରିଲୁଗା । (୬) ସପ୍ତମୀ-ଗଛଚଢ଼ା (ଗଛରେ ଚଢ଼ା), ଗଛପାଚିଲା (ଗଛରେ ପାଚିଲା; ଉ-ଗଛପାଚିଲା ଆମ୍ବ), କୂଅବୁଡ଼ା (କୂଅରେ ବୁଡ଼ା, ଉ-ରାମର କୂଅବୁଡ଼ା ଦେଖି ସମସ୍ତେ ଆଚମ୍ବିତ ହେଲେ), ନଈପହଁରା (ନଈରେ ପହଁରା) ।

 

ଅବୟୀଭାବ ସମାସ ଯୋଗେ ଶବ୍ଦର କିପରି ଦ୍ୱିତ୍ୱ ହୁଏ, ତାହା କୁହାଗଲା । ଆହୁରି ମଧ୍ୟ ସଂସ୍କୃତ ‘ଣମୂଳ’ ପ୍ରତ୍ୟୟ ଓ ଯଡ଼ଂନ୍ତ ଧାତୁର ଭାବ ପ୍ରକାଶ ନିମନ୍ତେ ଓଡ଼ିଆରେ କିପରି କ୍ରିୟାପଦର ଦ୍ୱି ତ୍ୱ ଘଟେ, ତାହା ପୂର୍ବବର୍ତ୍ତୀ ଅଧ୍ୟାୟରେ ଉଲ୍ଲେଖ କରା ଯାଇଅଛି । ଏହାଛଡ଼ା ଆହୁରି ଅନେକ ସ୍ଥଳରେ ଦ୍ୱନ୍ଦ୍ୱ ଶବ୍ଦ ବ୍ୟବହାର କରାଯାଏ । ବିଭିନ୍ନ ପ୍ରକାରର ବସ୍ତୁସମଷ୍ଟି ନିର୍ଦ୍ଦେଶ କରିବା ପାଇଁ ଅନେକ ସମୟରେ ଓଡ଼ିଆ ଶବ୍ଦର ଦ୍ୱିତ୍ୱ ଘଟେ । ଓଡ଼ିଆରେ ଯେଉଁ ‘ଫଳାଫଳ’ କଥାଟି ପ୍ରଚଳିତ ଅଛି, ତାହା ‘ଫଳ’ ଓ ‘ଅଫଳ’ ଏହି ଦୁଇ ଶବ୍ଦର ମିଶ୍ରଣରେ ଉତ୍ପନ୍ନ ବୋଲି କେହି କେହି ଅନୁମାନ କରିଥାନ୍ତି । କିନ୍ତୁ ବାସ୍ତବିକ ତାହା ନୁହେ । ପରୀକ୍ଷାର ଫଳାଫଳ ଜଣାପଡ଼ି ନାହିଁ–ଏ କଥା କହିଲେ ‘ଫଳ ବା ଅଫଳ ଜଣା ପଡ଼ିନାହିଁ’ ଏପରି ବୁଝାଇବ ନାହିଁ । ‘ଅଫଳ’ର ଅର୍ଥ ମନ୍ଦଫଳ ନୁହେ । ସୁତରାଂ ଏଠାରେ ‘ଅଫଳ’ର କୌଣସି ଅର୍ଥ ନାହିଁ । ପାଲିରେ ‘ଫଳାଫଳ’ କହିଲେ ଅନେକ ପ୍ରକାର ଫଳର ସମଷ୍ଟିକି ବୁଝାଉଥିଲା । କିନ୍ତୁ ଓଡ଼ିଆରେ ଏହା ‘‘ଭଲ ଫଳ ବା ମନ୍ଦ ଫଳ’’ ଏହି ଅର୍ଥ ପ୍ରକାଶ କରେ । ଯାହା ହେଉ ଯେଉଁ ଅର୍ଥ ପ୍ରକାଶ ନିମନ୍ତେ ପାଲିରେ ଫଳ ଶବ୍ଦର ଦ୍ୱିତ୍ୱ ଘଟି ସଂସ୍କୃତ ‘ମିତ୍ରାବରୁଣୌ’ (ମିତ୍ରଶ୍ଚବରୁଣଶ୍ଚ) ଭଳିଆ ପ୍ରଥମ ପଦ ଆକାରାନ୍ତ ହୋଇ ‘ଫଳାଫଳ’ ଶବ୍ଦ ସୃଷ୍ଟ ହୋଇଥିଲା, ଓଡ଼ିଆରେ ସେହି ଅର୍ଥ ପ୍ରକାଶ ନିମନ୍ତେ ନ ହେଲେ ମଧ୍ୟ ଅନ୍ୟ ଅର୍ଥ ପ୍ରକାଶ ନିମନ୍ତେ ଠିକ୍‌ ସେହିପରି ଶବ୍ଦ ଗଢ଼ାଯାଏ । ଯଥା,–ଚଳାଚଳ, ବସାବସି (ଉ-ଏଠାରେ ବସାବସି କରିବାକୁ ଯାଗା ନାହିଁ), କଳାକଳ (ଉ-ଯନ୍ତ୍ରର କଳାକଳ ମୋତେ ସବୁ ଜଣା । ଏହି ସବୁ ଉଦାହରଣରୁ ଦେଖାଯାଉଅଛି ଯେ, ବୀପ୍ସା ଅର୍ଥରେ ଶବ୍ଦମାନଙ୍କର ଦ୍ୱିତ୍ୱ ହୁଏ । ‘କଳାକଳ’ କହିଲେ ଯେପରି ଯାବତୀୟ ‘କଳ’କୁ ବୁଝାଇବ, କେବଳ ‘କଳ’ କହିଲେ ସେପରି ବୁଝାଇବ ନାହିଁ । ଆହୁରି ମଧ୍ୟ ତ୍ରୟୋଦଶ ଶତାବ୍ଦୀର ଭୁବନେଶ୍ୱରରୁ ଆବିଷ୍କୃତ ଶିଳାଲିପିରେ ‘ମଠାମଠେ’ ପଦ ବିଚାର କଲେ ଜଣାଯାଏ ଯେ, ଏଠାରେ ବୀପ୍ସାର୍ଥରେ ଶବ୍ଦର ଦ୍ୱିତ୍ୱ ଘଟିଅଛି । ଏହିପରି ବୀପ୍ସାର୍ଥରେ ଅନେକ ଶବ୍ଦର ଦ୍ୱିତ୍ୱ ଘଟି ଇକାରାନ୍ତ ହୋଇଥାଏ । ଯଥା–ବସାବସି, ରନ୍ଧାରନ୍ଧି, ରଖାରଖି, ଲିପାଲିପି, ଛଟାଛଟି, ପଢ଼ାପଢ଼ି ।

 

ଅନେକ ସମୟରେ କେତେଗୁଡ଼ିଏ କାର୍ଯ୍ୟର ସମଷ୍ଟି ନିର୍ଦ୍ଦେଶ କରିବାପାଇଁ ଗୋଟିଏ ଶବ୍ଦ ସହିତ ଆଉ ଗୋଟିଏ ପୃଥକ୍‌ ଶବ୍ଦ ଯୋଗ କରାଯାଏ । ଯଥା,–ରନ୍ଧାବଢ଼ା, ଖିଆପିଆ, ବାଟହାଟ-। (ଉ-ମୁଁ ଘରୁ ଆସିଲାବେଳେ ବାଟହାଟରେ କେହି ନ ଥିଲେ), ହାଟବାଟ (ଉ-ରାମ ହାଟବାଟ କରି ଫେରୁଛି), କଂସାଗିନା (ଅନେକ ପ୍ରକାର ବାସନ), ଲୁଗାପଟା, ହାତୀଘୋଡ଼ା, ସାନବଡ଼, ପାଣିପବନ, ହାଣ୍ଡି ଆଟିକା, ଗୋରୁଗାଈ ।

 

କେତେ ସ୍ଥଳରେ ବସ୍ତୁର ସ୍ୱଳ୍ପତା ବୁଝାଇବାପାଇଁ ଗୋଟିଏ ଶବ୍ଦ ଦ୍ୱିତ୍ୱ କଲାବେଳେ ପରବର୍ତ୍ତୀ ଶବ୍ଦର ପ୍ରଥମ ବର୍ଣ୍ଣ ସ୍ଥାନରେ ‘ଫ’ ଯୋଗ କରିବାକୁ ହୁଏ । ଯଥା–ଲୁଗାଫୁଗା, ମାଛଫାଛ, କାଠଫାଠ, ଖଟଫଟ, ମସିଣାଫସିଣା । ପାଠକେ ଆଉ ଗୋଟିଏ କଥା ବିଚାର କରି ପାରନ୍ତି । ଲୁଗାଫୁଗା ଖଣ୍ଡିଏ ଦିଏ-ଏହା ବାକ୍ୟରେ ‘ଲୁଗାଫୁଗା’ ବଦଳରେ ‘ଲୁଗାପଟା’ ଶବ୍ଦ ପ୍ରୟୋଗ କରାଯାଇ ନ ପାରେ । ଏଥିରୁ ଜଣାଯାଏ, ବସ୍ତୁର ସ୍ୱଳ୍ପତା ନିର୍ଦ୍ଦେଶ କରିବାପାଇଁ ‘ଲୁଗାଫୁଗା’ ଶବ୍ଦ ବ୍ୟବହୃତ । ସୁତରାଂ କେଉଁଠାରେ କିଭଳି ଦ୍ୱନ୍ଦ ଶବ୍ଦ ବ୍ୟବହାର କରାଯିବ, ସେ ବିଷୟରେ ଲେଖକମାନେ ସତର୍କ ଥିବା ଉଚିତ ।

Image

 

ଏକାଦଶ ଅଧ୍ୟାୟ

(ପ୍ରାଚୀନ ଓଡ଼ିଆ ଭାଷାର ଦୃଷ୍ଟାନ୍ତ)

 

ଓଡ଼ିଆ ଭାଷାର ବିକାଶକ୍ରମ ପାଠକେ ଏହି ଗ୍ରନ୍ଥର ପୂର୍ବବର୍ତ୍ତୀ ଅଧ୍ୟାୟମାନଙ୍କରୁ ଊଣା ଅଧିକ ପରିମାଣରେ ଉପଲବ୍‌ଧି କରି ପାରିଥିଲେ ମଧ୍ୟ ପ୍ରାଚୀନ ମାତୃଭାଷାର ପୂରା ପରିଚୟ ପାଇ ନ ଥିବେ । ହଜାର ବର୍ଷ ତଳେ ସେ କାଳର ଓଡ଼ିଆ ଭାଷାରେ ‘ବୌଦ୍ଧଗାନ ଓ ଦୋହା’ ରଚିତ ହୋଇଥିଲା ବୋଲି ଏହି ଗ୍ରନ୍ଥର ମୁଖବନ୍ଧରେ ଉଲ୍ଲେଖ କରାଯାଇଅଛି । ଏଣୁ ସେହି ‘ବୌଦ୍ଧଗାନ ଓ ଦୋହା’ରୁ କେତୋଟି ଗୀତ ତଳେ ଉଦ୍ଧାର କରିଦେଲେ ପାଠକେ ପ୍ରାଚୀନ ଓଡ଼ିଆଭାଷା ସହିତ କେତେକ ପରିମାଣରେ ପରିଚିତ ହୋଇ ପାରିବେ ।

 

‘ବୌଦ୍ଧଗାନ ଓ ଦୋହା’ରୁ କେତୋଟି ଗୀତ ଉଦ୍ଧାର କରିବା ପୂର୍ବରୁ ଆଉ ଗୋଟିଏ କଥା ଉଲ୍ଲେଖ କରିବା ଉଚିତ । ଉକ୍ତ ଗ୍ରନ୍ଥର ସମସ୍ତ ଗୀତ ପ୍ରାଚୀନ ଓଡ଼ିଆଭାଷାରେ ରଚିତ ବୋଲି ନିଃସନ୍ଦେହରୂପେ ପ୍ରମାଣିତ ନ ହେଲେ ମଧ୍ୟ ତହିଁରେ ଥିବା କୃଷ୍ଣାଚାର୍ଯ୍ୟଙ୍କ ରଚିତ ଗୀତଗୁଡ଼ିକ ଯେ ଓଡ଼ିଆ ଭାଷାରେ ରଚିତ, ଏହା ନିଃସନ୍ଦେହରେ କୁହାଯାଇ ପାରେ । କାରଣ, ସେହି ଗୀତଗୁଡ଼ିକର ଭାଷା ଓଡ଼ିଆଭାଷାର ବ୍ୟାକରଣର ଅନୁରୂପ ହୋଇଅଛି ଏବଂ ତାହା ଛଡ଼ା କୃଷ୍ଣାଚାର୍ଯ୍ୟ ଯେ ଓଡ଼ିଶାର ଲୋକ, ଏହାର ଜ୍ୱଳନ୍ତ ପ୍ରମାଣ ମିଳୁଅଛି । ‘ବୌଦ୍ଧଗାନ ଓ ଦୋହା’ରେ ‘ଓଡ଼ିଶାଗତ କୃଷ୍ଣାଚାର୍ଯ୍ୟ’ ବୋଲି ଯାହା ଲେଖାଥିଲା, ତାହା ଏହି ଗ୍ରନ୍ଥର ମୁଖବନ୍ଧରେ ଉଲ୍ଲେଖ କରାଯାଇଅଛି । ପୁଣି ‘ପରାସମ୍‌ଜୋନ୍‌ଜଂ’ ନାମକ ଗ୍ରନ୍ଥରେ ଯେ କେତେ ଜଣ କୃଷ୍ଣଙ୍କ ନାମ ମିଳେ, ସେମାନଙ୍କ ମଧ୍ୟରୁ ବଡ଼ କୃଷ୍ଣାଚାର୍ଯ୍ୟ ଓଡ଼ିଶାର ବ୍ରାହ୍ମଣବଂଶରେ ଜାତ ଓ ସିଦ୍ଧ ଜଳନ୍ଧରଙ୍କଦ୍ୱାରା ତନ୍ତ୍ରମତରେ ଦୀକ୍ଷିତ ବୋଲି ତହିଁରେ ଉଲ୍ଲେଖ ଅଛି । ‘ବୌଦ୍ଧଗାନ ଓ ଦୋହା’ର କୃଷ୍ଣାଚାର୍ଯ୍ୟ ଜଳନ୍ଧରଙ୍କ ଶିଷ୍ୟ ବୋଲି ନିମ୍ନୋଦ୍ଧୃତ ପଦ୍ୟରୁ ଜଣା ପଡ଼ୁଅଛି । ସୁତରାଂ ତିବ୍ବତୀୟ ଇତିହାସର କୃଷ୍ଣାଚାର୍ଯ୍ୟ ଏବଂ ‘ବୌଦ୍ଧଗାନ ଓ ଦୋହା’ର କୃଷ୍ଣାଚାର୍ଯ୍ୟ ଯେ ଅଭିନ୍ନ, ଏଥିରେ ସନ୍ଦେହ ନାହିଁ । ପୁଣି ପରଲୋକଗତ ରାୟ ବାହାଦୂର ଶ୍ରୀ ଶରଚନ୍ଦ୍ର ଦାସ ମହାଶୟ ‘ଲାମସୁମ୍‌ପ ଖନ୍‌ପୋ’–ପ୍ରଣୀତ ଯେଉଁ ତିବ୍ବତୀୟ ଇତିହାସର ବିବରଣ ବାହାର କରିଅଛନ୍ତି, ତାହାର ବିସ୍ତୁତ ବିଷୟ-ସୂଚୀରେ କୃଷ୍ଣାଚାର୍ଯ୍ୟ ଓଡ଼ିଶାର ବ୍ରାହ୍ମଣବଂଶରେ ଜାତ ଓ ଜଳନ୍ଧରଦ୍ୱାରା ତନ୍ତ୍ରମତେ ଦୀକ୍ଷିତ ବୋଲି ଲେଖା ଅଛି । ଏପରି ସ୍ଥଳରେ ‘ବୌଦ୍ଧଗାନ ଓ ଦୋହା’ରେ ଥିବା କୃଷ୍ଣାଚାର୍ଯ୍ୟଙ୍କ ଗୀତଗୁଡ଼ିକ ଓଡ଼ିଆ ଭାଷାରେ ରଚିତ ନୁହେ ବୋଲି କେହି କହି ପାରିବେ ନାହିଁ । ସୁତରାଂ କୃଷ୍ଣାଚାର୍ଯ୍ୟଙ୍କର କେତୋଟି ଗୀତ ଉଦ୍ଧାର କଲେ ପାଠକେ ପ୍ରାଚୀନ ଓଡ଼ିଆ ଭାଷାର ଆଭାସ ପାଇ ପାରିବେ ।

 

ବର୍ତ୍ତମାନ ପ୍ରଶ୍ନ ଉଠିପାରେ ଯେ, ଏହି କୃଷ୍ଣାଚାର୍ଯ୍ୟ କେଉଁ ସମୟର ଲୋକ ? ଖ୍ରୀଷ୍ଟୀୟ ଅଷ୍ଟମ ଓ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଭାରତର ଅନେକ ଗ୍ରନ୍ଥ ତିବ୍ବତୀ ଭାଷାରେ ଅନୁବାଦିତ ହୋଇଥିବାର ପ୍ରମାଣ ମିଳେ । କୃଷ୍ଣାଚାର୍ଯ୍ୟଙ୍କ ରଚନା ତିବ୍ବତକୁ ଯାଇଥିବାରୁ ଅନୁମିତ ହୁଏ ଯେ, କୃଷ୍ଣାଚାର୍ଯ୍ୟ ଦ୍ୱାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ଲୋକ । ପୁଣି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ସଂଗୃହୀତ ହୋଇ ‘ଶ୍ରୀହେବଜପଞ୍ଜିକାଯୋଗରତ୍ନମାଳା’ ନାମରେ ଯେଉଁ ଯୋଗ ଶାସ୍ତ୍ରର ପୁସ୍ତକ ଅଛି, ତହିଁରେ ‘‘କୃତିରିପୁଂ ପଣ୍ଡିତାଚାର୍ଯ୍ୟ ଶ୍ରୀ କାହ୍ନୁ ପାଦାନାମ୍‌ ଇତି x x x ଶ୍ରୀମଦ୍‌ ଗୋବିନ୍ଦପାଳ ଦେବାନାମ୍‌ ସଂ ୩୪ ଭାଦ୍ର ଦିନେ ୧୪ ଲିଖିତ ମିଦଂ ପୁସ୍ତିକାଂ ଶ୍ରୀ ଗୟାକରେଣ’’–ଏହା ଲେଖା ଅଛି । ସୁତରାଂ ଏହାର ଲିପିକାଳ ଦ୍ୱାଦଶ ଶତାବ୍ଦୀ । ରଚନାକାଳ ଅବଶ୍ୟ ଏହାର ପୂର୍ବବର୍ତ୍ତୀ । ପୁଣି ତ୍ରୟୋଦଶ ଶତାବ୍ଦୀର ଯେଉଁ ଶିଳାଲିପି ଭୁବନେଶ୍ୱରରୁ ଆବିଷ୍କୃତ ହୋଇଅଛି, ତହିଁ ରେ ଥିବା ଓଡ଼ିଆ ଭାଷା ସହିତ କୃଷ୍ଣାଚାର୍ଯ୍ୟଙ୍କ ଗୀତର ଭାଷା ତୁଳନା କଲେ କୃଷ୍ଣାଚାର୍ଯ୍ୟଙ୍କ ରଚନା ଦୁଇଶତ ବର୍ଷର ପୂର୍ବବର୍ତ୍ତୀ ବୋଲି ଅନୁମିତ ହୁଏ । ଏହି ଅଧ୍ୟାୟରେ ଉକ୍ତ ଶିଳାଲିପି ମଧ୍ୟ ଉଦ୍ଧାର କରାଯାଉଅଛି । ପାଠକେ ଉଭୟର ଭାଷା ତୁଳନା କରିବେ ।

 

(୧୦)

 

ରାଗ–ଦେଶାଖ

ନଗର ବାରିହରେ ଡୋମ୍ବୀ ତୋହରି କୁଡ଼ିଆ

ଛଇ ଛଇ ଯାଇ ସୋ ବାହ୍ମ ନାଡ଼ିଆ

ଆଲୋ ଡୋମ୍ବୀ ତୋ ଏସମ କରିବେ ମସାଙ୍ଗ

ନିଘିଣ କାହ୍ନୁ କପାଳି ଜୋଇଲାଙ୍ଗ । ଧ୍ରୁବ ।

ଏକସୋ ପଦମା ଚୌଷଟ୍‌ଠୀ ପାଖୁଡ଼ୀ

ତହିଁ ଚଢ଼ି ନାଚଅ ଡୋମ୍ବୀ ବାପୁଡ଼ୀ । ଧ୍ରୁବ ।

ହାଲୋ ଡୋମ୍ବୀ ତୋ ପୁଛମି ସଦଭାବେ

ଆଇସସି ଜାସ ଡୋମ୍ବୀ କାହରି ନାବେଁ । ଧ୍ରୁବ ।

ତାନ୍ତି ବିକିଣଅ ଡୋମ୍ବୀ ଅବର ନାଚଙ୍ଗତା

ତୋହର ଅନ୍ତରେ ଛାଡ଼ି ନଡ଼ ଏଟ୍ଟା । ଧ୍ରୁବ ।

ତୁ ଲୋ ଡୋମ୍ବୀ ହାଉ କପାଲୀ

ତୋହର ଅନ୍ତରେ ମୋଏ ଘଲିଲି ହାଡ଼େରି ମାଲୀ

ସରବର ଭାଞ୍ଜୀଅ ଡୋମ୍ବୀ ଖାଅ ମୋଲାଣ

ମାରମି ଡୋମ୍ବୀ ଲେମି ପରାଣ । ଧ୍ରୁବ ।

 

(୩୬)

 

ରାଗ–ପଟମଞ୍ଜରୀ

ସୁଣ ବାହ ତଥତା ପାହାରୀ

ମୋହ ଭଣ୍ଡାର ଲୁଇ ସଅଳା ଅହାରୀ

ଘୁମାଇଣ ଚେବଇ ସପର ବିଭାଗା

ସହଜ ନିଦାଳୁ କାହ୍ନିଲା ଲାଙ୍ଗା

ଚେଅଣ ତା ବେଅଣ ଭର ନିଦ ଗେଲା

ସଅଳ ସୁଫଳ କରି ସୁହେ ସୁତେଲା

ସ୍ୱପଣେ ମଇ ଦେଖିଲ ତିହୁବର ସୁଣ

ଘୋରିଅ ଅବଣା ଗମଣ ବିହଳ

ଶାଖି କରିବ ଜାଳନ୍ଧରୀ ପାଏ

ପାଖିଣ ରାହଅ ମୋରି ପାଣ୍ଡି ଆଚାଏ ।

 

(୧୯)

 

ରାଗ–ଭୈରବୀ

ଭବ ନିର୍ବାଣେ ପଡ଼ହ ମାଦଳା

ମଣ ପବଣ ବେଣି କରଗୁ କଶାଲା

ଜଅ ଜଅ ଦୁନ୍ଦୁଭି ସାଦ ଉଛୁଳିଆ

କାହ୍ନୁ ଡୋମ୍ବୀ ବିବାହେ ଚଳିଆ

ଡୋମ୍ବୀ ବିବାହିୟା ଆହାରିଉ ଜାମ

ଜଉତୁକେ କିଅ ଆଣୁ ତୁ ଧାମ

ଅହିଣିସି ସୁରଅ ପସଙ୍ଗେ ଜାଅ

ଜୋଇଣି ଜାଲେ ରଏଣୀ ପୋହାଅ

ଡୋମ୍ବୀଏର ସଙ୍ଗେ ଜୋ ଜୋଇ ରତ୍ତୋ

ଖନହ ନ ଛାଡ଼ ସହଜ ଉନ୍ମତ୍ତୋ ।

 

ଦୋହା

 

ଲୋଅ ଗବ୍ବ ସମୁବ୍ବହଇ ହଉଁ ପରମଥେ ପବୀଣ

କୋଡ଼ିଅ ମଝେଁ ଏକୁ ଜଇ ହୋଇ ନିରଞ୍ଜନ ଲୀନ ।

ଆଗମବେଅ ପୁରାଣେ ଫଡ଼ିତ୍ତମାନ ବହନ୍ତି

ପକ୍କ ସିରିଫଳ ଅଳିଆ ଜିମ ବାହେରିତ ଭୁମୟନ୍ତି

Image

 

ତ୍ରୟୋଦଶ ଶତାବ୍ଦୀର ଶିଳାଲିପି

 

ଓଁ ସ୍ୱସ୍ତି ଶ୍ରୀ ବୀର ନରନାର ସିଙ୍ଘ ଦେବଶ ପ୍ରବ୍ରଧମାନେ ବୀଜେ ରାଜେ ସମ୍ବତ୍‌ ୦୧୨ ଶ୍ରାହି କାର୍ତ୍ତିକ କ୍ରୀଷ୍ଣ ୭ ରବୀବାରେ ଶ୍ରୀ କୀତ୍ତୀବାସ କ୍ଷେତ୍ରଂ ସୀଧେଶ୍ୱର ମଠର ବଡ଼ ନରସିଙ୍ଘ ଦେବଙ୍କର ଆଶକାମାର୍ଥ ପୂର୍ବକେ ।

 

ବାଘମରା ବାରବାଟୀ ଭୂମି ଏକାଦଶ ଋଦ୍ର ଭୀକ୍ଷା ଦେବା ଭୂମି ସମ୍ବନ୍ଧେ ତପରାଜ ମାହାମୁନି ଦୁଗ୍ଗାଭଟ ଆଚାଯଙ୍କେର ବାକଲ୍ଲା । ଏ ମାଢ଼ ଶତ ଦେଢ଼ ଉତ୍ତ୍ରେଶ୍ୱର ନାୟକଙ୍କର ତହଘେତଲ୍ଲା ଏ ମାଢ଼ ଦସଧାନ୍ୟ ଫୈଟୀ ତ୍ରୀଃସେକ ତପରାଜ ମାହାମୁନି ଏ ଦୁଇ ଧାନ୍ୟ ସୁନା ଦୁଗ୍ଗାଭଟେ ଉତ୍ତ୍ରେଶ୍ୱର ନାୟକଙ୍କେ ଦେଇ ଅଙ୍କ କଲ୍ଲା । ଏକ ଉତ୍ତୀଏ ଧାନ ସୁନା ମୂଳ କଳନ୍ତର କରନ୍ତେ ମାଢ଼ ଶତେକ ଅସୀ ୧୮୦ ତପରାଜ ମୁନି ସୀବପ୍ରାପ୍ତେ ତପ ଚକ୍ରବର୍ତ୍ତୀ ସ୍ଥାନାପତୀ ହୋଇଲ୍ଲା ଏ ତପ ଚକ୍ରବତୀଙ୍କର ଦୁଗ୍ଗା ଭଟ୍ଟ ଆଚାଯଙ୍କର ରାସୀ ଦୁଗା ଭଟ୍ଟେ ସୁଣୀ ଏକ ରାସୀ ବୋଲି ମୈତ୍ରପକ୍ଷ ହୋଇଲ୍ଲା । ଏ ବାଘମରା ଭୂମୀ ବାରବାଟୀ ଫଳ ଯୋଗ୍ୟ ଅସିଆସତକେ କୀଲ୍ଲାକୈ ତପ ଚକ୍ରବତୀ କୀ ହାଥରଇ ଦୁଗାଭଟ୍ଟ ଆଚାଯେ ପାଣି କଲ୍ଲା ଏ ଶ୍ରୀ ବୀର ନରନାର ସୀଙ୍ଘ ଦେବଙ୍କର ଆଉଶକାମାଥେ ଏକାଦଶ ଋଦ୍ର ଭୀକ୍ଷା କରାଇବା ଏ ଭୀକ୍ଷା ଚୋଡ଼ ଦେସ ପାଣ୍ଡୀ ଦେସ କାଞ୍ଚୀ ଦେସ ଏ ତିତି ଦେସ ଜମିଲ୍ଲା ହୋଇ ମଠାମଠେ ଦୀକ୍ଷା କରୀ ଆଚାବନ୍ତ ହୋଇଲ୍ଲା ତପସାଙ୍କ ଭୀକ୍ଷା କେତେ କାଳ ଚନ୍ଦ୍ର ସଜ୍ୟ ବ୍ରତ ଏତେକ କାଳଙ୍କର ସବତୀବାକ ୦୧୨ ।

Image

 

ଟିପଣୀ

 

ବାରିହରେ=ବାହାରରେ (ସଂ ବର୍ହି), ଛଇ ଛଇ=ଛୁଇ ଛୁଇଁ (ସଂ ଷ୍ପୃ ଶ୍‍-ପ୍ରା ଛୁପ୍ପ), ବାହ୍ମ=ସଂ ବ୍ରହ୍ମ, ନାଡ଼ିଆ=ନାଡ଼ି, ତୋଏ=ତୋତେ, କରିବେ=କରିବି, ମ=ମୁଁ, ସାଙ୍ଗ (ବର୍ତ୍ତମାନ ମଧ୍ୟ ଓଡ଼ିଆରେ ପ୍ରଚଳିତ)=ସାଥି, ନିଘିଣ=ଘୃଣାବିହୀନ, କପାଳି=ଏକପ୍ରକାର ମତାବଲମ୍ବୀ, ଜୋଇ=ଯେହୁ, ଲାଙ୍ଗ=ଲଙ୍ଗଳା ଏକସୋ=ଏକଶତ, ପଦମା=ପଦ୍ମ, ଚୈଷଟ୍‌ଠି=୬୪, ନାଚଅ=ନାଚ, ତୋ=ତୋତେ, ପୁଚ୍ଛମି=ପଚାରେ, ଆଇସସି=ଆସୁ, ଜାସି=ଯାଉ, କାହରି=କାହାର, ତାନ୍ତି=ତନ୍ତ, ବିକିଣଅ=ବିକ୍ରି କରି, ଅବର=ଆବର (ଆଉ), ନାଚଙ୍ଗତା ? ଏଟ୍ଟା ? ହାଉ=ହେଉ, ମୋଏ=ମୁହିଁ, ଘଲିଲି=ଘେନିଲି, ହାଡ଼େରି=ହାଡ଼ର, ମାଲୀ=ମାଲୀ, ସରବର=ସରୋବର, ଭାଞ୍ଜିଅ=ଭାଙ୍ଗି, ଖାଅ= ଖାଉ, ମୋଲାଣ=ମୃଣାଳ, ମାରମି=ମାରିବି, ଲେମି=ନେବି । ସୁଣ= ଶୁଣ, ବାହ=ବାହୁ, ପହାରୀ=ପ୍ରହାରି, ମୋହ= ମୋହର, ଲଇ=ଲୁଟିକରି, ସଅଳ=ସକଳ । ଆହରୀ=ଆହରଣ କରି, ଘୁମଇ=ଶୁଏ, ଣ=ନ,ଚେବଇ=ଚେତଇ, ସପର=ସ୍ୱ+ପର, ନିଦାଳୁ=ନିଦ୍ରାଳୁ, ଲାଙ୍ଗା=ନଙ୍ଗଳା, ଚେଅଣ=ଚେତନ, ଣ=ନ, ବେଅଣ ? ଗେଲା=ଗଲା, ସଅଳ= ସକଳ, ସୁହେ=ସୁଖେ, ସୁତେଲା=ଶୋଇଲା, ସ୍ୱପଣେ=ସ୍ୱପ୍ନେ, ମଇ=ମୁହିଁ, ଦେଖିଲ=ଦେଖିଲି, ତିହୁବଣ=ତ୍ରିଭୁବନ, ଘୋରିଅ=ଘୁରି (ବୁଲି), ଅବଣାଗମଣ=ଅଗମ୍ୟାଗମ୍ୟ, ବିହଳ=ବିହ୍ୱଳ, ଶାଖି=ସାକ୍ଷୀ, ପାଏ=ପାଦେ, ପାଖି=ପାଖେ, ରାହଅ=ରଖନ୍ତି, ମୋରି=ମୋତେ, ପାଣ୍ଡିଆ ଚାଏ=ପଣ୍ଡିତ ଆଚାର୍ଯ୍ୟେ, ପଡ଼ହ=ପଟହ (ବାଦ୍ୟ), ମାଦଳା=ମାଦଳ, ମଣପବଣ=ମନପବନ, ବେଣି=ବେନି, କଶାଲା ? ଜଅଜଅ=ଯହୁଁ ଯହୁଁ, ଦୁନ୍ଦୁହି=ଦୁନ୍ଦୂଭି, ସାଦ=ଶବ୍ଦ, ଉଛୁଳିଆଁ= ଉଳିଲା, ଚଳିଆ=ଚଳିଲା, ବିବାହିଆ=ବିବାହ କରି, ଆହାରିଉ=ଆହରଣ କରୁଁ, ଜାମ=ଯାହା, କିଅ=କିସ, ଅହିଣିସି= ଅହର୍ନିଶ, ସୁରଅ=ସୁରତ, ପସଙ୍ଗେ=ପ୍ରସଙ୍ଗେ, ଜାଅ=ଯାଉ, ଜୋଇଣି=ଯୋନି, ରଏଣୀ=ରଜନୀ, ପୋହାଅ= ପୁହାଉ, ଜୋ ଜୋଇ=ଯେ ଯେ, ରତ୍ତୋ=ରତ, ଖନହ=କ୍ଷଣେ, ଲୋଅ=ଲୋକେ, ଗବ୍‌ଦ=ଗର୍ବ, ସମୁବ୍‌ବହଇ= ସମ୍ଭବେ, ହଉଁ=ହେଉ, ପରମଥେ=ପରମାର୍ଥେ, ପବୀଣ=ପ୍ରବୀଣ, କୋଡ଼ି=କୋଡ଼ିକ, ମଝେ=ମଧ୍ୟେ, ଏକୁ=ଏକ, ଜଇ=ଜୟୀ, ବେଅ=ବେଦ, ପଡ଼ିଂତ୍ତ=ପଣ୍ଡିତ, ପକ୍କ=ପକ୍ୱ, ସିରିଫଳ=ଶ୍ରୀଫଳ (ବେଲ), ଅଳିଆ=ଭ୍ରମରେ, ଜିମ= ଯେପରି, ବାହେରିତ=ବାହାରରେ, ଭୁମୟନ୍ତି=ଭ୍ରମୟନ୍ତି ।

 

ମୂଳ ଗ୍ରନ୍ଥର ଟୀକାରେ ଉପରୋକ୍ତ ଶବ୍ଦମାନଙ୍କର ପୁଣି ଆଧ୍ୟାତ୍ମିକ ଅର୍ଥ ଦିଆଯାଉଅଛି । ଏଠାରେ ତାହା ଉଦ୍ଧାର କରିବାର ପ୍ରୟୋଜନ ନାହିଁ ।

Image

 

ଅନୁବାଦ

 

ନଗର ବାହାରେ ଡୋମ୍ବୀ ତୋହରି କୁଡ଼ି

ଛୁଇଁ ଛୁଇଁ ଯାଉ ସେ ବ୍ରହ୍ମର ନାଡ଼ି

ଡୋମ୍ବୀ ଲୋ ତୋତେ କରିବି ମୁଁ ସାଙ୍ଗ

ନିର୍ବିକାର କାହ୍ନୁ କପାଳୀ ଯେହୁ ଲାଙ୍ଗ

ଏକଶ ପଦ ଚୌଷଠି ପାଖୁଡ଼ି

ତହିଁ ଚଢ଼ି ନାଚ ଡ଼ୋମ୍ବୀ ବାପୁଡ଼ୀ

ହା ଲୋ ଡୋମ୍ବୀ ତୋତେ ପୁଚ୍ଛେ ସଦ୍‌ଭାବେ

ଯାଉ ଆସୁ ଡୋମ୍ବୀ କାହାର ନାବେ

ତନ୍ତ ବିକେ ଡୋମ୍ବୀ ଆଉ X

ତୋହର ଅନ୍ତରେ ଛାଡି ନାଡ଼ X

ତୁ ଲୋ ଡୋମ୍ବୀ ହେଉ କପାଳୀ

ତୋହର ଅନ୍ତରେ ଘେନିଲି ହାଡ଼ର ମାଳୀ

ସରୋବର ଭାଙ୍ଗି ଡୋମ୍ବୀ ଖାଉ ମୃଣାଳ

ମାରିବି ଡୋମ୍ବୀ ନେବି ପରାଣ

ଶୁଣ ବାହୁରେ ତଥତା ପ୍ରହାରି

ମୋହ ଭଣ୍ଡାର ଲୁଟି ସକଳ ଆହରି

ଘମାଇ ନ ଚେତେ ସ୍ୱ-ପର ବିଭାଗ

ସହଜ ନିଦ୍ରାଳୁ କାହ୍ନୁ ଉଲାଙ୍ଗ (ସଂ ଉଲ୍ଲଙ୍ଗ)

ଚେତନ ଅଚେତନ ଭରେ ନିଦ ଗଲା

ସକଳ ସୁଫଳ କରି ସୁଖେ ଶୋଇଲା

ସ୍ୱପନେ ଦେଖିଲି ମୁଁ ତ୍ରିଭୁବନ ଶୁଣ

ବୁଲି ଅଗନାଗନି ବନ ବିହ୍ୱଳ

ସାକ୍ଷୀ କରିବି ଜଳନ୍ଧର ପାଦରେ

ପଣ୍ଡିତ ଆଚାର୍ଯ୍ୟେ ନରଖେ ମୋତେ ପାଖରେ

ଭବନିର୍ବାଣେ ପଟହ ମାଦଳ ବାଜେ

ମନପବନ ବେନି କରଗୋ

ଯହୁଁ ଯହୁଁ ଦୁନ୍ଦୂଭି ଶବ୍ଦ ଉଛୁଳେ

କାହ୍ନୁ ଡୋମ୍ବୀ ବିବାହେ ଚଳେ

ଡୋମ୍ବୀ ବାହା ହୋଇ ଯାହା ଆହରେ

ଯଉତୁକେ କିସ ଆଣୁ ତୁ ଘରେ

ଅହର୍ନିଶି ସୁରତପ୍ରସଙ୍ଗେ ଯାଉ

ଯୋନିଜାଲରେ ରଜନୀ ପୁଆଉ

ଡୋମ୍ବୀର ସଙ୍ଗେ ଯେହୁ ଯେହୁ ରତ

କ୍ଷଣହେଁ ନ ଛାଡ଼ି ସହଜେ ଉନ୍ମତ୍ତ

ଲୋକେ ଗର୍ବ ସମ୍ଭବେ ହେଉ ପରମାଥେ ପ୍ରବୀଣ

କୋଡ଼ିକେ ଗୋଟିଏ ଜୟୀ ହୋଇ ନିରଞ୍ଜନ-ଲୀନ

ଆଗମ ବେଦ ପୁରାଣେ ପଣ୍ଡତେ ମାନ ବହନ୍ତି ।

ପକ୍ୱ ଶ୍ରୀଫଳ ବାହାରେ ଅଳିଏ ଯେମନ୍ତେ ଭ୍ରମନ୍ତି ।

Image

 

ଦ୍ୱାଦଶ ଅଧ୍ୟାୟ

(ସଂସ୍କାର)

 

ଭାଷାସଂସ୍କାର ଘେନି ସାହିତ୍ୟକ୍ଷେତ୍ରରେ ଅନେକ ଦିନ ହେଲା ତୁମୁଳ ଆନ୍ଦୋଳନ ଲାଗିଅଛି । ଦଳେ ଓଡ଼ିଆ ଭାଷାକୁ ସଂସ୍କୃତ ଭାଷାର ଆବରଣରେ ଘୋଡ଼ାଇବାକୁ ପ୍ରୟାସୀ, ଆଉ ଦଳେ କଥିତ ଭାଷାର ଯଥେଚ୍ଛାଚାରିତାକୁ ସାହିତ୍ୟରେ ପ୍ରଶ୍ରୟ ଦେବା ପାଇଁ ଅଣ୍ଟା ଭିଡ଼ି ବାହାରିଅଛନ୍ତି । ଯେଉଁମାନେ ଓଡ଼ିଆ ସାହିତ୍ୟରେ ସଂସ୍କୃତ ଶବ୍ଦ ଓ ସଂସ୍କୃତ ସନ୍ଧି ଭର୍ତ୍ତି କରିବାକୁ ଚେଷ୍ଟା କରନ୍ତି, ସେମାନେ ଓଡ଼ିଆ ଭାଷାରେ ରଚନା ନ ଲେଖି ସଂସ୍କୃତ ଭାଷାରେ ରଚନା ଲେଖିବା ଉଚିତ । ଓଡ଼ିଆ ଭାଷା ସଂସ୍କୃତ ଭାଷାଠାରୁ ସ୍ୱତନ୍ତ୍ର । ସୁତରାଂ ସଂସ୍କୃତ ବ୍ୟାକରଣର ସୂତ୍ର-ଶିକୁଳିରେ ଓଡ଼ିଆ ଭାଷାକୁ ବାନ୍ଧିଲେ ଓଡ଼ିଆ ଭାଷାର ପ୍ରାଣହାନି ହେବ ଏବଂ ଓଡ଼ିଆ ସାହିତ୍ୟ ଦେଶର ସାଧାରଣ ଲୋକଙ୍କ ହୃଦୟଗ୍ରାହୀ ହେବ ନାହିଁ । ଦେଶର ଦଶ ଜଣଙ୍କ ମନରେ ଆନନ୍ଦ ଉପୁଜାଇ ସେମାନଙ୍କ ବୁଦ୍ଧି ବୃତ୍ତିର ଉନ୍ମେଷ ସାଧନ କରିବା ସାହିତ୍ୟର ପ୍ରଧାନ ଉଦ୍ଦେଶ୍ୟ । ସାହିତ୍ୟର ଭାଷା ଯଦି ସାଧାରଣ ଲୋକେ ବୁଝି ନ ପାରନ୍ତି, ତେବେ ସାହିତ୍ୟର ଉଦ୍ଦେଶ୍ୟ ବିଫଳ ହୋଇପଡ଼େ । ସାହିତ୍ୟର ଭାଷା ଅପେକ୍ଷା ଭାବର ମୂଲ୍ୟ ବେଶି–ଭାବ ସାହିତ୍ୟର ପ୍ରାଣ । ସାହିତ୍ୟର ମର୍ମ ବୁଝି ଅଷ୍ଟାଦଶ ଶତାବ୍ଦୀର ଭୂପତି ପଣ୍ଡିତ ନିଜ ରଚିତ ‘ପ୍ରେମପଞ୍ଚାମୃତ’ରେ ଯଥାର୍ଥ ଲେଖିଅଛନ୍ତି ଯେ, ଯେପରି ପିତଳକୁ ପାଟକନାରେ ଗୁଡ଼ାଇ ରଖିଲେ ତାହାର ମୂଲ୍ୟ ବଢ଼ିବ ନାହିଁ, ଅଥବା ସୁନାକୁ ପଙ୍କରେ ପୋତିଦେଲେ ତାହାର ମୂଲ୍ୟ ଊଣା ହେବ ନାହିଁ, ସେପରି ଉନ୍ନତ ଭାଷାରେ ହୀନ ଭାବ ସମାବେଶ କଲେ ସାହିତ୍ୟ ସରସ ହେବ ନାହିଁ, ଅଥବା ଅନୁନ୍ନତ ଭାଷାରେ ସରସ ଭାବ ସମାବେଶ କଲେ ତାହା ହୀନ ସାହିତ୍ୟରୂପେ ପରିଗଣିତ ହେବ ନାହିଁ । ଏ କଥା ମଧ୍ୟ ସ୍ୱୀକାର କରୁଅଛି ଯେ, ନୀରସ ଭାଷାରେ ସରସ ଭାବ ସମାବେଶ କରାଯାଇ ନ ପାରେ । ଏହା ବୋଲି ଭାବ ସରସ ହେଲେ ଭାଷାର ଦାରିଦ୍ର୍ୟ ଘେନି ତାହା ବ୍ୟକ୍ତ କରାଯାଇ ନ ପାରେ, ଏପରି ନୁହେ । ଭାଷାର ଦରିଦ୍ରତା ଉପଲବ୍ଧି କଲାବେଳେ ଲେଖକମାନେ ସଂସ୍କୃତ ବା ଅନ୍ୟ କୌଣସି ଭାଷାରୁ ଶବ୍ଦ ଆଣି ଓଡ଼ିଆଭାଷାକୁ ପରିପୁଷ୍ଟ କରି ପାରନ୍ତି । କିନ୍ତୁ ‘ଗଛ’ ବଦଳରେ ଯେଉଁମାନେ ‘ତରୁ’ ବା ‘ପାଦପ’ ବ୍ୟବହାର କରନ୍ତି, ସେମାନେ ମାତୃଭାଷାର ଅବନତି ଘଟାଉଅଛନ୍ତି ବୋଲି କହିବାକୁ ହେବ । ଅନେକ ଲେଖକ ଏ ଯୁଗରେ ମଧ୍ୟ ଗଲେ, ଦେଲେ ପ୍ରଭୃତି କ୍ରିୟାପଦ ବଦଳରେ ଗମନ କଲେ, ଦାନ କଲେ ପ୍ରଭୃତି ବ୍ୟବହାର କରି ନିଜ ଲେଖାଛଟା ଘେନି ବଡ଼ାଇ କରିଥାନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ, ଦେଲେ ଓ ଦାନ କଲେ ଏ ଦୁଇ କ୍ରିୟାପଦର ଅର୍ଥ ଏକ ହୋଇ ନ ପାରେ । ‘ଧୋବାକୁ ଲୁଗା ଦେଲି’ ନ କହି ‘ଧୋବାକୁ ଲୁଗା ଦାନ କଲି’ କହିଲେ ଅର୍ଥର କି ବୈଷମ୍ୟଘଟେ, ତାହା ପାଠକମାନେ ବିଚାର କରନ୍ତୁ । ଆହୁରି ମଧ୍ୟ ଏ ଶ୍ରେଣୀର ଲେଖକମାନଙ୍କୁ ଆଉ ଗୋଟିଏ ବକ୍ତବ୍ୟ ଯେ, ‘ଦେଲେ’ ବଦଳରେ ‘ଦାନ କଲେ’ ନ ଲେଖି ‘ଦାନକୃତଃ’ ଲେଖିଲେ ଭଲ ହେବ । ଯେଉଁମାନେ ଓଡ଼ିଆ ଭାଷାକୁ ଏରୂପେ କିଂଭୂତକିମାକାରରେ ପରିଣତ କରିବା ପାଇଁ ଚେଷ୍ଟା କରନ୍ତି, ସେମାନଙ୍କର ବୁଝିବା ଉଚିତ ଯେ, ଇଂରେଜୀ, ଜର୍ମାନୀ, ସଂସ୍କୃତ ପ୍ରଭୃତି ଓଡ଼ିଶାର ସାଧାରଣ ଲୋକଙ୍କ ଅବୋଧ୍ୟ ସାହିତ୍ୟ ପୃଥିବୀରେ ବିରଳ ନୁହେ । ତେବେ ମାତୃଭାଷାର ସାହିତ୍ୟର ଉନ୍ନତି ବିଧାନ ପାଇଁ ପୃଥିବୀରେ ଏତେ ଚେଷ୍ଟା ଲାଗିଅଛି କାହିଁକି ? ପ୍ରାଚୀନ କାଳରେ ସବୁ ଦେଶରେ ସାଧାରଣଙ୍କ ଅବୋଧ୍ୟ ଭାଷାରେ କବିତା ଲେଖିବାର ପ୍ରଥା ପ୍ରଚଳିତ ଥିଲା । କିନ୍ତୁ ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ମାତୃଭାଷାର ସାହିତ୍ୟକୁ ଉନ୍ନତ କରି ଦେଶକୁ ଜାଗ୍ରତ୍ କରିବାର ପ୍ରୟୋଜନ ବୁଝିପାରି ସବୁ ଦେଶର ଲୋକେ ସେ ପ୍ରଥା ଛାଡ଼ିଦେଇ ଅଛନ୍ତି । ସୁତରାଂ ଆଶା କରେଁ, ଆମ ଦେଶର ସାହିତ୍ୟରଥୀମାନଙ୍କ ମଧ୍ୟରୁ ଯେଉଁମାନେ ସେ ପ୍ରଥା ଛାଡ଼ି ନାହାନ୍ତି, ସେମାନେ ବର୍ତ୍ତମାନ ନିଜର ଭ୍ରମ ବୁଝି ପାରିବେ ।

 

ଭାବ ସରଳ ହେଲେ ରଚନା କିପରି ପ୍ରୀତିକର ହୁଏ, ତାହା ଉପଲବ୍ଧି କରିବା ନିମନ୍ତେ ପାଠକେ ବୈଦେହୀଶବିଳାସର ରଚନାକୁ ବିଦଗ୍ଧଚିନ୍ତାମଣିର ରଚନା ସହିତ ତୁଳନା କରି ପାରନ୍ତି । ବିଦଗ୍ଧ ଚିନ୍ତାମଣିର କୌଣସି ଛାନ୍ଦ ମଫସଲରେ ସୁଗାୟକ ଗାଉଥିଲେ ସେଠାରେ ଯେ ଶୁଣିବା ପାଇଁ ଅନେକ ଅଶିକ୍ଷିତ ଲୋକ ରୁଣ୍ଡ ହୋଇ ପଡ଼ିବେ, ଏ କଥା କାହାରିକି ଅବିଦିତ ନାହିଁ । ଖାଣ୍ଟି ଓଡ଼ିଆ ଭାଷାରେ, ଓଡ଼ିଆ ଛାନ୍ଦରେ ବିଦଗ୍ଧଚିନ୍ତାମଣି ରଚିତ ହୋଇଥିବାରୁ ତାହା ଯାହା କାନରେ ପଡ଼େ, ସେ ଟାଣି ହୋଇ ଗୀତ ସ୍ଥାନକୁ ଆସେ । କିନ୍ତୁ କୃତ୍ରିମ ଭାଷାରେ ରଚିତ ଗୀତ ଗାଇଲେ ତାହା ଶୁଣିବା ପାଇଁ କେହି କାନ ଡେରିବେ ନାହିଁ । ଲେଖକ ଯେଉଁ ଭାଷା ମାଠାରୁ ଶିଖିଥାଏ, ସେହି ଭାଷାରେ ତାହାର ହୃଦୟର ଭାବ ଉଛୁଳି ପଡ଼େ । ସେହି ଭାଷାରେ ସେ ଯଦି ରଚନା ଲେଖେ, ତେବେ ତାହା ନିଜ ଦେଶର ଲୋକଙ୍କୁ ପ୍ରୀତିକର ହୁଏ । କିନ୍ତୁ ଲେଖକ ଯଦି ସେ ଭାଷାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରି ନିଜେ ସର୍ବଦା ବ୍ୟବହାର କରୁଥିବା ଶବ୍ଦ ବଦଳରେ ଅଭିଧାନ ଖୋଜି ଅବୋଧ୍ୟ ସଂସ୍କୃତ ଶବ୍ଦ ନିଜ ରଚନାରେ ବ୍ୟବହାର କରେ, ତେବେ ତାହାର ରଚନାର ମାଧୁର୍ଯ୍ୟ ଏଭଳି କୃତ୍ରିମ ଭାଷାଯୋଗେ ନଷ୍ଟ ହୋଇ ପଡ଼ିବ । ଆଜିକାଲି ଆମ ଦେଶର ପ୍ରାୟ ଅଧିକାଂଶ ନୂତନ କବି ପ୍ରାଚୀନ ଛନ୍ଦର ଦାସ ହୋଇ କବିତା ଲେଖିଲାବେଳେ ଯତିପାତ ଓ ମିତ୍ରାକ୍ଷରର ମେଳ ନିମନ୍ତେ କୃତ୍ରିମ ଭାଷାର ଆଶ୍ରୟ ନେବାକୁ ବାଧ୍ୟ ହୁଅନ୍ତି । ସେହି ହେତୁରୁ ଆଧୁନିକ କବିତାମାନ ଦେଶର ସାଧାରଣ ଲୋକଙ୍କ ପକ୍ଷରେ ପ୍ରୀତିକର ନୁହେ । ଆଧୁନିକ କବିମାନଙ୍କର ଏହା ଜାଣିବା ଉଚିତ ଯେ, ପ୍ରତ୍ୟେକ ଦେଶରେ ପ୍ରତ୍ୟେକ ମନୁଷ୍ୟଙ୍କ ପ୍ରାଣରେ ନୂତନ ଛନ୍ଦ ରହିଅଛି । ଆମ ଦେଶର ସ୍ତ୍ରୀଲୋକମାନେ ଯେତେବେଳେ କାନ୍ଦନ୍ତି ଓ ପିଲାମାନେ ଯେତେବେଳେ ନାଚନ୍ତି, ତହିଁରେ ପ୍ରକୃତ ଜାତୀୟ ଛନ୍ଦ ନିହିତ ଥାଏ । ଆଧୁନିକ କବିମାନେ ଯଦି ସେଗୁଡ଼ିକ ଉପଲବ୍ଧି କରି ପାରି କବିତା ଲେଖିଲାବେଳେ ଭାବରେ ଅନୁପ୍ରାଣିତ ହୁଅନ୍ତେ, ତେବେ ପ୍ରାକୃତିକ ନିୟମରେ ଜାତୀୟ ଛନ୍ଦରେ ସେମାନଙ୍କ ହୃଦୟରୁ କବିତା ଉଛୁଳି ପଡ଼ନ୍ତା ଓ ତାହା ସାଧାରଣଙ୍କ ହୃଦୟସ୍ପର୍ଶୀ ହୁଅନ୍ତା । ଦୀନକୃଷ୍ଣ, ଅଭିମନ୍ୟୁ ପ୍ରଭୃତି ଅମର କବିମାନେ ଏପରି କରି ପାରିଥିଲେ ବୋଲି ଆଜି ସେମାନଙ୍କର ମଧୁର ବାଣୀ ଓଡ଼ିଶାର ସାଧାରଣ ଚଷାର ହୃଦୟରେ ମଧ୍ୟ ଖେଳୁଅଛି । ବୈଷ୍ଣବ ପାଣିଙ୍କ କବିତା ଏ ଯୁଗରେ କାହିଁକି ଲୋକପ୍ରିୟ ହୋଇଅଛି, ତାହା ମଧ୍ୟ ପାଠକେ ବିଚାର କରିବେ ।

 

ଦେଶକେ ଫାଙ୍କ, ନଈକେ ବାଙ୍କ–ଏ କଥା ସମସ୍ତେ ଜାଣନ୍ତି । ଆଚାର, ବ୍ୟବହାର ଓ ସାମାଜିକ ରୀତି ନୀତି ଘେନି ଓଡ଼ିଆ ଜାତି ଯେପରି ବଙ୍ଗାଳୀ, ତେଲଙ୍ଗା ବା ଅନ୍ୟ ଜାତିଠାରୁ ସ୍ୱତନ୍ତ୍ର, ସେହିପରି ଉଚ୍ଚାରଣ ଓ ବାକ୍ୟଗଢ଼ଣ ପ୍ରଭୃତି ଅନେକ ବିଷୟରେ ଓଡ଼ିଆ ଭାଷା ସଂସ୍କୃତ ବା ଅନ୍ୟାନ୍ୟ ଭାଷାଠାରୁ ସ୍ୱତନ୍ତ୍ର । ଓଡ଼ିଆ ଭାଷାର ସ୍ୱତନ୍ତ୍ର ବ୍ୟାକରଣ ଅଛି । ସୁତରାଂ ସଂସ୍କୃତ ଭାଷାରେ ‘ଆବଶ୍ୟକ’ ଶବ୍ଦ କେବଳ ବିଶେଷଣରୂପେ ବ୍ୟବହୃତ ହେଉଥିଲା ବୋଲି ଓଡ଼ିଆରେ ତାହା ବିଶେଷ୍ୟରୂପେ ବ୍ୟବହୃତ ହୋଇ ପାରିବ ନାହିଁ, ଓଡ଼ିଆ ବ୍ୟାକରଣରେ ଏପରି ଆଇନ ଜାରି କଲେ ଭାଷାର ପ୍ରାଣ ନଷ୍ଟ ହୋଇ ପଡ଼ିବ । କେତେଗୁଡ଼ିଏ ଶବ୍ଦ ବିଶେଷ୍ୟ ଓ ବିଶେଷଣ ଉଭୟରୂପେ ବ୍ୟବହୃତ ହେଉଥିବାର ପୃଥିବୀର ପ୍ରାୟ ପ୍ରତ୍ୟେକ ଭାଷାରେ ଦେଖାଯାଏ । ସୁତରାଂ କଥିତ ଓଡ଼ିଆରେ ‘ଆବଶ୍ୟକ’ ବିଶେଷ୍ୟରୂପେ ଯେତେବେଳେ ବ୍ୟବହୃତ ହୁଏ, ତେତେବେଳେ ଲିଖିତ ଓଡ଼ିଆରେ ତାକୁ ସେପରି ବ୍ୟବହାର କଲେ ପାତକ ହେବ ନାହିଁ । କଥିତ ଭାଷାକୁ ଅବଲମ୍ବନ କରି ପ୍ରତ୍ୟେକ ଭାଷାର ବ୍ୟାକରଣ ସଂକଳନ କରାଯାଇଥାଏ । ସଂସ୍କୃତ ଭାଷାର ବ୍ୟାକରଣକୁ ଅନୁବାଦ କଲେ ତାହାକୁ ଓଡ଼ିଆ ବ୍ୟାକରଣ କୁହାଯିବ ନାହିଁ । ଓଡ଼ିଆରେ ସନ୍ଧି ନାହିଁ । ସୁତରାଂ ବିନା ପ୍ରୟୋଜନରେ ଓଡ଼ିଆ ସାହିତ୍ୟରେ ସଂସ୍କୃତ ସନ୍ଧିର ପ୍ରଚଳନ ରଖିବା ଯୁକ୍ତିଯୁକ୍ତ ନୁହେ । ସେହିପରି ପୁଂଲିଙ୍ଗ ଶବ୍ଦକୁ ସ୍ତ୍ରୀଲିଙ୍ଗରେ ପରିଣତ କରିବା ପାଇଁ କେବଳ ସଂସ୍କୃତ ବ୍ୟାକରଣର ସୂତ୍ର ମୁଖସ୍ଥ ନ କରି ଓଡ଼ିଆରେ କେଉଁଠାରେ କିପରି ଲିଙ୍ଗ ପରିବର୍ତ୍ତନ କରିବାକୁ ହେବ, ତାହା ଆଲୋଚନା କରିବା ଉଚିତ ।

 

ପ୍ରଥମ ଦଳଙ୍କ କଥା ଛାଡ଼ି ବର୍ତ୍ତମାନ ଦ୍ୱିତୀୟ ଦଳଙ୍କ କଥା ଆଲୋଚନା କରିବାକୁ ହେବ-। ସାହିତ୍ୟରେ କଥିତ ଭାଷାର ପ୍ରଚଳନ ନିମନ୍ତେ ସେମାନେ ଯାହା କହନ୍ତି, ତାହା ମାନିବାକୁ ଆମେ କୁଣ୍ଠିତ ନୋହୁଁ; କିନ୍ତୁ କଥିତ ଭାଷାରେ ଯେପରି ଭାବରେ ଶବ୍ଦଗୁଡ଼ିକୁ ଉଚ୍ଚାରିତ, ଠିକ୍ ସେହିପରି ଭାବରେ ସେଗୁଡ଼ିକର ବନାମ ଲେଖିବାପାଇଁ ସେମାନେ ଯାହା କହନ୍ତି, ତାହା ନିତାନ୍ତ ଅସଙ୍ଗତ । ଇଂଲଣ୍ଡରେ ଦିନେ ଶବ୍ଦମାନଙ୍କର ବନାନ-ସଂସ୍କାର ଘେନି ଏହିପରି ଆନ୍ଦୋଳନ ଲାଗିଥିଲା ସତ୍ୟ; କିନ୍ତୁ ପରେ ବୈଜ୍ଞାନିକ ପ୍ରଣାଳୀରେ ଅନୁସନ୍ଧାନ କରି ଉଚ୍ଚାରଣ-ତଥ୍ୟ ଆବିଷ୍କାର କରିବାକୁ ଜଣାଗଲା ଯେ, ପ୍ରତ୍ୟେକ ଲୋକଙ୍କ ଉଚ୍ଚାରଣ ଘେନି ଇଂରେଜୀ ଶବ୍ଦମାନଙ୍କର ବନାନ ଲେଖିବା ଅସମ୍ଭବ । ଏ ବିଷୟ ଜାଣିବା ପାଇଁ ପାଠକମାନଙ୍କ ମଧ୍ୟରୁ ଯେଉଁମାନଙ୍କ ମନରେ ଆଗ୍ରହ ଜନ୍ମିବ, ସେମାନେ Dumville ସାହେବଙ୍କ ରଚିତ ‘‘Science of phonetics’’ ବହିଖଣ୍ଡିକ ଥରେ ପଢ଼ି ପାରନ୍ତି ।

 

ଇଂରେଜୀ ଶବ୍ଦମାନଙ୍କର ବନାନ ଯେପରି ଇଂଲଣ୍ଡର ବିଭିନ୍ନ ଲୋକମାନଙ୍କ ଉଚ୍ଚାରଣ ଘେନି ଲେଖାଯାଇ ନ ପାରେ, ସେପରି ଓଡ଼ିଶାର ବିଭିନ୍ନ ଲୋକଙ୍କ ଉଚ୍ଚାରଣ ଉପରେ ନିର୍ଭର କରି ଓଡ଼ିଆ ଶବ୍ଦମାନ ବିଭିନ୍ନ ପ୍ରକାରରେ ଲେଖାଯାଇ ନ ପାରେ । ମନୁଷ୍ୟ ଗୋଟିକେ ଉଚ୍ଚାରଣ ଗୋଟିଏ–ଏ କଥା ପାଠକେ ଏହି ଗ୍ରନ୍ଥର ଧ୍ୱନିତତ୍ତ୍ୱରୁ ବୁଝି ପାରିଥିବେ । ପୁଣି ଭାବପ୍ରକାଶବେଳେ ଅବସ୍ଥା ବିଶେଷରେ ଗୋଟିଏ ଶବ୍ଦ ବିଭିନ୍ନ ପ୍ରକାର ଉଚ୍ଚାରିତ ହୋଇଥାଏ । ଉଦାହରଣସ୍ୱରୂପ ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ,ଆମ୍ଭେମାନେ ବିସ୍ମୟର ଅବସ୍ଥାରେ ପଡ଼ି ବେଳେବେଳେ ‘ମଲାଯା’ ପରିବର୍ତ୍ତରେ ‘ମଲା–ଅ–ଯା’ କହିଥାଉଁ । ସେହିପରି ବେଳେବେଳେ ‘ଗଲା’ ପରିବର୍ତ୍ତରେ ‘ଗ–ଅ–ଲା’ କହିବାକୁ ପଡ଼େ । ସୁତରାଂ ଉଚ୍ଚାରଣ ଘେନି ଶବ୍ଦମାନଙ୍କର ବନାନ ଲେଖିଲେ ଭାଷା ଯେ କିମ୍ଭୁତକିମାକାରରେ ପରିଣତ ହେବ, ତାହା ପାଠକେ ବୁଝି ପାରୁଥିବେ । କିନ୍ତୁ ପଣ୍ଡିତ ଗୋପୀନାଥ ନନ୍ଦେ ଏ କଥା ବୁଝି ନ ପାରି ଶବ୍ଦତତ୍ତ୍ୱବୋଧ ଅଭିଧାନରେ ଗୋଟିଏ ଗୋଟିଏ ଶବ୍ଦର ସତର ପ୍ରକାର ବନାନ ଲେଖିଅଛନ୍ତି । ‘କନିଆର’ ଶବ୍ଦଟିକି ସେ କନିଅର, କଣିଆରି, କଣିଅର ପ୍ରଭୃତିରୂପେ ଲେଖିଅଛନ୍ତି । ଆହୁରି ମଧ୍ୟ ଲୋକଙ୍କ ଉଚ୍ଚାରଣ ଉପରେ ନିର୍ଭର କରି କନ୍ୟାର, କନ୍ୟର, କଣ୍ୟରି, କଣ୍ୟର, କନିୟର, କନିୟାର ପ୍ରଭୃତିରୂପେ ଉକ୍ତ ଶବ୍ଦଟି ଲେଖାଯାଇ ପାରେ । କିନ୍ତୁ ନନ୍ଦେ ଏଗୁଡ଼ିକୁ ଅଭିଧାନରେ କାହିଁକି ସନ୍ନିବେଶ କରି ନାହାନ୍ତି, ତାହା ବୁଝାଯାଏ ନାହିଁ । ଯାହା ହେଉ, ସେ ଯଦି ବୈଜ୍ଞାନିକ ପ୍ରଣାଳୀରେ ଧ୍ୱନିତତ୍ତ୍ୱ ଆଲୋଚନା କରିଥାନ୍ତେ, ତେବେ କଦାପି ଏପରି ଲେଖି ନ ଥାନ୍ତେ । ସଂସ୍କୃତ ‘କର୍ଣ୍ଣିକାର’ ଶବ୍ଦ ପ୍ରାକୃତରେ ‘କିଣ୍ଣିଆରୋ’ରୂପେ ରୂପାନ୍ତରିତ ହୋଇଥିଲା । ଓଡ଼ିଆରେ ଏହା ‘କନିଆର’ ରୂପେ ଲେଖାଯାଇ ପାରେ । ସଂସ୍କୃତ ଚୂର୍ଣ୍ଣ, ପର୍ଣ୍ଣ ପ୍ରଭୃତି ଓଡ଼ିଆରେ ଚୂନ, ପାନ ପ୍ରଭୃତିରେ ପରିଣତ ହୋଇଥିବାରୁ ଜଣାଯାଉଅଛି ଯେ, ସଂସ୍କୃତ ଶନ୍ଦିସ୍ଥିତ ‘ର୍ଣ୍ଣ’ ଓଡ଼ିଆରେ କେବଳ ‘ନ’ ରେ ପରିଣତ ହେବ । ଓଡ଼ିଆରେ ସନ୍ଧି ନ ଥିବାରୁ ‘କରୁଅଛି’, ‘ହୁଅନ୍ତି’ ପ୍ରଭୃତି କ୍ରିୟାପଦ ‘କରୁଛି’, ‘ହ୍ୱନ୍ତି’ ପ୍ରଭୃତିରେ ପରିଣତ ହୁଅନ୍ତି ନାହିଁ । ସୁତରାଂ ‘କନ୍ୟାର’ ଲେଖିବାର ପ୍ରୟୋଜନ ନାହିଁ । ଏହିପରି ବିଚାର କଲେ ଜଣାଯିବ ଯେ, ‘ଛାପା’ ନ ଲେଖି ‘ଛପା’ (ଯଥା, ବହିଛପା) ଲେଖିବା ଉଚିତ । କାରଣ, ଶବ୍ଦର ଦ୍ୱିତୀୟ ବର୍ଣ୍ଣ ଆକାରାନ୍ତ ହୋଇଥିଲେ ପ୍ରଥମ ବର୍ଣ୍ଣ ଆକାରାନ୍ତ ହେବା ଓଡ଼ିଆ ଭାଷାର ପ୍ରକୃତି !

 

ବିଭିନ୍ନ ଲୋକଙ୍କ ଉଚ୍ଚାରଣ ଉପରେ ନିର୍ଭର କରି ଶବ୍ଦମାନଙ୍କର ବନାନ ଲେଖାଯାଇ ପାରେ ନାହିଁ ବୋଲି ଶାଗ, ପାଗ ପ୍ରଭୃତି ଶବ୍ଦ ଗୁଡ଼ିକ ସଂସ୍କୃତ ଭାଷା ଅନୁସାରେ ଶାକ, ପାକ ପ୍ରଭୃତିରୂପେ ଲେଖାଯିବ ନାହିଁ । ପ୍ରତ୍ୟେକ ଦେଶର ପ୍ରତ୍ୟେକ ଲୋକଙ୍କ ଉଚ୍ଚାରଣ-ପ୍ରଣାଳୀ ପରସ୍ପରରେ ବିଭିନ୍ନ ହେଲେହେଁ ପ୍ରତ୍ୟେକ ଦେଶର ଭାଷାରେ ଗୋଟିଏ ସାଧାରଣ ଉଚ୍ଚାରଣ-ବିଶିଷ୍ଟତା ଅଛି । ସେହି ଉଚ୍ଚାରଣ-ବିଶିଷ୍ଟତା ଘେନି ଶବ୍ଦମାନଙ୍କର ବନାନ ଲେଖିବା ଉଚିତ । ସଂସ୍କୃତ ‘ଜଲ’ ଶବ୍ଦ ଓଡ଼ିଆ ଭାଷାର ଉଚ୍ଚାରଣ-ବିଶିଷ୍ଟତା ଘେନି ‘ଜଳ’ରୂପେ ଲେଖାଯାଏ । ସେହିପରି ସଂସ୍କୃତ ‘ବନ’ ଶବ୍ଦ ପରିବର୍ତ୍ତରେ ଓଡ଼ିଆରେ ‘ବଣ’ ଲେଖିବା ଉଚିତ । ସଂସ୍କୃତ ‘ଜନ’ ଶବ୍ଦ ଯେତେବେଳେ ‘ଜଣ’ରୂପେ ବ୍ୟବହୃତ, ତେତେବେଳେ ସଂସ୍କୃତ ‘ବନ’ ଶବ୍ଦକୁ ‘ବଣ’ରୂପେ ବ୍ୟବହାର କଲେ ଅପରାଧ ହେବ ନାହିଁ । ଭାଷାର ଏ ଭଳି ଉଚ୍ଚାରଣ-ବିଶଷ୍ଟତାକୁ ଉପେକ୍ଷା କଲେ ଭାଷାର ପ୍ରାଣହାନି ହେବ ।

 

ସମ୍ବଲପୁର ଅଞ୍ଚଳରେ ‘ଳ’ର ଉଚ୍ଚାରଣ ନାହିଁ ବୋଲି ଓଡ଼ିଆ ବର୍ଣ୍ଣମାଳାରୁ ‘ଳ’ ଅକ୍ଷରଟି ଉଠାଇ ଦିଆଯିବ ନାହିଁ । ପ୍ରତ୍ୟେକ ଦେଶରେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ଭାଷା ସାହିତ୍ୟରେ ବ୍ୟବହୃତ ହୁଏ । ପୁରୀ ଓ କଟକ ଅଞ୍ଚଳର ଭାଷା ଆମ ଦେଶର ସାହିତ୍ୟରେ ମଧ୍ୟ ବ୍ୟବହୃତ ହୋଇ ଆସୁଅଛି । ସେ ଅଞ୍ଚଳରେ ଓଡ଼ିଆ ସାହିତ୍ୟର ଜନ୍ମ ବୋଲି ସେ ଅଞ୍ଚଳର ଭାଷା ଓଡ଼ିଆ ସାହିତ୍ୟରେ ବ୍ୟବହୃତ ହେଉ ନାହିଁ । ପୁରୀ ଓ କଟକ ଅଞ୍ଚଳର ଭାଷାରେ ଓଡ଼ିଆ ଜାତିର ଉଚ୍ଚାରଣ-ବିଶିଷ୍ଟତା ଯେପରି ଅକ୍ଷୁର୍ଣ୍ଣ ଅଛି, ଅନ୍ୟାନ୍ୟ ଅଞ୍ଚଳର ଭାଷାରେ ପ୍ରତିବାସୀ ଭାଷାର ଦାଉରେ ସେପରି ଉଚ୍ଚାରଣ-ବିଶିଷ୍ଟତା ନାହିଁ । ସେହି ହେତୁରୁ ଅନ୍ୟାନ୍ୟ ଅଞ୍ଚଳର ଉଚ୍ଚାରଣ ଉପରେ ନିର୍ଭର କରି ଶବ୍ଦମାନଙ୍କର ବନାନ ଲେଖାଯାଇ ନ ପାରେ ।

 

ପୁରୀ ଓ କଟକ ଅଞ୍ଚଳର ଭାଷା ସାହିତ୍ୟରେ ବ୍ୟବହୃତ ହେବ ବୋଲି କହିବାରୁ ଏପରି କେହି ମନେ କରିବେ ନାହିଁ ଯେ, ସମ୍ବଲପୁର ବା ବାଲେଶ୍ୱର ଅଞ୍ଚଳରେ ବ୍ୟବହୃତ ହେଉଥିବା ଯେଉଁସବୁ ଶବ୍ଦ ପୂର୍ବୋକ୍ତ ଅଞ୍ଚଳରେ ପ୍ରଚଳିତ ନାହିଁ, ସେହି ସବୁ ଶବ୍ଦ ସାହିତ୍ୟରେ ବ୍ୟବହାର କରିବା ଅନୁଚିତ । ବିଭିନ୍ନ ଅଞ୍ଚଳର ବିଭିନ୍ନ ଶବ୍ଦ ସାହିତ୍ୟରେ ବ୍ୟବହାର କଲେ ଭାଷା ପରିପୁଷ୍ଟ ହେବ । ସଂସ୍କୃତ ଉପତ୍ୟକା, ଅଧିତ୍ୟକା ଶବ୍ଦ ବଦଳରେ ବାମଣ୍ଡା ଅଞ୍ଚଳରେ ବ୍ୟବହୃତ ଖମଣ, ଦମକ ପ୍ରଭୃତି ଶବ୍ଦ ବ୍ୟବହାର କଲେ ଯେ ଓଡ଼ିଆ ରଚନା ସୁଲଳିତ ହେବ, ଏଥିରେ ସନ୍ଦେହ ନାହିଁ-। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ଭାଷା ସାହିତ୍ୟରେ ବ୍ୟବହାର କରିବା ଉଚିତ ବୋଲି କହିବାର ମର୍ମ୍ମ ଏହି ଯେ, ସେ ଅଞ୍ଚଳର ଭାଷାର ଉଚ୍ଚାରଣବିଶିଷ୍ଟତା ଘେନି ଶବ୍ଦମାନଙ୍କର ବନାନ ଲେଖିବା ଉଚିତ-। କିନ୍ତୁ ଏ କଥା ମନେ ରଖିବାକୁ ହେବ ଯେ, ନାଟକରେ ବା ଉପନ୍ୟାସରେ ବିଭିନ୍ନ ଅଞ୍ଚଳର ନାୟକନାୟିକାମାନଙ୍କ କଥୋପକଥନବେଳେ ନାୟକ ନାୟିକା ଯେଉଁ ଅଞ୍ଚଳର ଲୋକ ହୋଇଥିବେ, ସେହି ଅଞ୍ଚଳର ଉଚ୍ଚାରଣ ଘେନି ସେମାନଙ୍କ ଉଚ୍ଚାରିତ ଶବ୍ଦଗୁଡ଼ିକର ବନାନ ଲେଖିବାର ପ୍ରୟୋଜନ ଅଛି । ଶେଷରେ ଏତିକି କହିବା ଉଚିତ ଯେ, ସାହିତ୍ୟ ଗୋଟିଏ ସାଧାରଣ ଭାଷାର ଭିତ୍ତି ଉପରେ ପ୍ରତିଷ୍ଠିତ ନ ହେଲେ ଜାତୀୟ ଏକତା ଆଶା କରାଯାଇ ନ ପାରେ ।

 

ପୁରୀ ଓ କଟକ ଅଞ୍ଚଳର ବିଭିନ୍ନ ଲୋକଙ୍କ ଉଚ୍ଚାରଣ ଯେ ବିଭିନ୍ନ ପ୍ରକାର, ଏଥିରେ ସନ୍ଦେହ ନାହିଁ । ତଥାପି ସେ ଅଞ୍ଚଳର ଭାଷାରେ ଯେ ଗୋଟିଏ ସାଧାରଣ ଉଚ୍ଚାରଣ ଅଛି, ତାହା ସହଜରେ ଧରାପଡ଼େ । ‘ନ’ କୁ ଲ ରୂପେ ବା ‘ଲ’ କୁ ‘ନ’ ରୂପେ ଅଥବା ‘ଡ଼’ କୁ ‘ର’ ରୂପେ ଉଚ୍ଚାରଣ କରିବାରେ କୌଣସି ଜାତିର ଉଚ୍ଚାରଣ–ବିଶିଷ୍ଟତା ଜଡ଼ିତ ନ ଥାଏ । କାରଣ, ପ୍ରତ୍ୟେକ ଭାଷାରେ ଉକ୍ତ ବର୍ଣ୍ଣଗୁଡ଼ିକର ଉଚ୍ଚାରଣ ସମ୍ବନ୍ଧରେ ଗୋଳମାଳ ଲକ୍ଷିତ ହୁଏ । ସୁତରାଂ ନୁଣ, ଲଙ୍ଗଳା ପ୍ରଭୃତି ନ ଲେଖି ଏଗୁଡ଼ିକୁ ଯଥାକ୍ରମେ ସଂସ୍କୃତ ଲବଣ, ନଗ୍ନ ପ୍ରଭୃତିରୁ ଉତ୍ପନ୍ନ ହୋଇଥିବାରୁ ଲୁଣ, ନଙ୍ଗଳା ପ୍ରଭୃତିରୂପେ ଲେଖିବା ପ୍ରଶସ୍ତ । ଏପରି ଉଚ୍ଚାରଣ ଦେଶର ସାଧାରଣ ଲୋକଙ୍କ ଭିତରେ ପ୍ରଚଳିତ ଥାଉ ଥାଉ ପୂର୍ବୋକ୍ତ ବନାନ ଲେଖିବାର କୌଣସି ପ୍ରୟୋଜନ ନାହିଁ । ସେହିପରି ‘ବଡ଼ି’ବଦଳରେ ‘ବରି’ ଲେଖିବା ଉଚିତ ନୁହେ । କିନ୍ତୁ ‘ମରା’ବଦଳରେ ‘ମଡ଼ା’ ଲେଖିବା ଉଚିତ । କାରଣ, ଓଡ଼ିଶାରେ ପ୍ରାୟ ସଭିଏଁ ଏହିପରି ଉଚ୍ଚାରଣ କରିଥାନ୍ତି । ଏହିପରି ଶବ୍ଦମାନଙ୍କର ବନାନ ଲେଖିବାପାଇଁ କି ପ୍ରଣାଳୀ ଅବଲମ୍ବନ କରିବାକୁ ହେବ, ସେ ସମ୍ବନ୍ଧରେ ତଳେ ସଂକ୍ଷେପରେ ଆଲୋଚନା କରାଯାଉଅଛି ।

 

ଅନ୍ନ ଓ ଜଗନ୍ନାଥ–ଏହି ଶବ୍ଦଦ୍ୱୟ ଓଡ଼ିଆରେ କେହି କେହି ‘ଅର୍ଣ୍ଣ’ ଓ ‘ଜଗର୍ଣ୍ଣାଥ’ ରୂପେ ଉଚ୍ଚାରଣ କରନ୍ତି ବୋଲି ଧ୍ୱନିତତ୍ତ୍ୱରେ କୁହାଯାଇଅଛି । ତହିଁରେ ଏ କଥା ମଧ୍ୟ ଉଲ୍ଲେଖ କରାଯାଇଅଛି ଯେ, ଓଡ଼ିଆରେ ଯୁକ୍ତବର୍ଣ୍ଣର ଉଚ୍ଚାରଣ ପ୍ରାୟ ନାହିଁ । ଏପରି ସ୍ଥଳେ ‘ଅନ୍ନ’ ଓ ‘ଜଗନ୍ନାଥ’ ଶବ୍ଦଦ୍ୱୟ ଓଡ଼ିଆ ଜାତିର ଉଚ୍ଚାରଣବିଶିଷ୍ଟତା ଘେନି ‘ଅର୍ଣ୍ଣ’ ଓ ‘ଜଗର୍ଣ୍ଣାଥ’ ରୂପେ ଲେଖାଯିବ, ଏପରି କୁହାଯାଇ ନ ପାରେ । ଅନ୍ୟତ୍ର ‘ନ୍ନ’ ‘ର୍ଣ୍ଣ’ ରୂପେ ଉଚ୍ଚାରିତ ହୁଏ ନାହିଁ ଓ କ୍ୱଚିତ୍ ଲୋକ ପୂର୍ବୋକ୍ତ ଶବ୍ଦର ଉଚ୍ଚାରଣ ବିକୃତ କରିଥାନ୍ତି । ଆହୁରି ମଧ୍ୟ ଚୂର୍ଣ୍ଣ, ପର୍ଣ୍ଣ, କର୍ଣ୍ଣ ପ୍ରଭୃତି ଶବ୍ଦର ‘ର୍ଣ୍ଣ’ ଓଡ଼ିଆରେ ଉଚ୍ଚାରିତ ହୋଇ ନ ପାରି ‘ନ’ ରେ ପରିଣତ ହେଉଥିବାର ଦେଖାଯାଉଥିବାରୁ ‘ନ୍ନ’ ‘ର୍ଣ୍ଣ’ ରୂପେ ବିଶିଷ୍ଟତା ଘେନି ଉଚ୍ଚାରିତ ହୁଏ ବୋଲି କୁହାଯାଇ ନ ପାରେ । ସୁତରାଂ ଅନ୍ନ, ଜଗନ୍ନାଥ–ଏହି ଶବ୍ଦଦ୍ୱୟର ବନାନ ବିକୃତ କରିବାର କୌଣସି ପ୍ରୟୋଜନ ନାହିଁ ।

 

ଧ୍ୱନିତତ୍ତ୍ୱରେ ଏ କଥା ମଧ୍ୟ କୁହାଯାଇଅଛି ଯେ, ‘ପତ୍ର’ ଶବ୍ଦ ଯେତେବେଳେ ‘ପତର’ ରୂପେ ଓଡ଼ିଆରେ ଉଚ୍ଚାରିତ ହେଉଥିବାର ଦେଖା ଯାଉଅଛି, ତେତେବେଳେ ‘ଅପରାଧ’ ଶବ୍ଦକୁ ‘ଅପ୍ରାଧ’ ଉଚ୍ଚାରଣ କଲେ ତହିଁରେ ଜାତୀୟ ଉଚ୍ଚାରଣ-ବିଶିଷ୍ଟତା ଅଛି ବୋଲି କୁହାଯାଇ ନ ପାରେ-। ସୁତରାଂ ଏପରି ସ୍ଥଳେ ପତ୍ର, ଅପରାଧ ପ୍ରଭୃତି ଶବ୍ଦର ସଂସ୍କୃତ ବନାନକୁ ଉପେକ୍ଷା କରିବା ଉଚିତ ନୁହେ । ସଂସ୍କୃତ ଭାଷାର ବନାନ ଅନୁରୂପରେ ଉକ୍ତ ଶବ୍ଦଗୁଡ଼ିକର ବନାନ ଦେଶରେ ପ୍ରଚଳିତ ଥାଉ ଥାଉ ସେଗୁଡ଼ିକର ବନାନ ବିକୃତ କରିବାର କୌଣସି ପ୍ରୟୋଜନ ନାହିଁ ।

 

ପୂର୍ବେ ଏ କଥା ମଧ୍ୟ ଉଲ୍ଲେଖ କରାଯାଇଅଛି ଯେ, ଅନେକ ଶବ୍ଦର ଆଦ୍ୟ ‘ଉ’; ‘ଓ’ ରୂପେ କେହି କେହି ଉଚ୍ଚାରଣ କରିଥାନ୍ତି ଓ ଏପରି ଉଚ୍ଚାରଣରେ ଓଡ଼ିଆର ଜାତୀୟ ବିଶିଷ୍ଟତା ଥାଏ-। ଏଥିରୁ ଏପରି ମନେ କରିବାକୁ ହେବ ନାହିଁ ଯେ, ସଂସ୍କୃତ ଉପମା, ଉଦର, ଉପଗତ ପ୍ରଭୃତି ଶବ୍ଦଗୁଡ଼ିକୁ ଯଥାକ୍ରମେ ଓପମା, ଓଦର, ଓପଗତ ପ୍ରଭୃତିରୂପେ ଓଡ଼ିଆରେ ଲେଖିବାକୁ ହେବ । ଉକ୍ତ ସଂସ୍କୃତଶବ୍ଦ ଗୁଡ଼ିକୁ ଓଡ଼ିଶାର ସାଧାରଣ ଲୋକେ ସର୍ବଦା ବ୍ୟବହାର କରୁ ନ ଥିବାରୁ ଓ ଯେଉଁମାନେ ବ୍ୟବହାର କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ସଂସ୍କୃତ ଭାଷା ଭଳିଆ ଉଚ୍ଚାରଣ କରୁଥିବାରୁ ଉକ୍ତ ସଂସ୍କୃତ ଶବ୍ଦଗୁଡ଼ିକୁ ଅବିକୃତଭାବରେ ଓଡ଼ିଆ ସାହିତ୍ୟରେ ବ୍ୟବହାର କଲେ କାହାରି ପକ୍ଷରେ କୌଣସି ଅସୁବିଧା ଘଟିବ ନାହିଁ । କିନ୍ତୁ ସଂସ୍କୃତ ଭାଷାର ଯେଉଁସବୁ ଉକାରାଦ୍ୟ ଶବ୍ଦ ସମ୍ପୂର୍ଣ୍ଣରୂପେ ରୂପାନ୍ତରିତ ହୋଇ ଓଡ଼ିଆରେ ବ୍ୟବହୃତ ହେଉଅଛନ୍ତି, ସେହିସବୁ ରୂପାନ୍ତରିତ ଶବ୍ଦରେ ଆଦ୍ୟରେ ଓକାର ଲେଖିବା ଉଚିତ; ଅର୍ଥାତ୍ ଉପାସନା, ଉପବାସ, ଉଷ୍ଟ୍ର ପ୍ରଭୃତି ସଂସ୍କୃତ ଶବ୍ଦଗୁଡ଼ିକୁ ଓଡ଼ିଆରେ ଓସା, ଓପାସ, ଓଟ ପ୍ରଭୃତିରୂପେ ବ୍ୟବହାର କରିବା ବାଞ୍ଛନୀୟ ।

 

ବର୍ତ୍ତମାନ ପ୍ରଶ୍ନ ଉଠିପାରେ ଯେ, ଛଛନ୍ଦ, ଛଚା ପ୍ରଭୃତି ଶବ୍ଦ ସାହିତ୍ୟରେ ବ୍ୟବହୃତ ହୋଇ ପାରେ କି ନା ? ସ୍ୱଚ୍ଛନ୍ଦ, ସଚ୍ଚା ପ୍ରଭୃତି ଯେପରି ବ୍ୟବହାର କରିବାକୁ ହେବ, ସେପରି ଛଛନ୍ଦ, ଛଚା ପ୍ରଭୃତି ଶବ୍ଦ ସାହିତ୍ୟରେ ବ୍ୟବହାର କଲେ କୌଣସି କ୍ଷତି ନାହିଁ । କାରଣ, ଏଥିରେ ଓଡ଼ିଆ ଭାଷାର ଉଚ୍ଚାରଣବିଶିଷ୍ଟତା ଅଛି । ଏହିପରି କେତେକ ଶବ୍ଦର ଦୁଇ ପ୍ରକାର ବନାନ ଲେଖା ଯାଇପାରେ ।

 

ପୂର୍ବେ ଏ କଥା ମଧ୍ୟ ଉଲ୍ଲେଖ କରାଯାଇଅଛି ଯେ, କରୁଅଛି, ଖାଉଅଛି ପ୍ରଭୃତି କ୍ରିୟାପଦ ଲୋକେ କରୁଛୁ, ଖାଉଛି ପ୍ରଭୃତି ରୂପେ ଉଚ୍ଚାରଣ କରନ୍ତି । ସୁତରାଂ କରୁଅଛି, ଖାଉଅଛି ପରିବର୍ତ୍ତରେ ସାହିତ୍ୟରେ କରୁଛି, ଖାଉଛି ପ୍ରଭୃତି ଲେଖା ଯାଇପାରେ କିନ୍ତୁ ‘ଛ’କୁ ‘ଚ’-ରୂପେ ଉଚ୍ଚାରଣ କରନ୍ତି ବୋଲି କରୁଚି, ଖାଉଚି ପ୍ରଭୃତି ଲେଖିବା ବାଞ୍ଛନୀୟ ନୁହେ । କାରଣ, ଉଚ୍ଚାରଣ ଟିକିଏ ମୃଦୁ ହେଲେ ‘ଛ’-ର ଧ୍ୱନି ‘ଚ’-ର ଧ୍ୱନି ରୂପେ ପ୍ରତ୍ୟେକ ଭାଷାରେ ଶୁଣାଯାଇଥାଏ । ଏଥିରେ କୌଣସି ଭାଷାର ଉଚ୍ଚାରଣ ବିଶିଷ୍ଟତା ଜଡ଼ିତ ନ ଥାଏ । ଯାହା ହେଉ ଏପରି ଆଲୋଚନା କରି ଅନେକ କ୍ରିୟାପଦର ବନାନ ସଂସ୍କାର କରିବା ଉଚିତ । ଅନେକେ ‘ଦେବ’ କ୍ରିୟାପଦ ବଦଳରେ ‘ଦବ’ ଲେଖନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଅତୀତକାଳରେ ‘ଦେଇଥିଲୀ’ ବଦଳରେ ‘ଦେଇଥିଲା’ ଓ ପ୍ରଥମ ପୁଋଷର ଭବିଷ୍ୟତ୍ କାଳରେ ‘ଦେବି’ ବଦଳରେ ‘ଦବି’ ଲେଖାଯାଇ ନ ପାରେ । ସ୍ଥୂଳତଃ କହିବାକୁ ଗଲେ ସଂସ୍କୃତ ‘ଦା’ ଧାତୁ ଓଡ଼ିଆରେ ‘ଦେ’ ଧାତୁ ରୂପେ ପ୍ରଚଳିତ । ସୁତରାଂ ତୃତୀୟ ପୁଋଷର ଭବିଷ୍ୟତ୍ କାଳରେ ‘ଦେବ’ କ୍ରିୟାପଦ ବଦଳରେ ‘ଦବ’ ଲେଖି ବିଶୃଙ୍ଖଳା ଉପୁଜାଇବାର ପ୍ରୟୋଜନ କଣ ?

 

ପାଠକେ ମନେ ରଖିବା ଉଚିତ ଯେ କଥିତ ଭାଷାରେ ଲୋକେ ‘ତୋହର କଥା’ ‘ମୋହର ଲୁଗା’ ପ୍ରଭୃତି ବାକ୍ୟ ବ୍ୟବହାର ନ କରି ସାଧାରଣତଃ ‘ତୋ କଥା’ ‘ମୋ ଲୁଗା’ ପ୍ରଭୃତି ବାକ୍ୟ ବ୍ୟବହାର କରନ୍ତି । ଷଷ୍ଟୀ ବିଭକ୍ତିର ଚିହ୍ନ ‘ର’ ଯୋଗ କରିବାର ପ୍ରଥା ଅଷ୍ଟମ ଶତାବ୍ଦୀ ଉତ୍ତାରୁ ପ୍ରଚଳିତ । ‘ର’ ଯୋଗ କଲେ ‘ହ’-ର ଧ୍ୱନି ଉତ୍ପନ୍ନ ହେବା ତେତେବେଳେ ଓଡ଼ିଆ ଭାଷାର ପ୍ରକୃତି ଥିଲା । କିନ୍ତୁ ଆଜି କାଲି ଓଡ଼ିଆ ଭାଷାର ସେ ପ୍ରକୃତି ନାହିଁ । ସୁତରାଂ ଓଡ଼ିଆ ଭାଷାରେ ତୋହର ମୋହର ପ୍ରଭୃତି ବଦଳରେ ତୋର, ମୋର ଲେଖିବା ଉଚିତ । ସମ୍ବନ୍ଧ ପଦ ପୂର୍ବରେ ରହିଲେ ଷଷ୍ଟୀ ବିଭକ୍ତିର ଚିହ୍ନ ର’ ଅବଶ୍ୟ ଯୋଗ କରିବାକୁ ହେବ, ନଚେତ୍ ‘ର’ ଯୋଗ କରିବାର କୌଣସି ପ୍ରୟୋଜନ ନାହିଁ–ଯଥା, ‘‘ଏ ଲୁଗା ତୋର’’ ବା ‘‘ଏ ତୋ ଲୁଗା’’ ।

 

ଓଡ଼ିଆ ଭାଷାରେ ଶ, ଷ–ଏହି ଦୁଇଟି ବର୍ଣ୍ଣର ଧ୍ୱନି ପ୍ରାୟ ବ୍ୟବହୃତ ହୁଏ ନାହିଁ କହିଲେ ଚଳେ । ଏହା ବୋଲି ସଂସ୍କୃତ ‘ସ୍ପର୍ଶ’ ଓ ‘ପରିବେଷଣ’ ଶବ୍ବ ଦ୍ୱୟରୁ ଉତ୍ପନ୍ନ ‘ପରଶ’ ଓ ‘ପରକ୍ଷ’ ବଦଳରେ ଯଦି କେବଳ ‘ପରସ’ ଲେଖାଯାଏ ତେବେ ଅର୍ଥ ବୁଝିବା ନିମନ୍ତେ ପାଠକମାନେ ଯେ ଗୋଳମାଳରେ ପଡ଼ିବେ ଏଥିରେ ସନ୍ଦେହ ନାହିଁ । ଏହି ହେତୁରୁ ସଂସ୍କୃତ ଶବ୍ଦର ଅନୁରୂପେ ଓଡ଼ିଆରେ ସେହି ସଂସ୍କୃତ ଶବ୍ଦରୁ ରୂପାନ୍ତରିତ ଶବ୍ଦରେ ଶ, ଷ, ବା ସ ରଖିବା ଏକାନ୍ତ ବାଞ୍ଛନୀୟ । ଏହିପରି ଆଲୋଚନା କରି ବନାନ ସଂସ୍କାର କରିବା ଉଚିତ । ଓଡ଼ିଆ ବର୍ଣ୍ଣବୋଧ ମାନଙ୍କରେ ସଂସ୍କୃତ ଶବ୍ଦ ସମାବେଶ ନ କରି ଖାଣ୍ଟି ଓଡ଼ିଆ ଶବ୍ଦ ସମାବେଶ କଲେ ବନାନ ଅନାୟାସରେ ନିର୍ଦ୍ଦେଶିତ ହୋଇପାରେ ।

 

ବର୍ତ୍ତମାନ ଓଡ଼ିଶାରେ ଏପରି ଏକଦଳ ଲେଖକ ଆବିର୍ଭୂତ ହେଇଅଛନ୍ତି ଯେ ସେମାନେ ଓଡ଼ିଆ ରୀତିସିଦ୍ଧ (idiomatic) ବାକ୍ୟକୁ ଉପେକ୍ଷା କରି ଇଂରେଜୀ ରୀତିସିଦ୍ଧ ବାକ୍ୟର ଅନୁକରଣରେ ଓଡ଼ିଆବାକ୍ୟ ଗଢ଼ିବାକୁ ଚେଷ୍ଟା କରୁଅଛନ୍ତି । I told him–ଏହି ଇଂରେଜୀ ବାକ୍ୟର ଅନୁକରଣରେ ‘ମୁଁ କହିଲି–ତାଙ୍କୁ’ ଏପରି କେହି କେହି ଲେଖୁଥିବାର ନଜରରେ ପଡ଼େ । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ପ୍ରତ୍ୟେକ ଭାଷାରେ ବାକ୍ୟ-ଗଢ଼ଣର ରୀତି ସ୍ୱତନ୍ତ୍ର । ‘ମୁଁ ତାଙ୍କୁ କହିଲି’ ଏହି ଓଡ଼ିଆବାକ୍ୟର ଅନୁକରଣରେ I him told । ଏପରି ଇଂରେଜୀ ବାକ୍ୟ ଯଦି ଗଢ଼ାଯାଇ ପାରୁଥାନ୍ତା ତେବେ ଇଂରେଜୀ ବାକ୍ୟର ଅନୁକରଣରେ ଓଡ଼ିଆବାକ୍ୟ ଗଢ଼ିଲେ କିଛି ଆପତ୍ତି ନଥିଲା । ଯେଉଁ ଭାଷାରେ ଯେପରି ପ୍ରାକୃତିକ ନିୟମରେ ବାକ୍ୟ ଗଢ଼ିବା ରୀତି ଅଛି ସେପରି ରୀତିରେ ବାକ୍ୟ ନଗଢ଼ି ଲେ ଭାଷା ନିର୍ଜୀବ ହୋଇପଡ଼େ । ଆଶା କରେ, ଏ ଶ୍ରେଣୀର ଲେଖକମାନେ ଶୀଘ୍ର ନିଜ ନିଜ ଭ୍ରମ ବୁଝି ପାରି ଭବିଷ୍ୟତ୍‌କୁ ଅବଲମ୍ବିତ ପ୍ରଥା ପରିହାର କରିବେ ।

 

ବର୍ତ୍ତମାନ ଲିପିସଂସ୍କାର ସମ୍ବନ୍ଧରେ ଦୁଇ ଚାରି ପଦ କହିବା ଉଚିତ । ଓଡ଼ିଆ ଭାଷାରେ ପୂର୍ବେ ଅବର୍ଗ୍ୟ ‘ବ’ର ଉଚ୍ଚାରଣ ନ ଥିଲା । ଏଣୁ ବର୍ଣ୍ଣମାଳାରେ ଅବର୍ଗ୍ୟ ‘ବ’ ଓ ବର୍ଗ୍ୟ ‘ବ’ ମଧ୍ୟରେ ଆକୃତିଗତ ବୈଷମ୍ୟ ନ ଥିଲେ କିଛି କ୍ଷତି ନ ଥିଲା । କିନ୍ତୁ ବର୍ତ୍ତମାନ ଅନେକ ବିଦେଶୀ ଶବ୍ଦ ଓଡ଼ିଆରେ ପ୍ରଚଳିତ ହେବାରୁ ତହିଁରେ ଅବର୍ଗ୍ୟ ‘ବ’ର ଧ୍ୱନି ଲକ୍ଷିତ ହେଉଅଛି । କିନ୍ତୁ ଲେଖିଲାବେଳେ ସେହି ଧ୍ୱନିଟିକି ନିର୍ଦେଶିତ କରିବା ପାଇଁ ଲେଖକମାନେ ବଡ଼ ଅସୁବିଧାରେ ପଡ଼ନ୍ତି । ଯଦି ବର୍ଣ୍ଣମାଳାରେ ଗୋଟିଏ ପେଟକ । ‘ବ’ ସୃଷ୍ଟି ହୁଅନ୍ତା, ତେବେ ସେ ଅସୁବିଧା ଦୂର ହୁଅନ୍ତା । ଅକ୍ଷର ଅଭାବରୁ ବର୍ତ୍ତମାନ ଅନେକେ ଓ୍ୟାପାସ, ଓ୍ୟାରଣ୍ଟ ପ୍ରଭୃତି ଲେଖିଥାନ୍ତି । ଜୋକ ଦେହରେ ଜୋକ ଲାଗେ ନାହିଁ-ସ୍ୱରବର୍ଣ୍ଣରେ ବ୍ୟଞ୍ଜନବର୍ଣ୍ଣ ଯୁକ୍ତ ହେବା ନିତାନ୍ତ ଅସଙ୍ଗତ ।

 

ଣ୍ଡ, ଣ୍ଢ, ନ୍ଥ, ସ୍ଥ, ଞ୍ଚ, ଞ୍ଛ, ମ୍ଭ ପ୍ରଭୃତି କେତେଗୁଡ଼ିଏ ଯୁକ୍ତବର୍ଣ୍ଣର ସଂସ୍କାର କରିବା ଉଚିତ । ଗୋଟିଏ ବର୍ଣ୍ଣରେ ଆଉ ଗୋଟିଏ ବର୍ଣ୍ଣ ଯୁକ୍ତ ହେଲେ ଦୁଇଟି ବର୍ଣ୍ଣର ଚିହ୍ନ ଘେନି ଯଦି ଯୁକ୍ତବର୍ଣ୍ଣର ଅଙ୍ଗ ନ ହୁଏ, ତେବେ ସେହି ଯୁକ୍ତବର୍ଣ୍ଣ ସହିତ ସହଜରେ କେହି ପରିଚିତ ହୋଇ ନ ପାରେ । ଓଡ଼ିଆ ଯୁକ୍ତବର୍ଣ୍ଣଗୁଡ଼ିକ ଯେପରି ଭାବରେ କୁଟିଳ ଯୁକ୍ତବର୍ଣ୍ଣମାଳାରୁ ବିକଶିତ, ତାହାର ଇତିହାସ ଏଠାରେ ଉଲ୍ଲେଖ କରାଯାଇ ନ ପାରେ । କିନ୍ତୁ ଏତିକି କହିବାକୁ ହେଉଅଛି ଯେ, କୁଟିଳ ଯୁକ୍ତବର୍ଣ୍ଣ ଓଡ଼ିଆରେ ଏପରି ଭାବରେ ପରିବର୍ତ୍ତିତ ହୋଇ ପଡ଼ିଛି ଯେ, ତହିଁରୁ ଦୁଇଟି ବର୍ଣ୍ଣର ଚିହ୍ନ ଧରିବା କଠିନ । ଲିପିସଂସ୍କାର ସମ୍ବନ୍ଧରେ ଏଠାରେ ବିସ୍ତୃତ ଭାବରେ ଆଲୋଚନା କରିବା କଠିନ କଥା । ସ୍ଥୂଳତଃ ଏତିକି କହିପାରେ ଯେ, ଛାପାଖାନାର କର୍ତ୍ତାମାନେ ବିଚାର କଲେ ଅନାୟାସରେ ଲିପିସଂସ୍କାର କରାଯାଇ ପାରେ ।

Image